କଟକ: କାଠଯୋଡି ନଦୀକୂଳ, ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଗଢି ଉଠିଛି ରାଜ୍ୟର ପ୍ରଥମ ନିଜସ୍ୱ ୟଙ୍ଗ୍ ଉତ୍କଳ ସ୍ପୋର୍ଟସ୍ କମ୍ପଲେକ୍ସ। ଫୁଟ୍ବଲ ପଡିଆରୁ ଏବେ ଏହା ଏକ ସ୍ୱତନ୍ତ୍ର ସ୍ପୋର୍ଟସ କମ୍ପଲେକ୍ସ ହୋଇପାରିଛି। ଏଠାରେ ଫୁଟବଲ, ବ୍ୟାଡମିଣ୍ଟନ, ଭଲିବଲ, ଦୌଡକୁଦ ଓ କବାଡି ଖେଳିବାର ବ୍ୟବସ୍ଥା ରହିଛି। ପଡିଆରେ ଚାଲିବା ପାଇଁ ରହିଛି ସ୍ୱତନ୍ତ୍ର ଜଗିଂ ଟ୍ରାକ୍। ତିନି ଏକର ୧୦ ଡିସିମିଲର ଏହି ପଡିଆ ଏକ ସାଧାରଣ ପଡିଆ ନୁହେଁ, ଏହା ସହିତ ଯୋଡି ହୋଇ ରହିଛି ଶହେ ବର୍ଷର ଇତିହାସ। ଏହି ୟଙ୍ଗ୍ ଉତ୍କଳ କ୍ଲବ୍ ପଡିଆର ଇତିହାସ ବେଶ ରୋଚକ। ୟଙ୍ଗ୍ ଉତ୍କଳ କ୍ଲବ୍ ପ୍ରଚେଷ୍ଟାରେ ଏହି ପଡିଆର ଏବେ ନବକଳେବର ହୋଇଛି। ଫୁଟ୍ବଲ ପଡିଆ ଏବେ ୟଙ୍ଗ୍ ଉତ୍କଳ ସ୍ପୋର୍ଟସ କମ୍ପଲେକ୍ସରେ ରୂପାନ୍ତରିତ ହୋଇପାରିଛି। ସମଗ୍ର ରାଜ୍ୟରେ ଫୁଟବଲ ଖେଳ ପାଇଁ ଏହି କ୍ଲବର ବେଶ୍ ପ୍ରସିଦ୍ଧି ରହିଛି। ୨୦୨୨, ମେ ମାସ ୧ ତାରିଖରେ ଏହି ସ୍ପୋର୍ଟସ କମ୍ପଲେକ୍ସକୁ କ୍ରୀଡା ସଂଗଠକ ଆଶୀର୍ବାଦ ବେହେରା ଉଦ୍ଘାଟନ କରିଥିଲେ। ତେବେ ଏହି ପଡିଆର ଇତିହାସକୁ ନେଇ କ୍ଲବର ସାଧାରଣ ସଂପାଦକ ପ୍ରଦୀପ କୁମାର ମହାନ୍ତି କିଛି ରୋଚକ ତଥ୍ୟ ଦେଇଛନ୍ତି। ଶ୍ରୀ ମହାନ୍ତି ଉଲ୍ଲେଖ କରିଛନ୍ତି ଯେ ଏହି କ୍ଲବ ବା ପଡିଆର ଜନ୍ମ ଶହେ ବର୍ଷ ପୂର୍ବରୁ ହୋଇଥିଲା। ୧୯୨୩ ମସିହାର କଥା। କଟକ ସଦର ଉପକଣ୍ଠ ଖାନନଗର ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ଟିଏ ନଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପିତା ଜାନକୀ ନାଥ ବୋଷ ଏଠାରେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଚିନ୍ତା କରିଥିଲେ। ଶ୍ରୀ ବୋଷ ତତ୍କାଳୀନ ଜମିଦାର ବିହାରୀଲାଲ ପଣ୍ଡିତଙ୍କୁ ଏ ସଂପର୍କରେ ଜଣାଇଥିଲେ। ଜମିଦାର ମଧ୍ୟ ଶ୍ରୀ ବୋଷଙ୍କ କଥାରେ ରାଜି ହୋଇ ଏକ ଏକର ଜମି ଓ ଦୁଇ ବଖରା ଘର କରି ବିଦ୍ୟାଳୟ ପାଇଁ ଦେଇଥିଲେ। ଜାଗା ଓ ଘର ମିଳିବା ପରେ ପିଲାଙ୍କ ପଢିବା ପାଇଁ ଡେସ୍କ, ବେଞ୍ଚ ନଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏହି ସ୍କୁଲକୁ ଡେସ୍କ୍ ବେଞ୍ଚ୍ ଦେବା ପାଇଁ ବ୍ୟବସ୍ଥା କରିଥିଲେ। ତେବେ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ କିଛି ଯୁବକ ଓଡ଼ିଆ ବଜାରରୁ ଡେସ୍କ୍ ବେଞ୍ଚ ବୋହି ଆଣି ସ୍କୁଲରେ ପହଞ୍ଚାଇ ଥିଲେ। ଡେସ୍କ୍ ବେଞ୍ଚ ବୋହି ଥକା ମାରୁଥିବା ଯୁବକମାନେ ସାମ୍ନାରେ ଥିବା ଏକ ଘାସ ପଡିଆରେ ଫୁଟବ୍ଲ ଖେଳିବା ଆରମ୍ଭ କରିଥିଲେ।
ସେମାନଙ୍କ ମଧ୍ୟରେ ଆଧୁନିକ ୟଙ୍ଗ୍ ଉତ୍କଳ କ୍ଲବର ପ୍ରତିଷ୍ଠାତା ରଘୁନାଥ ରାଉତ (ପୂର୍ବତନ କଟକ ପୌରାଧ୍ୟକ୍ଷ), ଓଡ଼ିଶା ସମବାୟ ଆନ୍ଦୋଳନର ଜନକ ଶୈଲେନ୍ ରାୟ ଓ ବିଜୁ ପଟ୍ଟନାୟକଙ୍କ ବଡଭାଇ ଜର୍ଜ ପଟ୍ଟନାୟକ ମଧ୍ୟ ରହିଥିଲେ। ପରେ ଖାନନଗର ସ୍କୁଲ ଆରମ୍ଭ ହୋଇଥିଲା। ଠିକ୍ ପରେ ପରେ ୧୯୨୪ରେ ୟଙ୍ଗ୍ ଉତ୍କଳ କ୍ଲବ୍ ଆରମ୍ଭ ହୋଇଥିଲା। ଖାନନଗର କିଶୋର, ଯୁବକମାନେ ଏଠାରେ ଫୁଟବଲ ଅଭ୍ୟାସ କରୁଥିଲେ। ତେବେ ଏହା ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଥିବାରୁ ପଡିଆର ନାମ ପଞ୍ଚମୁଖୀ ହନୁମାନ ମନ୍ଦିର ପଡିଆ ରହିଥିଲା। ପଞ୍ଚମୁଖୀ ମହାବୀର କ୍ଲବ୍ ଏହି ପଡିଆର ତତ୍ତ୍ୱାବଧାରକ ଥିଲା। ୧୯୬୪ରେ ଏହି ପଡିଆରେ ନନ୍ଦ କିଶୋର ଫୁଟ୍ବଲ ଟୁର୍ନାମେଣ୍ଟ୍ ଆରମ୍ଭ ହୋଇଥିଲା। ପ୍ରଥମ ବର୍ଷ ସ୍ୱାଧୀନ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏଥିରେ ଅତିଥି ହୋଇ ଆସିଥିଲେ। ପରବର୍ତ୍ତୀ ସମୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିରେନ ମିତ୍ର ଅତିଥି ହୋଇ ଆସିଥିଲେ। ଏହି ଟୁର୍ନାମେଣ୍ଟ୍ରେ ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ଗୋଲକ ସାମଲ ଭାଗ ନେଇ ପ୍ରସିଦ୍ଧି ଅର୍ଜନ କରିଥିଲେ। ପଞ୍ଚମୁଖୀ ମହାବୀର କ୍ଲବ୍ ଭଲ ଖେଳ ପ୍ରଦର୍ଶନ କରୁଥିଲେ ବି ଲିଗ୍ ଖେଳି ପାରିନଥିଲା। ଓଡ଼ିଶା ଫୁଟ୍ବଲ ଆସୋସିଏସନ୍ ସେତେବେଳେ ନୂଆଦଳକୁ ସୁଯୋଗ ଦେଉ ନଥିଲେ। ୧୯୬୫ରେ ଖାନନଗର ଦଳ ୟଙ୍ଗ୍ ଉତ୍କଳ କ୍ଲବ୍ ନାମରେ ଫାଓ ଲିଗରେ ଫୁଟବଲ ଖେଳିବାର ସୁଯୋଗ ପାଇଥିଲା। ରଘୂନାଥ ରାଉତ ଏହାର ପ୍ରତିଷ୍ଠାତା ସଭାପତି ଥିଲେ। ପରେ ୟଙ୍ଗ୍ ଉତ୍କଳ କ୍ଲବ ନାମରେ ପଡିଆଟି ମଧ୍ୟ ନାମିତ ହୋଇଥିଲା। ୨୦୧୨ରେ ପଡିଆର ନବକଳେବର ହୋଇଥିଲା। ଫୁଟବଲ ସହିତ ଅନ୍ୟ ଖେଳ ବି ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ପ୍ରଶିକ୍ଷକ ଜନାର୍ଦ୍ଦନ ଜେନା ଓ ଜ୍ଞାନ ରଂଜନ ଦାସ ଏବେ ଏଠାରେ ଫୁଟ୍ବଲ ପ୍ରଶିକ୍ଷଣ ଦେଉଛନ୍ତି। ୭ରୁ ୧୮ ବର୍ଷ ପିଲାଙ୍କୁ ଫୁଟବଲ ପ୍ରଶିକ୍ଷଣ ଦିଆଯାଉଛି। କ୍ଲବର ସଂପାଦକ ପ୍ରଦୀପ କୁମାର ମହାନ୍ତି ଏହି କ୍ଲବ୍ କିଭଳି ଆଗକୁ ବଢିବ ଉଦ୍ୟମ ଜାରି ରଖିଛନ୍ତି। ଶ୍ରୀ ମହାନ୍ତି ଓ ଅନ୍ୟ ସହଯୋଗୀଙ୍କ ପ୍ରଚେଷ୍ଟାରେ ୟଙ୍ଗ୍ ଉତ୍କଳ ଫୁଟ୍ବଲ ପଡିଆ ଏବେ ୟଙ୍ଗ୍ ଉତ୍କଳ ସ୍ପୋର୍ଟସ କମ୍ପଲେକ୍ସରେ ରୂପାନ୍ତରିତ ହୋଇପାରିଛି। ୟଙ୍ଗ୍ ଉତ୍କଳ ସ୍ପୋର୍ଟସ୍ କମ୍ପଲେକ୍ସ ଗଢ଼ିଥିବା ବ୍ୟକ୍ତିଙ୍କ ମଧ୍ୟରେ କାହ୍ନୁଚରଣ ସାହୁ, ଲକ୍ଷ୍ମୀକାନ୍ତ ବେହେରାଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଛି।
ଶହେବର୍ଷ କ୍ରୀଡ଼ା ଇତିହାସର ସାକ୍ଷୀ “ୟଙ୍ଗ ଉତ୍କଳ କ୍ଲବ” : ଫୁଟ୍ବଲ୍ ପଡ଼ିଆରୁ ସ୍ପୋର୍ଟସ୍ କମ୍ପ୍ଲେକ୍ସ

Share Now: