ସ୍ମାର୍ଟ ଜନପଥ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଠିକ୍‌ ସମୟରେ କାମ ସରିବା ଦରକାର
ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ ପ୍ରକଳ୍ପ ‘ସ୍ମାର୍ଟ ଜନପଥ’ର କାର୍ଯ୍ୟ ଜୋରଦାର ଚାଲିଛି। ଶିଶୁ ଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥକୁ ନୂଆ ରୂପ ଦିଆଯିବ। ହେଲେ ହକି ବିଶ୍ୱକପ୍‌ ପୂର୍ବରୁ ଶିଶୁ ଭବନରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ନୂଆ ରୂପ ପାଇବ। ସ୍ମାର୍ଟ ଜନପଥ କାର୍ଯ୍ୟ ନିର୍ମାଣାଧୀନ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶିଶୁ ଭବନ ଛକରେ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ କାର୍ଯ୍ୟ କିପରି ଚାଲିଛି, ସ୍ମାର୍ଟ ଜନପଥ ହେଲେ ଏହା କିପରି ଦେଖାଯିବ, ଏହି ପ୍ରକଳ୍ପର ମୁଖ୍ୟ ଆକର୍ଷଣ କ’ଣ ସାଜିବ ତାହା ଆଜି ମୁଖ୍ୟମନ୍ତ୍ରୀ ଶିଶୁ ଭବନ ଛକରେ ବସି ଦେଖିଛନ୍ତି। ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ କ୍ରିଷନ କୁମାର ଏବଂ ସିଓଓ ଆର୍‌. ଭିନୀଲକ୍ରିଷ୍ଣା ଘଟଣାସ୍ଥଳରେ ହିଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାର୍ଟ ଜନପଥ ପ୍ରକଳ୍ପର ସବିଶେଷ ତଥ୍ୟ ଓ ସୂଚନା ଦେଇଛନ୍ତି। ଗତ ମେ ୩୧ରେ ମୁଖ୍ୟମନ୍ତ୍ରୀ ହଠାତ୍‌ ସ୍ମାର୍ଟ ସିଟି ଭୁବନେଶ୍ୱରର ଅନ୍ୟ ଏକ ପ୍ରକଳ୍ପ କଣ୍ଟ୍ରୋଲ କମାଣ୍ଡ ସେଣ୍ଟରର କାର୍ଯ୍ୟ ବୁଲି ଦେଖିବା ସହ ଏହାର ସମୀକ୍ଷା କରିଥିବାବେଳେ ଆଜି ଶିଶୁ ଭବନ ଛକରେ ବସି ସ୍ମାର୍ଟ ଜନପଥ କାର୍ଯ୍ୟର ସମୀକ୍ଷା କରିଛନ୍ତି। ରାସ୍ତା ନିର୍ମାଣର ବିଭିନ୍ନ ନକ୍ସା ଏବଂ ଡ୍ରଇଂକୁ ବି ଦେଖିଛନ୍ତି। ପ୍ରକଳ୍ପର ଅଗ୍ରଗତି ନେଇ ସନ୍ତୋଷ ଜାହିର୍‌ କରିବା ସହିତ ଧାର୍ଯ୍ୟ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ଜନପଥକୁ ସ୍ମାର୍ଟ ସିଟି ଯୋଜନାରେ ଲୋକଙ୍କ ପାଇଁ ଏକ ସ୍ମାର୍ଟ ରାସ୍ତାରେ ପରିଣତ କରାଯିବ। ଶିଶୁଭବନରୁ ବାଣୀବିହାର ପର୍ଯ୍ୟନ୍ତ ୫.୮କିମିର ରାସ୍ତାର ଉନ୍ନତୀକରଣ ପାଇଁ ୭୯.୫୬କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ଏହି ରାସ୍ତା ଦୁଇ ବର୍ଷରେ ନୂଆ ରୂପ ପାଇବ। ଆରକେଡି କନଷ୍ଟ୍ରକସନ୍‌ ପ୍ରା.ଲି ଏହାର ନିର୍ମାଣ କାର୍ଯ୍ୟ ନେଇଥିବାବେଳେ ଏବେ ବର୍ଷା ଜଳ ନିଷ୍କାସନ ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ପ୍ରଶସ୍ତ ଡ୍ରେନ୍‌, ଭୂତଳ କେବୁଲ୍‌ ବିଛା, ୟୁଟିଲିଟି କରିଡର ନିର୍ମାଣ କାର୍ଯ୍ୟ ଚାଲିଛି। ଆଗାମୀ ଦିନରେ ଏଠାରେ ଫୁଡ୍‌ ପ୍ଲାଜା, ବାଇସାଇକେଲ୍‌ ଏବଂ ପଥଚାରୀଙ୍କ ସ୍ୱତନ୍ତ୍ର ଟ୍ରାକ୍‌ ରହିବ। ଏହାସହ ପ୍ରଶସ୍ତ ଓ ଚକାଚକ୍‌ ରାସ୍ତା, ଆଧୁନିକ ଟ୍ରାଫିକ ସିଗନାଲ୍‌, ଦୁର୍ଘଟଣା ମୁକ୍ତ ଅଞ୍ଚଳ, ଜବରଦଖଲମୁକ୍ତ, ଭେଣ୍ଡିଂ ଜୋନ୍‌ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ସ୍ଥାନ, ସ୍ୱତନ୍ତ୍ର ପାର୍କିଂ ଅଞ୍ଚଳ ଆଦି ରହିବ। ଆଗାମୀ ଦିନରେ ଜନପଥ କଡ଼ରେ ଥିବା ସରକାରୀ କ୍ୱାର୍ଟର୍ସକୁ ଉଚ୍ଛେଦ କରି ସୁ-ଉଚ୍ଚ ବିଲ୍‌ଡିଂ ନିର୍ମାଣ କରାଯିବ। ଏଠାରେ ବ୍ୟବସାୟିକ ପ୍ରତିଷ୍ଠାନ ଓ ଆବାସିକ ପ୍ରକଳ୍ପ ରହିବ। ଦୁଇ ବର୍ଷରେ ପୂରା ଜନପଥ ରୂପ ବଦଳାଇବାକୁ ଯୋଜନା ହୋଇଛି।

Share Now:

Kalinga News Beuro

Leave a Reply

Next Post

ଅପରେଶନ ଅଲ୍‌ଆଉଟ୍:ସେନା ନେବ ପ୍ରତିଶୋଧ

Sun Jun 17 , 2018
ନୂଆଦିଲ୍ଲୀ: ବହୁତ ହୋଇଗଲା। ଏଣିକି ଆଉ ନୁହେଁ। ସୀମାରେ ଉତ୍ପାତ କରୁଥିବା ଆତଙ୍କବାଦୀଙ୍କ ଆଖିରୁ ନିଦ ହଜାଇବାକୁ ପ୍ରସ୍ତୁତ ହେଉଛି ସେନା। ଜାମ୍ମୁ-କାଶ୍ମୀର ସୀମାନ୍ତରେ ଶାନ୍ତି ଫେରାଇ ଆଣିବାକୁ ପୁଣିଥରେ ଆରମ୍ଭ ହେବ ଅପରେଶନ ଅଲଆଉଟ୍। ଏ ନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ରାଜନାଥ କହିଛନ୍ତି ଯେ, ପବିତ୍ର ରମ୍‌ଜାନ ମାସ ପାଇଁ ଯୁଦ୍ଧ ବିରାମ ଘୋଷଣା କରାଯାଇଥିଲା। ରକ୍ତପାତ ନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial