ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ବନ୍ଦେ ଭାରତ ଏକ୍ସପ୍ରେସ

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଶୁକ୍ରବାର) ଗୁଜରାଟର ଗାନ୍ଧୀନଗରରୁ ପତାକା ଦେଖାଇ ଗାନ୍ଧୀନଗର-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନରେ ଶ୍ରୀ ମୋଦୀ କାଳୁପୁର ରେଳଷ୍ଟେସନ ପର୍ଯ୍ୟନ୍ତ ମଧ୍ୟ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସ ୨.୦ର ଟ୍ରେନ ଡବା ଗୁଡିକୁ ନିରୀକ୍ଷଣ କରିବା ସହ ଏଥିରେ ମିଳୁଥିବା ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ। ଶ୍ରୀ ମୋଦୀ ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସର ରେଳ ଇଞ୍ଜିନ ନିୟନ୍ତ୍ରଣ କକ୍ଷ ନିରୀକ୍ଷଣ କରିଥିଲେ। ପରେ ପରେ ପ୍ରଧାନମନ୍ତ୍ରୀ ଏହି ନୂତନ ଓ ଉନ୍ନୀତ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଗାନ୍ଧୀନଗର ଓ ମୁମ୍ବାଇ ମଧ୍ୟରେ ଏହା ଚଳାଚଳ ଶୁଭାରମ୍ଭ କରିବା ସହ ଏଥିରେ କାଳୁପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ସହ ଯାତ୍ରା କରୁଥିବା ରେଳ ବିଭାଗ କର୍ମଚାରୀଙ୍କ ପରିବାର ସଦସ୍ୟ, ମହିଳା ଉଦ୍ୟୋଗପତି, ଗବେଷକ ଓ ଯୁବକ ଯୁବତୀଙ୍କ ସହ ଯାତ୍ରାକାଳରେ ମତବିନିମୟ ମଧ୍ୟ କରିଥିଲେ। ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ସଫଳତା ପାଇଁ କାର୍ଯ୍ୟ କରିଥିବା ଶ୍ରମିକ, ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ମଧ୍ୟ ଶ୍ରୀ ମୋଦୀ ମତ ବିନିମୟ କରିଥିଲେ।

ବନ୍ଦେ ଭାରତ ଏକ୍ସପ୍ରେସ ୨.୦ ଗାନ୍ଧୀନଗର ଓ ମୁମ୍ବାଇ ମଧ୍ୟରେ ଚଳାଚଳ କରିବା ଦ୍ୱାରା ଭାରତର ଦୁଇ ବ୍ୟାବସାୟିକ କେନ୍ଦ୍ର ମଧ୍ୟରେ ସଂଯୋଗ ଆଶାତୀତ ବୃଦ୍ଧି ପାଇବ। ବ୍ୟବସାୟୀମାନେ ଗୁଜରାଟରୁ ମୁମ୍ବାଇ ଓ ମୁମ୍ବାଇରୁ ଗୁଜରାଟ ଯାତ୍ରା କରିବା ସହ ବ୍ୟୟବହୁଳ ବିମାନଯାତ୍ରାରୁ ମଧ୍ୟ ରକ୍ଷା ପାଇବେ। ବନ୍ଦେ ଭାରତ ଏକ୍ସପ୍ରେସ ୨.୦ରେ ଗାନ୍ଧୀନଗରରୁ ମୁମ୍ବାଇ ପହଞ୍ଚିବା ନିମନ୍ତେ ପ୍ରାୟ ଛଅରୁ ସାତ ଘଣ୍ଟା ଲାଗିବ। ବନ୍ଦେ ଭାରତ ଏକ୍ସପ୍ରେସ ୨.୦ ଉଚ୍ଚମାନଯୁକ୍ତ ବିମାନ ଭଳି ଯାତ୍ରା ଅଭିଜ୍ଞତା ଦେବ। ଏଥିରେ ଅତ୍ୟାଧୁନିକ ନିରାପତ୍ତା ବ୍ୟବସ୍ଥା ସାଙ୍ଗକୁ ସ୍ୱଦେଶରେ ବିକଶିତ ସଂଘର୍ଷ ନିରୋଧୀ ପଦ୍ଧତି କବଚ ମଧ୍ୟ ରହିଛି। ବନ୍ଦେ ଭାରତ ୨.୦ ଅଧିକ ଉନ୍ନତ ବ୍ୟବସ୍ଥା ଯେପରିକି ୫୨ ସେକେଣ୍ଡ ମଧ୍ୟରେ ଶୂନରୁ ୧୦୦ କିଲୋମିଟର ଦୂରତ୍ୱ ଅତିକ୍ରମ କରିବା ସହ ଘଣ୍ଟାପ୍ରତି ସର୍ବାଧିକ ୧୮୦ କିଲୋମିଟର ବେଗରେ ଗତି କରିବ। ଉନ୍ନତ ବନ୍ଦେ ଭାରତ ଏକ୍ସପ୍ରେସର ଓଜନ ୩୯୨ ଟନ ହୋଇଥିବା ବେଳେ ଏହାର ପୂର୍ବ ତିଆରି ଟ୍ରେନ ଓଜନ ୪୩୦ ଟନ ଥିଲା। ଆବଶ୍ୟକତା ଅନୁଯାୟୀ ଏଥିରେ ୱାଇଫାଇ ସୁବିଧା ମଧ୍ୟ ମିଳିପାରିବ। ପ୍ରତ୍ୟେକ ଡବାରେ ୩୨ ଇଞ୍ଚର ପରଦା ଜରିଆରେ ତଥ୍ୟ ଓ ମନୋରଞ୍ଜନ ପରିବେଷଣ କରାଯିବ। ପୂର୍ବ ଟ୍ରେନରେ ୨୧” ପରଦା ରହିଥିଲା। ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ପରିବେଶ ଅନୁକୂଳ ଓ ଶତକଡା ୧୫ ଭାଗ ଅଧିକ ଶକ୍ତି ସାମର୍ଥ୍ୟପୂର୍ଣ୍ଣ। ଧୂଳି ବିହୀନ ସ୍ୱଚ୍ଛ ବାୟୁ ପ୍ରବାହ ଦୃଷ୍ଟିରୁ ଏହା ଯାତ୍ରାକୁ ବେଶ ଆରାମଦାୟକ କରିପାରିବ। ଆଗରୁ ଆରାମରେ ଆଉଜି ବସିବା ଚୌକୀ କେବଳ ଏକଜ୍ୟୁଟିଭ ଶ୍ରେଣୀ ଯାତ୍ରୀଙ୍କୁ ମିଳୁଥିବା ବେଳେ ଏବେ ତାହା ସମସ୍ତ ଶ୍ରେଣୀର ଯାତ୍ରୀପାଇଁ ଉପଲବ୍ଧ ହେବ। ଏକଜ୍ୟୁଟିଭ ଡବାରେ ୧୮୦ ଡିଗ୍ରୀ ବୁଲିପାରିବା ଭଳି ବସିବା ବ୍ୟବସ୍ଥା ରହିଛି। ନବନିର୍ମିତ ବନ୍ଦେ ଭାରତ ଏକ୍ସପ୍ରେସରେ ଫଟୋ କାଟାଲିଟିକ ଅଲଟ୍ରାଭାଓଲେଟ ବାୟୁ ବିଶୋଧିକରଣ ପଦ୍ଧତି ଛାତ ଉପରେ ଖଞ୍ଜା ଯାଇଛି। କେନ୍ଦ୍ରୀୟ ବୈଜ୍ଞାନିକ ଯନ୍ତ୍ରପାତି ସଂଗଠନ (ସିଏସଆଇଓ) ଚଣ୍ଡିଗଡର ସୁପାରିଶ ଅନୁସାରେ ଏହା ଖଞ୍ଜା ଯାଇଥିବାରୁ ଏହା ଜୀବାଣୁ, ବୀଜାଣୁ, ଭୂତାଣୁ ଇତ୍ୟାଦି ବାୟୁଠାରୁ ମୁକ୍ତ ରଖି କେବଳ ତାଜା ବାୟୁ ପ୍ରବାହରେ ସହାୟକ ହେବ।

Share Now:

Kalinga News Beuro

Next Post

ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ

Fri Sep 30 , 2022
ଭୁବନେଶ୍ବର: ଓଲିଉଡର ଜଣାଶୁଣା ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ପୀଡ଼ିତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି ଯେ, ସିନେମା ଓ ବ୍ୟବସାୟରେ କାମ କରିବାର ସୁଯୋଗ ଦେବାକୁ କହି ଅକ୍ଷୟ ପରିଜା ତାଙ୍କୁ ଶାରୀରିକ ଶୋଷଣ କରିଛନ୍ତି। ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ସେ ଦଳିତ […]
ପ୍ରଯୋଜକଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial