ଏପ୍ରିଲ ପହିଲାରୁ ଲାଗୁ ହେବନି ନୂଆ ପାର୍କିଙ୍ଗ ବ୍ୟବସ୍ଥା

ପ୍ୟାକେଜ୍‌ ଦାମ୍‌ ଅଧିକ ରହିବାରୁ ଆବେଦନ କଲୁନି: ବିଡର୍‌
ପାର୍କିଂ ପ୍ୟାକେଜ୍‌ ସଂଖ୍ୟା ବଢ଼ିବ: ବିଏମ୍‌ସି
କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲାଗୁ ହୋଇପାରେ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧ତାରିଖରୁ ରାଜଧାନୀର ପାର୍କିଂ ବ୍ୟବସ୍ଥା ବଦଳାଇବାକୁ ବିଏମ୍‌ସି ଯୋଜନା କରିଥିଲା। ଏଥିପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳକୁ ୫ଟି ପାର୍କିଂ ପ୍ୟାକେଜ୍‌ରେ ବିଭକ୍ତ କରିଥିଲା। ହେଲେ ଏହାର ଟେଣ୍ଡର ମୂଲ୍ୟ ଅଧିକ ରହିବାରୁ କୌଣସି ବିଡର୍‌ ଭାଗ ନେଲେନି। ଫଳରେ ୧ତାରିଖରୁ ନୂଆ ପାର୍କିଂ ବ୍ୟବସ୍ଥା ଲାଗୁ ହେବନି ବୋଲି ବିଏମ୍‌ସି ସୂତ୍ରରୁ ଜାଣିବାକୁ ମିଳିଛି। ରାଜଧାନୀରେ ପାର୍କିଂ ବ୍ୟବସ୍ଥାକୁ ନେଇ ବାରମ୍ବାର ଅଭିଯୋଗ ହେବା ପରେ ବିଏମ୍‌ସି ନୂଆ ନିୟମ ଆଣିବାକୁ ଯୋଜନା କରିଥିଲା। ଏପରିକି ୪ଘଣ୍ଟା ମଧ୍ୟରେ କେତୋଟି ଅଞ୍ଚଳରେ ପାର୍କିଂ କଲେ ରାଜଧାନୀବାସୀଙ୍କୁ ଯେପରି ବାରମ୍ବାର ଫି’ ଦେବାକୁ ପଡ଼ିବନି ସେଥିପାଇଁ ୬୪ଟି ପାର୍କିଂସ୍ଥଳୀକୁ ୫ଟି ପ୍ୟାକେଜ୍‌ରେ ବିଭକ୍ତ କରିଥିଲା। ଶିଶୁ ଭବନ ଛକରୁ ଶ୍ରୀୟା ଛକ, ଶ୍ରୀୟା ଛକରୁ ବାଣୀବିହାର ଛକ, ୟୁନିଟ-୧ ହାଟରୁ କଳ୍ପନା ଛକ, ସମ୍‌ ହସ୍ପିଟାଲ ଛକରୁ ଖଣ୍ଡଗିରି ଦେଇ ନୂଆପଲ୍ଲୀ ଦୁର୍ଗାପୂଜା ମଣ୍ଡପ ପର୍ଯ୍ୟନ୍ତ ଅଞ୍ଚଳକୁ ଏଥିରେ ସାମିଲ୍‌ କରାଯାଇଥିଲା। ହେଲେ ଫେବ୍ରୁଆରି ୨୮ତାରିଖ ସୁଦ୍ଧା ଚନ୍ଦ୍ରଶେଖରପୁର ଅଞ୍ଚଳକୁ ଛାଡ଼ିଦେଲେ କୌଣସି ଅଞ୍ଚଳ ପାଇଁ ଜଣେ ବି ଆବେଦନକାରୀ ଅଂଶଗ୍ରହଣ ନ କରିବାରୁ ନୂଆ ପାର୍କିଂ ବ୍ୟବସ୍ଥା ଲାଗୁ ହୋଇପାରିବନି ବୋଲି ବିଏମ୍‌ସି ଡେପୁଟି କମିସନର୍‌ ଶ୍ରୀମନ୍ତ ମିଶ୍ର କହିଛନ୍ତି। ବିଏମ୍‌ସି ପ୍ୟାକେଜ୍‌ ୧ରେ ଶିଶୁ ଭବନରୁ ଶ୍ରୀୟା ଛକ ପର୍ଯ୍ୟନ୍ତ ଅଞ୍ଚଳ ରହିଥିବାବେଳେ ଏଥିରେ ୧୪ଟି ପାର୍କିଂସ୍ଥଳୀ ରହିଛି। ଏଥିପାଇଁ ଟେଣ୍ଡର୍‌ ଅପସେଟ୍‌ ମୂଲ୍ୟ ୭୯ଲକ୍ଷ ୭୦ହଜାର ୧୩୫ଟଙ୍କା ରଖିଥିଲା।

ସେହିପରି ପ୍ୟାକେଜ୍‌ ୨ରେ ଶ୍ରୀୟା ଛକରୁ ବାଣୀବିହାର ପର୍ଯ୍ୟନ୍ତ ଅଞ୍ଚଳ ରହିଥିବାବେଳେ ୧୩ଟି ପାର୍କିଂସ୍ଥଳୀ ରହିଛି। ଏଥିପାଇଁ ଟେଣ୍ଡର୍‌ ମୂଲ୍ୟ ୮୨ଲକ୍ଷ ୮୨ହଜାର ୩୧୦ଟଙ୍କା ରହିଥିଲା। ପ୍ୟାକେଜ୍‌ ୩ରେ ଦକ୍ଷିଣ ପୂର୍ବ ଜୋନ୍‌ ୟୁନିଟ-୧ ହାଟ, ପ୍ରଦର୍ଶନୀ ପଡ଼ିଆ, କର କ୍ଲିନିକ, ବିଗ୍‌ ବଜାରରୁ ଆରମ୍ଭ କରି ସଚିବାଳୟ ମାର୍ଗରେ ଥିବା ପାର୍କିଂସ୍ଥଳୀ, ଜନପଥରୁ ସଚିବାଳୟ ମାର୍ଗ ମଧ୍ୟରେ ଥିବା ପାର୍କିଂସ୍ଥଳୀ, ୟୁନିଟ-୪ ଅଞ୍ଚଳ ଭଳି ୧୮ଟି ପାର୍କିଂସ୍ଥଳୀ ରହିଥିବାବେଳେ ଏହାର ଟେଣ୍ଡର ଅପସେଟ୍‌ ମୂଲ୍ୟ ୨କୋଟି ୪୭ଲକ୍ଷ ୮୪ହଜାର ୩୩୫ଟଙ୍କା ରହିଥିଲା। ପ୍ୟାକେଜ୍‌ ୪ରେ ଦକ୍ଷିଣ ପଶ୍ଚିମ ଜୋନ୍‌ର ସମ୍‌ ହସ୍ପିଟାଲ ଠାରୁ ଆରମ୍ଭ କରି ଖଣ୍ଡଗିରି-ଫାୟାରଷ୍ଟେସନ୍‌- ହୋଟେଲ କ୍ରାଉନ୍‌- ଜୟଦେବ ବିହାର ଛକରୁ ପାଓ୍ଵାର ହାଉସ୍‌ ଛକ, ଆମ୍ରି ହସ୍ପିଟାଲ, ମଧୁସୂଦନ ପାର୍କ ଭଳି ଅଞ୍ଚଳ ଆଦି ୧୨ଟି ପାର୍କିଂସ୍ଥଳୀକୁ ସାମିଲ୍‌ କରାଯାଇଛି। ଏହାର ଟେଣ୍ଡର୍‌ ଅପସେଟ୍‌ ମୂଲ୍ୟ ୫୮ଲକ୍ଷ ୩୯ହଜାର ୨୮ଟଙ୍କା ରହିଥିଲା। ହେଲେ ଏହି ଦାମ୍‌ ଅଧିକ ରହୁଥିବା ଅଭିଯୋଗ କରି କେହି ଏଥିରେ ଭାଗ ନେଇ ନଥିଲେ। କେବଳ ପ୍ୟାକେଜ୍‌ ୫ରେ ଉତ୍ତର ଜୋନ୍‌ର (ଚନ୍ଦ୍ରଶେଖରପୁର ଅଞ୍ଚଳର) ୭ଟି ପାର୍କିଂସ୍ଥଳୀ ପାଇଁ ହୋଇଥିବା ଟେଣ୍ଡର୍‌ ଜଣେ ପାଇଛନ୍ତି। ଏହାର ଟେଣ୍ଡର୍‌ ଅପସେଟ୍‌ ମୂଲ୍ୟ ୨୫ଲକ୍ଷ ୮୬ହଜାର ୯୮୧ଟଙ୍କା ଥିବାବେଳେ ଆବେଦନକାରୀ ବର୍ଷେ ପାଇଁ ଏହି ଟେଣ୍ଡର୍‌ ପାଇଛନ୍ତି। କିନ୍ତୁ ପୂରା ରାଜଧାନୀ ପାଇଁ ଏକ ସଙ୍ଗେ ନୂଆ ନିୟମ ଲାଗୁ ହେବ କି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏହା ଆରମ୍ଭ ହେବ ତାହା ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ।

ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଅନ୍ୟ ଅଞ୍ଚଳଗୁଡ଼ିକରେ ପାର୍କିଂ ଟେଣ୍ଡରଧାରୀଙ୍କ ଅବଧି ସରିବାକୁ ଥିବାରୁ ସେଠାରେ ଯେପରି କେହି ବେଆଇନ ଭାବେ ପାର୍କିଂ ଫି’ ଆଦାୟ ନ କରନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ। ନୂଆ ପାର୍କିଂ ନିୟମ ଲାଗୁ ହେଲେ ବିଏମ୍‌ସି ଏଥିରୁ ବାର୍ଷିକ ପ୍ରାୟ ୫କୋଟି ଟଙ୍କା ଆୟ କରିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି। ୪ଟି ପ୍ରମୁଖ ପାର୍କିଂ ପ୍ୟାକେଜ୍‌ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନ ପାରିବାରୁ ବିଏମ୍‌ସି ଏଥିରେ ସଂଶୋଧନ ଆଣିବାକୁ ଚାହୁଁଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମେ ପାର୍କିଂ ପ୍ୟାକେଜ୍‌ ସଂଖ୍ୟା ବଢ଼ାଇବାକୁ ଯୋଜନା କରୁଛୁ। ଏହାଦ୍ୱାରା ପ୍ରତି ପ୍ୟାକେଜ୍‌ ମୂଲ୍ୟ କମିଯିବ। ଲୋକଙ୍କୁ ଯେପରି ସମସ୍ୟା ନ ହେବ ସେଥିପାଇଁ ସର୍ବାଧିକ ଦୁଇରୁ ତିନିଟି ପାର୍କିଂ ପ୍ୟାକେଜ୍‌ ବଢ଼ିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି। ଏନେଇ ସର୍ଭେ ଆରମ୍ଭ ହୋଇଯାଇଥିବାବେଳେ ଖୁବ୍‌ ଶୀଘ୍ର ନୂଆ ପାର୍କିଂ ପ୍ୟାକେଜ୍‌ ଚିହ୍ନଟ ହେବ। ଏହାପରେ ନୂଆ ନିୟମ ଲାଗୁ ହେବ। ନୂଆ ନିୟମରେ ଦୁଇ ଚକିଆ ଯାନ ପ୍ରଥମ ୪ଘଣ୍ଟା ପାଇଁ କେବଳ ୫ଟଙ୍କା ଦେବାକୁ ପଡ଼ିବ। ୪ ଘଣ୍ଟାରୁ ଅଧିକ ସମୟ ପାର୍କିିଂ ପାଇଁ ୧୦ଟଙ୍କା ଦେବେ। ସେହିଭଳି ଚାରିଚକିଆ ଯାନ ପାଇଁ ପ୍ରଥମ ୨ଘଣ୍ଟା ପ୍ରତି ୨୦ ଟଙ୍କା ଏବଂ ୪ଘଣ୍ଟା ପାଇଁ ୪୦ଟଙ୍କା ଦେବାକୁ ପଡ଼ିବ।

Share Now:

Kalinga News Beuro

Leave a Reply

Next Post

ଆତଙ୍କବାଦୀଙ୍କ ଗୁଳିରେ ନିହତ ହେଲେ ସ୍ୱତନ୍ତ୍ର ପୁଲିସ ଅଧିକାରୀ

Fri Mar 30 , 2018
ଶ୍ରୀନଗର: ଗୁରୁବାର ଦିନ ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଦକ୍ଷିଣ କଶ୍ମୀରର ବିଜବେହାରାସ୍ଥିତ ବାସଭବନରେ ଜଣେ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କୁ (ଏସ୍‌ପିଓ) ଆତଙ୍କବାଦୀମାନେ ଗୁଳିମାରି ହତ୍ୟା କରିଛନ୍ତି। ଜଣେ ଅଧିକାରୀ କହିଛନ୍ତି; ସଙ୍ଗମ୍‌ ଠାରେ ମୁତୟନ ହୋଇଥିବା ସ୍ୱତନ୍ତ୍ର ପୁଲିସ ଅଧିକାରୀ ମୁସ୍ତାକ୍‌ ଅହମଦ୍‌ ଶେଖ୍‌ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଏବଂ ତାଙ୍କ ପତ୍ନୀ ଫରୀଦା ଲହୁଲୁହାଣ ହୋଇଛନ୍ତି। ଚିକିତ୍ସା ପାଇଁ ଫରୀଦାଙ୍କୁ ଡାକ୍ତରଖାନାକୁ ନିଆ ଯାଇଛି। ବିଳମ୍ବିତ ସନ୍ଧ୍ୟାରେ କାତ୍‌ସୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial