ମାଲକାନଗିରି: ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ରବିବାର ଠାରୁ ହେଉଥିବା ବେଳେ ଏହି ଅବସରରେ ଆଜି ଜଗନ୍ନାଥ ମନ୍ଦିରରୁ କଳସ ଯାତ୍ରା ବାହାରି ଡିଏନକେ ପଡିଆ ନିକଟରେ ପହଞ୍ଚିଥିଲା। ଆଜି ସକାଳୁ ଜଗନ୍ନାଥ ମନ୍ଦିରରେ ଜିଲ୍ଲାପାଳ ବିଶାଲ ସିଂଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ସଂଗ୍ରହ କରାଯାଇଥିବା ପବିତ୍ର ଜଳକୁ ମହିଳାମାନେ ନିଜ ମୁଣ୍ଡରେ କଳସ ଧରି ବାହାରିଥିଲେ। ଏହି ଶୋଭାଯାତ୍ରାରେ ପ୍ରଶାସନିକ ଅଧିକାରୀ ଏବଂ ଲୋକ ପ୍ରତିନିଧି ତଥା ଜନସାଧାରଣ ଉପସ୍ଥିତ ଥିଲେ। ପାରଂପାରିକ ନାଜଗୀତର ତାଳେ ତାଳେ ସମସ୍ତ ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଜନସାଧାରଣ, ଗଣମାଧ୍ୟମ ପ୍ରତିନିଧିମାନେ ନାଚିଥିଲେ। ପ୍ରାୟ ୨୦ ହଜାର ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ପାରମ୍ପରିକ ବାଦ୍ୟର ଶଦ୍ଦରେ ଗୁଞ୍ଜି ଉଠିଥିଲା। ଏଥିସହ ଆତଶବାଜିରେ ମଧ୍ୟ ସହର ପ୍ରକମ୍ପିତ ହୋଇ ଉଠିଥିଲା। ଏକ ବିଶାଳ ଶୋଭାଯାତ୍ରା ମାଲ୍ୟବନ୍ତ ମହୋତ୍ସବର ମୁକ ସାକ୍ଷୀ ହୋଇଥିଲା। ଏହି ଶୋଭାଯାତ୍ରା ଜଗନ୍ନାଥ ମନ୍ଦିରରୁ ବାହାରି ସୁବାଷ ବୋଷ ଛକ, ବାଲିମେଳା ଛକ, ଜିଲ୍ଲାପାଳ କାର୍ଯ୍ୟାଳୟ ଛକ, ଡିଏନକେ ଛକ ହୋଇ ମାଲ୍ୟବନ୍ତ ପଡିଆରେ ପହଞ୍ଚିଥିଲା। ପ୍ରାୟ ଏହି ଶୋଭାଯାତ୍ରା ମାଲ୍ୟବନ୍ତ ପଡିଆରେ ପହଞ୍ଚିବା ପାଇଁ ପ୍ରାୟ ୫ ଘଣ୍ଟା ଲାଗିଥିଲା। ଶୋଭାଯାତ୍ରାରେ ଢେମସା ନୃତ୍ୟୁ, ସମ୍ବଲପୁରର ଘଣ୍ଟ ବାଜା, ବଣ୍ଡା ନୃତ୍ୟ, କୋୟା ନୃତ୍ୟ, ଡିଜେ ବାଜା, ସ୍ଥାନୀୟ ପାରଂପାରିକ ବାଜାରେ ଲୋକେ ଝୁମିଥିଲେ। ଆଜିର ଏହି କଳସ ଯାତ୍ରାରେ ଜିଲ୍ଲାର ସମସ୍ତ ବ୍ଲକରୁ ଶହ ଶହ ଲୋକ ସାମିଲ ହେବା ପାଇଁ ମାଲକାନଗିରି ପହଞ୍ଚିଥିଲେ। ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ନିଜ ପ୍ରତିଭା ଦେଖାଉଥିଲେ।ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଏସଡିସିର ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଆଡମା ରାବା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲୁ, ମାଲକାନଗିରି ପୌରାଧ୍ୟକ୍ଷ ମନୋଜ ବାରିକ, ମାଲକାନଗିରି ବ୍ଲକ ଅଧ୍ୟକ୍ଷ ଗୌରୀ ପଡିଆମି, ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ, ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ, ପିଏ,ଆଟିଡିଏ ତ୍ରିନାଥ ମାଝି, ପଡିଆ ବିଡିଓ ରାମ ଚନ୍ଦ୍ର ନାୟକ, ଖଇରପୁଟ ବିଡିଓ ହୃଦାରଂଜନ ସାହୁ, ମାଥିଲି ବିଡିଓ ହୃଷିକେଶ ଗଣ୍ଡ, ମାଲକାନଗିରି ବିଡିଓ ଅଜୟ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ମାଲ୍ୟବନ୍ତ ମହୋତ୍ସବ: କଳସ ଯାତ୍ରାରେ ଦୁଲୁକିଲା ସହର, ପାରମ୍ପରିକ ନାଚ ଗୀତରେ ଝୁମିଲେ ଲୋକେ

Share Now: