ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତର ନିର୍ବାଚନ କମିସନ। ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସାରା ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ ଜୁନ ୧ରେ ୭ମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଜୁନ ୪ରେ ଭୋଟ ଗଣତି ହେବ। ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ରାଜ୍ୟରେ ମେ ୧୩ ଓ ମେ ୨୦, ମେ ୨୫ ଓ ଜୁନ ୧ରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ। ଏପ୍ରିଲ ୧୯ରେ ୨୧ଟି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟରେ ୮୯ଟି ଆସନରେ ମତଦାନ ହେବ। ସେହିପରି ମେ’ ୭ ରେ ତୃତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟର ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ୪ର୍ଥ ପର୍ଯ୍ୟାୟ ଭୋଟ ୧୩ ମେ ୫ମ ପର୍ଯ୍ୟାୟ ୨୦ ମେରେ ଅନୁଷ୍ଠିତ ହେବ। ୬ଷ୍ଠ ପର୍ଯ୍ୟାୟ ୨୫ ମେ ଓ ୭ମ ପର୍ଯ୍ୟାୟ ୧ ଜୁନରେ ହେବ।
ଏହି ନିର୍ବାଚନ ପାଇଁ ୫୫ ଲକ୍ଷ ଇଭିଏମର ବ୍ୟବହାର କରାଯିବ। ୧୦.୫ ଲକ୍ଷ ପୋଲିଂ ବୁଥରେ ଭୋଟ ଗ୍ରହଣ କରାଯିବ। ଦେଢ କୋଟି ପୋଲିଂ ଅଫିସର ଓ କର୍ମଚାରୀ ନିର୍ବାଚନ କାମରେ ନିୟୋଜିତ ହେବେ। ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ୨୧୦୦ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର କହିଛନ୍ତି ଯେ ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ୨୦୨୪ ଜୁନ୍ ୧୬ରେ ଶେଷ ହେଉଛି। ୯୭ କୋଟି ପଞ୍ଜୀକୃତ ଭୋଟର ଅଛନ୍ତି। ୧୮ରୁ ୨୯ ବର୍ଷର ଯୁବ ଭୋଟର ସଂଖ୍ୟା ୨୧ କୋଟି ରହିଛି। ସେହିପରି ଦେଶରେ ୨ ଲକ୍ଷ ୧୮ ହଜାର ଶତାୟୁ ଭୋଟର ରହିଛନ୍ତି। ୮୫ ବର୍ଷରୁ ଅଧିକ ବୟସର ଭୋଟର ଘରେ ବସି ଭୋଟ ଦେଇପାରିବେ। ଏଥିପାଇଁ ସେମାନଙ୍କ ଘରକୁ ଫର୍ମ ପଠାଇଦିଆଯିବ।
ଦେଶରେ ୭ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ : ଓଡ଼ିଶାରେ ମେ ୧୩, ୨୦, ୨୫ ଓ ଜୁନ ୧ରେ ଭୋଟ ଗ୍ରହଣ,ଜୁନ ୪ରେ ଗଣତି

Share Now: