ବିଧାନସଭାରେ ୨୦୨୨-୨୩ ପାଇଁ ୨ ଲକ୍ଷ କୋଟିର ରାଜ୍ୟ ବଜେଟ ଉପସ୍ଥାପିତ

ବିଧାନସଭାରେ ୨୦୨୨-୨୩ ପାଇଁ ରାଜ୍ୟ ବଜେଟ

ଭୁବନେଶ୍ବର : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବର୍ଷ ୨୦୨୨-୨୩ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି। ପୂର୍ବ କିଛି ବର୍ଷ ପରି ଏଥର ମଧ୍ୟ ବଜେଟକୁ ଦୁଇଭାଗରେ ବିଭକ୍ତ କରାଯାଇଛି। ବଜେଟର ପ୍ରଥମ ଭାଗ କୃଷି ବଜେଟ ହୋଇଥିବାବେଳେ ଦ୍ବିତୀୟ ଭାଗ ସାଧାରଣ ବଜେଟ କୁହାଯାଉଛି। ୨ ଲକ୍ଷ କୋଟିର ଏହି ବଜେଟକୁ ଅର୍ଥମନ୍ତ୍ରୀ ଏକ ଐତିହାସିକ ବଜେଟ ବୋଲି କହିଛନ୍ତି। ଗତ ୨୨ ବର୍ଷ ମଧ୍ୟରେ ବଜେଟର ପରିମାଣ ୧୭ ଗୁଣା ବୃଦ୍ଧିପାଇଛି ଓ ବିଭିନ୍ନ କାର୍ଯ୍ୟକ୍ରମ ନିମିତ୍ତ ବ୍ୟୟ ୨୮ ଗୁଣା ବୃଦ୍ଧି ପାଇଛି ବୋଲି ନିଜ ଅଭିଭାଷଣରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟ ସରକାର କରିଥିବା ୨ ଲକ୍ଷ କୋଟିର ବ୍ୟୟ ଅଟକଳ ନିମନ୍ତେ ରାଜସ୍ୱ ପ୍ରାପ୍ତି ରୁ ୧ ଲକ୍ଷ ୬୩ ହଜାର ୯୬୭ କୋଟି ଟଙ୍କା ସଂଗ୍ରହ କରାଯିବ ଓ ଋଣ ତଥା ଏବଂ ଅନ୍ୟାନ୍ୟ ବାବଦରୁ ୩୬ ହଜାର ୩୩ କୋଟି ଟଙ୍କା ସଂଗ୍ରହ କରାଯିବ। ଶିକ୍ଷା , ସ୍ୱାସ୍ଥ୍ୟ ଓ କୃଷି କ୍ଷେତ୍ରରେ ରୂପାନ୍ତରୀକରଣ ଉପରେ ଏହି ବଜେଟରେ ଗୁରୁତ୍ୱ ଦିଆଯାଇଛି। ଶିକ୍ଷା ଓ ଦକ୍ଷତା ବିକାଶ ଲାଗି ୨୭ ହଜାର ୩୨୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ ହେବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨ ହଜାର ୬୭୪ କୋଟି ଟଙ୍କା ଓ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଅଧିନରେ ୨ ହଜାର ୩୨୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ସେହିପରି ମନ୍ଦିର ଗୁଡିକର ବିକାଶ ମଧ୍ୟ ସରକାରଙ୍କ ଫୋକସରେ ରହିବ। ଏଥିପାଇଁ ୧ ହଜାର ୯୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାସ୍ତା ନଥିବା ଗାଁ କୁ ରାସ୍ତା କରିବା ଲାଗି ୧୫୦ କୋଟି ଟଙ୍କାର ବ୍ୟୟ ବରାଦ। ପ୍ରତ୍ୟେକ ବ୍ଲକ ରେ ବସ ଷ୍ଟାଣ୍ଡ କରିବା ପାଇଁ ନିଷ୍ପତ୍ତି। ବ୍ଲକ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କ୍ରୀଡା ପ୍ରକଳ୍ପ କରିବା ପାଇଁ ଘୋଷଣା କରାଯାଇଛି। ବସୁଧା ଯୋଜନାରେ ୧୮୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ନୂଆ ସହର ବିକାଶ ସ୍କିମରେ ୩୩୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବଂ ବିଜୁ ପକ୍କା ଘର ପାଇଁ ୫ ହଜାର ୯୦୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ମିଶନ ଶକ୍ତି ବିଭାଗ ପାଇଁ ୨ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଶକ୍ତି କ୍ଷେତ୍ର ୩ ହଜାର ୪୮୨ କୋଟି ଟଙ୍କାର ବ୍ୟୟ ବରାଦ ରହିଥିବା ବେଳେ ଗୃହ ବିଭାଗ ପାଇଁ ୭ ହଜାର ୫୫୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
ଗତ ମାର୍ଚ୍ଚ ୩୦ରେ ରାଜ୍ୟ ସରକାର ୪ ମାସ (ଏପ୍ରିଲ-ଜୁଲାଇ) ପାଇଁ ୧ ଲକ୍ଷ ୬ ହଜାର ୪୯୮ କୋଟିର ଏକ ଲେଖାନୁଦାନ ବା କାମଚଳା ବଜେଟ୍ ଆଗତ କରିଥିଲେ। ଫେବୃଆରୀ ଓ ମାର୍ଚ୍ଚମାସରେ ପଞ୍ଚାୟତିରାଜ ଓ ପୌର ନିର୍ବାଚନ କାରଣରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା। ଏଣୁ ଓଡ଼ିଶା ବିଧାନସଭାରେ ଅନୁସୃତ ବ୍ୟବସ୍ଥା ଅନୁସାରେ ବଜେଟ୍ ସଂପର୍କିତ ବୈଧାନିକ ପ୍ରକ୍ରିୟା (ବଜେଟ୍ ଉପସ୍ଥାପନ, ବିଚାର ବିମର୍ଶ, ବ୍ୟୟ ମଞ୍ଜୁରି ବିଧେୟକ) ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ପାରିତ ହେବା ସମ୍ଭବ ନଥିଲା। ଏଣୁ ସରକାର ଏକ ଲେଖାନୁଦାନ ଆଗତ କରିଥିଲେ। କିନ୍ତୁ ଅର୍ଥମନ୍ତ୍ରୀ ଆଜି ( ଜୁଲାଇ ୨) ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି।

Share Now:

Kalinga News Beuro

Next Post

ବିଜେବି କଲେଜ୍ ଛାତ୍ରୀ ଆତ୍ମହତ୍ୟା ଘଟଣା: ସିନିୟରଙ୍କ ରାଗିଂ ଯୋଗୁଁ ଆତ୍ମହତ୍ୟା କଲେ ରୁଚିକା

Sat Jul 2 , 2022
ଭୁବନେଶ୍ବର: ସ୍ଥାନୀୟ ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ନୂଆମୋଡ଼ ନେଇଛି। ରୁଚିକାଙ୍କ ବାପା କଲେଜ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ବରଗଡ଼ ଥାନାରେ ଅଭିଯୋଗ ଆଣିଛନ୍ତି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। କଲେଜରେ ସିନିୟର ଛାତ୍ରୀମାନଙ୍କ ରାଗିଂ ଯୋଗୁଁ ଛାତ୍ରୀ ରୁଚିକା ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି। କାରଣ ମୃତ୍ୟୁ ପୂର୍ବରୁ ଛାତ୍ରୀ ରୁଚିକା ସୁଇସାଇଡ ନୋଟ୍‌ ସାମ୍ନାକୁ ଆସିଛି। ଛାତ୍ରୀ ନିଜେ […]
ରାଗିଂ ଯୋଗୁଁ ଆତ୍ମହତ୍ୟା କଲେ ରୁଚିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial