ମା’ ହେଲା ବାଘୁଣୀ ଅଙ୍କିତା : ୪ ଶାବକ ସୁସ୍ଥ, ୧ ମୃତ

ମା’ ହେଲା ବାଘୁଣୀ ଅଙ୍କିତା

ବାରଙ୍ଗ: ଆଜି ନନ୍ଦନକାନନକୁ ମିଳିଛି ଖୁସି ଖବର। ବାଘୁଣୀ ଅଙ୍କିତା ମା’ ହୋଇଛି। ସେ ଜନ୍ମ ଦେଇଥିବା ୫ ଶାବକ ମଧ୍ୟରୁ ଗୋଟିଏ ଛୁଆ ମରିଯାଇଥିବା ବେଳେ ଅନ୍ୟ ୪ ସୁସ୍ଥ ଅଛନ୍ତି ଏବଂ ମା’ କୋଳରେ ଚଳପ୍ରଚଳ ହେଉଥିବା ଦେଖିବାକୁ ମିଳିଛି। ତେଣୁ ଏହି ନବଜାତ ୪ ବାଘଛୁଆଙ୍କୁ ମିଶାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ତେବେ ବଡ଼ ଖୁସି ଖବର ହେଉଛି ଅଙ୍କିତା ଓ ମହାବଳ ନନ୍ଦନ ମିଳନରୁ ଜନ୍ମ ହୋଇଥିବା ଏହି ଶାବକମାନେ ସମ୍ପୂର୍ଣ୍ଣ ଜଙ୍ଗଲୀ ବ୍ରିଡ୍‌। ମହାବଳ ନନ୍ଦନ ସହ ମିଳନ ହେବା ପରେ ଅଙ୍କିତା ଦ୍ବିତୀୟ ଗର୍ଭଧାରଣ କରିଥିଲା। ୧୦୪ ଦିନର ଗର୍ଭାବସ୍ଥା ପରେ ଦୁଇ ଦିନ ପୂର୍ବରୁ ସେ ତା’ର ୩୧(ଗ) ଖୁଆଡ଼ରେ ଗର୍ଭ ଯନ୍ତ୍ରଣା ଭୋଗ କରୁଥିଲା। ତେଣୁ ନନ୍ଦନକାନନ କର୍ତ୍ତୃପକ୍ଷ ଓ ଜନ୍ତୁରକ୍ଷକମାନେ ତା’ ଉପରେ କଡ଼ା ନଜର ରଖିଥିଲେ। ଆଜି ସକାଳୁ ସିସିଟିଭି ଫୁଟେଜ୍‌ରେ ତା’ କୋଳରେ ନବଜାତ ଶାବକମାନଙ୍କୁ ଦେଖିବାକୁ ମିଳିଥିଲା। ଯାଞ୍ଚ ପରେ ଜଣାପଡ଼ିଥିଲା ଯେ ଅଙ୍କିତା ଜନ୍ମ ଦେଇଥିବା ୫ ଶାବକ ମଧ୍ୟରୁ ଗୋଟିଏ ମରି ଯାଇଛି। ଉକ୍ତ ଶାବକଟି ମଲା ଅବସ୍ଥାରେ ଜନ୍ମ ହୋଇଛି ବୋଲି ଅନୁମାନ କରାଯାଉଛି। ତେବେ ଅନ୍ୟ ୪ଟିଯାକ ଶାବକଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ବୋଲି କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି। ଅଙ୍କିତାର ଏହା ଦ୍ବିତୀୟ ଗର୍ଭ ହୋଇଥିବା ବେଳେ ସେ ଛୁଆମାନଙ୍କ ଯତ୍ନ ନେଉଥିବା ଦେଖିବାକୁ ମଳିଛି। ନବଜାତ ଶାବକମାନେ ଅଙ୍କିତାଠରୁ ଠିକ୍‌ ଭାବେ ସ୍ତନ୍ୟପାନ କରୁଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ତଥାପି ଜନ୍ତୁରକ୍ଷକମାନେ ଅଙ୍କିତା ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି। ଏହି ନବଜାତ ଶାବକମାନଙ୍କ ଲିଙ୍ଗ ନିରୂପଣ ହୋଇପାରିନାହିଁ।
ସୂଚନାଯୋଗ୍ୟ ଯେ ୨୦୧୩ ଜୁଲାଇରେ ମହାବଳ ନନ୍ଦନ ଚନ୍ଦକା ଅଭୟାରଣ୍ୟରୁ ଡେଇଁ ନନ୍ଦନକାନନୁ ପଶି ଆସିଥିଲା। ବାଘୁଣୀ ମେଘା ଆକର୍ଷଣରେ ନନ୍ଦନ ପାଚେରି ଡେଇଁ ପଶିବା ପରେ ଆଉ ବାହାରି ପାରିନଥିଲା ଏବଂ ସେହି ଦିନରୁ ନନ୍ଦନକାନନରେ ରହିଛି। ସିଧାସଳଖ ଜଙ୍ଗଲରୁ ମିଳିଥିବା ଏହି ମହାବଳ ସହ ଆଉ ଏକ ଜଙ୍ଗଲୀ ବାଘୁଣୀକୁ ମିଳନ କରାଇ ସମ୍ପୂର୍ଣ୍ଣ ଜଙ୍ଗଲୀ ବ୍ରିଡ୍‌ ବାଘ ଜନ୍ମ କରାଇବାକୁ ନନ୍ଦନକାନନ କର୍ତ୍ତୃପକ୍ଷ ଯୋଜନା କରିଥିଲେ। ତେଣୁ ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀ ସାରା ସହ ନନ୍ଦନକୁ ମିଶାଇବାକୁ ଯୋଜନା କରାଯାଇଥିଲା। କିନ୍ତୁ ବାଘୁଣୀ ମେଘା ବାଘୁଣୀ ସାରାକୁ ଆକ୍ରମଣ କରି ଘାଇଲା କରିବାରୁ ଏହି ଯୋଜନା ଫଳବତୀ ହୋଇନଥିଲା। ଏହା ଭିତରେ ବାଘୁଣୀ ସାରା ମା’ ହୋଇ ଅଙ୍କିତାକୁ ଜନ୍ମ ଦେଲା। ୨୦୧୮ ମସିହାରେ ବାଘ ସେଫ୍‌ ସହ ମିଳନରୁ ଅଙ୍କିତା ପ୍ରଥମ ଗର୍ଭଧାରଣ କରିଥିଲା। ଏଥର ଅଙ୍କିତାକୁ ମହାବଳ ନନ୍ଦନ ସହ ମିଶିବାକୁ ଦିଆଯାଇଥିଲା।

Share Now:

Kalinga News Beuro

Next Post

ବିଦେଶୀ ବଦଳରେ ସ୍ୱଦେଶୀ ହେଲିକପ୍ଟର ବ୍ୟବହାର ଉପରେ ଗୁରୁତ୍ୱ ଦେବ ଭାରତ

Sun Feb 19 , 2023
ନୂଆଦିଲ୍ଲୀ: ଅସ୍ତ୍ରଶସ୍ତ୍ର ଦୃଷ୍ଟିରୁ ଭାରତ ଏବେ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ କରୁଛି। ବିଶେଷକରି ରୁଷ ଉପରେ ଭାରତ ଅଧିକ ନିର୍ଭରଶୀଳ ଥିବାରୁ ତାହାକୁ କମାଇବାକୁ ଉଦ୍ୟମ କରାଯାଉଛି। ବିଦେଶୀ ଅସ୍ତ୍ରଶସ୍ତ୍ର ତୁଳନାରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଉପରେ ଗୁରୁତ୍ୱ ଦିଆଯାଉଛି। ଆଗାମୀ କିଛି ବର୍ଷ ମଧ୍ୟରେ ରୁଷ ନିର୍ମିତ ଏମଆଇ-୧୭ ହେଲିକପ୍ଟର ଉପରୁ ନିର୍ବରଶୀଳତା କମାଇ ହାଲ ନିର୍ମିତ ହେଲିକପ୍ଟର ବ୍ୟବହାର ପାଇଁ ଭାରତ ଯୋଜନା କରୁଛି।ହାଲର ଜଣେ […]
ରୁଷର ଏମଆଇ-୧୭ ହେଲିକପ୍ଟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial