ଯାଁଳାରେ ଗୁଳି କରି ଲୁଟ୍‌: ଦୋକାନରୁ ୨୦ଲକ୍ଷ ଟଙ୍କାର ଗହଣା ନେଇଗଲେ

ଯାଁଳାରେ ଗୁଳି କରି ଲୁଟ୍‌

ଭୁବନେଶ୍ବର: ବୁଧବାର ରାଜଧାନୀ ଉପକଣ୍ଠ ଯାଁଳା ବଜାରରେ ଲୁଟେରାମାନଙ୍କ ବନ୍ଧୁକ ଗର୍ଜିଛି। ଦୁଇ ଜଣ ଲୁଟେରା ୩ ରାଉଣ୍ଡ ଫାୟାର୍‌ କରି ସାଗରିକା ଜୁଏଲର୍ସରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ଫେରାର୍ ହୋଇଯାଇଛନ୍ତି। ଗୁଳିକାଣ୍ଡରେ କେହି ମୃତାହତ ହୋଇନଥିଲେ ମଧ୍ୟ ୟୁପି, ବିହାର ଭଳି ଦିନ ଦି’ପହରରେ ଏହି ଘଟଣା ଘଟାଇ ଲୁଟେରାମାନେ କମିସନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇଛନ୍ତି। ଘଟଣା ପରେ ତିନି ତିନିଟି ଥାନା ପୁଲିସ ଓ ଭୁବନେଶ୍ବର ସ୍ପେସାଲ ସ୍କ୍ବାଡ୍‌ ସାଇଣ୍ଟିଫିକ୍‌ ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସେଠାରୁ ୩ଟି ଖୋକା, ନିଶା ସ୍ପ୍ରେ ଓ ଲୁଟେରମାନେ ଛାଡ଼ି ଯାଇଥିବା ପଲ୍‌ସର ବାଇକ୍‌କୁ ଜବତ କରାଯାଇଛି। ପୁଲିସ ଦୋକାନର ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରୁଛି। ଓଡ଼ିଆରେ କଥାବାର୍ତ୍ତା କରୁଥିବା ଲୁଟେରାମାନେ ଖୋର୍ଦ୍ଧା ଦିଗରେ ପଳାଇଥିବାରୁ ପୁଲିସ ତୁରନ୍ତ ଖୋର୍ଦ୍ଧା ପୁଲିସକୁ ଜଣାଇଛି।
ଖବର ଅନୁଯାୟୀ, ଅପରାହ୍ନ ପ୍ରାୟ ୧ଟା ବେଳେ ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ଯାଁଳା ବଜାରରେ ଥିବା କବିରାଜ ସୁବୁଦ୍ଧିଙ୍କ ସାଗରିକା ଜୁଏଲର୍ସକୁ ୨ଜଣ ଲୁଟେରା ଆସିଥିଲେ। ଏକ ନୀଳ ରଙ୍ଗର ୨୨୦ ପଲ୍‌ସର ବାଇକ୍‌ରେ ସେମାନେ ମୁଣ୍ଡମୁହାଣ ଗାଁ ପଟୁ ଆସି ଦୋକାନ ସମ୍ମୁଖରେ ଅଟକିଥିଲେ। ସେତେବ‌େଳେ ଦୋକାନ ଭିତରେ କବିରାଜ ଓ ଜଣେ ସେଲ୍‌ସବୟ ଥିଲେ। ଖରାବେଳ ହୋଇଥିବାରୁ ରାସ୍ତା ନିଛାଟିଆ ହୋଇଯାଇଥିଲା। ଦୋକାନ ଭିତରକୁ ପଶୁ ପଶୁ ପଛରେ ଥିବା ଦୁର୍ବୃତ୍ତ ଏକ ବନ୍ଧୁକ ବାହାର କରିଥିଲା ଓ ଆଗରେ ଥିବା ଦୁର୍ବୃତ୍ତ କବିରାଜଙ୍କ ମୁହଁକୁ ନିଶା ସ୍ପ୍ରେ କରିଥିଲା। କିନ୍ତୁ କବିରାଜ ମୁହଁକୁ ବୁଲାଇ ଦେବା ସହ ପାଦ ପାଖରେ ଥିବା ସାଇରନ୍‌ ସୁଇଚ୍‌କୁ ଦବାଇ ଦେଇଥିଲେ। ସେଲ୍‌ସବୟ ବି ତୁରନ୍ତ ଦୋକାନ ବାହାରକୁ ଧାଇଁ ଆସି ଚୋର ଚୋର ବୋଲି ପାଟି କରିଥିଲା। ସାଇରନ୍‌ ଶବ୍ଦ ଶୁଣି କବିରାଜଙ୍କ ସ୍ତ୍ରୀ ଓ ପଡ଼ୋଶୀ ସଂଗ୍ରାମ ମହାପାତ୍ର ଘରୁ ବାହାରି ଆସିଥିଲେ। ସଂଗ୍ରାମ ସାହସ କରି ଦୋକାନକୁ ପଶିଯିବାକୁ ବସିଥିବା ବେଳେ ବନ୍ଧୁକଧାରୀ ଦୁର୍ବୃତ୍ତ ତାଙ୍କୁ ଗୋଡ଼ାଇ ଆସିଥିଲା। ଜୀବନ ବଞ୍ଚାଇବାକୁ ସଂଗ୍ରାମ ପଛକୁ ହଟି ଯାଇଥିଲେ। କବିରାଜଙ୍କ କହିବା କଥା ପ୍ରଥମେ ସେମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗହଣା ବକ୍ସ ବାହାର କରିବାକୁ କହିଥିଲେ। ମାତ୍ର ପାଟିତୁଣ୍ଡ ହୋଇଯିବାରୁ ଦୁର୍ବୃତ୍ତମାନେ ତରବରରେ ଦରାଣ୍ଡି ପକାଇ ୪ଟି ହାର ଓ କିଛି ସୁନାଚେନ୍‌ ପକେଟ୍‌ରେ ପୂରାଇ ଦୋକାନ ବାହାରକୁ ପଳାଇଆସିଥିଲେ। ସେହିଭଳି ସିସି କ୍ୟାମେରା ଚିତ୍ର ଅନୁସାରେ ଦୋକାନରୁ ବାହାରିବା ପରେ ସେମାନଙ୍କ ବାଇକ୍‌ ଷ୍ଟାର୍ଟ ହୋଇନଥିଲା। ତେଣୁ ଏହି ମଉକାରେ ସଂଗ୍ରାମ ସେମାନଙ୍କୁ ଲକ୍ଷ୍ୟ କରି ଏକ ଢେଲା ପକାଇଥିଲେ। ଢେଲା ମାଡ଼ ଦେଖି ଜଣେ ଦୁର୍ବୃତ୍ତ ଗୁଳି ଚାଳନା କରିଥିଲା। ତେଣୁ ସଂଗ୍ରାମ ଘର ଭିତରକୁ ପଳାଇଥିଲେ ଓ ଛାତ ଉପରକୁ ଉଠି ସେମାନଙ୍କ ଉପରକୁ ଏକ ବାଉଁଶ ଫୋପାଡ଼ିଥିଲେ। ବାଉଁଶଟି ଜଣେ ଦୁର୍ବୃତ୍ତ ଦେହରେ ବାଜିଥିଲା। ଏହି ସମୟରେ କବିରାଜ ଦୋକାନରୁ ବାହାରି ଆସି ତଳେ ପଡ଼ିଥିବା ଏକ ବାଡ଼ି ଉଠାଇଥିଲେ। ମାତ୍ର ସେ ଦୁର୍ବୃତ୍ତମାନଙ୍କୁ ଆକ୍ରମଣ କରିବା ପୂର୍ବରୁ ସେମାନେ ଆଉ ଏକ ରାଉଣ୍ଡ ଗୁଳି ଫୁଟାଇଥିଲେ। ତେଣୁ କବିରାଜ ଭୟରେ ଘର ଭିତରକୁ ଧାଇଁଥିଲେ। ଷ୍ଟାର୍ଟ ନହେବାରୁ ଦୁର୍ବୃତ୍ତମାନେ ବାଇକ୍‌କୁ ଗଡ଼ାଇ କିଛି ବାଟ ଯାଇଥିଲେ। ସେମାନଙ୍କ ସୌଭାଗ୍ୟକୁ ଠିକ୍‌ ସେତିକି ବେଳେ ବ୍ଲୁଡାର୍ଟର ଜଣେ ଡେଲିଭରି ବୟ କପିଳ ମହାରଣା ସେଠାରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ। କିଛି ବୁଝିବା ପୂର୍ବରୁ ଲୁଟେରାଦ୍ବୟ ସେମାନଙ୍କ ବାଇକ୍‌ ଛାଡ଼ି କପିଳଙ୍କ ପାସନ୍‌ ପ୍ରୋ ବାଇକ୍‌ ନେଇ ଚମ୍ପଟ ମାରିଥିଲେ।
ଲୁଟେରାଙ୍କୁ ଧରିବା ପାଇଁ ୬ଥାନାର ପିଓପିଡି ଟିମ୍
ଗୋଟେ ପରେ ଗୋଟେ ହାଇପ୍ରୋଫାଇଲ୍ ଲୁଟ୍ ଘଟିଚାଲିଥିବା ବେଳେ କମିସନରେଟ୍‌ ପୁଲିସ ଅପରାଧୀଙ୍କୁ ଧରିବାରେ ସକ୍ଷମ ହେଉନାହିଁ। ଆଜି ଆଉ ଏକ ଛାତିଥରା ଲୁଟ୍‌ ରାଜଧାନୀ ଉପକଣ୍ଠରେ ଦିନ ଦିପହରରେ ଘଟିଛି। ତେଣୁ କମିସନରେଟ୍ ପୁଲିସ ଏହାକୁ ଚ୍ୟାଲେଞ୍ଜ୍‌ର ସହ ନେଇଛି। ଅପରାଧୀଙ୍କୁ ଧରିବା ପାଇଁ ସ୍ପେସାଲ ସ୍କ୍ବାଡ୍‌ର ସ୍ବତନ୍ତ୍ର ଟିମ୍ ସହିତ ଏସିପି ସଂଜୀବ ଶତପଥୀ ଓ ରଜତ ରାୟଙ୍କ ନେତୃତ୍ବରେ ୬ଟି ଥାନାରେ ପିଓପିଡି ସଦସ୍ୟଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି। ନୂଆପଲ୍ଲୀ, ଖଣ୍ଡଗିରି, ଭରତପୁର, ତମାଣ୍ଡୋ, ଇନ୍‌ଫୋଭ୍ୟାଲି ଓ ଜଟଣୀ ଥାନାର ସଦସ୍ୟମାନେ ମିଶି ବିଭିନ୍ନ ଅଞ୍ଚଳରେ ଚଢ଼ଉ ଆରମ୍ଭ କରିଛନ୍ତି।

Share Now:

Kalinga News Beuro

Next Post

କଂଗ୍ରେସରେ ବିଦ୍ରୋହ : ବିଦ୍ରୋହୀ ନେତା କହିଲେ ରାହୁଲ ଗାନ୍ଧିଙ୍କ ନେତୃତ୍ୱ ଉପରେ ଭରସା ନାହିଁ

Thu Mar 17 , 2022
ନୂଆଦିଲ୍ଲୀ : ୫ଟି ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଦଳ ଭିତରେ ଥିବା ଅସନ୍ତୋଷ କ୍ରମଶଃ ବିଦ୍ରୋହ ରୂପ ନେବାକୁ ଆରମ୍ଭ କରିଛି। ଜି-୨୩ ଭାବେ ପରିଚିତ ୨୩ ବିଦ୍ରୋହୀ କଂଗ୍ରେସ ନେତାଙ୍କ ଗ୍ରୁପ ସିଧାସଳଖ ଗାନ୍ଧି ପରିବାର ହାତରୁ କଂଗ୍ରେସର ନେତୃତ୍ବ ପ୍ରତ୍ୟାହାର କଥା ଦୋହରାଇଛି। ଏହି ବିଦ୍ରୋହୀ ନେତାଙ୍କୁ ବୁଝାଇବାକୁ ଖୋଦ ରାହୁଲ ଗାନ୍ଧି ଉଦ୍ୟମ କରୁଥିଲେ ମଧ୍ୟ ଗ୍ରୁପ ପକ୍ଷରୁ ଖୋଲାଖୋଲି କୁହାଯାଇଛି ଯେ […]
କଂଗ୍ରେସରେ ବିଦ୍ରୋହ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial