କାବୁଲ : ପାକିସ୍ତାନ ଓ ତାଲିବାନ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ବିଶେଷକରି ସୀମାକୁ ନେଇ ପୂର୍ବରୁ ରହିଆସିଥିବା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗତ ରବିବାର ପାକିସ୍ତାନ ସୀମାରେ ଥିବା ଆଫଗାନିସ୍ତାନର ସ୍ପିନ-ବୋଲଡାକ ଜିଲ୍ଲାରେ ତାଲିବାନ ସୈନ୍ୟ ଓ ପାକିସ୍ତାନୀ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ସଂଘର୍ଷରେ ଜଣେ ପାକିସ୍ତାନୀ ସୈନ୍ୟ ମୃତ୍ୟୁବରଣ କରିଥିବା ଜଣାଯାଇଛି। ଏହା ପରେ ଉକ୍ତ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି ଓ ସ୍ପିନ ବୋଲଡାକ-ଚମନ କ୍ରସିଂକୁ ବନ୍ଦ କରିଦିଆଯାଇଛି। କେଉଁ କାରଣରୁ ବିବାଦ ଆରମ୍ଭ ହୋଇ ସଂଘର୍ଷର ରୂପ ନେଇଥିଲା ତାହା ଜଣାପଡ଼ି ନଥିଲେ ବି ଏହା ପଛରେ ସୀମା ବିବାଦ ଥିବା କୁହାଯାଉଛି। ଦୁଇ ଦେଶ ମଧ୍ୟରେ ଥିବା ଡୁରାଣ୍ଡ ଲାଇନରେ ପାକିସ୍ତାନ ପକ୍ଷରୁ ତାରବାଡ଼ ଲଗାଯାଇଥିବାବେଳେ ତାଲିବାନ ସୈନ୍ୟମାନେ ନିକଟରେ ତାହାକୁ କାଟି ଦେଇଥିଲେ। ଏହା ପରେ ବିବାଦ ବଢିଯାଇଥିବା ଅନୁମାନ କରାଯାଉଛି। ଦୁଇ ପକ୍ଷରୁ ଗୁଳିଚାଳନା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ଗୋଟିଏ ବର୍ଷ ଭିତରେ ହିଁ ତାଲିବାନ ଓ ପାକିସ୍ତାନ ମଧ୍ୟରେ ଥିବା ବନ୍ଧୁତା କିପରି ଶତ୍ରୁତାରେ ପରିଣତ ହୋଇଗଲା ? ଏହାର କାରଣ ହେଉଛି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଥିବା ଡୁରାଣ୍ଡ ଲାଇନକୁ ନେଇ ବର୍ଷ ବର୍ଷ ଧରି ଚାଲିଥିବା ବିବାଦ। ବ୍ରିଟିଶ ଅମଳରୁ ହିଁ ଆଫଗାନିସ୍ତାନ ଏହାକୁ ମାନ୍ୟତା ଦେଉନାହିଁ। ଏବେ ପାକିସ୍ତାନ ପକ୍ଷରୁ ଏହି ସୀମାରେ ତାରବାଡ଼ ଦିଆଯାଉଥିବାରୁ ତାଲିବାନ ତାହାର ବିରୋଧ କରୁଛି।
ତାଲିବାନ ଓ ପାକିସ୍ତାନୀ ସୈନ୍ୟଙ୍କ ଭିତରେ ସଂଘର୍ଷ : ଜଣେ ପାକ୍ ସୈନିକ ନିହତ

Share Now: