ଟ୍ରାଫିକ୍‌ ପରିଚାଳନାରେ ଚରମ ବିଶୃଙ୍ଖଳା: ଥାନା ମଞ୍ଚେଶ୍ବର, ଟ୍ରାଫିକ୍ କଟକ

ଟ୍ରାଫିକ୍‌ ପରିଚାଳନାରେ ଚରମ ବିଶୃଙ୍ଖଳା

ଭୁବନେଶ୍ବର: ସ୍ତ୍ରୀ, ପିଲାଛୁଆ ଓ ବୟସ୍କ ମା’କୁ ନେଇ କୋଳଥିଆର ସୁବ୍ରତ ଦାଶ ଗତକାଲି ଅପରାହ୍ନରେ ଭୁବନେଶ୍ବର ବାଲିଯାତ୍ରା ବୁଲିବାକୁ ଯାଇଥିଲେ। ୨ ଘଣ୍ଟା ଧରି ସେଠାରେ ବୁଲାବୁଲି କରିବା ପରେ ସଂଧ୍ୟା ୬ଟାରେ ଭଡ଼ା ଅଟୋରେ ଘରକୁ ଫେରିଥିଲେ। କିନ୍ତୁ ଘରେ ପହଞ୍ଚିବା ବେଳକୁ ରାତି ସାଢ଼େ ୧୦ଟା ବାଜି ସାରିଥିଲା। ବାଲିଯାତ୍ରା ପଡ଼ିଆରେ ସେମାନେ ଯେତିକି ସମୟ ବୁଲିଲେ, ଟ୍ରାଫିକ୍‌ ଜାମ୍‌ ପାଇଁ ତା’ର ଦୁଇଗୁଣରୁ ଅଧିକ ସମୟ ସେମାନଙ୍କ ରାସ୍ତାରେ କଟିଗଲା। ଗାଡ଼ି ଧୂଆଁ ଓ ଧୂଳିରେ ପାଖାପାଖି ୪ ଘଣ୍ଟା ଧରି ସନ୍ତୁଳି ହୋଇଥିବା ଏହି ପୂରା ପରିବାର କାନନାକ ମୋଡ଼ି ହୋଇ ଶପଥ ନେଇଛନ୍ତି ଯେ ଆଉ କେବେ ବାଲିଯାତ୍ରା ବୁଲି ଯିବେ ନାହିଁ। ଖାଲି ସୁବ୍ରତ ନୁହେଁ, ଗତକାଲି (ରବିବାର)ଭୁବନେଶ୍ବର ବାଲିଯାତ୍ରା ବୁଲିବାକୁ ଯାଇଥିବା ତାଙ୍କ ଭଳି ହଜାର ହଜାର ଲୋକ ଏମିତି ତିକ୍ତ ଅନୁଭୂତି ନେଇ ଫେରିଛନ୍ତି। ଖାଲି ବାଲିଯାତ୍ରା ବୁଲିବାକୁ ଯାଇଥିବା ଲୋକେ ନୁହେଁ, ଆଖପାଖରେ ରହୁଥିବା ସତ୍ୟବିହାର, କିଷାନନଗର, ସପ୍ତସତୀ ନଗର, ମଞ୍ଚନାଥ ନଗର, ମଞ୍ଚେଶ୍ବର ଗାଁ ଲୋକ ବି ନାକରେ କାନ୍ଦିଛନ୍ତି। ଅପରା‌ହ୍‌ଣ ୫ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସେମାନେ ଏକପ୍ରକାର ଗୃହବନ୍ଦୀ ହୋଇଯାଇଥିଲେ। ଗାଡ଼ି ବାହାର କରିବା ତ ଦୂରର କଥା, ସେମାନେ ଦୁଆର ମୁହଁକୁ ବି ଗୋଡ଼ କାଢ଼ି ପାରିନଥିଲେ। ଆଉ ଏସବୁ କେବଳ କମିସନରେଟ୍‌ ପୁଲିସ୍‌ର ଅପାରଗତା, ଦୂରଦୃଷ୍ଟିହୀନତା ଓ ଖାମଖିଆଲି ପାଇଁ ବୋଲି ଅଭିଯୋଗ ହୋଇଛି। ଥାନା-ଥାନା ମଧ୍ୟରେ ସୀମା ବିବାଦ ଲାଗି ରହିବା ପୁଲିସର ପୁରୁଣା ରୋଗ। କିନ୍ତୁ ଥାନା ଓ ଟ୍ରାଫିକ୍ ଥାନା ମଧ୍ୟରେ ସୀମା ବିବାଦକୁ ନେଇ ଗତକାଲି ରାଜଧାନୀରେ ଏମିତି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ବାଲିଯାତ୍ରା ପଡ଼ିଆଠାରୁ ହାଇଟେକ୍‌ ଛକ ପର୍ଯ୍ୟନ୍ତ ରାସ୍ତା ଓ ଭୁବନେଶ୍ବର-କଟକ ଜାତୀୟ ରାଜପଥରେ ରସୁଲଗଡ଼ରୁ ନହରକଣ୍ଟା ପର୍ଯ୍ୟନ୍ତ ରାସ୍ତା ପୂରା ସ୍ଥିର ହୋଇଯାଇଥିଲା। ୩ରୁ ୪ କିଲୋମିଟର ଏହି ରାସ୍ତା ପାର୍‌ ହେବାକୁ ଲୋକଙ୍କୁ ଅଢ଼େଇରୁ ୩ ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିଥିଲା।
ସୂଚନାଯୋଗ୍ୟ, ଗତକାଲି ବାରଙ୍ଗରେ କାର୍ତ୍ତିକ ପୂଜା ଭସାଣ ଥିବାରୁ ସେପଟେ କଟକ ବାଲିଯାତ୍ରା ଦେଖିବାକୁ ଯିବା ପାଇଁ ରାଜଧାନୀବାସୀଙ୍କୁ କମିସନରେଟ ପୁଲିସ ବାରଣ କରିଥିଲା। ପୁଲିସ ପକ୍ଷରୁ କୁହାଯାଇଥିଲା, କେବଳ ଜାତୀୟ ରାଜପଥରେ ଭୁବନେଶ୍ବର ଲୋକ କଟକ ବାଲିଯାତ୍ରାକୁ ଆରାମରେ ବୁଲିବାକୁ ଯାଇପାରିବେ। ଛୁଟିଦିନ, ରବିବାର ଥିବାରୁ ଦିନ ଦୁଇଟା ବେଳୁ ଜାତୀୟ ରାଜପଥ ଜାମ୍ ହେବା ଆରମ୍ଭ ହୋଇଯାଇଥିଲା। ତେଣୁ ଭିଡ଼ରେ ଫସିବା ଅପେକ୍ଷା ଅନେକେ ଭୁବନେଶ୍ବର ବାଲିଯାତ୍ରା ଯିବାକୁ ସହଜ ମଣିଥିଲେ। ସଂଧ୍ୟା ପାଖାପାଖି ୫ଟା ବେଳକୁ ବହୁ ସଂଖ୍ୟାରେ ଲୋକେ ଭୁବନେଶ୍ବର ବାଲିଯାତ୍ରାମୁହାଁ ହେବାରୁ ପଳାସୁଣୀଠାରୁ ଜାତୀୟ ରାଜପଥ ଜାମ୍‌ ହୋଇଯାଇଥିଲା। କିନ୍ତୁ ଆଉ ପରିସ୍ଥିତିରେ ସୁଧୁରି ନଥିଲା। ରାତି ସହ ତାଳ ଦେଇ ଗହଳି ବଢ଼ି ଚାଲିଲା। ରାତି ୧୨ଟା ପର୍ଯ୍ୟନ୍ତ ଏମିତି ସମସ୍ୟା ଦେଖାଦେଇଥିଲା। ଭୁବନେଶ୍ବର ବାଲିଯାତ୍ରା ଯିବାକୁ ମୁଖ୍ୟ ରାସ୍ତା ହେଉଛି, ହାଇଟେକ୍ ଛକରୁ ବାମକୁ ନଦୀପାର୍ଶ୍ବ ବନ୍ଧର ଅଣ ଚଉଡ଼ା ରାସ୍ତା। କିନ୍ତୁ ସେଠାରେ ଭିଡ଼ ସମ୍ଭାଳିବାକୁ ସେତେଟା ଟ୍ରାଫିକ୍ ଅଫିସର କିମ୍ବା ଟ୍ରାଫିକ୍ କନଷ୍ଟେବଲ୍ ନ ଥିଲେ। କେବଳ ରିଜର୍ଭ ଏବଂ ଓଏସଏପି ବାଟାଲିୟନ୍‌ ଉପସ୍ଥିତ ଥିଲେ। ଟ୍ରାଫିକ୍‌ ସମସ୍ୟା ନେଇ ଲୋକ କମିସନରେଟ ପୁଲିସକୁ ଯୋଗାଯୋଗ କରିଥିଲେ ମଧ୍ୟ ଟ୍ରାଫିକ୍ ପୁଲିସ ଆସି ନଥିଲା। ବହୁ ବିଳମ୍ବରେ ମଞ୍ଚେଶ୍ବର ଥାନା ପୁଲିସ ଆସିଥିଲେ ହେଁ ସେତେବେଳକୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା।
ସମସ୍ୟା କେଉଁଠି?
ଭୁବନେଶ୍ବର ଟ୍ରାଫିକ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପଳାସୁଣୀ ଛକରୁ ଭୁବନେଶ୍ବର ଟ୍ରାଫିକ୍ ପୁଲିସର ସୀମା ଶେଷ ହେଉଛି। ଏହା ପରେ ହାଇଟେକ୍, ହଂସପାଳ ଆଦି ଛକ କଟକ ନଖରା ଟ୍ରାଫିକ୍ ପୁଲିସ ଅଧୀନରେ ଆସୁଛି। ଭୁବନେଶ୍ବର ବାଲିଯାତ୍ରା ପଡ଼ିଆ ମଧ୍ୟ ନଖରା ଟ୍ରାଫିକ୍ ଥାନା ଅଧୀନରେ ଆସୁଛି। କିନ୍ତୁ ସେମାନେ କେହି ଏଠାକୁ ଡ଼୍ୟୁଟି କରିବାକୁ ଆସୁନାହାନ୍ତି। ଏହି କାରଣରୁ ଗତ କିଛି ଦିନ ତଳେ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଏୟାର ସୋ’ ସମୟରେ ରାଜ୍ୟପାଳଙ୍କ ଗାଡ଼ି ଟ୍ରାଫିକରେ ଫସିଯିବା, ଡଙ୍ଗାଭସା ଓ ଛଟ୍ ଉତ୍ସବ ବେଳେ ଗାଡ଼ି ମୋଟର ଜାମ୍‌ ହେବା ସହ ଦୁର୍ଘଟଣା ଘଟି ଚାଲୁଛି। ସେପଟେ କଟକର ଜଣେ ଟ୍ରାଫିକ୍ ପୁଲିସ କର୍ମଚାରୀ କହିଛନ୍ତି, ଆମକୁ ଏଠି ବାଲିଯାତ୍ରା ପାଇଁ ଫୁରସତ୍‌ ନାହିଁ। ଆମେ ଭୁବନେଶ୍ବର ବାଲିଯାତ୍ରା ଭିଡ଼କୁ କେମିତି ଦେଖିବୁ।
ଫସୁଛନ୍ତି ସ୍ଥାନୀୟ ବାସିନ୍ଦା
ଟ୍ରାଫିକ୍ ସୀମାକୁ ନେଇ ଏଭଳି ବିବାଦ ମଧ୍ୟରେ ସତ୍ୟବିହାର- ସପ୍ତସତୀନଗର ଲୋକ ଅକାରଣରେ ଫସି ଯାଉଛନ୍ତି। ଭୁବନେଶ୍ବର ବାଲିଯାତ୍ରା ପଡ଼ିଆକୁ ଯାଇଥିବା ଏହି ଅଣଓସାରିଆ ସବ୍‌-ରୋଡ୍‌ରେ ଲୋକେ ଗାଡ଼ି ମୋଟର ଭର୍ତି କରି ଦେଉଛନ୍ତି। ଏ ସମ୍ପର୍କରେ କିଷାନ ନଗରରେ ରହୁଥିବା ସମାଜସେବୀ ସ୍ବରପାନନ୍ଦ ଦାସ କହିଛନ୍ତି, ଲୋକ ଯିବା ଆସିବା କରିବାରେ ଅସୁବିଧା ନାହିଁ। କିନ୍ତୁ ଜାତୀୟ ରାଜପଥରୁ ଏହି ସବୁ ଅଞ୍ଚଳକୁ ରାସ୍ତା ନିର୍ମାଣ ହୋଇନାହିଁ। ଏବେ ଏହି ରାସ୍ତା ଗୋଟିଏ ଲେନ୍‌ ଅଛି। ନାଁକୁ ସିନା ମଝିରେ ଧଳାଗାର ପଡ଼ିଛି, କିନ୍ତୁ ଡିଭାଇଡର୍‌ ନଥିବାରୁ ଯିଏ ଯୁଆଡ଼େ ପାରୁଛି ଗାଡ଼ି ପୂରାଇ ଦେଉଛି। ତେଣୁ ସରକାର ଏ ଦିଗରେ ଧ୍ୟାନ ଦିଅନ୍ତୁ। ଆଉ ଟ୍ରାଫିକ୍‌ ପୁଲିସ୍‌ ପାଇଁ ଏତେସବୁ ସମସ୍ୟା ଉପୁଜୁଥିବାରୁ ଏହାକୁ ନଖରା ଟ୍ରାଫିକ୍ ଥାନାରୁ ହଟାଇ ଭୁବନେଶ୍ବର ଟ୍ରାଫିକ୍ ଥାନା ଅଧୀନରେ ରଖାଯାଉ। ସେହିପରି ବରିଷ୍ଠ ନାଗରିକ ପ୍ରଶାନ୍ତ କୁମାର ବେହେରା କହିଛନ୍ତି, ରାଜ୍ୟ ସରକାର ସେଠାରୁ ଜବରଦଖଲ ହଟାଇ ନଦୀବନ୍ଧ ରାସ୍ତାକୁ ଚଉଡ଼ା କରନ୍ତୁ। ଏହାଛଡ଼ା ଜାତୀୟ ରାଜପଥରୁ କିଷାନନଗର ହୋଇ ଲୋକେ ମଞ୍ଚନାଥ ନଗର, ମଞ୍ଚେଶ୍ବର ଗାଁ, ସମେଇଗାଡ଼ିଆ, ଚକେଇସିଆଣୀ, ଭିଏସ୍‌ଏସ୍‌ନଗର, ମଞ୍ଚେଶ୍ବର ଶିଳ୍ପାଞ୍ଚଳକୁ ଯାଉଛନ୍ତି। ତେଣୁ ଏହି ରାସ୍ତା ପ୍ରତି ମଧ୍ୟ ବିଏମ୍‌ସି ଧ୍ୟାନ ଦେଉ ବୋଲି ସେମାନେ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଶିଖରଚଣ୍ଡୀର ହେବ ସୌନ୍ଦର୍ଯ୍ୟୀକରଣ : ରୋପ୍‌ ୱେ, ପାର୍କ, ସାଇକେଲ୍‌ ଟ୍ରାକ୍‌ ପାଇଁ ପ୍ରସ୍ତାବ

Tue Nov 15 , 2022
୫୩ ଏକରରେ ଖର୍ଚ୍ଚ ହେବ ୫୦ କୋଟି ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀର ବିକାଶ ହେବ। ପାହାଡ଼ର ସୌନ୍ଦର୍ଯ୍ୟୀକରଣ ସହ ଏହା ଉପରେ ଥିବା ମନ୍ଦିରର ବିକାଶ ମଧ୍ୟ କରାଯିବ। ପର୍ଯ୍ୟଟକଙ୍କ ଲାଗି ପାହାଡ଼ ପାଦଦେଶରେ ରିକ୍ରିଏସନାଲ ହବ୍‌ ତଥା ଚିତ୍ତ ବିନୋଦନ କେନ୍ଦ୍ର ନିର୍ମାଣ ହେବ। ପ୍ରାକୃତିକ ପରିବେଶର ଆଲୋକୀକରଣ ସହ ପର୍ଯ୍ୟଟକଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଜୈବ ବିବିଧତାକୁ ଦୃଷ୍ଟିରେ ରଖି ଏହା ପରିସରରେ ଥିବା ବିରଳ ପ୍ରଜାତିର […]
ଶିଖରଚଣ୍ଡୀର ହେବ ସୌନ୍ଦର୍ଯ୍ୟୀକରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial