ପୂର୍ବ ଲଦାଖ୍‌ରେ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ: ସେନା

ପୂର୍ବ ଲଦାଖ୍‌ରେ ଯୁଦ୍ଧ ପାଇଁ ଭାରତ ପ୍ରସ୍ତୁତ

ଏଲ୍‌ଏସି ନେଇ ବିରୋଧୀଙ୍କ ସହ ସରକାର କରିପାରନ୍ତି ରୁଦ୍ଧଦ୍ୱାର ବୈଠକ

ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ରେ ଯଦି ଚୀନ୍‌ ଯୁଦ୍ଧ ସ୍ଥିତି ସୃଷ୍ଟି କରେ ତେବେ ଭାରତ ଏହାର ଉଚିତ୍‌ ଜବାବ ଦେବ। ଭାରତ ଯୁଦ୍ଧ ଲଢ଼ିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ଶୀତ ଋତୁରେ ମଧ୍ୟ ଭାରତ ସବୁ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇସାରିଛି। ଚୀନ୍ ଯୁଦ୍ଧ ଭଳି ସ୍ଥିତି ଉପୁଜାଇଲେ ଏହାକୁ ଉତ୍ତମ ତାଲିମପ୍ରାପ୍ତ ଏବଂ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ଏକ ମାନସିକ ସୁଦୃଢ଼ ଭାରତୀୟ ସୈନ୍ୟଦଳଙ୍କୁ ସାମ୍ନା କରିବାକୁ ପଡ଼ିବ। ଚୀନ୍‌ ସେନା ଭାରତୀୟ ସେନାଙ୍କ ପରି ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ସୁଦୃଢ଼ ନୁହନ୍ତି। ଅଧିକାଂଶ ଚୀନ୍‌ ସୈନ୍ୟ ସହରାଞ୍ଚଳର ଏବଂ ସେମାନେ ସେତେ କଷ୍ଟ ସ୍ବୀକାର କରିନାହାନ୍ତି। ଭାରତୀୟ ସେନା ଚୀନ୍‌କୁ ସଠିକ୍‌ ଜବାବ ଦେଇପାରିବ ବୋଲି ସେନାର ଉତ୍ତର କମାଣ୍ଡ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ଭାରତର ସୈନ୍ୟଦଳ ପ୍ରସ୍ତୁତ ନାହାନ୍ତି ଏବଂ ଶୀତ ଋତୁରେ ସେମାନେ ଭଲଭାବେ ଲଢ଼ିବାପାଇଁ ସକ୍ଷମ ନୁହନ୍ତି ବୋଲି ଚୀନ୍‌ର ସରକାରୀ ଗଣମାଧ୍ୟମ ‘ଗ୍ଲୋବାଲ୍‌ ଟାଇମ୍ସ’ରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ସେନା ପକ୍ଷରୁ ଏହି ବିବୃତି ଜାରି କରାଯାଇଛି। ଉତ୍ତର କମାଣ୍ଡ ମୁଖପାତ୍ର କହିଛନ୍ତି, ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ସେ କହିଛନ୍ତି ଲଦାଖ୍‌ରେ ନଭେମ୍ବର ପରେ ପ୍ରବଳ ବରଫପାତ ହୁଏ। ପ୍ରାୟ ୪୦ ଫୁଟ୍‌ର ବରଫ ଜମା ହୋଇରହେ। ତାପମାତ୍ରା ମାଇନସ୍‌ ୩୦ରୁ ୪୦ ଡିଗ୍ରୀ ହୋଇଥାଏ। ପ୍ରବଳ ଥଣ୍ଡ‌ା ସୈନିକଙ୍କ ପାଇଁ ଅତି ଜଟିଳ ସ୍ଥିତି ସୃଷ୍ଟି କରେ। ବରଫ ପାଇଁ ରାସ୍ତା ଗୁଡ଼ିକ ବି ବନ୍ଦ ହୋଇଯାଏ। ଏସବୁ ସତ୍ତ୍ବେ ଭାରତୀୟ ସୈନ୍ୟଦଳ ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଖୁବ୍‌ କମ୍ ସମୟର ନୋଟିସ୍‌ରେ ମଧ୍ୟ ଭାରତୀୟ ସୈନ୍ୟଦଳ ମାନସିକ ସ୍ତରରେ ଯେ କୌଣସି ଅପରେସନ୍‌ ପାଇଁ ଖୁବ୍‌ଶୀଘ୍ର ପ୍ରସ୍ତୁତ ହୋଇଯାଆନ୍ତି ବୋଲି ସେ କହିଛନ୍ତି। ମେ’ରେ ଚୀନ୍‌ର ଅତିକ୍ରମଣ ପରେ ଭାରତୀୟ ସୈନିକ ଯେ କୌଣସି ଜଟିଳ ସ୍ଥିତିର ମୁକାବିଲା ପାଇଁ ଭଲଭାବେ ପ୍ରସ୍ତୁତ ଅଛନ୍ତି।
ଭାରତ-ଚୀନ୍‌ ସୀମା ଏଲ୍‌ଏସି ସ୍ଥିତି ନେଇ ବିରୋଧୀମାନଙ୍କ ସହ ଏକ ସ୍ବତନ୍ତ୍ର ରୁଦ୍ଧଦ୍ୱାର ବୈଠକ ହୋଇପାରେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ସାଧାରଣରେ ଆଲୋଚନା ନ କରିବାକୁ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏଣୁ ଚଳିତ ମୌସୁମୀ ଅଧିବେଶନରେ ଏ ପ୍ରସଙ୍ଗକୁ ନେଇ ଆଲୋଚନା ନ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଅପରପକ୍ଷେ, ସରକାରଙ୍କ ଏଭଳି ନୀତିକୁ କଂଗ୍ରେସ ବିରୋଧ କରିଛି। ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ଭାରତ-ଚୀନ୍‌ ସୀମାରେ ଥିବା ଏଲ୍‌ଏସିକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ହୋଇପାରୁଛି, ସାଧାରଣରେ ଆଲୋଚନା ହୋଇପା‌ରୁଛି, ତେବେ ସଂସଦରେ କାହିଁକି ଆଲୋଚନା ହୋଇ ପାରିବ ନାହିଁ? ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତ-ଚୀନ୍‌ ସୀମା ବିବାଦ ନେଇ ଲୋକସଭାରେ ବିବୃତି ରଖିଥିଲେ। ମାତ୍ର ପ୍ରତିରକ୍ଷା ମନ୍ତ୍ରୀ ବିବୃତି ରଖିବା ସମୟରେ ପ୍ରଧାନମନ୍ତ୍ରୀ ଗୃହରେ ଅନୁପସ୍ଥିତ ରହିବା ଏବଂ ରାଜନାଥଙ୍କ ବିବୃତି ପରେ ବିରୋଧୀଙ୍କୁ କହିବାକୁ ସୁଯୋଗ ନମିଳିବାରୁ କଂଗ୍ରେସ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରି ସଂସଦ ବାହାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣାରେ ବସିଥିଲେ।

Share Now:

Kalinga News Beuro

Next Post

କ୍ଳୋନ୍ ଟ୍ରେନ୍ ଚଲାଇବାକୁ ଭାରତୀୟ ରେଳର ନିଷ୍ପତ୍ତି: ଉପକୃତ ହେବେ ୱେଟିଂ ଲିଷ୍ଟ୍‌ ଯାତ୍ରୀ

Thu Sep 17 , 2020
ନୂଆଦିଲ୍ଲୀ: ଭିଡ଼ ରହୁଥିବା ରୁଟ୍‌ରେ ୪୦ଟି କ୍ଳୋନ୍ ଟ୍ରେନ୍ ଚଲାଇବାକୁ ଭାରତୀୟ ରେଳ ନିଷ୍ପତ୍ତି ନେଇଛି। ଚଳିତ ମାସ ୨୧ରୁ ଏହି ଟ୍ରେନ୍‌ଗୁଡ଼ିକର ଚଳାଚଳ ଆରମ୍ଭ ହେବ। ସେଥିପାଇଁ ବୁକିଙ୍ଗ୍‌ ୧୯ରୁ ଆରମ୍ଭ ହେବ। ଏହି ଟ୍ରେନ୍‌ଗୁଡ଼ିକରେ ଯାତ୍ରା କରିବାକୁ ହେଲେ ଆଗୁଆ ସଂରକ୍ଷିତ ଟିକଟ ନେବାକୁ ପଡ଼ିବ। ଅଗ୍ରୀମ ସଂରକ୍ଷଣ ଅବଧି ୧୦ ଦିନର ରହିବ। ସର୍ବାଧିକ କ୍ଲୋନ୍ ଟ୍ରେନ୍ ବିହାରକୁ ଯାତ୍ରା କରିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ […]
୨୧ରୁ ଗଡ଼ିବ କ୍ଲୋନ୍ ଟ୍ରେନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial