ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ବିଶେଷକରି ଖାଇବା ତେଲ, ଖାଦ୍ୟ ସାମଗ୍ରୀର ଦର ବଢିଚାଲିଥିବାରୁ ତାହା ଉପରେ ନଜର ରଖିବାକୁ ସରକାର ଏକ ଉଚ୍ଚକ୍ଷମତା ସଂପନ୍ନ ଅନ୍ତର୍ମନ୍ତ୍ରିମଣ୍ଡଳୀୟ କମିଟି ଗଠନ କରିଛନ୍ତି। କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। କମିଟି କିଛି ଦିନ ତଳେ ଖାଇବା ତେଲର ଦର ଓ ଉପଲବ୍ଧତା ସ୍ଥିତିର ସମୀକ୍ଷା କରିଥିଲା। ଏହି ସମୀକ୍ଷା ବୈଠକରେ ଦେଶର ପ୍ରମୁଖ ତୈଳ ପ୍ରକ୍ରିୟାକରଣ ସଂଘମାନଙ୍କ ସହ ଆଲୋଚନା କରାଯାଇଥିଲା।
ଭାରତ ନିଜ ଖାଇବା ତେଲ ଆବଶ୍ୟକତାର ଦୁଇ ତୃତୀୟାଂଶ ବିଦେଶରୁ ଆମଦାନୀ କରିଥାଏ। କିନ୍ତୁ ୟୁକ୍ରେନ ଯୁଦ୍ଧ ଓ ଇଣ୍ଡୋନେସିଆ ଦ୍ବାରା ରପ୍ତାନି କଟକଣା ଯୋଗୁଁ ଦର ହଠାତ ବଢିଯାଇଛି। ଆଗକୁ ଦର ଆହୁରି ବଢିବାର ଆଶଙ୍କା ଥିବାରୁ ସରକାର ଚିନ୍ତିତ ହୋଇପଡ଼ିଛନ୍ତି। ଖାଦ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଭାରତରେ ଏବେ ୨.୧ ନିୟୁତ ଟନ ଖାଇବା ତେଲ ଗଚ୍ଛିତ ଅଛି, ଯାହାକି ମେ ମାସର ଆବଶ୍ୟକତା ମେଣ୍ଟାଇବ। ଆହୁରି ୧.୫ ନିୟୁତ ଟନ ଆମଦାନୀ ହୋଇ ଆସୁଛି। ଏଣୁ ଆସନ୍ତା ଜୁନ ମାସ ପର୍ଯ୍ୟନ୍ତ ଦେଶରେ ଖାଇବା ତେଲର ଅଭାବ ରହିବ ନାହିଁ।
ଖାଇବା ତେଲ ଦରବୃଦ୍ଧିକୁ ନେଇ ସରକାରଙ୍କ ଚିନ୍ତା : ଉଚ୍ଚସ୍ତରୀୟ କମିଟି ଗଠିତ

Share Now: