ପରଲୋକରେ ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ

ଆଜି ସନ୍ଧ୍ୟାରେ ବିଧାୟକ ବିଷ୍ଣୁ ଦାସଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ଦେହାନ୍ତ। ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୬୬ ବର୍ଷରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହାସହ ବିଜେଡିର ଆଉ କିଛି ନେତା ମଧ୍ୟ ବିଷ୍ଣୁ ଦାସଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ସେ ୬ ଥର ବିଧାୟକ, ଥରେ ମନ୍ତ୍ରୀ, ଥରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।ଜଗତସିଂହପୁରରୁ ୫ ଥର, ତିର୍ତ୍ତୋଲରୁ ଥରେ ବିଧାୟକ ଥିଲେ ବିଷ୍ଣୁ। ସ୍ୱଳ୍ପକାଳ ପାଇଁ ସେ ରାଜ୍ୟସଭା ସାଂସଦ ମଧ୍ୟ ହୋଇଥିଲେ। ଏହାସହ ସେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ବି କାର୍ଯ୍ୟ କରିଥିଲେ। ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ଶ୍ରୀ ଦାସ ୧୯୫୪ ମସିହା ଅକ୍ଟୋବର ୯ତାରିଖରେ ଜଗତସିଂହପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଏସଭିଏମ୍ କଲେଜ ଛାତ୍ର ସଂସଦର ସଭାପତି ଭାବେ ୩ଥର ନିର୍ବାଚିତ ହୋଇଥିଲେ। ୧୯୮୦ ମସିହାରେ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେବା ଓ ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବିରେ ବିକ୍ଷୋଭ କରି ଏନଏଏସଓରେ ଜେଲ୍ ଯାଇଥିଲେ। ପରେ ବିଜୁ ପଟ୍ଟନାୟକଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରି ଜନତା ଦଳରେ ସାମିଲ ହୋଇ ରାଜ୍ୟ ଜନତା ଦଳର ସାଧାରଣ ସମ୍ପାଦକ ହୋଇଥିଲେ। ତେବେ ପ୍ରଥମଥର ୧୯୮୫ ମସିହାରେ ନିର୍ବାଚନ ହାରିବା ପରେ ୧୯୯୦ ମସିହାରୁ ନିୟମିତ ଭାବେ ଜଗତସିଂହପୁର ବିଧାନସଭା ଆସନରୁ ବିଜୟୀ ହୋଇ ଆସିଥିଲେ। ତେବେ ୨୦୧୪ ସାଧାରଣ ନିର୍ବାଚନରେ ସେ ପରାଜିତ ହେବାପରେ ତାଙ୍କୁ ବିଜେଡି ପକ୍ଷରୁ ରାଜ୍ୟସଭାକୁ ପଠାଯାଇଥିଲା। ପରେ ସେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ। ୨୦୧୯ ମସିହାରେ ବିଜେଡି ତାଙ୍କୁ ତିର୍ତ୍ତୋଲ ବିଧାନସଭାରୁ ପ୍ରାର୍ଥୀ କରିଥିଲା ଓ ସେ ବହୁ ଭୋଟରେ ବିଜୟୀ ହୋଇଥିଲେ। ଦୀର୍ଘବର୍ଷ ଧରି ସେ ଜିଲ୍ଲା ବିଜେଡି ସଭାପତି ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ। ଶ୍ରୀ ଦାସ ଜଣେ ଦୃଢ଼ ସଂଗଠକ ଭାବେ ଜଣାଶୁଣା ଥିଲେ।

Share Now:

Kalinga News Beuro

Next Post

ରତ୍ନ ସିଂହାସନ ପଦ୍ମ ପାଖୁଡ଼ାରୁ ପଥର ଗାଏବ!

Wed Jul 8 , 2020
ଇପ୍‌ସିତ ପ୍ରତିହାରୀଙ୍କ ସାଙ୍ଘାତିକ ଅଭିଯୋଗକୁ ନେଇ ପୁଣି ହଇଚଇ ପୁରୀ: ରଥଯାତ୍ରାକୁ ନେଇ ବିତର୍କ ଶେଷ ହୋଇନାହିଁ, ଏଭଳି ସମୟରେ ଶ୍ରୀମନ୍ଦିରକୁ ନେଇ ପୁଣି ଏକ ସାଂଘାତିକ ଅଭିଯୋଗ ଆସିଛି। ମହାପ୍ରଭୁଙ୍କ ରତ୍ନ ସିଂହାସନରୁ କିଛି ପଥର ଅପସାରଣ କରାଯାଇଥିବା ନେଇ ସେବକ ଇପ୍‌ସିତ ପ୍ରତିହାରୀ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। ସିଧା ସିଧା କହିଛନ୍ତି, ଚଳିତବର୍ଷ ରଥଯାତ୍ରା ସମୟ (ଜୁନ ୨୩ରୁ ଜୁଲାଇ ୪)ରେ ମହାପ୍ରଭୁ ଶ୍ରୀମନ୍ଦିରରେ ନ ଥିବା […]
puri-jagannath-temple-2020 Pathar gayab

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial