ପୁଲିସ ଡିଜିପିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କଲେ ୫୦ ମିଲିସିଆ

ଆତ୍ମସମର୍ପଣ କଲେ ୫୦ ମିଲିସିଆ

ମାଥିଲିରେ ନୂତନ ଥାନାକୁ ଉଦଘାଟନ କଲେ ସୁନୀଲ ବଂଶଲ

ମାଲକାନଗିରି: ମାଲକାନଗିରି ଜିଲ୍ଲାକୁ ଆଜି ପୁଲିସ ଡିଜି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଥମେ ସେ ସ୍ବାଭିମାନ ଅଂଚଳ ଗସ୍ତ କରି ନୂତନ ଭାବେ ଯନ୍ତ୍ରୀ ଠାରେ ଅବସ୍ଥାପିତ ବିଏସଏଫ କ୍ୟାମ୍ପରେ ପହଞ୍ଚିଥିଲେ। ଆନ୍ଧ୍ର ସୀମାରେ ରହିଥିବା ଏହି ଯନ୍ତ୍ରୀ ଠାରେ ମାଓ ଗତିବିଧି ବଢୁଥିବା ସରକାର ଜାଣିବା ପରେ ଏଠାରେ ଗତ ମାର୍ଚ୍ଚ ମାସରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା। ପୁଲିସ ଡିଜି ସୁନୀଲ ବଂଶଲ ଏଠାରେ ପହଞ୍ଚିବା ପରେ ଭବ୍ୟ ସ୍ବାଗତ କରାଯାଇଥିଲା। ଅଞ୍ଚଳବାସୀ ନିଜ ନିକଟରେ ପୁଲିସର ସର୍ବୋଚ୍ଚ ଅଧିକାରୀକୁ ପାଇ ନିଜର ଖୁସି ଜାହିର କରିଥିଲେ। ଏହି ଅବସରରେ ୫୦ ଜଣ ହାର୍ଡକୋର ମିଲିସିଆ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଏମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା ମିଲିସିଆ ଅଟନ୍ତି। ସମସ୍ତେ ଆଗକୁ ଆଉ ନକ୍ସଲ ସହ କାମ କରିବେ ନାହିଁ ବୋଲି ପ୍ରତିଶୃତି ଦେବା ସହ ସରକାରଙ୍କର ବିକାଶ ଧାରାକୁ ଆଗକୁ ନେବେ ବୋଲି କହିଥିଲେ। ଡିଜି ଶ୍ରୀ ବଂଶଲ ସମସ୍ତଙ୍କୁ ଶାଢୀ, ଲୁଙ୍ଗି, କମ୍ବଳ, ପିଲାଙ୍କ ପାଇଁ ବହିପତ୍ର, ପୋଷାକ, ଯୁବକମାନଙ୍କ ପାଇଁ ଖେଳ ସାମଗ୍ରୀ ଇତ୍ୟାଦି ପ୍ରଦାନ କରିଥିଲେ। ଏଥିସହ ଦୈନନ୍ଦୀନ ସାମଗ୍ରୀ ମଧ୍ୟ ପ୍ରଦାନ କରିଥିଲେ। ସରକାରଙ୍କ ତରଫରୁ ସମସ୍ତଙ୍କୁ ସହାୟତା କରାଯିବା ସହ ହିଂସା ଦ୍ବାରା କେବେ ମଧ୍ୟ କୌଣସି ଜିନିଷ ହାସଲ କରାଯାଇପାରେ ନାହିଁ ବୋଲି ଶ୍ରୀ ବଂଶଲ କହିଥିଲେ। ପରେ ବିଏସଏଫଙ୍କ ଉଚ୍ଚପଦାଧିକାରୀମାନଙ୍କ ସହ ମାଓ ଗତିବିଧିକୁ ନେଇ ସମୀକ୍ଷା କରିଥିଲେ। ଯନ୍ତ୍ରୀ ସୀମାନ୍ତ ଆନ୍ଧ୍ରକୁ ଲାଗି ରହିଥିବାରୁ ସେଠାରେ ମାଓବାଦୀ ଦିନ ବେଳା ମଧ୍ୟ ବିଚରଣ କରୁଥିଲେ। ଏହି ଅଞ୍ଚଳ ବିପଦପୂର୍ଣ୍ଣ ଥିବାରୁ ପୁଲିସ ସେଠାରେ ପହଞ୍ଚିବା ମୁସକିଲ ହୋଇପଡୁଥିଲା। ଶେଷରେ ସରକାର ଏଠାରେ ମଧ୍ୟ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରି ସଂପୂର୍ଣ୍ଣ ସ୍ବାଭିମାନ ଅଂଚଳକୁ ନିଜ କବଜାକୁ ନେଇଯାଇଥିଲେ। ପରେ ସେଠାରୁ ଫେରି ଡିଜିପି ମାଥିଲି ଠାରେ ନୂତନ ଥାନାକୁ ଉଦଘାଟନ କରିଥିଲେ। ସେଠାରେ ସେ କିପରି ଥାନା ସୁପରିଚାଳିତ ହେବ ସେନେଇ ପୁଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ନୂତନ ଗୃହକୁ ଦେଖି ସେ ଖୁସି ଜାହିର କରିଥିଲେ। ଡିଜିପିଙ୍କ ଏହି ଗସ୍ତ ମାଓ ଦମନ ପାଇଁ ଆହୁରି ସହାୟକ ହେବ ବୋଲି କୁହାଯାଇଛି। ମାଥିଲି ଠାରେ ମଧ୍ୟ ଜିଲ୍ଲା ପୁଲିସ ସହ ଏକ ରୁଦ୍ଧଦ୍ବାର ବୈଠକରେ ଯୋଗ ଦେଇ ମାଓ ଦମନ ନେଇ ସମୀକ୍ଷା କରିଥିଲେ। ଡିଜିପି ଶ୍ରୀ ବଂଶଲଙ୍କ ସହ ଗୁଇନ୍ଦା ବିଭାଗର ଏଡିଜି ସଂଜୀବ ପଣ୍ଡା, ଆଇଜି ଅପରେସନ ଅମିତାଭ ଠାକୁର, ଏଡିଜି ଆର କେ ଶର୍ମା, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ଏସଆଇଡବ୍ଲୁ ଡିଆଜି ଅନିରୁଦ୍ଧ ସିଂ, ଏସପି ନିତେଶ ବାଧୱାନୀ, ଏସଡିପିଓ ଶୁଭେନ୍ଦୁ ପାତ୍ର ଓ ଅଂଶୁମାନ ଦ୍ବିବେଦୀ, ଓଆଇସି ସୂର୍ଯ୍ୟ ପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଆରଡିସି ଟି-୨୦ ସମୀକ୍ଷା ବୈଠକ : ବାରବାଟୀ ମ୍ୟାଚ୍‌ ପାଇଁ ଚାଲିବ ୮ ସ୍ବତନ୍ତ୍ର ବସ୍‌

Thu Jun 2 , 2022
କଟକ: ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବାକୁ ଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ ପାଇଁ ବୁଧବାର କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ (ଆର‌ଡିସି) ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆର‌ଡିସିଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇ ସଫଳ ମ୍ୟାଚ୍‌ ଆୟୋଜନ ଉପରେ ପରାମର୍ଶ ଦେଇଥିଲେ। ଏଥର ବାରବାଟୀ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଦର୍ଶକଙ୍କୁ ନେବା ଆଣିବା କରିବାକୁ […]
ବାରବାଟୀ ମ୍ୟାଚ୍‌ ପାଇଁ ଚାଲିବ ୮ ସ୍ବତନ୍ତ୍ର ବସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial