ଭୁବନେଶ୍ୱର: ହାଇଦ୍ରାବାଦ୍ରେ ଜଣେ ଶିଶୁଙ୍କୁ ବୁଲା କୁକୁର ଝୁଣିଦେବା ଘଟଣାରେ ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ ଏବେ ବିଏମ୍ସିକୁ ବାଉଳା କରିଛି। ସବୁ ବୁଲା କୁକୁରଙ୍କୁ ଉଠାଇ ନେବାକୁ ସିଡିଭିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ ଟ୍ୱିଟ କରିବା ପରେ ଭୁବନେଶ୍ୱରରେ ଥିବା ୬୦ ହଜାର କୁକୁରଙ୍କୁ ବିଏମ୍ସି କୁଆଡ଼େ ନେବ ଚିନ୍ତାରେ ପଡ଼ିଛି। ତେବେ ଲିଖିତ ଭାବେ ସରକାରୀ ନିର୍ଦ୍ଦେଶ ଆସିନଥିବାରୁ ବିଏମ୍ସି ଆଶ୍ୱସ୍ତ ହୋଇଛି। ଭୁବନେଶ୍ୱରରେ ୬୦ ହଜାର କୁକୁର ରହିଛନ୍ତି। ଏମାନଙ୍କର ବନ୍ଧ୍ୟାକରଣ ପାଇଁ ଏବିସି କାର୍ଯ୍ୟକ୍ରମ ଚାଲିଛି। ମାସକୁ ୬ଶହ କୁକୁର ବନ୍ଧ୍ୟାକରଣ କରାଯାଉଛି। ଗ୍ଲୋବାଲ୍ ଟେଣ୍ଡର ଜରିଆରେ ଠିକା ସଂସ୍ଥା ଚୟନ କରାଯିବା ପରେ ବନ୍ଧ୍ୟାକରଣ ଆରମ୍ଭ ହୋଇଛି। ପୂର୍ବରୁ କୁକୁର ପିଛା ଖର୍ଚ୍ଚ ୫ଶହ ଟଙ୍କା ରହିଥିବା ବେଳେ ଏଥର ଏହି ଖର୍ଚ୍ଚକୁ ୧୬୫୦ କରାଯାଇଛି।
୨୦୧୪ ମସିହାରୁ ସହିଦନଗର ପ୍ରାଣୀଧନ ଚିକିତ୍ସାଳୟଠାରେ ଏହି କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ଏହା ସଫଳ ହେଉ ନାହିଁ। ତା’ ଛଡ଼ା କରୋନା କାଳରେ ବନ୍ଧ୍ୟାକରଣ ବାଧାପ୍ରାପ୍ତ ହେବାରୁ କୁକୁରଙ୍କ ସଂଖ୍ୟା ବଢ଼ି ଯାଇଛି। କୁକୁରଙ୍କ ସଂଖ୍ୟା ୬୦ ହଜାର ବୋଲି କେବଳ ଆକଳନ ହୋଇଛି। କିନ୍ତୁ ବାସ୍ତବରେ କେତେ ଅଛନ୍ତି କାହା ପାଖରେ ହିସାବ ନାହିଁ। ପ୍ରତି ଲକ୍ଷେ ଲୋକ ଅନୁପାତରେ ୩ ହଜାର କୁକୁର ରୁହନ୍ତି। ୨୦୧୧ ଜନଗଣନା ଅନୁସାରେ ଭୁବନେଶ୍ୱରରେ ଜନସଂଖ୍ୟା ୮ ଲକ୍ଷ ୪୩ ହଜାର ଥିଲା। ଏହା ପରେ ଆଉ ଜନଗଣନା ହୋଇନାହିଁ। ଆକଳନ ଅନୁସାରେ, ଏବେ ଭୁବନେଶ୍ୱର ଲୋକସଂଖ୍ୟା ୧୮ଲକ୍ଷ ଆକଳନ କରାଯାଉଛି। ଏଣୁ ଏହି ହିସାବରେ କୁକୁରଙ୍କ ସଂଖ୍ୟା ୫୪ରୁ ୬୦ ହଜାର ହୋଇଥିବ ବୋଲି ଆକଳନ କରାଯାଉଛି। ଏହି ଆକଳନ ଆଧାରରେ ବିଏମ୍ସି ଏବିସି(ଆନିମଲ ବାର୍ଥ କଣ୍ଟ୍ରୋଲ) ଯୋଜନା କାର୍ଯ୍ୟକ୍ଷମ କରିଛି। ପୂର୍ବରୁ ମାସକୁ ପ୍ରାୟ ୨୦୦ଟି କୁକୁରଙ୍କ ଅପରେସନ୍ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ସର୍ବାଧିକ ଶହେ କୁକୁରଙ୍କୁ ହୋଇପାରୁଥିଲା। ଅର୍ଥାତ୍ ବର୍ଷକୁ ୧୨୦୦ କୁକୁର ବନ୍ଧ୍ୟାକରଣ ହୋଇପାରୁଥିଲା। କିନ୍ତୁ ବର୍ଷକୁ ପ୍ରାୟ ୩୦୦୦ କୁକୁର ଛୁଆ ଜନ୍ମ ହେଉଥିଲେ। ଫଳରେ ଏହି ଯୋଜନା ଫେଲ୍ ମାରିଥିଲା। ଏବେ ମାସକୁ ୬ ଶହରୁ ଉର୍ଦ୍ଧ୍ୱ କୁକୁରଙ୍କ ବନ୍ଧ୍ୟାକରଣ ଯୋଜନା ହୋଇଛି। କିନ୍ତୁ ତାହା ମଧ୍ୟ ସଫଳ ହେଉନାହିଁ। ବାସ୍ତବରେ ସହରରେ କେତେ କୁକୁର ଅଛନ୍ତି, ସେନେଇ ହିସାବ ନଥିବାରୁ କୌଣସି ଯୋଜନା କାମ କରୁନାହିଁ। ସେଥିପାଇଁ କୁକୁର ଗଣନା କରିବାକୁ ବିଏମ୍ସି ଯୋଜନା କରିଛି। କିନ୍ତୁ ହାଇଦ୍ରାବାଦ୍ ଘଟଣା ଯଦି ଭୁବନେଶ୍ୱରରେ ପୁନରାବୃତ୍ତି ଘଟେ ସେ ନେଇ ଅଧିକାରୀମାନେ ଛାନିଆଁ ହୋଇଛନ୍ତି।
ମନ୍ତ୍ରୀଙ୍କ ଟ୍ୱିଟକୁ ନେଇ ବିଏମ୍ସି ବାଉଳା : ୬୦ ହଜାର କୁକୁରଙ୍କୁ କୁଆଡ଼େ ନେବ?

Share Now: