ଜଳିଗଲା ୧୩ ଦୋକାନ :୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଖଣ୍ଡଗିରି: ବୁଧବାର ବିଳମ୍ବିତ ରାତିରେ ଡୁମୁଡୁମା ଛକ ଉପରିସ୍ଥ ଏକ ଅସ୍ଥାୟୀ ବଜାରରେ ନିଅାଁ ଲାଗିଯିବାରୁ ସେଠାରେ ଥିବା ସମସ୍ତ ୧୩ଟି ଯାକ ଦୋକାନ ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ପୋଡ଼ି ଛାରଖାର୍‌ ହୋଇଯାଇଛି। ଦୁଇଟି ଫଳଦୋକାନ, ଏକ ବଡ଼ ପୂଜା ସାମଗ୍ରୀ ଦୋକାନ, ଓମ୍‌ଫେଡ୍‌ ଷ୍ଟଲ୍‌, ଚିକେନ୍‌ ସେଣ୍ଟର୍‌, ଫାଷ୍ଟଫୁଡ୍‌ ଷ୍ଟଲ୍‌ ଓ ୪ଟି ଜଳଖିଆ ଦୋକାନ ଜଳି ଯାଇଛି। ସର୍ଟ ସର୍କିଟ୍‌ରୁ ନିଅାଁ ଲାଗିଥିବା ଅନୁମାନ କରାଯାଉଥିବାବେଳେ କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଛି ବୋଲି ମଧ୍ୟ ଅନେକ ବ୍ୟବସାୟୀ ସନ୍ଦେହ କରୁଛନ୍ତି। କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ହେଲେ ପୂଜା ସାମଗ୍ରୀ ଦୋକାନୀ ପ୍ରକାଶ କୁମାର ସାହୁ, ଫଳ ଦୋକାନୀ ରତିକାନ୍ତ ରାଉତରାୟ, ପୂର୍ଣ୍ଣଚନ୍ଦ୍ର ଦାଶ, ଓମ୍‌ଫେଡ୍‌ ଷ୍ଟଲ ମାଲିକ ସୁଶାନ୍ତ ସାହୁ, ଫାଷ୍ଟଫୁଡ୍‌ ଦୋକାନୀ ମନୋଜ ପ୍ରଧାନ, ଜଳଖିଆ ଦୋକାନୀ ଶ୍ରୀମନ୍ତ ଗନ୍ତାୟତ, ପ୍ରଶାନ୍ତ ସୁବୁଦ୍ଧି, ସେକ୍‌ ଆମ୍‌ଜାଦ୍‌ ହୁସେନ୍‌, ମନିନ୍ଦର ଗୁଜ୍ଜର, ଚିକେନ୍‌ ସେଣ୍ଟର ମାଲିକ ସେକ୍‌ ମାଓ୍ଵାର, ଚା ଦୋକାନୀ ଅନିତା ପ୍ରଧାନ, ଲସି ଦୋକାନୀ ବିକାଶ ଶଙ୍କର, ଓ ଜୋତା ମରାମତି ଦୋକାନୀ କାଳିଆ ଦାସ।

ସୂଚନାନୁସାରେ ବୁଧବାର ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଡୁମୁଡୁମା ଛକ ଉପରେ ଥିବା ଏହି ୧୩ଟି ଦୋକାନ ବଜାରର ସିକ୍ୟୁରିଟି ଗାର୍ଡ ନିଅାଁ ଲାଗିଯିବା ଦେଖି ତୁରନ୍ତ ପାଟି କରି ନିକଟରେ ଶୋଇଥିବା କିଛି ଦୋକାନୀଙ୍କୁ ଡାକିବା ସହ ଅନ୍ୟମାନଙ୍କୁ ଫୋନ୍‌ କରି ଜଣାଇଥିଲା। ବଜାରରେ ଶୋଇଥିବା ମାତ୍ର ୩/୪ ଜଣ ଦୋକାନୀ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଥିଲେ ବି ନିଅାଁକୁ ଆୟତ୍ତ କରିବା ଅବସ୍ଥାରେ ନଥିଲେ। ଚାହୁଁ ଚାହୁଁ ନିଅାଁ ପୂରା ବଜାରକୁ ବ୍ୟାପୀ ଯାଇଥିଲା। ଖବର ପାଇ ଅନ୍ୟ ବ୍ୟବସାୟୀମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ ବି ହୁତ୍‌ହୁତ୍‌ ହୋଇ ଜଳୁଥିବା ନିଅାଁ ପାଖକୁ ଯିବାକୁ ସାହସ କରି ନଥିଲେ। ଜଳଖିଆ ଓ ଫାଷ୍ଟ ଫୁଡ୍‌ ଦୋକାନରେ ଗ୍ୟାସ୍‌ ସିଲିଣ୍ଡର୍‌ ଥିବାରୁ କେହି ଭୟରେ ପାଖ ମାଡ଼ି ନଥିଲେ। ଖବର ପାଇ ଅଗ୍ନିଶମ ବାହିନୀର ୨ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲା। ମାତ୍ର ସେତେବେଳକୁ କୌଣସି ଗୋଟିଏ ଦୋକାନର କିଛି ବି ଜିନିଷ ବର୍ତ୍ତି ନଥିଲା। ଟିଭି, ଫ୍ୟାନ୍‌ ଓ ଫ୍ରିଜ୍‌ ଭଳି ବହୁ ଦାମୀ ଉପକରଣ ଜଳିଯାଇଥିଲା। ପୂରା ବଜାରଟା ପାଉଁଶ ଗଦା ପାଲଟି ଯାଇଥିଲା।

Share Now:

Kalinga News Beuro

Leave a Reply

Next Post

ଏପ୍ରିଲ ପହିଲାରୁ ଲାଗୁ ହେବନି ନୂଆ ପାର୍କିଙ୍ଗ ବ୍ୟବସ୍ଥା

Fri Mar 30 , 2018
ପ୍ୟାକେଜ୍‌ ଦାମ୍‌ ଅଧିକ ରହିବାରୁ ଆବେଦନ କଲୁନି: ବିଡର୍‌ ପାର୍କିଂ ପ୍ୟାକେଜ୍‌ ସଂଖ୍ୟା ବଢ଼ିବ: ବିଏମ୍‌ସି କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲାଗୁ ହୋଇପାରେ ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧ତାରିଖରୁ ରାଜଧାନୀର ପାର୍କିଂ ବ୍ୟବସ୍ଥା ବଦଳାଇବାକୁ ବିଏମ୍‌ସି ଯୋଜନା କରିଥିଲା। ଏଥିପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳକୁ ୫ଟି ପାର୍କିଂ ପ୍ୟାକେଜ୍‌ରେ ବିଭକ୍ତ କରିଥିଲା। ହେଲେ ଏହାର ଟେଣ୍ଡର ମୂଲ୍ୟ ଅଧିକ ରହିବାରୁ କୌଣସି ବିଡର୍‌ ଭାଗ ନେଲେନି। ଫଳରେ ୧ତାରିଖରୁ ନୂଆ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial