୧୬ରୁ ବିଜେଡିର ମହାନଦୀ ଆନ୍ଦୋଳନ

ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ,୧୫ ଜିଲ୍ଲା ବୁଲିବେ, ପଥପ୍ରାନ୍ତ ସଭା

ଭୁବନେଶ୍ୱର: ମହାନଦୀ ପ୍ରତି ଦେଖାଦେଇଥିବା ମହାବିପଦକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜେଡି ପୁଣି ଏକ ବଡ଼ ଧରଣର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିବାକୁ ଘୋଷଣା କରିଛି। ତିନି ତିନିଟି ପ୍ରସ୍ତୁତି ବୈଠକ ପରେ ଦଳୀୟ ନେତାମାନେ ଆଜି ସୂଚାଇଛନ୍ତି, ଆସନ୍ତା ୧୬ତାରିଖରୁ ଜନ ଜାଗରଣ ଯାତ୍ରା ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀର ଓଡ଼ିଶା ପ୍ରବେଶ ସ୍ଥାନ ବରଗଡ଼ ଓ ଝାରସୁଗୁଡାରୁ ଏହି ଜାଗରଣ ଯାତ୍ରାର ଶୁଭାରମ୍ଭ କରିବେ। ମହାନଦୀ ଅବବାହିକା ଅନ୍ତର୍ଗତ ୧୫ଟି ଜିଲ୍ଲାର ୪୫ଟି ନିର୍ବାଚନମଣ୍ଡଳୀରେ ପାଖାପାଖି ୧୫୦୦ କିଲୋମିଟର ଧରି ଏହି ଜାଗରଣ ଯାତ୍ରା କରାଯିବ। ପାରାଦୀପ ଠାରେ ଏହି କାର୍ଯ୍ୟକ୍ରମ ଉଦ୍‌ଯାପିତ ହେବ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଆଜି ଅପରାହ୍ନରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଏ ସଂପର୍କରେ ସୂଚନା ଦେଇ ଦଳୀୟ ପଦାଧିକାରୀମାନେ କହିଥିଲେ, ଏହି ଜନ ଜାଗରଣ କାର୍ଯ୍ୟକ୍ରମ ଜରିଆରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡିକର ଲୋକମାନଙ୍କୁ ମହାନଦୀ ସଂକଟର ପ୍ରକୃତ ଚିତ୍ର ଉପସ୍ଥାପନ କରାଯିବ। ଏହାଛଡ଼ା ମହାନଦୀକୁ ବିଲୀନ କରିବାକୁ ଯେଉଁ ଷଡ଼ଯନ୍ତ୍ର କରାଯାଉଛି ସେ ନେଇ ଲୋକଙ୍କୁ ଅବଗତ କରାଯିବ। ମହାନଦୀର ସୁରକ୍ଷା ପାଇଁ ଏହି ଜନଜାଗରଣ ଯାତ୍ରାରେ ଛାତ୍ର, ଯୁବକ, କୃଷକ, ମତ୍ସ୍ୟଜୀବୀ, ମହିଳା, ବୃଦ୍ଧିଜୀବୀ ଓ ଓଡ଼ିଶାର ସମସ୍ତ ଜନସାଧାରଣ ସାମିଲ ହେବେ ବୋଲି ବିଜେଡି ସୂଚନା ଦେଇଛି। ଗତ ୨୨ ତାରିଖ ଦିନ ବିଜେଡି ତରଫରୁ ମହାନଦୀ ସଙ୍କଟ ସଂପର୍କିତ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା। ଦଳୀୟ ନେତାମାନେ ଏହି ବୈଠକରେ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ସଂପର୍କରେ ସୂଚାଇଥିଲେ। ରାଜ୍ୟ ସରକାର ଆଇନଗତ ଲଢ଼ଇ ଲଢୁଥିବା ପରିପ୍ରେକ୍ଷୀରେ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଜନସାଧାରଣଙ୍କୁ ନେଇ ଗଣତାନ୍ତ୍ରିକ ଲଢ଼ଇ ଲାଗି ବିଜେଡି କାର୍ଯ୍ୟକ୍ରମ ଖସଡା ପ୍ରସ୍ତୁତ କରୁଥିବା ସଂପର୍କରେ ସେଠାରେ ସୂଚନା ଦିଆଯାଇଥିଲା। ସେହିଭଳି ଆନ୍ଦୋଳନର ରୂପରେଖ କଣ ହେବ, ସେ ନେଇ ଗତକାଲି ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାର ବିଜେଡି ବିଧାୟକ, ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ତଥା ଛାମୁଆ ସଂଗଠନର କର୍ମକର୍ତ୍ତା ପ୍ରମୁଖଙ୍କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା କରାଯାଇଥିଲା। ସ୍ଥିର ହୋଇଥିଲା, ମହାନଦୀ ଓଡ଼ିଶାରେ ପ୍ରବେଶ କରୁଥିବା ସ୍ଥଳରୁ ହିଁ ଜନଜାଗରଣ ଯାତ୍ରା କରାଯିବ ଓ ମହାନଦୀର ଉଭୟ ପାର୍ଶ୍ୱରେ ଲୋକଙ୍କୁ ବିଜେଡି ସଚେତନ କରାଇବ। ରାସ୍ତାରେ ପଡୁଥିବା ଗାଁ ଓ ସହରରେ ପଥପ୍ରାନ୍ତ ସଭା, ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ମହାନଦୀକୁ ମାରିଦେବା ଲାଗି ଯେଉଁ ଷଡ଼୍‍ଯନ୍ତ୍ର ଚାଲିଛି ସେ ନେଇ ବିଜେଡି ନେତାମାନେ ସମସ୍ତଙ୍କୁ ଅବଗତ କରାଇବେ। ପାର୍ଶ୍ୱବର୍ତୀ ଅଞ୍ଚଳମାନଙ୍କର ଲୋକଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ।

ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାଧାରଣ ସଂପାଦକ ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ଗଣମାଧ୍ୟମକୁ ଏହି କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ। ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ମଧ୍ୟ ଉପସ୍ଥିତ ଥିଲେ।

Share Now:

Kalinga News Beuro

Leave a Reply

Next Post

ଓଡିଶା ସରକାରୀ ଭାଷା ଦିଗରେ ଆଉ ପାଦେ:ବ୍ୟବହାର ପାଇଁ ପ୍ରୋତ୍ସାହନ, ଖିଲାପ ପାଇଁ ଦଣ୍ଡ

Thu May 3 , 2018
ଭୁବନେଶ୍ୱର: ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ରାଜ୍ୟ ସରକାର ଆଉ ପାଦେ ଆଘକୁ ଯାଇଛନ୍ତି। ସରକାରୀସ୍ତରରେ ଓ଼ଡ଼ିଆ ଭାଷାର ବ୍ୟବହାର କଲେ ପ୍ରୋତ୍ସାହନ ଦେବେ ସରକାର। ଖିଲାପକାରୀଙ୍କୁ ଦଣ୍ଡ ମିଳିବ। ଏଥିପାଇଁ ୧୯୫୪ ମସିହାର ଓଡ଼ିଶା ସରକାରୀ ଭାଷା ଆଇନର ଧାରା (୪)ରେ ‘ପୁରସ୍କାର ବା ଦଣ୍ଡବିଧାନ’କୁ ସଂଲଗ୍ନ କରାଯାଇଛି। ଏଥିସହିତ ବିଧାନସଭା ବଜେଟ୍‌ ଅଧିବେଶନର ଶେଷ ଦିନରେ ଓଡ଼ିଶା ସରକାରୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial