ଏମ୍‌ସରୁ ଡିସ୍‌ଚାର୍ଜ ହେବେ ଜଗା ବଳିଆ

ନୂଆଦିଲ୍ଲୀ : ଚଳିତ ମାସ ଶେଷ ସୁଦ୍ଧା ଜଗା ବଳିଆ ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ ହେବେ। ଡିସ୍‌ଚାର୍ଜ କରାଯିବା ନେଇ ଏମ୍‌ସ କର୍ତୃପକ୍ଷ ଜଗା ବଳିଆଙ୍କ ବାପା ମା’ଙ୍କୁ ଜଣାଇ ଦେଇଛନ୍ତି। ଉଭୟ ଏନେଇ ସହମତି ଜଣାଇଥିବା ସୂଚନା ମିଳିଛି। ତେଣୁ ଜଗା ବଳିଆ କେବେ ଡିସ୍‌ଚାର୍ଜ ହୋଇ ନିଜ ଗାଁ’କୁ ଫେରିବେ ଏହା ବର୍ତମାନ ତାଙ୍କ ବାପା ମା’ଙ୍କ ଉପରେ ନିର୍ଭର କରୁଛି। ଏମ୍‌ସରୁ ଜଗା ବଳିଆଙ୍କୁ ଡିସ୍‌ଚାର୍ଜ କରିବା ସମ୍ପର୍କରେ ଦିଲ୍ଲୀ ଏମ୍‌ସର ଡାକ୍ତରମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ବୈଠକରେ ଏହି ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ଜଗା ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଛି। ଅପରେସନ୍‌ରେ ସାମିଲ୍‌ ଥିବା ଡାକ୍ତରୀ ଟିମ୍‌ର ସମସ୍ତ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଉଭୟଙ୍କୁ ଡିସ୍‌ଚାର୍ଜ କରିବାକୁ ନିଷ୍ପତ୍ତି ନିଆଯାଇଛି। ଡିସ୍‌ଚାର୍ଜ ପରେ ମଧ୍ୟ ଜଗା ବିଳଆଙ୍କର ଯେପରି ଉଚିତ୍‌ ଯତ୍ନ ନିଆଯାଇପାରିବ ସେନେଇ ପୂର୍ବରୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆଗୁଆ ଅବଗତ କରାଯିବ ବୋଲି ଜଣାପଡ଼ିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଦିଲ୍ଲୀ ଏମ୍‌ସକୁ ପ୍ରତିନିଧି ପଠାଇ ୨ ଶିଶୁ ଓଡ଼ିଶା ଫେରିବା ସମ୍ପର୍କରେ ଏମ୍‌ସ କର୍ତୃପକ୍ଷଙ୍କ ସହ ଆଲୋଚନା କରିବେ। ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତ ମାସର ୪ର୍ଥ ସପ୍ତାହରେ ହିଁ ଉଭୟଙ୍କୁ ଡିସ୍‌ଚାର୍ଜ କରାଯିବ। ଜଗା ବଳିଆ ଡିସ୍‌ଚାର୍ଜ ପରେ କିଛିଦିନ ବାପା ମା’ଙ୍କ ସହ ଓଡ଼ିଶା ନିବାସରେ ରହିବା ପରେ ଟ୍ରେନ୍‌ରେ ଓଡ଼ିଶାକୁ ଫେରିବେ।

ଜଗା ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବାରୁ ତାକୁ ମିଳିପଡ଼ା ଗାଁ’କୁ ପଠାଇ ଦିଆଯିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ବଳିଆର ସ୍ୱାସ୍ଥ୍ୟାବସ୍ଥା ସେତେଟା ସନ୍ତୋଷଜନକ ନଥିବାରୁ ତାକୁ ଗାଁ’କୁ ପଠାଯିବ ନା ଭୁବନେଶ୍ୱର ଏମ୍‌ସ କିମ୍ବା ଜିଲ୍ଲା ହସ୍ପିଟାଲ୍‌ରେ ଚିକିତ୍ସିତ କରାଯିବ ସେନେଇ ବିଚାର ବିମର୍ଶ ଜାରି ରହିଛି। ଉଭୟଙ୍କର ପ୍ଲାଷ୍ଟିକ୍‌ ସର୍ଜରି ସମ୍ପୂର୍ଣ୍ଣ ହୋଇନଥିବାରୁ ସେମାନଙ୍କୁ ସର୍ବଦା ହେଲ୍‌ମେଟ୍‌ ପିନ୍ଧିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ସେମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ଡାକ୍ତରମାନେ କହିଛନ୍ତି।

୨ ବର୍ଷ ପରେ ଜଗା ବଳିଆଙ୍କର ଆର୍ଟିଫିସିଆଲ୍‌ ସ୍କଲ ପ୍ରତିରୋପଣ କରାଯିବ। ତେଣୁ ନିୟମିତ ବ୍ୟବଧାନରେ ସେମାନେ ଏମ୍‌ସ ଡାକ୍ତରଙ୍କ ଯୋଗାଯୋଗରେ ରହିବା ପାଇଁ କୁହାଯାଇଛି।

Share Now:

Kalinga News Beuro

Leave a Reply

Next Post

ସର୍ବକ୍ଷମା ବିଜ୍ଞପ୍ତିକୁ ମାସେ ପୂରିବ, ଜଣେ ବି ଆବେଦନ କଲେନି

Wed Jul 18 , 2018
ଭୁବନେଶ୍ୱର: ରାଜ୍ୟର ୯ଟି ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ଗଢ଼ି ଉଠିଥିବା ବେଆଇନ ନିର୍ମାଣକୁ ଆଇନସମ୍ମତ ବା ରେଗୁଲାରାଇଜ୍‌ କରିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜୁନ୍‌ ୨୦ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୬ ମାସ ମଧ୍ୟରେ ସମସ୍ତ ବେଆଇନ ନିର୍ମାଣକୁ ନିୟମ ଅନୁଯାୟୀ ଆଇନସମ୍ମତ କରିବାକୁ ସୁଯୋଗ ଦିଆଯାଇଛି। କିନ୍ତୁ ବିଜ୍ଞପ୍ତି ପ୍ରକାଶକୁ ମାସେ ପୂରିବାକୁ ଯାଉଥିବାବେଳେ ଏପର୍ଯ୍ୟନ୍ତ ବିଡିଏ କି ବିଏମ୍‌ସିରେ ଜଣେ ବି ଆବେଦନ କରିନାହାନ୍ତିି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial