ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ପରିକ୍ରମା କରିବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛି ହକି ବିଶ୍ୱକପର ଟ୍ରଫି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ବିଭିନ୍ନ ବାଦ୍ୟର ତାଳେ ତାଳେ ଏହାକୁ ଭବ୍ୟ ସ୍ୱାଗତ କରାଯାଇଛି। ଟ୍ରଫିକୁ ସ୍ୱାଗତ କରିବାକୁ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ମେୟର ସୁଲୋଚନା ଦାସ ବିମାନବନ୍ଦରରେ ପହଞ୍ଚିଥିଲେ। ଏହାଛଡ଼ା କ୍ରୀଡ଼ା ବିଭାଗର ଅଧିକାରୀ ଓ ଅନ୍ୟ କର୍ପୋରେଟରମାନେ ବି ବମାନବନ୍ଦରରେ ଉପସ୍ଥିତ ଥିଲେ। ସେଠାରେ ଟ୍ରଫିକୁ କ୍ରୀଡ଼ାମନ୍ତ୍ରୀ ଭୁବନେଶ୍ୱର ମେୟରଙ୍କୁ ହସ୍ତାନ୍ତର କରିବା ପରେ ଏହାକୁ ରାଜଧାନୀରେ ପରିକ୍ରମା କରାଯାଉଛି। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପାଖରେ ବିଏମସି ତରଫରୁ ଭବ୍ୟ ସ୍ବାଗତ ଜଣାଯାଇଥିଲା, ଯେଉଁଠି ୧୧୦ ଓଡ଼ିଶୀ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ। କଡ଼ା ସୁରକ୍ଷା ଭିତରେ ଏହି ଟ୍ରଫି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଵା ପରେ ପ୍ରଥମେ ବାଇକ ରାଲିରେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲା ଟ୍ରଫି, ଯେଉଁଠି ୧୦୧ ପଣ୍ଡିତ ବେଦମନ୍ତ୍ର ପାଠ କରିଥିଲେ। ତାପରେ ଏସପ୍ଲାନେଡ ମଲ, ସୋଆ ବିଶ୍ୱବିଦ୍ୟାଳୟ, କିଟ୍ ଗ୍ରାଉଣ୍ଡ ଆଦି ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ତାପରେ ପର୍ଯ୍ୟାୟକ୍ରମେ ଟ୍ରଫି ରାଜ୍ୟର ସମସ୍ତ ଜିଲ୍ଲାକୁ ଯିବ ଏବଂ ଜାନୁୟାରି ୧୧ ତାରିଖରେ ପୁଣି ଭୁବନେଶ୍ୱରକୁ ଟ୍ରଫି ଫେରିବ। ସୂଚନାଯୋଗ୍ୟ, ଗତ ୫ ତାରିଖରେ ଏହି ଟ୍ରଫି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀଙ୍କୁ ହସ୍ତାନ୍ତର କରିଥିଲେ। ଏହି ଟ୍ରଫି ଟୁର୍ ଡିସେମ୍ବର ୫ରୁ ଆରମ୍ଭ ହେଇ ଦେଶର ବିଭିନ୍ନ ସହର ଦେଇ ପୁଣି ୨୫ ତାରିଖରେ ଭୁବନେଶ୍ୱରରେ ପହଞ୍ଚିଛି। ଏହା ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳକୁ ଯାଇଥିଲା। ଉଲ୍ଲେଖଯୋଗ୍ୟ, ଆସନ୍ତା ଜାନୁଆରୀ ୧୩ ତାରିଖରେ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ଏକ ନିଷ୍ପତ୍ତି ଦେଶର ସମସ୍ତ ହକି ପ୍ରେମୀଙ୍କୁ ଉତ୍ସାହିତ କରିବ ବୋଲି ହକି ଇଣ୍ଡିଆ ସଭାପତି କହିଛନ୍ତି।
ଭୁବନେଶ୍ୱରରେ ପହଞ୍ଚିଲା ହକି ବିଶ୍ୱକପର ଟ୍ରଫି

Share Now: