ପୂଜ୍ୟପୂଜାଙ୍କୁ ଏମିତି ସମ୍ମାନ : ଉତ୍କଳ ଗୌରବଙ୍କ ସମାଧିପୀଠର ଉଦ୍‌ବେଗଜନକ ଦୃଶ୍ୟ

ଉତ୍କଳ ଗୌରବଙ୍କ ସମାଧିପୀଠ

କଟକ: କେତେବେଳେ କୁଳବୃଦ୍ଧ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧି ଉପରେ ଛେଳି ବୁଲୁଛନ୍ତି ତ କେତେବେଳେ ପଶୁ ମଳ ତ୍ୟାଗ କରୁଛନ୍ତି। ଏଭଳି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ବେଳେ ଓଡ଼ିଆ ସ୍ୱାଭିମାନର ପ୍ରତୀକ ଉତ୍କଳ ଗୌରବ ମଧୁସୂଦନଙ୍କ ସମାଧିପୀଠ ଏବଂ ମଧୁସୂଦନଙ୍କ ସ୍ମୃତି ସହ ଜଡ଼ିତ ବିଭିନ୍ନ ପୀଠର ଦୁଃସ୍ଥିତି କୋଟି କୋଟି ଓଡ଼ିଆଙ୍କୁ ଆଘାତ ଦେଇଛି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଉତ୍କଳ ଗୌରବଙ୍କ ଭୂମିକା ଥିଲା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ଶୈକ୍ଷିକ, ଔଦ୍ୟୋଗିକ, ସାମାଜିକ ତଥା ନ୍ୟାୟିକ ବ୍ୟବସ୍ଥାର ଉତ୍‌ଥାନ କ୍ଷେତ୍ରରେ ଉତ୍କଳ ଗୌରବଙ୍କ ଭୂମିକା ବି ସର୍ବ ପ୍ରଥମେ ସ୍ମରଣୀୟ। କିନ୍ତୁ ଉତ୍କଳ ଗୌରବଙ୍କ ଶେଷ ବିଶ୍ରାମସ୍ଥଳ ଗୋରାକବର ପରିସରରେ ଥିବା ତାଙ୍କ ସମାଧିପୀଠର ଶୋଚନୀୟ ସ୍ଥିତିକୁ ନେଇ ବିଭିନ୍ନ ମହଲରେ ଉଦବେଗ ସୃଷ୍ଟି କରିଛି। ଏହାର ବିକାଶ ପାଇଁ ନିକଟରେ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତି ସତ। କିନ୍ତୁ ଆଗକୁ ବିକାଶ ହେବ ବୋଲି ଏବେ ଏଭଳି ଦୁର୍ଭାଗ୍ୟଜନକ ସ୍ଥିତିରେ ସମାଧିପୀଠକୁ ଛାଡ଼ି ଦିଆଯିବା କେତେ ସମୀଚୀନ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି।
ଅନ୍ୟପଟେ ୧୯୦୩ରେ ଯେଉଁଠି ସ୍ୱତନ୍ତ୍ର ପ୍ରଦେଶ ଗଠନର ଦାବି ପ୍ରଥମେ ଗୃହୀତ ହୋଇଥିଲା, ସେହି ସମାବେଶ ସ୍ଥଳ ଇଦଗା ପଡ଼ିଆର ଦୁରାବସ୍ଥା ବି ବିଭିନ୍ନ ମହଲରେ ଉଦବେଗ ସୃଷ୍ଟି କରିଛି। ଉତ୍କଳ ସମ୍ମିଳନୀ ସମାବେଶର ଶହେ ବର୍ଷ ପୂରଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ଶତବାର୍ଷିକୀ ସ୍ମୃତିସ୍ତମ୍ଭ ଚାରି ପଟ ଅଞ୍ଚଳର ସଂପୂର୍ଣ୍ଣ ଜବରଦଖଲ ହୋଇ ସାରିଥିବା ବେଳେ ସ୍ମୃତିସ୍ତମ୍ଭ ଉପରେ ଲୁଗା ଶୁଖିବାର ଦୃଶ୍ୟ ବି ଅନେକଙ୍କୁ ଆନ୍ଦୋଳିତ କରିଛି। ଅନେକ ସଂଗଠନ ଏଭଳି ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇ ଥିଲେ ବି ପ୍ରଶାସନ ଏଥିପ୍ରତି ସମ୍ବେଦନଶୀଳ ନ ହେବା ଘଟଣା ଅସନ୍ତୋଷର କାରଣ ହୋଇଛି। ବାସ୍ତବରେ ଏ ସ୍ଥିତି କେବେ ସୁଧୁରିବ, ପୀଠର ବିକାଶ ପରର କଥା, ଓଡ଼ିଆ ଜାତିର ଚିର ନମସ୍ୟଙ୍କ ସ୍ମୃତିକୁ ସମ୍ମାନଜନକ ସ୍ଥିତିରେ ସାଇତି ରଖିବାକୁ ପ୍ରଶାସନ କେବେ ସଚେତନ ଆଉ ସତର୍କ ହେବ, ତାହା ଏବେ ମୁଖ୍ୟ ପ୍ରସଙ୍ଗ ହୋଇଛି।

Share Now:

Kalinga News Beuro

Next Post

ଓଲା ଆରମ୍ଭ କଲା ୨ଟି ନୂଆ ଯୋଜନା : ଆମ୍ବୁଲାନ୍ସ ଓ ହୋମସର୍ଭିସ ସାମିଲ

Sun Jan 29 , 2023
ନୂଆଦିଲ୍ଲୀ: ବୈଦ୍ୟୁତିକ ଯାନ ନିର୍ମାତା ଓଲା ଗ୍ରାହକଙ୍କ ପାଇଁ ଏକ ନୂତନ ଗ୍ରାହକ ସଦସ୍ୟତା ଯୋଜନା ଆରମ୍ଭ କରିଛି। ଏହି ନୂତନ ସଦସ୍ୟତା ଯୋଜନାର ନାମ ହେଉଛି ଓଲା କେୟାର ସବସ୍କ୍ରିପସନ୍। ଓଲା କେୟାର ସବସ୍କ୍ରିପସନ୍ ୨ଟି ଯୋଜନା ଆରମ୍ଭ ଯେଉଁଥିରେ ଓଲା କେୟାର ଏବଂ ଓଲା କେୟାର ପ୍ଲସ ରହିଛି। ଉଭୟ ଯୋଜନାରେ ମୂଲ୍ୟରେ ପାର୍ଥକ୍ୟ ଅଛି, କିନ୍ତୁ ଉଭୟଙ୍କର ଉଦ୍ଦେଶ୍ୟ ହେଉଛି ଇଲେକ୍ଟ୍ରିକ୍ ଯାନ (ଇଭି) ର […]
ଓଲା ଆମ୍ବୁଲାନ୍ସ ଓ ହୋମସର୍ଭିସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial