ଲୋକସେବା ଭବନରେ ପାଳନ ହେଉନି ସରକାରୀ ନିୟମ

ଲୋକସେବା ଭବନ

ସରକାର କରିଥିବା ବଦଳି ନୀତିକୁ ନେଇ କର୍ମଚାରୀ ମହଲରେ ଅସନ୍ତୋଷ

ଭୁବନେଶ୍ୱର : ସରକାର ନିଜେ ନିୟମ ପ୍ରଣୟନ କରୁଛନ୍ତି, ଅଥଚ ତାର ପାଳନ ହେଉନି। ନିୟମ ପ୍ରଣୟନ କଲାବେଳେ ଯେଉଁ ସ୍ବଚ୍ଛତା, ଦକ୍ଷତା ଓ ସ୍ପଷ୍ଟ ନୀତିର ଆଭିମୁଖ୍ୟ ରଖିଥାନ୍ତି, ପରବର୍ତ୍ତୀ କାଳରେ ତାକୁ ଭୁଲିଯାନ୍ତି। ଓଡ଼ିଶା ସଚିବାଳୟ ସେବା କ୍ୟାଡର କର୍ମଚାରୀଙ୍କ ବଦଳିକୁ ନେଇ ଏପରି ଅସନ୍ତୋଷ ପ୍ରକାଶ ପାଇଛି। ଲୋକସେବା ଭବନରେ କାର୍ଯ୍ୟରତ ଓଏସ୍‌ଏସ୍‌ କ୍ୟାଡର କର୍ମଚାରୀଙ୍କ ବଦଳି ପାଇଁ ଗୃହ ବିଭାଗର ମାର୍ଗଦର୍ଶିକା ଆଧାରରେ ବଦଳି ହେଉନଥିବା ନେଇ ଅଭିଯୋଗ ହୋଇଛି। କଥାର ପୃଷ୍ଠଭୂମି ଏହା ଯେ ଓଏସ୍‌ଏସ୍‌ କର୍ମଚାରୀ ଗୋଟିଏ ବିଭାଗରେ ଦୀର୍ଘ ବର୍ଷ ରହିଲେ କାର୍ଯ୍ୟ କରିବା ପାଇଁ ସେମାନଙ୍କର ଆଗ୍ରହ କମିଯିବ, କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିବ। ଏପରି ବିଚାର କରି କର୍ମଚାରୀଙ୍କୁ ନୂଆ ପରିବେଶ ଓ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ୨୦୧୭ରେ ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ଥିବାବେଳେ ଏକ ସ୍ପଷ୍ଟ ବଦଳି ନୀତି ଜାରି କରିଥିଲେ। ସେହି ନିର୍ଦ୍ଦେଶାବଳୀ ଆଧାରରେ ପ୍ରତିବର୍ଷ ଓଏସ୍‌ଏସ୍‌ କର୍ମଚାରୀଙ୍କ ବଦଳି ହେବ ବୋଲି ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ରହିଲା। କିନ୍ତୁ ବିଡ଼ମ୍ବନା ହେଉଛି, ଏହି ନିୟମାବଳୀ କେବଳ ସେହିବର୍ଷ ହିଁ କର୍ମଚାରୀଙ୍କ ବଦଳି କ୍ଷେତ୍ରରେ ଲାଗୁ ହୋଇଥିଲା। ତା ପରଠାରୁ ଆଉ ଏହାର ଅନୁପାଳନ ହେବା ଦେଖିବାକୁ ମିଳିନି।
୨୦୧୭ ଫେବୃଆରୀ ୨୮ ତାରିଖରେ ଗୃହ ବିଭାଗ ପକ୍ଷରୁ ଜାରି ସଂକଳ୍ପ ସଂଖ୍ୟା ୭୭୦୬ ଅନୁଯାୟୀ, ଜଣେ କର୍ମଚାରୀ ଗୋଟିଏ ବିଭାଗର ଗୋଟିଏ ସେକ୍‌ସନ୍‌ରେ ୬ ବର୍ଷରୁ ଅଧିକ ଦିନ ରହିପାରିବେ ନାହିଁ। ସେହିପରି ସମ୍ପୃକ୍ତ କର୍ମଚାରୀ ଜଣକ ସେହି ବିଭାଗରେ କେବଳ ୧୦ ବର୍ଷ କାମ କରିପାରିବେ। ୧୦ ବର୍ଷ ପରେ ତାଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯିବ। ଜଣେ କର୍ମଚାରୀଙ୍କର ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ବଦଳି ହେବା ପରେ ୩ ବର୍ଷ ଭିତରେ ଆଉ ସମ୍ପୃକ୍ତ କର୍ମଚାରୀ ପୂର୍ବ ବିଭାଗକୁ ବଦଳି ହୋଇ ଆସିପାରିବେ ନାହିଁ। ଆବଶ୍ୟକ ସ୍ଥଳେ ପ୍ରଶାସନିକ କାରଣ ଓ ସାଧାରଣ ସ୍ୱାର୍ଥ ପାଇଁ ଜଣେ କର୍ମଚାରୀଙ୍କୁ ସରକାର ବଦଳି କରିପାରିବେ ବୋଲି ନିୟମ ଉଲ୍ଲେଖ ରହିଛି। ଲୋକସେବା ଭବନର ଅଧିକାଂଶ ବିଭାଗର ଓଏସ୍‌ଏସ୍‌ କର୍ମଚାରୀଙ୍କ ଅଭିଯୋଗ ହେଲା ପଦୋନ୍ନତି ପରେ ସମ୍ପୃକ୍ତ କର୍ମଚାରୀଙ୍କ ବିଭାଗ ବଦଳିବା ନିୟମ ବହୁପୂର୍ବରୁ ଥିଲା। ଏବେ ସେହି ନିୟମ ବି ପାଳନ କରାଯାଉନି। ଏପରିକି କେତେକ କର୍ମଚାରୀଙ୍କ ବଦଳି ହେବାର ଅଳ୍ପଦିନ ଭିତରେ ପୂର୍ବ ବିଭାଗକୁ ଫେରି ଆସିଛନ୍ତି। ଅର୍ଥାତ୍‌ ସରକାରଙ୍କ ୩ ବର୍ଷିଆ ନିୟମ ମଧ୍ୟ ପାଳନ ହେଉନି। ଅର୍ଥ, ଉଚ୍ଚଶିକ୍ଷା, ନଗର ଉନ୍ନୟନ ବିଭାଗରେ କେତେକ କର୍ମଚାରୀ ୨୦ ବର୍ଷ ଧରି ସେହିଠାରେ ହିଁ କାମ କରୁଛନ୍ତି। ପ୍ରଶାସନିକ ସଂସ୍କାର ପାଇଁ ମୁଖ୍ୟମନ୍ତ୍ରୀ ୫’ଟି’ ବ୍ୟବସ୍ଥା ଲାଗୁ କରିଥିବାବେଳେ କର୍ମଚାରୀଙ୍କ ବଦଳିକୁ ନେଇ ନିଜେ ସରକାର ପ୍ରଣୟନ କରିଥିବା ନିୟମର କାହିଁକି ସଠିକ୍‌ ଅନୁପାଳନ ହେଉନାହିଁ ସେ ନେଇ କର୍ମଚାରୀ ମହଲରେ ପ୍ରଶ୍ନ ଉଠିଛି।

Share Now:

Kalinga News Beuro

Next Post

କୋଭିଡ୍ କଟକଣାରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ : ଗଣମାଧ୍ୟମକୁ ପ୍ରବେଶ ଅନୁମତି ନାହିଁ

Fri Aug 14 , 2020
ସକାଳ ୯ରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୪ତମ ସ୍ବାଧୀନତା ଦିବସ ଉତ୍ସବରେ ଅଭିବାଦନ ଗ୍ରହଣ କରିବେ। ଏ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ସକାଳ ୮ଟା ୫୮ରେ ମୁଖ୍ୟମନ୍ତ୍ରୀ ପ୍ରଦର୍ଶନୀ ପଡ଼ିଆରେ ପହଞ୍ଚିବେ। ସେଠାରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ପୁଲିସ ଡିଜି, […]
ସ୍ୱାଧୀନତା ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial