ଶ୍ରୀନଗର : ଆଜି ଦେଶ ପାଳୁଛି କଳା ଦିବସ। ୨୦୧୯ , ଫେବୃଆରୀ ୧୪ରେ ହୋଇଥିବା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ଆଜି ୪ ବର୍ଷ ପୂରଣ ହୋଇଛି। ଏହି ଆତ୍ମଘାତୀ ଆକ୍ରମଣରେ ୪୦ ଜଣ ସିଆରପିଏଫ କର୍ମୀ ସହିଦ ହୋଇଥିଲେ। ଏହାର ଜବାବରେ ଭାରତୀୟ ବାୟୁସେନା ବାଲାକୋଟ୍ ଏୟାରଷ୍ଟ୍ରାଇକ୍ କରିଥିଲା। ଇତି ମଧ୍ୟରେ ଏହି ଘଟଣାକୁ ୪ ବର୍ଷ ବିତିଯାଇଥିଲେ ବି ଏହି ଆକ୍ରମଣରେ ସଂପୃକ୍ତ ୪ ଆତଙ୍କବାଦୀ ଏବେ ବି ଧରାପଡ଼ିନାହାନ୍ତି ଓ ଭାରତୀୟ ଆଇନକୁ ସମୁଖୀନ ହୋଇନାହାନ୍ତି। ସେମାନେ ପାକିସ୍ତାନରେ ଲୁଚିଥିବା କୁହାଯାଉଛି। ଏନଆଇଏ ନିଜ ଚାର୍ଜସିଟରେ ଜୈସ ମୁଖ୍ୟ ମାସୁଦ ଆଝାର, ତା ଭାଇ ଅବଦୁଲ ରୌଫ ଅସଗର, ମହମ୍ମଦ ଉସମାନ ଫାରୁକକୁ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କହିଛି। ଆଦିଲ ଅହମ୍ମଦ ଦର୍ ହିଁ ଏହି ଆତ୍ମଘାତୀ ଆକ୍ରମଣ କରିଥିଲା। ସିଆରପିଏଫ କଶ୍ମୀର ଜୋନର ଏଜିଡିପି ବିଜୟ କୁମାର କହିଛନ୍ତି ଯେ, ଏହି ଘଟଣାରେ ମୋଟ ୧୯ ଜଣ ଆତଙ୍କବାଦୀ ପ୍ରତ୍ୟକ୍ଷଭାବେ ସଂପୃକ୍ତ ଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ସୁରକ୍ଷାବଳ ଗୁଳିରେ ମୃତ୍ୟୁବରଣ କରିଛନ୍ତି। ୭ ଜଣ ଜେଲରେ ଅଛନ୍ତି ଓ ୪ ଜଣ ପାକିସ୍ତାନରେ ଅଛନ୍ତି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ( ଜେଇଏମ) ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏବେ କଶ୍ମୀରରେ ୩୭ ଜଣ ସକ୍ରିୟ ଆତଙ୍କବାଦୀ ଅଛନ୍ତି। କିନ୍ତୁ ଘାଟିରେ କୌଣସି ନୂଆ ଆତଙ୍କବାଦୀ ନିଯୁକ୍ତ ହୋଇନାହାନ୍ତି।
ପୁଲଓ୍ବାମା ଆକ୍ରମଣକୁ ୪ ବର୍ଷ : ଆଜି ଦେଶ ପାଳୁଛି କଳା ଦିବସ

Share Now: