ଖୋଳି‌ଦେଇ ଭୁଲିଗଲେ : ଚିନ୍ତାମଣିଶ୍ୱର ଅଞ୍ଚଳରେ ସ୍ବେରେଜ ବ୍ୟବସ୍ଥା

ଖୋଳି‌ଦେଇ ଭୁଲିଗଲେ

ଭୁବନେଶ୍ବର: ରାସ୍ତା ଖୋଳିଦେଲେ, ଭୁଲିଗଲେ। ବର୍ଷା ହେବା ପରେ ଗାତରେ ପାଣି ଭର୍ତ୍ତି। ଏବେ ଗୋଟିଏ କଡ଼ରୁ ମାଟି ଅତଡ଼ା ଖସିବା ଆରମ୍ଭ ହେଲାଣି। ଅତଡ଼ା ଖସି ରାସ୍ତା ମଝି ପର୍ଯ୍ୟନ୍ତ ଗାତ ହୋଇଗଲାଣି। ରାସ୍ତାର ଓସାର ମଧ୍ୟ କମି ଗଲାଣି। ଗାଡ଼ିରେ ଯିବାକୁ ଲୋକ ଭୟ କରୁଛନ୍ତି। ଯେ କୌଣସି ମୁହୂର୍ତ୍ତରେ ଗାଡ଼ି ଏହି ଗାତ ଭିତରେ ଖସିଯିବା ଭଳି ଆଶଙ୍କା ସୃଷ୍ଟି ହୋଇଛି। ଏହା କେଉଁ ଉପାନ୍ତ ଅଞ୍ଚଳ ନୁହେଁ ବରଂ ରାଜଧାନୀ ଛାତି ଉପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଚିନ୍ତାମଣିଶ୍ୱର ଅଞ୍ଚଳର ସାରୁଗାଡ଼ିଆ ପୋଖରୀ ଛକରେ ସ୍ବେରେଜ୍‌ ପାଇପ୍‌ ବିଛାଇବା ପାଇଁ ୩ ମାସ ତଳେ ଗାତ ଖୋଳା ହୋଇଥିଲା। ଫୁଟେ କିମ୍ବା ୨ ଫୁଟ୍‌ ନୁହେଁ, ୨୦ଫୁଟ୍‌ ଗଭୀରର ଗାତ ଖୋଳା ଯାଇଥିଲା। ହେଲେ କ’ଣ ହେଲା କେଜାଣି ଅଧାରୁ କାମ ବନ୍ଦ ହୋଇଗଲା। ଖାଲି ଗାତ ଥିଲା କାମ ଚଳୁଥିଲା, ଯିବା ଆସିବା କରି ହେଉଥିଲା। ହେଲେ ନିକଟ ଅତୀତରେ ବର୍ଷା ହେବା ପରେ ଖାଲ ପାଣିରେ ଭର୍ତ୍ତି ହୋଇଗଲା। ପାଣି ଜମି ରହିବାରୁ ରାସ୍ତାରୁ ଅତଡ଼ା ଖସିଲା। ରାସ୍ତାର ଯେଉଁ ଅଂଶ ଯିବା ଆସିବା ପାଇଁ ବ୍ୟବହାର ହେଉଥିଲା ସେହି ଅଂଶରୁ ଅତଡ଼ା ଖସି ଖସି ଅଣଓସାରିଆ ହୋଇଯିବାରୁ ଲୋକମାନେ ବାଧ୍ୟ ହୋଇ ବିପଦପୂର୍ଣ୍ଣ ଭାବରେ ଯିବା ଆସିବା କରୁଛନ୍ତି। କଟକ ରୋଡ୍‌ରୁ ଲକ୍ଷ୍ମୀସାଗର ଲେନ୍‌-୧, ୨ ଓ ୩ ପ୍ରଭୃତି ଅଞ୍ଚଳକୁ ଯିବା ପାଇଁ ଏହା ଏକମାତ୍ର ରାସ୍ତା।
ପ୍ରତ୍ୟେକ ଦିନ ଶହ ଶହ ଲୋକ, ଛାତ୍ର ଛାତ୍ରୀ ଯିବା ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରନ୍ତି। କିନ୍ତୁ ଅତଡ଼ା ଖସିବା ଯୋଗୁଁ ରାସ୍ତା ଅଣଓସାରିଆ ହେବା ସହ ବିପଦପୂର୍ଣ୍ଣ ହୋଇ ଯାଇଥିବାରୁ ବିଶେଷକରି ଚାରିଚକିଆ ଯାନ ନେଇ ଯିବା ବେଳେ ଚାଳକ ଭୟଭୀତ ହୋଇ ପଡ଼ୁଥିବା ଅଭିଯୋଗ କରିଛନ୍ତି। କେତେକାଂଶରେ ଦୁର୍ଘଟଣା ମଧ୍ୟ ହେଉଛି। ଅନ୍ଧାର ରାତିରେ ଭୟ ଆହୁରି ବଢ଼ି ଯାଉଛି। କୌଣସି ଲାଇଟ୍‌ର ବ୍ୟବସ୍ଥା ମଧ୍ୟ ନାହିଁ। ଟିକେ ଅନ୍ୟମନସ୍କ ହେଲେ ଜୀବନ ଚାଲିଯିବା ଆଶଙ୍କା ରହିଛି। ବିପରୀତ ଦିଗରୁ ଆସୁଥିବା ଦୁଇଟି ଗାଡ଼ି ପରସ୍ପରକୁ ଅତିକ୍ରମ କରିବା ଅସମ୍ଭବ ହୋଇପଡ଼ିଛି। ଗତ ତିନିମାସ ମଧ୍ୟରେ ଏଭଳି ବିପଜ୍ଜନକ ଭାବ‌ରେ ରାସ୍ତା ଅତିକ୍ରମ କରୁ କରୁ ପ୍ରାୟ ୫ଟି ଦୁର୍ଘଟଣା ମଧ୍ୟ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି।

Share Now:

Kalinga News Beuro

Next Post

କହ୍ନୈୟାଙ୍କ ପରିବାରକୁ ଭେଟି ୫୧ଲକ୍ଷ ଟଙ୍କା ସହ ଦୁଇ ପୁଅକୁ ଚାକିରି ଦେବାର ପ୍ରତିଶୃତି ଦେଲେ ଗେହଲଟ୍

Thu Jun 30 , 2022
ମୁମ୍ବାଇ: ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କୁ ନେଇ ‌ଦେଇଥିବା ବିବାଦୀୟ ବୟାନକୁ ସମର୍ଥନ କରିଥିବାରୁ ମଙ୍ଗଳବାର ଉଦୟପୁର ଏକ ବଡ଼ ହତ୍ୟାକାଣ୍ଡ ଘଟିଥିଲା। ଦୁଇଜଣ ମୁସଲିମ ଯୁବକ ଆସି ଦର୍ଜି କହ୍ନୈୟା ଲାଲଙ୍କ ଗଳା କାଟି ହତ୍ୟା କରିଥିଲେ। ଏହି ଘଟଣା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହ୍ନୈୟାଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାରଙ୍କୁ ସାନ୍ତ୍ୱନା […]
ଗେହଲଟ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial