ଓଡିଶା ସରକାରୀ ଭାଷା ଦିଗରେ ଆଉ ପାଦେ:ବ୍ୟବହାର ପାଇଁ ପ୍ରୋତ୍ସାହନ, ଖିଲାପ ପାଇଁ ଦଣ୍ଡ

ଭୁବନେଶ୍ୱର: ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବେ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ରାଜ୍ୟ ସରକାର ଆଉ ପାଦେ ଆଘକୁ ଯାଇଛନ୍ତି। ସରକାରୀସ୍ତରରେ ଓ଼ଡ଼ିଆ ଭାଷାର ବ୍ୟବହାର କଲେ ପ୍ରୋତ୍ସାହନ ଦେବେ ସରକାର। ଖିଲାପକାରୀଙ୍କୁ ଦଣ୍ଡ ମିଳିବ। ଏଥିପାଇଁ ୧୯୫୪ ମସିହାର ଓଡ଼ିଶା ସରକାରୀ ଭାଷା ଆଇନର ଧାରା (୪)ରେ ‘ପୁରସ୍କାର ବା ଦଣ୍ଡବିଧାନ’କୁ ସଂଲଗ୍ନ କରାଯାଇଛି। ଏଥିସହିତ ବିଧାନସଭା ବଜେଟ୍‌ ଅଧିବେଶନର ଶେଷ ଦିନରେ ଓଡ଼ିଶା ସରକାରୀ ଭାଷା ଆଇନ, ୧୯୫୪ ସଂଶୋଧନ ପ୍ରସ୍ତାବ ସର୍ବସମ୍ମତ କ୍ରମେ ପାରିତ ହୋଇଥିଲା। ଓଡିଆ ସରକାରୀ ଭାଷା ସଂଶୋଧନ ଆଇନ୍‌ ସହ ଓଡିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସଂଶୋଧନ ବିଲ୍‌ ମଧ୍ୟ ବିଧାନସଭାରେ ସର୍ବସମ୍ମତ ଭାବେ ପାରିତ ହୋଇଛି। ଏହାଫଳରେ ଦୋକାନରେ ଏଣିକି ଓଡିଆରେ ନଲେଖିଲେ ଜରିମାନା ଦେବାକୁ ପଡିବ। ପ୍ରଥମ ଖିଲାପକାରୀଙ୍କୁ ହଜାରେ ଓ ସର୍ବାଧିକ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ। ପୁନର୍ବାର ଖିଲାପ କରିଥିବା ଜଣାପଡିଲେ ୨ ହଜାର ଓ ସର୍ବାଧିକ ୨୫ ହଜାର ଟଙ୍କା ଜୋରିମାନା ଆଦାୟ ହେବ। ଏହିଭଳି ମୋଟ ୫ଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗତକାଲି ଶେଷ ମୁହୂର୍ତରେ ପାରିତ ହୋଇଥିଲା। ବିଜେଡିର ୨୦ ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ସର୍କିଟ ହାଉସ ଠାରେ ଏକ ସ୍ୱତନ୍ତ୍ର କ୍ୟାବିନେଟ୍‌ ବୈଠକ କରିଥିଲେ। ଯେଉଁଥିରେ, ଓଡ଼ିଆ ଭାଷାକୁ ଆଗକୁ ନେବା ଲାଗି ଏକାଧିକ ପ୍ରସ୍ତାବ ସଂପର୍କରେ ନିଷ୍ପତ୍ତି ହୋଇଥିଲା। ପରେ ବିଧିବଦ୍ଧ ଭାବେ ରାଜ୍ୟ କ୍ୟାବିନେଟ୍‌ ଏହି ଓଡ଼ିଆ ସରକାରୀ ଭାଷା ଆଇନରେ ପ୍ରୋତ୍ସାହନ ଓ ଦଣ୍ଡବିଧାନ ପ୍ରସ୍ତାବକୁ ମୋହର ଦେଇଥିଲେ। ତଥାପି ସରକାରଙ୍କ ନିଷ୍ଠା ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ। ହେଲେ ଏସବୁଥିରେ ପୂର୍ଣ୍ଣଛେଦ ଟାଣିବାକୁ ଯାଇ ରାଜ୍ୟ ସରକାର ଗତକାଲି ଆଉ ଏକ ବଡ଼ ପଦକ୍ଷେପ ନେଇଥିଲେ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅବର୍ତମାନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭାଷା ଆଇନରେ ସଂଶୋଧନ ପ୍ରସ୍ତାବ ଗୃହରେ ଆଗତ କରିଥିଲେ। ମନ୍ତ୍ରୀ କହିଥିଲେ, ସରକାରୀ ଭାଷାର ବ୍ୟାପକ ବ୍ୟବହାର କରୁଥିବା ସରକାରୀ କର୍ମଚାରୀ ଓ ବିଭାଗକୁ ପ୍ରୋତ୍ସାହନ ଦେବା ଲାଗି ଏଥିରେ ବ୍ୟବସ୍ଥା ରହିବ। ସେହିଭଳି ଖିଲାପକାରୀଙ୍କ ପାଇଁ ଦଣ୍ଡବିଧାନର ଆବଶ୍ୟକତା ରହିଥିଲା, ଯେଉଁଥିପାଇଁ ଏହି ବିଲ୍‌ଟିରେ ସଂଶୋଧନ ଅପରିହାର୍ଯ୍ୟ ହୋଇଥିଲା।

ଏହି ବିଲ୍‌ ଆଲୋଚନାରେ ସରକାରୀ ଦଳ ପକ୍ଷରୁ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଭାଗ ନେଇ କହିଥିଲେ, ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ମୂଳ ଆଇନଟି ବିଧାନସଭାରେ ପାରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ ଏହାର ଠିକଣା ଭାବେ କାର୍ଯ୍ୟକାରୀ ହୋଇଛି। ବିଲ୍‌ଟିକୁ ସ୍ୱାଗତ ଓ ସମର୍ଥନ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଆଇନରେ କେଉଁ କାରଣରୁ ଦଣ୍ଡବିଧାନ କରାଯିବ ସେ ନେଇ ସଂଜ୍ଞା ନିରୂପଣ କରାଯାଇନାହିଁ। ସେହିପରି ଆଇନ କିପରିି ଅମାନ୍ୟ କଲେ ଦଣ୍ଡବିଧାନ କରାଯିବ ତା’ର ବ୍ୟବସ୍ଥା ମଧ୍ୟ ରହିବା ଦରକାର। ଏସବୁ ରୁଲ୍‌ସ୍‌ ଉପରେ ଛାଡ଼ିଦେଲେ ହେବନାହିଁ। ଏହି ବିଲ୍‌ ଆଲୋଚନାରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଓ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଭାଗ ନେଇଥିଲେ। ପରେ ବାଚସ୍ପତି ବାଚନିକ ଭୋଟରେ ବିଲ୍‌ଟିକୁ ପାରିତ କରାଇଥିଲେ। ସେହିଭଳି ବିଧାନସଭା ବାଚସ୍ପତିଙ୍କ ଦରମା ଓ ଭତ୍ତା (ସଂଶୋଧନ), ଉପ ବାଚସ୍ପତିଙ୍କ ଦରମା ଓ ଭତ୍ତା (ସଂଶୋଧନ), ମନ୍ତ୍ରୀମାନଙ୍କ ଦରମା ଓ ଭତ୍ତା (ସଂଶୋଧନ), ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ(ସଂଶୋଧନ), ୨୦୧୮ ବିଲ୍‌ ମଧ୍ୟ ପାରିତ ହୋଇଛି। ସଂଶୋଧିତ ଆଇନ ଅନୁଯାୟୀ ୨୦୧୭ ଜାନୁଆରି ୧ ତାରିଖରୁ ବାଚସ୍ପତି, ଉପ ବାଚସ୍ପତି ଏବଂ ମନ୍ତ୍ରୀମାନଙ୍କ ଦୈନିକ ଭତ୍ତା ୧୫୦ ଟଙ୍କାରୁ ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ସଂଶୋଧିତ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ(ସଂଶୋଧନ), ୨୦୧୮ ଅଧିନିୟମ ଅନୁସାରେ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ଦୁଇମାସର ମହଲତ ଦିଆଯାଇଥିବା ସୂଚନା ମିଳିଛି। କେନ୍ଦ୍ରୀୟ ଶିଶୁ ଶ୍ରମିକ ନିୟନ୍ତ୍ରଣ ଆଇନ ଢାଞ୍ଚାରେ ରାଜ୍ୟ ଆଇନ ପ୍ରଣୟନ କରାଯାଇଛି। ଏଥିରେ ୧୪ରୁ ୧୮ ବର୍ଷ ବୟସର ପିଲାଙ୍କୁ କିଶୋର ଭାବେ ଅଭିହିତ କରାଯାଇଛି। ଏହି କିଶୋରମାନେ କିଛି ଅଣ-ବିପଦ୍‌ଜନକ ପ୍ରତିଷ୍ଠାନରେ କାର୍ଯ୍ୟ କରିପାରିବେ ବୋଲି ଦର୍ଶାଯାଇଛି। ପ୍ରକାଶଥାଉକି, ଦୀର୍ଘ ୭୪୯ ଦିନ ଧରି ଚାଲିଥିବା ଭାଷା ଆନ୍ଦୋଳନ ଆସନ୍ତା ଦୁଇମାସ ପାଇଁ ସ୍ଥଗିତ ରଖାଯାଇଛି।

Share Now:

Kalinga News Beuro

Leave a Reply

Next Post

ବମିଖାଲ ଓଭରବ୍ରିଜ ଦୁର୍ଘଟଣା: ଜଣେ ଶ୍ରମିକ ମୃତ, ଅନ୍ୟ ଜଣକୁ ଆମ୍ରି ସ୍ଥାନାନ୍ତର

Thu May 3 , 2018
ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ, ଡିସିପି-ଜିଲ୍ଲାପାଳ ଉପସ୍ଥିତ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବମିଖାଲ ଓଭରବ୍ରିଜରେ ଗୁରୁବାର ପୁଣି ଥରେ ଦୁର୍ଘଟଣା ଘଟିଛି। ଏଥିରେ ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ଅଞ୍ଚଳର ଅଜୟ ନାମରେ ଜଣେ ୩୮ ବର୍ଷିଅ ଯବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ସୁନ୍ଦରଗଡ଼ର ଜିଲ୍ଲାର ଦେଓଗାଁର ଅନ୍ୟ ଜଣେ ଶ୍ରମିକ ଆନନ୍ଦ କୁମାର ନାଏକଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଥିଲା। ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial