କେବେ ଦୂର ହେବ ରାଜଧାନୀର ଟ୍ରାଫିକ୍‌ ସମସ୍ୟା ? କାମ ଦେଉନି କି ମାଷ୍ଟରପ୍ଲାନ୍‌?

ରାଜଧାନୀର ଟ୍ରାଫିକ୍‌ ବ୍ୟବସ୍ଥା

ଭୁବନେଶ୍ବର: ଦୂର ହେବ ରାଜଧାନୀର ଟ୍ରାଫିକ୍‌ ସମସ୍ୟା। ଟ୍ରାଫିକ ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ କରାଯିବ। ବ୍ୟବସ୍ଥାରେ ଉନ୍ନତି ଅଣାଯିବ। ବିଶେଷକରି ଅତ୍ୟଧିକ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିବା ଛକଗୁଡ଼ିକର ରୂପରେଖ ବଦଳିବ। ଏମିତି କେତେ କ’ଣ ସ୍ବପ୍ନ ଦେଖାଇଲେ। ରାଜଧାନୀର ଟ୍ରାଫିକ୍‌ ସ୍ଥିତି ଅସମ୍ଭାଳ ‌ହେବାରୁ ଅଗଷ୍ଟ ୧୦ ତାରିଖ ଭୋର୍‌ରୁ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ରାଜଧାନୀର ଗୁରୁତ୍ବପୂର୍ଣ୍ଣ ଛକଗୁଡ଼ିକୁ ବୁଲି ସ୍ଥିତି ସମୀକ୍ଷା କଲେ। ଟ୍ରାଫିକ୍‌ ଛକଗୁଡ଼ିକର ସ୍ଥିତି ସମୀକ୍ଷା ସମୟରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ଡିସିପି ପ୍ରତୀକ ସିଂହ, ପୂର୍ତ ସଚିବ ଭି ଭି ଯାଦବ, ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ, ଟ୍ରାଫିକ୍‌ ଡିସିପି ଠାକୁର ପ୍ରସାଦ ପାତ୍ର ମଧ୍ୟ ଉପସ୍ଥିତ ରହି ବିଭିନ୍ନ ସମସ୍ୟାକୁ ଚିହ୍ନଟ କଲେ। ଆଉ ଖୁବ୍‌ଶୀଘ୍ର ଛକ ଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ କରାଯାଇ ଟ୍ରାଫିକ୍‌ ସ୍ଥିତିକୁ ସ୍ବାଭାବିକ କରିବାକୁ ନକ୍ସା ପ୍ରସ୍ତୁତ କଲେ। ହେଲେ ଏହା ଭିତରେ ସମୀକ୍ଷାର ଅଢ଼େଇ ମାସ ବିତିଯାଇଥିଲେ ମଧ୍ୟ ଟ୍ରାଫିକ୍‌ ଛକଗୁଡ଼ିକରେ ଯେଭଳି ସମସ୍ୟା ସୃଷ୍ଟି ହୋଇଥିଲା ଆଜି ମଧ୍ୟ ସେଭଳି ସ୍ଥିତି ରହିଛି। ରାଜଧାନୀରେ ଟ୍ରାଫିକ୍‌ ସମସ୍ୟା ଲୋକଙ୍କୁ ଅଣନିଃଶ୍ବାସୀ କରିରଖିଛି। ସକାଳୁ ସନ୍ଧ୍ୟା ଯାଏ ଲୋକ ଟ୍ରାଫିକ୍‌ ଜାମ୍‌ରେ ଧନ୍ଦିହୋଇ ନାକରେ କାନରେ କାନ୍ଦୁଛନ୍ତି। ଅନେକ ସମସୟରେ ଆମ୍ବୁଲାନ୍ସ ଅଟକି ରହିବାର ସ୍ଥିତି ବି ନଜରକୁ ଆସିଛି। ଯାହାକୁ ନେଇ ଅପ୍ରୀତିକର ପରିସ୍ଥିତି ଉପୁଜୁଛି।
ସବୁଠୁ ବଡ଼କଥା‌ ହେଲା ଯେ, ଟ୍ରାଫିକ୍‌ ସମସ୍ୟା ଦୂର କରିବାରେ ଟ୍ରାଫିକ୍ ପୁଲିସ୍‌ ସହ ବିଏମ୍‌ସି ଓ ପୂର୍ତ୍ତ ବିଭାଗର ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି। ସମୀକ୍ଷା ସମୟରେ ବିଭିନ୍ନ ଦିଗକୁ ବିଚାରକୁ ନିଆଯାଇ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଥିଲା। ‌ହେଲେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସେଭଳି କିଛି ଆଖିଦୃଶିଆ ପରିବର୍ତ୍ତନ ଦେଖବାକୁ ମିଳିନାହିଁ। ବାସ୍ତବ‌ରେ ମାଷ୍ଟରପ୍ଲାନ କାମ ଦେଲାନି ନା ପୁଣି କେଉଁଠି ସମସ୍ୟା ରହିଗଲା ? ନା ଯେଉଁ ହିସାବରେ କାମ ହେବାକଥା ତାହା ହେଉ ନାହିଁ ? କେବେ ରାଜଧାନୀର ଟ୍ରାଫିକ୍‌ ସମସ୍ୟା ହଟିବ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଏମ୍‌ସି କମିନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, ସମସ୍ତ ଛକରେ କାମ ଚାଲିଛି। ୯୦ ପ୍ରତିଶତ କାମ ସରିଛି। ଚଳିତ ମାସ ଶେଷ ସୁଦ୍ଧା ସମସ୍ତ କାମ ସରିବ ବୋଲି ସେ କହିଛନ୍ତି। ଟ୍ରାଫିକ୍‌ ଡିସିପି ଠାକୁର ପ୍ରସାଦ କହିଥିଲେ ‌ଯେ, ପୂର୍ତ୍ତ ବିଭାଗ ଓ ବିଏମ୍‌ସି ଅଗ୍ରାଧିକାର ଭାବେ କାମ କରୁଛନ୍ତି। ରବିଟକିଜ୍‌ ଛକ, କଳ୍ପନା,ଏସ୍‌ପ୍ଲାନେଡ୍‌ ଏବଂ ଆଇଗିଣିଆ ଛକରେ ରାସ୍ତା ପ୍ରଶସ୍ତୀକଣ ପାଇଁ ପଦକ୍ଷେପ ନିଆଯାଇଛି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି।
ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ପ୍ରତିଦିନ ରାଜଧାନୀରେ ଲୋକସଂଖ୍ୟା ବୃଦ୍ଧି ସାଙ୍ଗକୁ ଗାଡ଼ି ମୋଟର ସଂଖ୍ୟା ମଧ୍ୟ ବଢ଼ୁଛି। ଗତ ୩ବର୍ଷ ମଧ୍ୟରେ ୬ଲକ୍ଷ ଗାଡ଼ି ବଢ଼ିଛି। ଜନସଂଖ୍ୟା ଓ ଗାଡ଼ି ବୃଦ୍ଧି ହିସାବରେ ରାସ୍ତାଗୁଡ଼ିକର ବିକାଶ ହୋଇନାହିଁ। ଭିନ୍ନ ଭିନ୍ନ ରାସ୍ତାରେ ଭିନ୍ନ ଭିନ୍ନ ସମସ୍ୟା ରହିଛି। କେଉଁଠି ଜବର ଦଖଲ ଯୋଗୁଁ ରାସ୍ତା ସଂକୁଚିତ ହୋଇଯାଇଛି ତ କେଉଁଠି ରାସ୍ତା ପ୍ରଶସ୍ତୀକରଣ କରାଯାଇ ନାହିଁ। କେତେକ ସ୍ଥାନରେ ବେଆଇନ୍‌ ଭାବେ ଗାଡ଼ିମୋଟର ପାର୍କିଂ କରାଯାଉଛି। ଅଣ ଓସାରିଆ ରାସ୍ତା ସାଙ୍ଗକୁ ଗାଡ଼ି ପାର୍କିଂ ଟ୍ରାଫିକ୍‌ ସ୍ଥିତିକୁ ବିଗାଡ଼ିଛି। ତେଣୁ ପ୍ରଥମ ପର୍ଯ୍ୟାୟରେ ରବିଟକିଜ୍‌ ଛକ, କଳ୍ପନା ଛକ, ଶିଶୁଭବନ ଛକ, ଏସ୍‌ପ୍ଲାନେଡ୍‌ ଛକ, ବେହେରାସାହି ଛକରେ ରାସ୍ତାର ସମୀକ୍ଷା କରାଯାଇଥିଲା। ଶିଶୁଭବନରୁ ମାଉସୀମା ଛକ ପର୍ଯ୍ୟନ୍ତ ଓଭରବ୍ରିଜ୍‌ର ଲେଭଲିଂ କରାଯିବ। ରବିଟକିଜ୍‌ ଛକରେ ଥିବା ଟ୍ରାଫିକ୍‌ ପୋଷ୍ଟର ନବୀକରଣ ସହ ନିକଟରେ ଥିବା ବେଆଇନ୍‌ ପାର୍କିଂକୁ ହଟାଯିବ। ରସୁଲଗଡ଼ ପଟୁ କଳ୍ପନା ଟ୍ରାଫିକ ଭାୟା ମ୍ୟୁଜିୟମ ଟ୍ରାଫିକ୍‌କୁ ଥ୍ରୋ ଫେୟାର କରାଯିବ ଅର୍ଥାତ ସବୁବେଳେ ଗ୍ରିନ୍‌ ଲାଇଟ୍‌ ରହିବ। ସେଠାରେ ସିଧା ଯିବା ପାଇଁ ହେଲେ ଆଉ କେହି ଅଟକିବେ ନାହିଁ। ଛକ ଉପରେ ଥିବା ଆଇଲାଣ୍ଡ ‌ଆକୃତିର ସ୍ଥାନକୁ ଛୋଟ କରାଯିବ। ଏସ୍‌ପ୍ଲାନେଡ୍‌ ଛକରୁ ରସୁଲଗଡ଼ ଟ୍ରାଫିକ୍‌ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବକୁ ଚଉଡ଼ା କରାଯିବା ସହ ଶିଳ୍ପାଞ୍ଚଳକୁ ଯାଉଥିବା ରାସ୍ତାର ମଧ୍ୟ ବିକାଶ କରାଯିବ। ଆଇଗିଣିଆ ଛକର ଟ୍ରାଫିକ୍‌ରେ ବ୍ୟାପକ ପରିବର୍ତ୍ତନ କରାଯାଇ ସମସ୍ୟାର ସମାଧାନ ହେବ। ଚିହ୍ନଟ ସମସ୍ତ ରାସ୍ତାପାର୍ଶ୍ବରେ ଥିବା ଜବରଦଖଲକାରୀଙ୍କୁ ହଟାଯିବ। ପରବର୍ତ୍ତୀ ସମୟରେ ସେମାନଙ୍କୁ ଥଇଥାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।
କେ‌ତେ ଆଗେଇଛି ?
ବାସ୍ତବରେ ରବିଟକିଜ୍‌ ଛକରେ ଫୁଟ୍‌ପାଥ ନିର୍ମାଣ ଦ୍ବାରା ରାସ୍ତା ଆହୁରି ସଂକୁଚିତ ହୋଇଯାଇଛି। ଏହାଦ୍ବାରା ପଥଚାରୀ ଉପକୃତ ହେଉଛନ୍ତି ସତ କିନ୍ତୁ ଗାଡ଼ି ମଟର ଯାତାୟାତ କରିବାରେ ସମସ୍ୟା ଦେଖାଦେଇଛି।‌ ହେଲେ ଟ୍ରାଫିକ୍‌ ପୋଷ୍ଟର ନବୀକରଣ କରାଯାଇନାହିଁ। କଳ୍ପନା ଛକରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଯଦିଓ ଟ୍ରାଫିକ୍‌ ଉପରେ ଥିବା ଆଇଲାଣ୍ଡ ଆକୃତିର ସ୍ଥାନଗୁଡ଼ିକୁ ଛୋଟ କରିଦିଆଯାଇଛି। ହେଲେ ସେଠାରେ ଫୁଟ୍‌ପାଥ ନିର୍ମାଣ ରାସ୍ତାକୁ ସଂକୁଚିତ କରିଛି। ଏହାଛଡ଼ା କଳ୍ପନାରୁ ରବିଟକିଜ୍‌ ରାସ୍ତାରେ ଏକାଧିକ କଟ୍‌ ଯୋଗୁଁ ଜାମ୍‌ ସ୍ଥିତି ଉପୁଜୁଥିବା ଦେଖିବାକୁ ମିଳିଛି। ସେହିପରି ଏସ୍‌ପ୍ଲାନେଡ୍‌ ଛକରେ କେବଳ କଟ୍‌ଗୁଡ଼ିକୁ ବନ୍ଦ କରିଦିଆଗଲା। ଉଭୟପାର୍ଶ୍ବକୁ ପ୍ରଶସ୍ତୀକରଣ ପାଇଁ ପ‌ଦକ୍ଷେପ ନିଆଯାଇନାହିଁ। ଶିଶୁଭବନ ଛକରୁ ମାଉସୀମା ଛକ ପର୍ଯ୍ୟନ୍ତ ଓଭରବ୍ରିଜ୍‌କୁ ଲେଭଲିଂ କରାଯିବ ବୋଲି କୁହାଯାଇଥିଲା।‌ ହେଲେ ଏପର୍ଯ୍ୟନ୍ତ ଲେ‌ଭେଲିଂ କରାଯାଇନାହିଁ। ଅନ୍ୟଛକ ଗୁଡ଼ିକରେ ମଧ୍ୟ ସମାନ ସ୍ଥିତି ରହିଛି। ଏନେଇ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ଉତ୍ତର ମିଳିନଥିଲା।

Share Now:

Kalinga News Beuro

Next Post

ନେଦରଲାଣ୍ଡସକୁ ୫୬ ରନରେ ହରାଇଲା ଭାରତ

Thu Oct 27 , 2022
ସିଡନି : ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ସୁପର-୧୨ର ଏକ ମ୍ୟାଚରେ ନେଦରଲାଣ୍ଡସକୁ ୫୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୧୭୯ ରନ କରିଥିଲା। ଆଜିର ମ୍ୟାଚରେ ପୁଣି ବିଫଳ ହୋଇଥିଲେ କେଏଲ ରାହୁଲ। ସେ ମାତ୍ର […]
ନେଦରଲାଣ୍ଡସକୁ ୫୬ ରନରେ ହରାଇଲା ଭାରତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial