ରାଜଧାନୀରେ ବଢ଼ୁଛି ନିଶା ମାଫିଆଙ୍କ କାୟା : ଗନ୍ତାଘରେ ପହଞ୍ଚିପାରୁନି ପୁଲିସ

ରାଜଧାନୀରେ ବଢ଼ୁଛି ନିଶା ମାଫିଆଙ୍କ କାୟା

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ନିଶା ମାଫିଆ ନିଜର କାୟା ବିସ୍ତାର କରିଚାଲିଛନ୍ତି। ରାଜଧାନୀ ନିଶା ମାଫିଆଙ୍କ କବ୍‌ଜାକୁ ଚାଲିଯାଇଛି। ନିଶା ମାଫିଆମାନେ ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ବେଧଡ଼କ ଭାବେ ନିଶା କାରବାର ଚଳାଇଛନ୍ତି। ବ୍ରାଉନ୍‌ସୁଗାର ବେପାର ଉପରେ ରୋକ୍‌ ଲଗାଇବା ପାଇଁ କମିସନରେଟ୍‌ ପୁଲିସ ଚଢ଼ଉକୁ ଜୋରଦାର କରୁଛି ବୋଲି କେବଳ କଥାରେ କହୁଛି ସିନା କିନ୍ତୁ ଅସଲରେ ରାଜଧାନୀକୁ କିଲୋ କିଲୋ ଓଜନର ବ୍ରାଉନ୍‌ସୁଗାର ଆସୁଛି। ହେଲେ ଆଜି ପର୍ଯ୍ୟନ୍ତ କମିସନରେଟ୍‌ ପୁଲିସ ଥରେ ହେଲେ ବି କିଲୋ ପରିମାଣର ବ୍ରାଉନ୍‌ସୁଗାର ଜବତ କରିପାରିନାହିଁ। ୧୦ ଗ୍ରାମ୍‌, ୨୦ ଗ୍ରାମ୍‌ ଅତିବେଶିରେ ଶହେ ଗ୍ରାମ ଓଜନର ବ୍ରାଉନ୍‌ସୁଗାର ଜବତ କରିଛି। ଯାହା ଜବତ କରାଯାଉଛି, ତାହା ସମୁଦ୍ରରୁ ଢାଳେ ପାଣି ସଦୃଶ। ବହୁ ପରିମାଣର ବ୍ରାଉନ୍‌ସୁଗାର ମାଫିଆଙ୍କ ପାଖରେ ରହିଯାଉଛି ଓ ପରେ କାରବାର ହେଉଛି। ଅର୍ଥାତ ପୁଲିସ ମୁଖ୍ୟ ମାଫିଆଙ୍କ ପାଖରେ ପହଞ୍ଚିପାରୁନାହିଁ। ଖୁଚୁରା ବ୍ୟବସାୟୀଙ୍କ ପାଖରେ ଅଟକି ଯାଇଛି। କାହିଁକି ମାଫିଆଙ୍କ ପାଖରେ ପହଞ୍ଚି ପାରୁନାହିଁ? କେଉଁଠି ଦୁର୍ବଳତା ରହିଛି? ତାହା ଏବେ ବଡ଼ ପ୍ରସଙ୍ଗ। ଅପରପକ୍ଷରେ ଏସ୍‌ଟିଏଫ୍‌ ଓ ଅବକାରୀ ବିଭାଗ ଥ‌ରକେ ବିପୁଳ ପରିମାଣର ବ୍ରାଉନ୍‌ସୁଗାର ଜବତ କରିପାରୁଛନ୍ତି। ଗତ ସେପ୍ଟେମ୍ବର ୨୯ ତାରିଖ ରାତିରେ ଏସ୍‌ଟିଏଫ୍‌ କ୍ୟାପିଟାଲ ଥାନା ଫରେଷ୍ଟ ପାର୍କ ଅଞ୍ଚଳର ଉମେଶ ବେହେରା ଘରେ ଚଢ଼ଉ କରି ୧କେଜି ୫୦ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଥିଲା। ଥାନାଠାରୁ‌ ମାତ୍ର କିଛି ଦୂରରେ ବିପୁଳ ପରିମାଣର ବ୍ରାଉନ୍‌ସୁଗାର ଗଚ୍ଛିତ ଥିବା ବେଳେ କ୍ୟାପିଟାଲ ଥାନା ପୁଲିସ କିନ୍ତୁ ଜାଣିପାରିନଥିଲା। ଏହା ଗୋଟିଏ ଉଦାହରଣ ନୁହେଁ। ଏମିତି ବହୁ ଉଦାହରଣ ରହିଛି।
୯ ମାସର ପୁଲିସ ରେକର୍ଡ, ୨ କେଜି ବ୍ରାଉନ୍‌ସୁଗାର, ସାଢ଼େ ୧୧ କ୍ବିଣ୍ଟାଲ୍‌ ଗଞ୍ଜେଇ ଜବତ
ଗତ ୯ ମାସରେ ୯୯ଟି ନିଶା କାରବାର ମାମଲାରେ କମିସନରେଟ୍‌ ପୁଲିସ ୧୮୫ ବେପାରୀଙ୍କୁ ବାନ୍ଧିଛି। ସେମାନଙ୍କଠାରୁ ୩କୋଟିରୁ ଅଧିକ ଟଙ୍କା ମୂଲ୍ୟର ବିଭିନ୍ନ ନିଶା ସାମଗ୍ରୀ ଜବତ କରାଯାଇଛି। ୫୯ଟି ବ୍ରାଉନ୍‌ସୁଗାର କାରବାର ମାମଲାରେ ପୁଲିସ ୧୦୬ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ମୋଟ ୨କେଜି ୦୪ଗ୍ରାମ ୭୮ମିଲିଗ୍ରାମ ଓଜନର ବ୍ରାଉନ୍‌ସୁଗାର ଓ ୭ଲକ୍ଷ ୨୩ ହଜାର ୪୫୦ଟଙ୍କା ଜବତ କରାଯାଇଛି। ସେହିପରି ସେମାନଙ୍କଠାରୁ ୩୧୦ ଗ୍ରାମ୍‌ ଓଜନର ସୁନା ଗହଣା, ୪୫୦ଗ୍ରାମ୍‌ ଓଜନର ରୁପା ଗହଣା, ୨୦ଟି ଗାଡ଼ି ଏବଂ ୫୦ଟି ମୋବାଇଲ ଫୋନ ଜବତ କରାଯାଇଛି। ସେହିପରି ୪୦ ଗଞ୍ଜେଇ ବିକ୍ରି ମାମଲାରେ ୭୯ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସେମାନଙ୍କଠାରୁ ୧୧କ୍ବିଣ୍ଟାଲ ୬୦ କେଜି ୭୪୬ଗ୍ରାମ ଓଜନର ଗଞ୍ଜେଇ, ୩୨ ହଜାର ଟଙ୍କା, ୧୮ଟି ଗାଡ଼ି, ୨୯ଟି ମୋବାଇଲ ଫୋନ ଏବଂ ଗୋଟିଏ ଦେଶୀ ବନ୍ଧୁକ ସହିତ ୫ଟି ଜୀବନ୍ତ ଗୁଳି ଜବତ ହୋଇଛି।
ଜେଲ୍‌ରୁ ଫେରି ଚଳାଉଛନ୍ତି ବ୍ୟବସାୟ
କମିସନରେଟ୍‌ ପୁଲିସଠାରୁ ଆରମ୍ଭ କରି ଅବକାରୀ ବିଭାଗ, ଏସ୍‌ଟିଏଫ୍‌ ନିୟମିତ ଅନ୍ତରାଳରେ ଚଢ଼ଉ କରି ରାଜଧାନୀରୁ ପୁଳାପୁଳା ଗଞ୍ଜେଇ, ବ୍ରାଉନସୁଗାର, ହେରୋଇନ୍‌ ଆଦି ଜବତ କରୁଛନ୍ତି। ମାଫିଆ, ଖୁଚୁରା ବ୍ୟବସାୟୀ ବନ୍ଧା ହେଉଛନ୍ତି। କିନ୍ତୁ ନା ବେପାର କମୁଛି, ନା ବେପାରୀଙ୍କ ମନବଳ ଭାଙ୍ଗୁଛି। ପୁଲିସ ଗୋଡ଼େଇ ଗୋଡ଼େଇ ଯେତେ ବା‌ନ୍ଧୁଛି, ନିଶା ବେପାର ସେତେ ବଢ଼ିବାରେ ଲାଗିଛି। ଜେଲ୍‌ ଯାଉଥିବା ମାଫିଆ ବା କୁଜି ବେପାରୀ ଜାମିନରେ ମୁକୁଳି ପୁଣି ବେପାର କରୁଛନ୍ତି। ଥରେ ଜାମିନରେ ଆସିବା ପରେ ସେମାନେ ଅଧିକ ନିର୍ଭୟ ହୋଇପଡ଼ୁଛନ୍ତି ଓ ବେଫିକର ବେପାର କରୁଛନ୍ତି। ଗତ ୯ ମାସରେ ରାଜଧାନୀର ନିଶା କାରବାର ତଥ୍ୟ ସ୍ପଷ୍ଟ ବୟାନ କରୁଛି।
ଘଳିଆ କେଉଁଠି?
ଉଦ୍‌ବେଗର ପ୍ରସଙ୍ଗ ହେଉଛି, ବ୍ରାଉନ୍‌ସୁଗାର, ହେ‌ରୋଇନ୍‌, ଗଞ୍ଜେଇ ଭଳି ନିଶାଦ୍ରବ୍ୟ କେଉଁଠୁ ଆସୁଛି? ପୁଲିସଠାରୁ ଆରମ୍ଭ କରି ଏସ୍‌ଟିଏଫ୍‌ ସମସ୍ତଙ୍କୁ ଏବାବଦରେ ବେଶ୍ ଜଣା। ବିଶେଷକରି ବ୍ରାଉନ୍‌ସୁଗାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ସୀମା ପାର୍‌ ହୋଇଆସୁଛି। ଏକଥା କାହାକୁ ଅଛପା ନାହିଁ। ସୀମାରେ ପୁଲିସ ଜଗିଛି। କିନ୍ତୁ ବାଲେଶ୍ବରରୁ ରାଜଧାନୀ ଅର୍ଥାତ ୪ଟି ଜିଲ୍ଲା ପୁଲିସକୁ ବି ମାତ୍‌ ଦେଇ ମାଫିଆମାନେ ବ୍ରାଉନ୍‌ସୁଗାର ଧରି ଅତି ସହଜରେ ରାଜଧାନୀରେ ପହଞ୍ଚି ପାରୁଛନ୍ତି। ହେଲେ ସେମାନଙ୍କୁ ରୋକା ଯାଇ ପାରୁନାହିଁ। କିଭଳି ସୀମାନ୍ତ ପୁଲିସ ଏବଂ ଚାରି ଚାରିଟି ଜିଲ୍ଲା ପୁଲିସକୁ ମାତ୍‌ ଦେଉଛନ୍ତି ନିଶା ମାଫିଆ? ନା ଏହା ଭିତରେ କିଛି ସନ୍ଧି ଅଛି? ସୁରକ୍ଷା ବ୍ୟବସ୍ଥା କାହିଁକି ଠିକ୍‌ ଭାବେ କାମ କରୁନି? ମାଫିଆ କିଭଳି ସବୁ ସୁରକ୍ଷା ବାଡ଼କୁ ଭେଦ କରୁଛନ୍ତି, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ବସ୍ତି ପାଲଟିଛି ଗନ୍ତାଘର
ରାଜଧାନୀରେ ବସ୍ତିଗୁଡ଼ିକ ହିଁ ବ୍ରାଉନ୍‌ସୁଗାରର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଏ ପର୍ଯ୍ୟନ୍ତ ଅବକାରୀ ବିଭାଗ ହେଉ କି କମିସନରେଟ୍‌ ପୁଲିସ, ଯାହା ନିଶାଦ୍ରବ ଜବତ କରିଛନ୍ତି, ସେସବୁ ଅଧିକାଂଶ ବସ୍ତିରୁ ହିଁ ଜବତ କରାଯାଇଛି। ବସ୍ତିରେ ବଢ଼ୁଥିବା ବ୍ରାଉନ୍‌ସୁଗାର କାରବାରରେ ରୋକ୍‌ ଲଗାଇବା ପାଇଁ ହ୍ବାଇଟ୍‌ ସ୍ପାଇଡର ଯୋଜନା କରାଗଲା। ଅପରେସନ୍‌ ହ୍ବାଇଟ୍‌ ସ୍ପାଇଡ୍‌ରରେ ଚଢ଼ଉକୁ ଜୋର୍‌ଦାର୍‌ କରି ନିଶା ବ୍ୟବସାୟୀଙ୍କୁ ବନ୍ଧାଗଲା। ବସ୍ତିରେ ଲୋକଙ୍କୁ ସଚେତନ କରାଗଲା। ‘ବସ୍ତିକୁ ଚାଲ’ ଅଭିଯାନରେ ପୁଲିସ ବସ୍ତିକୁ ବସ୍ତି ଯାଇ ଲୋକଙ୍କୁ ବୁଝାଇଲା। ‌ହେଲେ ବସ୍ତିଗୁଡ଼ିକରୁ ବ୍ରାଉନ୍‌ସୁଗାର କାରବାରକୁ ମୂଳପୋଛ କରିବା ସମ୍ଭବ ହୋଇପାରିନାହିଁ। ବସ୍ତିର ଗଳିଗଳିରେ ବ୍ରାଉନ୍‌ସୁଗାର ମିଳୁଛି।

Share Now:

Kalinga News Beuro

Next Post

ଆଂଶିକ ସୂର୍ଯ୍ୟୋପରାଗ ଆରମ୍ଭ : ଓଡ଼ିଶାରେ ହେଲା ଦୃଶ୍ୟମାନ, ସନ୍ଧ୍ୟା ୬ଟା ୨୬ରେ ମୋକ୍ଷପ୍ରାପ୍ତି

Tue Oct 25 , 2022
ଭୁବନେଶ୍ବର: ବର୍ଷର ଶେଷ ସୂର୍ଯ୍ୟୋପରାଗ ଆରମ୍ଭ ହୋଇଯାଇଛି। ଏହି ଆଂଶିକ ସୂର୍ଯ୍ୟୋପରାଗ ଭାରତରେ ୪ଟା ୨୯ ମିନିଟରୁ ଦେଖାଯାଇଛି। ଓଡ଼ିଶାରେ କେତୁଗ୍ରସ୍ତ ଖଣ୍ଡଗ୍ରାସ (ଆଂଶିକ) ସୂର୍ଯ୍ୟୋପରାଗ ଅପରାହ୍ନ ୪.୫୬ ମିନିଟ ୫୨ ସେକେଣ୍ଡରେ ସ୍ପର୍ଶ କରିଛି। ଏହା ସନ୍ଧ୍ୟା ୬ଟା ୨୬ ମିନିଟ ୫୨ ସେକେଣ୍ଡରେ ମୋକ୍ଷାପ୍ରାପ୍ତି ହେବ। ମାତ୍ର ସୂର୍ଯ୍ୟୋପରାଗର କାଳ ପରାଗ ଲାଗିବା ପୂର୍ବରୁ ଆରମ୍ଭ ହୋଇଯାଇଛି। ଭାରତରେ ସୂର୍ଯ୍ୟୋପରାଗ ଅପରାହ୍ନ ପାଖାପାଖି ୪ଟା ୨୯ ମିନିଟରେ […]
ଆଂଶିକ ସୂର୍ଯ୍ୟୋପରାଗ ଆରମ୍ଭ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial