କେବେ ସରିବ ଜଗତପୁର ଗୋଲେଇଛକ ସୌନ୍ଦର୍ଯ୍ୟୀକରଣ..?

ଜଗତପୁର ଗୋଲେଇଛକ ସୌନ୍ଦର୍ଯ୍ୟୀକରଣ

୪ ମାସର କାମ, ଦେଢ଼ବର୍ଷ ପରେ ମାତ୍ର ୨୦ ପ୍ରତିଶତ

କଟକ: ଜଗତପୁର ଗୋଲେଇ ଛକ ସୌନ୍ଦର୍ଯ୍ୟକରଣ କାମ କଚ୍ଛପ ଗତିରେ ଚଲିଛି। ୪ ମାସରେ ଶେଷ ହେବାକୁ ଥିବା କାମ ଦେଢ଼ବର୍ଷରେ ମାତ୍ର ୨୦ ପ୍ରତିଶତ ଶେଷ ହୋଇଛି। କାମ ପାଇଁ ୨୦୨୧ରେ ଟେଣ୍ଡର୍‌ କରାଯାଇ ୱାର୍କ୍‌ଅର୍ଡର୍‌ ଦିଆଯାଇଥିଲା। ମାତ୍ର ଏହା ମଧ୍ୟରେ ଦୀର୍ଘ ସମୟ ବିତିଯାଇଥିଲେ ବି ମାତ୍ର ୨୦ ପ୍ରତିଶତ କାମ ହୋଇଛି। ନିଗମ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ମନମୁଖୀ କାମ ପାଇଁ ଏହାର ନିର୍ମାଣ କଚ୍ଛପ ଗତିରେ ଚାଲିଛି ବୋଲି ଅଭିଯୋଗ ହୋଇଛି। ୫୦ ଲକ୍ଷ ଟଙ୍କା କାମର ୱାର୍କଅର୍ଡର୍‌ ମଳିବାର ୪ ମାସ ମଧ୍ୟରେ କାମ ଶେଷ କରିବାକୁ କୁହାଯାଇଥିଲା। ହେଲେ ଏହା ମଧ୍ୟରେ ଦେଢ଼ବର୍ଷ ବିତିଥିଲେ ବି କେବଳ କେଇ ଖଣ୍ଡ ଇଟା ବସାଇ କାମ ରହିଯାଇଛି। ଏପରି ସ୍ଥିତିରେ କାମ ବିଳମ୍ବ ହେବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୌର ନିଗମ ୪୯ ନମ୍ବର ୱାର୍ଡରେ ବହୁବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବା ଜଗତପୁର ଗୋଲେଇ ଛକକୁ ନୂଆ ରୂପ ଦେବାକୁ ନିଗମ ତରଫରୁ ୨୦୨୧ରେ ଯୋଜନା ପ୍ରସ୍ତୁତ ହେଲା। ଗୋଲେଇ ଛକର ମଝି ଅଞ୍ଚଳରେ ଥିବା ଖୋଲା ସ୍ଥାନକୁ ସୁନ୍ଦର କରାଯିବ। କଟକ ବାହାରୁ ଆସୁଥିବା ଲୋକଙ୍କୁ ହଜାରେ ବର୍ଷ କଟକ ସହରର ଐତିହ୍ୟ ସହିତ ଜଡ଼ିତ ଥିବା ନୌବାଣିଜ୍ୟ ଇତିହାସ ସହିତ ଏହା ପରିଚିତ କରାଇବାକୁ ନେଇ ସ୍ଥିର ହୋଇଥିଲା।
ଖୋଲାସ୍ଥାନରେ ଫାଉଣ୍ଟେନ୍‌(ଝରଣା) କରାଯିବ ସହିତ ତାହା ମଧ୍ୟରେ ଏକ ନୌକାକୁ ରଖାଯିବ। ଉକ୍ତ ସ୍ଥାନର ୪ଟି ପାର୍ଶ୍ବରେ ବିଭିନ୍ନ ଧାତୁରେ ନିର୍ମିତ ଚାରଟି କଳାକୃତି ରଖାଯିବ ସହ ଖାଲି ଅଞ୍ଚଳରେ ବିଭିନ୍ନ ପ୍ରକାରର ଘାସ ଓ ଫୁଲ ଗଛ ଲଗାଯିବା ସହିତ ସୁନ୍ଦର ଆଲୋକର ବ୍ୟବସ୍ଥା କରିବାକୁ ସ୍ଥିର ହୋଇଥିଲା। ୫୦ ଲକ୍ଷ ଟଙ୍କାରେ ଏହାର ସୌନ୍ଦର୍ଯ୍ୟକରଣ କାମ ପାଇଁ ୨୦୨୧ ଅକ୍ଟୋବର୍‌ରେ ଟେଣ୍ଡର କରାଯାଇ ଏକ ଠିକାସଂସ୍ଥାକୁ କାମ କରିବାକୁ ୱାର୍କଅର୍ଡର୍‌ ଦିଆଯାଇଥିଲା। ୱାର୍କଅର୍ଡର୍‌ ମଳିବାର ୪ ମାସ ମଧ୍ୟରେ କାମ ଶେଷ କରିବାକୁ କୁହାଯାଇଥିଲା। ହେଲେ ଏହା ମଧ୍ୟରେ ଦେଢ଼ବର୍ଷ ବିତିଯାଇଥିଲେ ବି ମାତ୍ର ୨୦ ପ୍ରତିଶତ କାମ ଶେଷ ହୋଇଛି। ଖୋଲା ଅଞ୍ଚଳରେ କେବଳ କେଇ ଖଣ୍ଡ ଇଟାରେ ଏକ ପିଣ୍ଡି କରି ଠିକାଦାର ହାତ ଟେକି ଦେଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ରାଜ୍ୟ ସରକାର ‌କଟକକୁ ସୁନ୍ଦର କରିବା ପାଇଁ ବହୁ ଯୋଜନା କରି କୋଟି କୋଟି ଟଙ୍କା ଦେଉଥିବା ବେଳେ ନିଗମ ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାମ ପାଇଁ ସେଗୁଡିକୁ ବାସ୍ତବ ଚିତ୍ର ମିଳିପାରୁ ନଥିବା ସାଧାରଣରେ ଅଭିଯୋଗ ହୋଇଛି। ଗୋଲେଇ ଛକରେ କାମ ହେଉଥିବା ଅଞ୍ଚଳକୁ ଦୀର୍ଘଦିନ ପାଇଁ ବିଦ୍ୟୁତ ସଂଯୋଗ ମିଳି ନଥିଲା। ଏବେ ବିଦ୍ୟୁତ ସଂଯୋଗ ମଳିଥିବା ବେଳେ କାମ ଶୀଘ୍ର ଶେଷ ହେବ ବୋଲି ଡେପୁଟି ମେୟର୍‌ ତଥା ସ୍ଥାନୀୟ କର୍ପୋରେଟର୍‌ ଦମୟନ୍ତୀ ମାଝୀ କହିଛନ୍ତି। ସୌନ୍ଦର୍ଯ୍ୟକରଣ କାମକୁ ଶୀଘ୍ର ଶେଷ କରିବା ସହ ଜଗତପୁର ଗୋଲେଇ ଛକର ମାନ ବଢ଼ାଇବାକୁ ସ୍ଥାନୀୟ ବ୍ୟବସାୟୀ ଓ ବାସିନ୍ଦାଙ୍କ ପକ୍ଷରୁ ପୌର ନିଗମ ନିକଟରେ ଦାବି ହୋଇଛି।

Share Now:

Kalinga News Beuro

Next Post

ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର ହେଲେ ପର୍ବତାରୋହୀ ଅନୁରାଗ ମାଲୂ

Thu Apr 20 , 2023
ନୂଆଦିଲ୍ଲୀ: ନେପାଳର ଅନ୍ନପୂର୍ଣ୍ଣା ପର୍ବତ ଶୃଙ୍ଗର ଗଭୀର ବରଫ ଫାଟରେ ପଡ଼ି ସୋମବାରଠାରୁ ନିଖୋଜ ହୋଇଯାଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୂଙ୍କୁ ଉଦ୍ଧାରକାରୀମାନେ ଜୀବନ୍ତ କିନ୍ତୁ, ଅତି ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରିଥିବା କଥା ତାଙ୍କ ଭାଇ କହିଛନ୍ତି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି। ୩୪ ବର୍ଷିୟ ଭାରତୀୟ ଉଦ୍ୟୋଗୀ ତଥା ଅଭିଜ୍ଞ ପର୍ବତାରୋହୀ ଅନୁରାଗ ମାଲୂ ସୋମବାର ଦିନ ‘ଚତୁର୍ଥ କ୍ୟାମ୍ପ୍‌’ରୁ ଫେରୁଥିବା ବେଳେ […]
ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର ହେଲେ ଅନୁରାଗ ମାଲୂ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial