ବାହାନଗା ରେଳ ଦୁର୍ଘଟଣା : ଡକାଡକି ହୋଇ ଆରପାରିକୁ ଚାଲିଗଲେ ଦୁଇ ସାଙ୍ଗ

ଡକାଡକି ହୋଇ ଆରପାରିକୁ ଚାଲିଗଲେ ଦୁଇ ସାଙ୍ଗ

ବାଲେଶ୍ୱର : ପୁଅ ବଡ଼ ଇଞ୍ଜିନିୟର ହେବ, ଆଉ ବୁଢ଼ା କାଳରେ ସାହାରା ହେବ ବୋଲି ଆଶା ବାନ୍ଧିଥିଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ଆନ୍ଦୋଳା ଗ୍ରାମର କୃଷ୍ଣଚନ୍ଦ୍ର ସାହୁ। ହେଲେ କରମଣ୍ଡଳ ଦୁର୍ଘଟଣା‌ ସବୁ ସ୍ୱପ୍ନ ଚୂରମାର କରିଦେଲା। ପୁଅ ଜଗଦୀଶ ଓ ତାର ସାଙ୍ଗ ଗତ ଶନିବାର ଦିନ ହସିହସି ଘରୁ ଗୋଡ଼ କାଢ଼ିଥିବା ବେଳେ ଏବେ ଉଭୟଙ୍କ ମୃତ୍ୟୁ ଖବର ପରିବର ଲୋକଙ୍କୁ ହତବାକ୍‌ କରିଦେଇଛି। କୃଷ୍ଣଚନ୍ଦ୍ର ସାହୁଙ୍କ ଏକମାତ୍ର ପୁତ୍ର ଜଗଦୀଶ (୨୬) ଓ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍‌ କୁଣ୍ଡ ଗ୍ରାମର ଲକ୍ଷ୍ମୀକାନ୍ତ ସାହାଣୀ (୨୫) ଦୁଇ ସାଙ୍ଗ। ଡିପ୍ଲୋମା ପଢ଼ୁଥିବା ବେଳେ ଉଭୟଙ୍କ ପରିଚୟ। କିଛି ଦିନ ପୂର୍ବରୁ ଲକ୍ଷ୍ମୀକାନ୍ତ ଆନ୍ଦୋଳା ଗ୍ରାମକୁ ବୁଲିବାକୁ ଆସିଥିଲେ। ଆସନ୍ତାକାଲି (ସୋମବାର) ଲକ୍ଷ୍ମୀକାନ୍ତଙ୍କର କେନ୍ଦ୍ରାପଡ଼ାରେ ଏକ ପରୀକ୍ଷା ଥିବାରୁ ସେ ଫେରିବାକୁ ବାହାରିଥିଲେ। ହେଲେ ଜଗଦୀଶ ତାଙ୍କୁ ସହଯୋଗ କରିବେ ବୋଲି କହି ସାଙ୍ଗରେ ଆସିଥିଲେ। ଶନିବାର ସନ୍ଧ୍ୟାରେ ଉଭୟ ବାଲେଶ୍ୱରରୁ କଟକ ଯିବାକୁ କରମଣ୍ଡଳ ଏକ୍ସପ୍ରେସ୍‌ରେ ବସିଥିଲେ। ସେଠାରେ ଓହ୍ଲାଇ ଉଭୟ କେନ୍ଦ୍ରାପଡ଼ା ଯାଇଥାନ୍ତେ। ହେଲେ ବାହାନଗା ପାଖରେ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହେବାଠାରୁ ଉଭୟଙ୍କ ଫୋନ୍‌ ଲାଗିଲାନି।
ବାପା କୃଷ୍ଣଚନ୍ଦ୍ର ଶନିବାର ରାତିରେ ଏକ ଗାଡ଼ି ଭଡ଼ା କରି ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ। କୁଢ଼ କୁଢ଼ ଶବ ଓ ଆହତଙ୍କ ଚିତ୍କାର ମଧ୍ୟରେ ପୁଅକୁ ଖୋଜିଖୋଜି ନିରାଶ ହେବା ପରେ ନିକଟସ୍ଥ ବାହାନଗା ହାଇସ୍କୁଲ ପରିସରରେ ପହଞ୍ଚି ସେଠାରେ ଲକ୍ଷ୍ମୀକାନ୍ତଙ୍କ ମୃତଦେହ ଠାବ କରିଥିଲେ। ଶନିବାର ରାତିରୁ ରବିବାର ଦିନସାରା ବାଲେଶ୍ୱର, ସୋର, ଭଦ୍ରକ, କଟକ ସବୁ ଡାକ୍ତରଖାନା ଅଣ୍ଡାଳି ସାରିଥିଲେ ବି ପୁଅକୁ ପାଇନଥିଲେ। ଏପଟେ ଜଗଦୀଶ ଜୀବନ ଧରି ଫେରିଆସନ୍ତୁ ବୋଲି କାମନା କରି ଗାଁର ମହିଳାମାନେ ଠାକୁରଙ୍କ ନିକଟରେ ଅଖଣ୍ଡ ଦୀପ ଜାଳିଥିଲେ। ହେଲେ ନିଷ୍ଠୁର ହେଲା ଦଇବ। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଦୁର୍ଘଟଣାସ୍ଥଳରୁ ଆଉ ୧୫ଟି ଶବ ବାହାରିଥିବା ବେଳେ ସେ ଭିତରେ ପୁଅର ଶବକୁ ଦେଖି ପାଗଳପ୍ରାୟ ହୋଇ ଯାଇଥିଲେ କୃଷ୍ଣଚନ୍ଦ୍ର। ଆଜି ପୁଅର ଶବ ଧରି ଗାଁରେ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ପରିବେଶ।

Share Now:

Kalinga News Beuro

Next Post

କୋଇଲା ଦୁର୍ନୀତି ମାମଲା : ବିମାନ ବନ୍ଦରରେ ଅଟକ ହେଲେ ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା

Mon Jun 5 , 2023
କୋଲ୍‌କାତା: ପିଲାମାନଙ୍କୁ ନେଇ ଦୁବାଇ ଯିବାକୁ ବାହାରିଥିବା ‘ତୃଣମୂଳ କଂଗ୍ରେସ’ ନେତା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କୁ ଆଜି ‘ଇମିଗ୍ରେସନ୍‌ ଅଥରିଟି’ ଦମ୍‌ଦମ୍‌ ବିମାନ ବନ୍ଦରରେ ଅଟକାଇଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରୁଜିରାଙ୍କ ନାଁରେ ‘ଲୁକ୍‌-ଆଉଟ୍‌ ସର୍କ୍ୟୁଲାର୍‌’ ଜାରି କରିଥିଲା। ଏହି ସର୍କ୍ୟୁଲାର୍‌ରେ ତାଙ୍କ ବିଦେଶ ଯାତ୍ରା ଉପରେ ନିଷେଧାଜ୍ଞା ଜାରି କରାଯାଇଛି। ରୁଜିରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ସମନ୍ ଜାରି କରିଛି ଏବଂ ୨ ଦିନ ପରେ […]
ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial