ସରକାରୀ ଘର ଭଡ଼ା ଦେଇ ବସ୍ତିରେ ମାଲିକ

ସରକାରୀ ଘର ଭଡ଼ା ଦେଇ ବସ୍ତିରେ ମାଲିକ

ଭୁବନେଶ୍ବର: ଭୁବନେଶ୍ବରରେ ଶସ୍ତାରେ ଘରଭଡ଼ା ଖୋଜୁଛନ୍ତି କି? ତେବେ ବସ୍ତିକୁ ଯାଆନ୍ତୁ। ଘର ପାଇଁ ନୁହେଁ, ଘର ମାଲିକଙ୍କୁ ଭେଟିବାକୁ ବସ୍ତିକୁ ଯାଆନ୍ତୁ। ବସ୍ତିରେ ଟିଣ ଛପର ଘରେ ରହୁଥିବା ଘରମାଲିକ ଆପଣଙ୍କୁ ୱେଲ୍‌ ଫର୍ଣ୍ଣିସ୍‌ଡ୍‌ କୋଠା ଘର ଭଡ଼ାରେ ଦେବେ। ସେଭଳି ଭଡ଼ା ଘର ସହରର ପ୍ରମୁଖ ସ୍ଥାନରେ ମିଳିବ। ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଏ କଥା ଆମେ କହୁନୁ, ବିଏମ୍‌ସି ପକ୍ଷରୁ ବସ୍ତି ଉଚ୍ଛେଦ କଲାବେଳେ ଏଭଳି ତଥ୍ୟ ପଦାକୁ ଆସିଛି। ସରକାରଙ୍କ ଗୃହ ନିର୍ମାଣ ଯୋଜନାରେ ବସ୍ତିବାସିନ୍ଦା ଘର ପାଇଛନ୍ତି। ସହରର ବିଭିନ୍ନ ଜାଗାରେ ବିଏମ୍‌ସି କୋଠା ନିର୍ମାଣ କରି ସେମାନଙ୍କୁ ଯୋଗାଇଛି। ହେଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ କୋଠାକୁ ନ ଯାଇ ସେହି ବସ୍ତିରେ ହିଁ ରହିଛନ୍ତି। ମିଳିଥିବା କୋଠା ଅନ୍ୟ ଲୋକକୁ ଭଡ଼ା ଦେଇଛନ୍ତି। ହିତାଧିକାରୀଙ୍କୁ ଘର ମିଳିଯିବା ପରେ ସମ୍ପୃକ୍ତ ବସ୍ତିକୁ ଉଚ୍ଛେଦ କଲା ବେଳେ ଏଭଳି କାରବାର ହୋଇଥିବା ଜଣାପଡ଼ିଛି। ଉଚ୍ଛେଦ କରିବାକୁ ଟିମ୍‌ ପହଞ୍ଚିବା ବେ‌ଳେ ଦେଖାଯାଇଥିଲା କି ଯେଉଁ ହିତାଧିକାରୀଙ୍କୁ ଗୃହ ନିର୍ମାଣ ଯୋଜନାରେ ଘର ମିଳିଛି ସେମାନେ ହିଁ ସେଠାରେ ରହିଛନ୍ତି। ଏପଟେ ଯେଉଁଠି ଘର ମିଳିଛି ସେଠାରେ ଯାଞ୍ଚ କଲାବେଳେ ସେଠାରେ ମଧ୍ୟ ଲୋକ ରହୁଛନ୍ତି। ତେବେ କାହାକୁ ଘର ମିଳିଛି କିଏ ରହୁଛି ତାହା ତନାଘନା ହେବା ବେଳେ ଏହି ଭଡ଼ାଟିଆ ପ୍ରସଙ୍ଗ ସାମ୍ନାକୁ ଆସିଛି। ତଦନ୍ତ ବେଳେ ଜଣାପଡ଼ିଛି କି ହିତାଧିକାରୀଙ୍କ ପାଇଁ ବିଏମ୍‌ସି ନିର୍ମାଣ କରିଥିବା ଗୋଟିଏ ଗୋଟିଏ ବଖରା ଘର ୩ରୁ ୪ ହଜାର ପର୍ଯ୍ୟନ୍ତ ଭଡ଼ାରେ ଲାଗୁଛି। ଜଣ ଜଣଙ୍କର ପରିବାର ବଡ଼ ଥିବାରୁ ସେମାନେ ଦୁଇଟି ଘର ଭଡ଼ା ନେଇଛନ୍ତି। ୨୪ ଘଣ୍ଟିଆ ପାଣି ସହ ୨୪ ଘଣ୍ଟିଆ ବିଜୁଳି ସଂଯୋଗ ରହିଛି। ଘର ପର୍ଯ୍ୟନ୍ତ ପେଭର ବ୍ଲକ୍‌ ରାସ୍ତା ମଧ୍ୟ ରହିଛି। ସହର ଭିତରେ ବରଂ ରାସ୍ତାର ସମସ୍ୟା ରହିଛି, ହେଲେ ଏହି ସରକାରୀ କୋଠାକୁ ଚିକ୍କଣ ରାସ୍ତା ପଡ଼ିଛି। ସାମ୍ନାରେ ଥିବା ସରକାରୀ ଜାଗାକୁ ସଫା କରି ପାର୍କିଂ ଜାଗା ବି ତିଆରି ହୋଇଛି। ଭଡ଼ା ନେବାକୁ ମାଲିକ ସହ ଚୁକ୍ତିନାମା ମଧ୍ୟ ଦରକାର ନାହିଁ। ସହର ମଝିରେ ଓ ଶସ୍ତାରେ ଏଭଳି ସୁବିଧା ଆଉ କେଉଁଠି ମିଳୁନଥିବାରୁ ଏହି ସବୁ ଘରର ଏବେ ବେଶ୍‌ ଚାହିଦା ରହିଛି। ଏ ସବୁ ଜାଣୁଥିଲେ ମଧ୍ୟ ଜୋନ୍‌ ଦାୟିତ୍ବରେ ଥିବା ବିଏମ୍‌ସିର ଅଧିକାରୀମାନେ ହାତଗୁଞ୍ଜା ନେଇ ନିରବ ରହୁଥିବା ଅଭିଯୋଗ ହୋଇଛି।
ଉଚ୍ଛେଦ ବେଳେ ଧରାପଡ଼ିଲା କାରନାମା,କେମିତି ଜାଣିପାରୁ ନ ଥିଲେ ଅଧିକାରୀ?
ଏଣେ ଯେଉଁ ଉଦ୍ଦେଶ୍ୟରେ ଏହି ଘର ଯୋ‌ଗାଇ ଦିଆଯାଇଥିଲା ତାହା ସଫଳ ହେଉ ନାହିଁ। ବସ୍ତି ଖାଲି କରିବାକୁ ବିଡିଏର ସ୍ବତନ୍ତ୍ର ସ୍କ୍ବାଡ୍‌ ନାକେଦମ୍‌ ହେଉଛି। ଅନେକ ଜାଗା‌ରେ ସରକାରୀ ଘର ଭଡ଼ା ଲଗାଇ ବସ୍ତିରେ ରହୁଥିବା ବାସିନ୍ଦା ଉଚ୍ଛେଦକାରୀ ଦଳକୁ ଆ‌କ୍ରମଣ କରୁଛନ୍ତି। କେତେକ ଜାଗାରେ ନେତା ମଧ୍ୟ ବାସିନ୍ଦାଙ୍କ ସମର୍ଥନରେ ବିରୋଧରେ ସାମିଲ ହେଉଥିବାରୁ ଉଚ୍ଛେଦ ସମ୍ଭବ ହେଉ ନାହିଁ। ଫଳ‌ରେ ସେହି ଜାଗାରେ ହେବାକୁ ଥିବା ପ୍ରକଳ୍ପ ନିର୍ମାଣ ମଧ୍ୟ ବିଳମ୍ବିତ ହେଉଛି। ତେବେ ଏ ସବୁକୁ ନେଇ କଠୋର ହୋଇଛି ବିଏମ୍‌ସି। ଯାଞ୍ଚ ବେଳେ ସତ ପଦାକୁ ଆସିବା ପରେ ଆଜି ବିଭିନ୍ନ ଜୋନ୍‌ରେ ଗାର୍ଡିଆନ୍‌ ଅଫିସର ଦାୟିତ୍ବରେ ଥିବା ଅତିରିକ୍ତ କମିସନର ଗୋଟିଏ ଗୋଟିଏ ଟିମ୍‌ ଗଠନ କରିଛନ୍ତି। ଟିମ୍‌ରେ ୱାର୍ଡ ଅଫିସର ଓ କମ୍ୟୁନିଟି ଅର୍ଗାନାଇଜର ଅଛନ୍ତି। ଏମାନେ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ହୋଇଥିବା ଘର ବୁଲି ସେମାନଙ୍କର ପରିଚୟ ତାଲିକା କରିବେ। ଯାଞ୍ଚ ସମୟରେ ଘରେ ରହୁଥିବା ଲୋକ ତା’ର ଆଧାର କାର୍ଡ ଦେଖାଇବ। ଯେଉଁମାନେ ହିତାଧିକାରୀ ହୋଇନଥିବେ ସେମାନଙ୍କୁ ସମ୍ପୃକ୍ତ ଘରୁ ବାହାର କରିଦିଆଯିବ। ଆସନ୍ତାକାଲିଠାରୁ ଚଢ଼ଉ ହେବା ଖବର ମିଳିବା ପରେ କେତେକ ଘର ଛାଡ଼ି ଚାଲି ଯାଇଛନ୍ତି। ଘରେ ତାଲା ଝୁଲୁଛି। ଏବେ କେମିତି ଯାଞ୍ଚ ହେବ ସେ ନେଇ ଟିମ୍‌ ଚିନ୍ତାରେ ପଡ଼ିଛି।
ଉଲ୍ଲେଖଯୋଗ୍ୟ, ରଙ୍ଗାମାଟିଆ ପ୍ରକଳ୍ପରେ ୬୦୦ ଘର ରହିଥିବା ବେଳେ ସେଠାରେ ପ୍ରାୟ ୨୦୦ ଘର ଭଡ଼ାରେ ଲାଗିଥିବା ଅଭିଯୋଗ ହୋଇଛି। ମୁଣ୍ଡାସାହି‌ ମଣ୍ଡପବସ୍ତିର ପ୍ରକଳ୍ପରେ ୩୭୮ ଘରରୁ ୧୫୦ ଘର ଭଡ଼ା ଲାଗିଛି। ଅରବିନ୍ଦ ନଗର ପ୍ରକଳ୍ପରେ ଥିବା ୧୯୨ ଘରରୁ ୩୫ ଓ ପଥରବନ୍ଧ ପ୍ରକଳ୍ପରେ ଥିବା ୨୪୦ ଘରରୁ ୮୮ ଘର ଭଡ଼ା ଲାଗିଥିବା‌ ଅଭିଯୋଗ ହୋଇଛି। ତେବେ ତଦନ୍ତ ପରେ ହିଁ ଏହି ଅଭିଯୋଗର ସତ୍ୟାସତ୍ୟ ସମ୍ବନ୍ଧରେ ସୂଚନା ମିଳିପାରିବ ବୋଲି ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Share Now:

Kalinga News Beuro

Next Post

ପ୍ରକାଶ ପାଇଲା ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ହେବାର ବିଜ୍ଞପ୍ତି

Sun Oct 16 , 2022
ଭୁବନେଶ୍ବର: ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ କରାଯିବା ପାଇଁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଚୁକ୍ତିଭିତ୍ତିକ ଗ୍ରୁପ୍‌ ‘ବି’, ‘ସି’, ‘ଡି’ ପାହ୍ୟାର ନିଯୁକ୍ତି ଉଚ୍ଛେଦ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଫଳରେ ୫୭ ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ କରାଯାଇଛି। ଛୁଟିଦିନ ସତ୍ତ୍ୱେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି। ଗତକାଲି କ୍ୟାବିନେଟର ଏହି ଗୁରୁତ୍ବପୂର୍ଣ୍ଣ […]
ଚୁକ୍ତିଭିତ୍ତିକ ନିଯୁକ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial