ସରକାରୀ କାମ ଏମିତି : ୮ ମାସ ପରେ ବି ସରିଲାନି ୨ କିମି ରାସ୍ତା

୮ ମାସ ପରେ ବି ସରିଲାନି ୨ କିମି

ପ୍ରତିଦିନ ଟ୍ରାଫିକ୍‌ ସମସ୍ୟାରେ ଘାଣ୍ଟି ହେଉଛନ୍ତି ସାଧାରଣ ଲୋକେ

ଭୁବନେଶ୍ୱର: ଅଞ୍ଚଳବାସୀଙ୍କ ଧୈର୍ଯ୍ୟ ପରୀକ୍ଷା କରୁଛି ଟଙ୍କପାଣି-ରବି ଟକିଜ୍‌ ରାସ୍ତାର ନବୀକରଣ କାମ। ଏହି ୨ କିଲୋମିଟର ରାସ୍ତାର ନବୀକରଣ ପାଇଁ ଶିଳାନ୍ୟାସକୁ ୮ ମାସରୁ ଉର୍ଦ୍ଧ୍ୱ ସମୟ ବିତି ଯାଇଥିଲେ ହେଁ କାମ ସରୁନି। ବିଭିନ୍ନ ଆଳ ଦେଖାଇ ଠିକାଦାର ଦିନ ପରେ ଦିନ ଗଡ଼ାଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ବି ଯେତିକି କାମ ସରିଛି, ତାହା ଠିକ୍‌ ଭାବେ କରାଯାଇନଥିବା ଅଭିଯୋଗ ହେଉଥିବା ବେଳେ ସର୍ବସାଧାରଣଙ୍କ ଅବଗତି ପାଇଁ ଫଳକଟିଏ ବି ଲଗାଯାଇନାହିଁ। ବିଶେଷକରି ସାଇ ମନ୍ଦିର ଟ୍ରାଫିକ୍‌ ଛକ ନିକଟରେ ରାସ୍ତା ଅବସ୍ଥା ଖରାପ ଥିବାରୁ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି। ଏଥିସହ ପ୍ରବଳ ଧୂଳି ଉଡ଼ିବା ଯୋଗୁଁ ବ୍ୟବସାୟୀମାନେ ଘୋର୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ କାମ ନସରିଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ମାସେ କି ଦୁଇ ମାସ ନୁହେଁ, ବର୍ଷ ବର୍ଷ ଧରି ଏହି ରାସ୍ତା ଖରାପ ହୋଇ ପଡ଼ି ରହିଛି। ମରାମତି ନେଇ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରିଆସୁଥିଲେ ହେଁ ସେଥିପ୍ରତି ଦୃଷ୍ଟି ଦିଆଯାଉନଥିଲା। ତେବେ ବାରମ୍ବାର ଏ ସଂପର୍କରେ ଖବର ପ୍ରକାଶ ପାଇବା ପରେ ପୂର୍ତ୍ତ ବିଭାଗ ରାସ୍ତାର ମରାମତି ଓ ନବୀକରଣ ପାଇଁ କଥା ଆଗେଇଲା। ରାସ୍ତାର ନବୀକରଣର ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୨.୬୮କୋଟି ଟଙ୍କା ବ୍ୟୟବରାଦ କରାଗଲା। ଟେଣ୍ଡର୍‌ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପରେ ଗତ ଜୁଲାଇରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାର ଶୁଭ ଦେଇଥିଲେ। କିନ୍ତୁ କାମ ଆରମ୍ଭ ହେଲା ନାହିଁ। ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଗଲା। ପ୍ରାୟ ଦୁଇ ମାସ ହେବ ରାସ୍ତା କାମ ଆରମ୍ଭ ହୋଇଛି। ହେଲେ କାମ ଆରମ୍ଭ ହେବା ପୂର୍ବରୁ ସର୍ବସାଧାରଣଙ୍କ ପାଇଁ ରାସ୍ତା କାମର ସବିଶେଷ ବିବରଣୀ ଲେଖାଥିବା ଫଳକଟିଏ ଲଗାଯାଇନାହିଁ। କେତେ ଚଉଡ଼ା ଓ କେତେ ଉଚ୍ଚାର ପିଚୁ ହେବ, କେତେ ପରିମାଣର ସାମଗ୍ରୀ ଲାଗିବ, କ’ଣ କ’ଣ ଭାଗ ମାପ ରହିବ ଏବଂ ଆନୁଷଙ୍ଗିକ କି’ କାମ ହେବ, ଏନେଇ ଲୋକଙ୍କୁ ଅନ୍ଧାରରେ ରଖାଯାଇଛି।
ଠିକାଦାର କିଛି ବାଟ ଗୋଟିଏ ଲେନ୍‌ କରି କାମ ବନ୍ଦ କରିଦେଉଛି। କିଛି ଦିନ ପରେ ପୁଣି ବଳକା ଲେନ୍‌ କାମ ହେଉଛି। କିନ୍ତୁ ଦୁଇ ଲେନ୍‌କୁ ମିଶା ଯାଉନଥିବା ଯୋଗୁଁ ରାସ୍ତା ଅସମତୁଲ ରହୁଛି। ଅନ୍ୟପଟେ ପିଚୁ ପୂର୍ବରୁ ରାସ୍ତାକୁ ଠିକ୍‌ ଭାବେ ଲେ‌‌ଭେଲିଂ କରାଯାଇ ନଥିବା ଅଭିଯୋଗ ହେଉଛି। ଫଳରେ ରାସ୍ତାର ଅଧିକାଂଶ ସ୍ଥାନରେ ରାସ୍ତା ଅସମତୁଲ ରହିଛି, ଯାହା ଦୁର୍ଘଟଣା ଘଟାଇବ ବୋଲି ଅଭିଯୋଗ ‌ହୋଇଛି। ଅନ୍ୟପଟେ ଟଙ୍କପାଣି ଟ୍ରାଫିକ୍‌ ନିକଟରେ ରାସ୍ତା ଉପରୁ ଏବେ ଯାଏ ବିଦ୍ୟୁତ୍‌ ଖୁଣ୍ଟ ଉଠାଯାଉ ନାହିଁ କି ରାସ୍ତା କାମ ହେଉନାହିଁ। ରାସ୍ତାରେ ବଡ଼ବଡ଼ ଖାଲ ଥିବାରୁ ଅଫିସ୍‌ ସମୟ ଓ ସଂଧ୍ୟା‌‌‌ରେ ପ୍ରବଳ ଟ୍ରାଫିକ୍‌ ସମସ୍ୟା ଦେଖାଦେଉଛି। ଏହି ରାସ୍ତା ପାଇଁ ପୁରୀ ବାଇପାସ୍‌ ମଧ୍ୟ ଜାମ୍‌ ହେଉଥିବା ଦେଖିବାକୁ ମିଳୁଛି। ଏନେଇ ପୂର୍ତ୍ତ ବିଭାଗ ଡିଭିଜନ୍‌-୧ର ଏସ୍‌ଡିଓ ପୂର୍ଣ୍ଣଚନ୍ଦ୍ର ମୁଦୁଲି କହିଛନ୍ତି, ବିଦ୍ୟୁତ୍‌ ଖୁଣ୍ଟ ଉଠାଇବା ପାଇଁ ବିଦ୍ୟୁତ୍‌ ବିଭାଗକୁ କୁହାଯାଇଛି। ସେମାନେ ଏଷ୍ଟିମେଟ୍‌ ଦେଲେ ପୂର୍ତ୍ତ ବିଭାଗ ଟଙ୍କା ଦେବ। ଖୁବ୍‌ଶୀଘ୍ର କାମ ଶେଷ ହେବ। ଯେଉଁ ସବୁ ସ୍ଥାନରେ ଅସମତୁଲ ରହିଛି, ତାକୁ ସମତୁଲ କରାଯିବ ବୋଲି କହିଛନ୍ତି।

Share Now:

Kalinga News Beuro

Next Post

ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍‌ଆଇ ଓ ହୋମ୍‌ଗାର୍ଡ

Wed Mar 1 , 2023
ବାଲେଶ୍ୱର: ଖନ୍ତାପଡ଼ା ଥାନାରେ ବୁଧବାର ଅପରାହ୍ନରେ ଭିଜିଲାନ୍ସର ଏହି ଚଢ଼ଉ ହୋଇଛି। ଏହି ଥାନାରେ ଏକ ମାମଲାର ରଫାଦଫା କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଏଏସ୍‌ଆଇ ଓ ହୋମଗାର୍ଡ। ଭିଜିଲାନ୍‌ସ ହାତରେ ପୁଲିସ ଏଏସ୍‌ଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶିକାନ୍ତ ମହାପାତ୍ର ଧରାପଡ଼ିଛନ୍ତି।ସୂଚନା ଅନୁସାରେ ଖନ୍ତାପଡ଼ା ଥାନା ପୁଲିସ ଗତ କିଛି ଦିନ ତଳେ ଏକ ପଥର ଗାଡି ଧରିବା […]
ଭିଜିଲାନ୍ସର ଏହି ଚଢ଼ଉ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial