କମିଲା ଦାରିଦ୍ର୍ୟ ,ବଢ଼ିଲା ଆୟ:ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଉତ୍କଳ ଦିବସ ସମାରୋହ
ଭୁବନେଶ୍ୱର : ୧୯୩୬ରୁ ୨୦୧୮ ମଧ୍ୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି। ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଅଧିକ ରହିଛି। ଗରିବି କମିଛି। ମୁଣ୍ଡ ପିଛା ଆୟ ବଢ଼ିଛି। ଗରିବ ଲୋକଙ୍କ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଆଦର୍ଶ ରାଜ୍ୟ ହୋଇପାରିଛି। କ୍ରୀଡ଼ା ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ଅନ୍ତର୍ଜାତୀୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଆଜି ଉତ୍କଳ ମଣ୍ଡପରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଭଲ କାମ କରିଥିବାରୁ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶାକୁ ସ୍ୱୀକୃତି ମିଳିଛି। ସ୍ମାର୍ଟ ସିଟି ଭାବେ ଭୁବନେଶ୍ୱର ଗ୍ଲୋବାଲ୍‌ ସ୍ମାର୍ଟ ସିଟି ଲିଷ୍ଟରେ ସ୍ଥାନ ପାଇଛି। ଇଜି ଟୁ ଡୁଇଙ୍ଗ ବିଜନେସ୍‌ ଓ କଷ୍ଟ ଅଫ୍‌ ଡୁଇଙ୍ଗ ବିଜନେସ୍‌ରେ ଓଡ଼ିଶା ବହୁତ ଭଲ ସ୍ଥିତିରେ ରହିଛି ବୋଲି ଏସିଆନ୍‌ ଡେଭଲ୍‌ପମେଣ୍ଟ ବ୍ୟାଙ୍କ ତାର ରିପୋର୍ଟରେ କହିଛି। ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ତାହାକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ବରପୁତ୍ରମାନଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଲେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଖଲ୍ଲିକୋଟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ପଣ୍ଡିତ ଗୋଦାବରୀଶ ମିଶ୍ର, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେରଙ୍କ ପରି ବରପୁତ୍ରଙ୍କ ତ୍ୟାଗ ଓ ସଂଗ୍ରାମ ଯୋଗୁଁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ସ୍ୱପ୍ନ ସଫଳ ହୋଇପାରିଥିଲା। ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିଭଳି ଓଡ଼ିଆ ଭାଷା, ସାହିତ୍ୟ, ନୃତ୍ୟ, ସଙ୍ଗୀତ ଓ କଳାକୁ ଯେଉଁମାନେ ସମୃଦ୍ଧ କରିଯାଇଛନ୍ତି ସେମାନଙ୍କୁ ସମ୍ମାନ ଜଣାଇଥିଲେ ନବୀନ। ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଏହି ଜାତିକୁ ସବୁବେଳେ ମାର୍ଗ ଦେଖାଇ ଆସିଛି। ସମ୍ରାଟ ଖାରବେଳ ଓ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଜୟଯାତ୍ରା ଓଡ଼ିଶା ଜାତିକୁ ପ୍ରେରଣା ଦେଇଛି। ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା ହିଁ ଆମେ ଲକ୍ଷ୍ୟ ହାସଲ କରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସୂଚନା ଓ ଲୋକ ସମ୍ପର୍କ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, ସଂସ୍କୃତି, ବୈଷୟିକ ଜ୍ଞାନକୌଶଳ, କୃଷି କ୍ଷେତ୍ରରେ ସଫଳତା ମିଳିଛି ବୋଲି କହିଥିଲେ। ବାଚସ୍ପତି ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଧାୟକ ବିଜୟ କୁମାର ମହାନ୍ତି, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେବା ସହ ଉତ୍କଳ ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତା ପାଠ କରିଥିଲେ।

ଏହି ଅବସରରେ ପୁସ୍ତକ ‘ଓଡ଼ିଶା ୨୦୧୮’, ‘ଉତ୍କଳ ପ୍ରସଙ୍ଗ’ ଓ ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା ଏବଂ ‘ଆମେ ଓଡ଼ିଆ’ର ୭ମ ସଂକଳନକୁ ଉନ୍ମୋଚିତ କରିବା ସହ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ରେଡକ୍ରସ ପୁରସ୍କାର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ପରେ ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ପୂର୍ବାହ୍ନରେ ଉତ୍କଳ ମଣ୍ଡପ ପରିସରରେ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ଶ୍ରୀ ଶର୍ମା ଉଦ୍‌ଘାଟନ କରିଥିଲେ।

Share Now:

Kalinga News Beuro

Leave a Reply

Next Post

ଆଧାର ହେବ ଅଦରକାରୀ ,ଆସିବ ନୂଆ ‘ଭର୍ଚୁଆଲ ଆଇଡି’

Mon Apr 2 , 2018
ଜୁନ ୧ରୁ ଲାଗୁ କରିପାରେ ମୋଦି ସରକାର ନୂଆଦିଲ୍ଲୀ: ଆଧାର ଡାଟା ଲିକ୍‌ ହେବା ଖବରକୁ ନେଇ ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ(ୟୁଆଇଡିଏଆଇ) ଏଥିରେ କିଛି ପରିବର୍ତ୍ତନ କରିବା ପାଇଁ ନିର୍ଣ୍ଣୟ କରିଛନ୍ତି। ୟୁଆଇଡିଏଆଇ ଭର୍ଚୁଆଲ ଆଇଡି ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି। ଏବେ କେତେକ ସୁବିଧାର ଲାଭ ଉଠାଇବା ପାଇଁ ଆଧାର ନମ୍ବର ଦେବାକୁ ପଡ଼ିବ ନାହିଁ। ଆଧାର ଡାଟା ଲିକ୍‌ ହେବା ପରେ ସରକାର ବି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial