ଏସ୍‌ସିବିରେ ହେବ ‘ଏଚ୍‌ଏଲ୍‌ଏ’ ମ୍ୟାଚିଂ ଲାବୋରେଟୋରି

ଏସ୍‌ସିବିରେ ହେବ ‘ଏଚ୍‌ଏଲ୍‌ଏ’ ମ୍ୟାଚିଂ ଲାବୋରେଟୋରି

କଟକ: ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ କଟକ ବଡ଼ଡାକ୍ତରଖାନା ସ୍ବତନ୍ତ୍ର ମାଇଲଖୁଣ୍ଟ ହାସଲ କରିବ। ଏବେ କେବଳ କିଡ୍‌ନି ପ୍ରତିରୋପଣ ହେଉଥିବା ବେଳେ ଆଗକୁ ହାର୍ଟ, ଲିଭର, ଫୁସ୍‌ଫୁସ୍‌ ଏସ୍‌ସିବିରେ ପ୍ରତିରୋପଣ ନିମନ୍ତେ ଆବଶ୍ୟକ ଏଚ୍‌ଏଲ୍‌ଏ ମ୍ୟାଚିଂ ବ୍ୟବସ୍ଥା କରିବା ପାଇଁ ଓଏସ୍‌ଏମ୍‌ସିଏଲ୍‌ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସୁଦ୍ଧା କଟକ ବଡ଼ଡାକ୍ତରଖାନାରେ ଯେତିକି ବି ପ୍ରତିରୋପଣ ହୋଇଛି କ୍ରସ୍‌ ମ୍ୟାଚିଂ ବ୍ୟବସ୍ଥା ନଥିବାରୁ ପ୍ରତିରୋପଣ ପାଇଁ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି କର୍ତ୍ତୃପକ୍ଷ। ବିଶ୍ବସ୍ତରୀୟ କଟକ ବଡଡାକ୍ତରଖାନା ସରକାର ତିଆରି କରୁଥିବାବେଳେ ‘ଏଚଏଲ୍‌ଏ’ ମ୍ୟାଚିଂ ଲାବୋରେଟୋରି ଏସ୍‌ସିବିରେ ସ୍ଥାପନ କରିପାରୁନଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଏସ୍‌ସିବି କର୍ତ୍ତୃପକ୍ଷ ମଧ୍ୟ ଏଥିପାଇଁ ବାରମ୍ବାର ଲିଖିତଭାବେ ଜଣାଇବା ପରେ ଏବେ ଏହା ଟେଣ୍ଡର ପ୍ରକ୍ରିୟାରେ ରହିଥିବା ଏସ୍‌ସିବିର ବରିଷ୍ଠ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଅନ୍ୟପଟେ ଏସ୍‌ସିବିରେ ହାର୍ଟ ଓ ଫୁସ୍‌ଫୁସ୍‌ ପ୍ରତିରୋପଣ ପାଇଁ ମଧ୍ୟ ପାଖାପାଖି ୨କୋଟି ଟଙ୍କାର ଉପକରଣ ଆବଶ୍ୟକତା ଥିବାରୁ ସେଥିପାଇଁ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଓ ଓଏସ୍‌ଏମ୍‌ସିଏଲ୍‌କୁ ଚିଠି ଲେଖିଛନ୍ତି କର୍ତ୍ତୃପକ୍ଷ। ଓଏସ୍‌ଏମ୍‌ସିଏଲ୍‌ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଅପେକ୍ଷାରେ ଏହି ସବୁ ରହିଥିବାରୁ ଏହାକୁ କର୍ତ୍ତୃପକ୍ଷ ଅପେକ୍ଷା କରିଛନ୍ତି। ଏପରିକି ଆଗକୁ ଏହାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ ରହିଥିବା ଜଣାପଡିଛି।
ହ୍ୟୁମାନ ଲ୍ୟୁକୋସାଇଟ ଆଣ୍ଟିଜେନ ତଥା ଏଚ୍‌ଏଲଏ ପ୍ରତ୍ୟେକ ପ୍ରତିରୋପଣ ନିମନ୍ତେ ଏଚଏଲ୍‌ଏ କ୍ରସ୍‌ ମ୍ୟାଚିଂ ନିହାତି ଜରୁରୀ। ଏହା ରକ୍ତ ନମୁନା ମ୍ୟାଚିଂ ଭଳି ସାଧାରଣ ପ୍ରକ୍ରିୟା ନୁହେଁ। ରକ୍ତ କଣିକାରେ ଥିବା ପ୍ରୋଟିନକୁ ଆଣ୍ଟିଜେନ କୁହାଯାଏ। ଏଚ୍‌ଏଲ୍‌ଏ ମ୍ୟାଚିଂରେ ଆଣ୍ଟିଜେନ ମେଳ ଖାଉଛି କି ନାହିଁ ତାହା ପରୀକ୍ଷା କରାଯାଏ। ରୋଗୀ ଏବଂ ଡୋନରଙ୍କର ଏଚ୍‌ଏଲ୍‌ଏ ରିପୋର୍ଟ କ୍ରସ୍‌ ମ୍ୟାଚ୍‌ କରାଯିବାପରେ ପ୍ରତିରୋପଣ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥାଏ। କିଡନି ପ୍ରତିରୋପଣ କ୍ଷେତ୍ରରେ ଏସ୍‌ସିବି ମେଡ଼ିକାଲର ୟୁରୋଲୋଜି ବିଭାଗ ସଫଳପୂର୍ଣ୍ଣ ଭାବେ କାର୍ଯ୍ୟ କରୁଛି। ୬ଟି କାଡାଭେରିକ ପ୍ରତିରୋପଣ ସମେତ ୧୮୦ରୁ ଅଧିକ ସାଧାରଣ କିଡ଼ନି ପ୍ରତିରୋପଣ ଏଠାରେ ହୋଇ ସାରିଲାଣି। ଗତ ୧୨ବର୍ଷ ହେବ ଏସ୍‌ସିବିରେ ପ୍ରତିରୋପଣ ହେଉଛି। ହେଲେ ଏଚ୍‌ଏଲ୍‌ଏ ମ୍ୟାଚିଂ ନିମନ୍ତେ କିଛି ନିର୍ଦ୍ଦିଷ୍ଟ ଘରୋଇ ଲାବୋରେଟୋରି ଜରିଆରେ ନମୁନା ରାଜ୍ୟ ବାହାରକୁ ପଠାଯାଉଥିଲା। ଯେଉଁଥିପାଇଁ ଅନେକ ସମୟରେ ଅସନ୍ତୋଷ ଉପୁଜିବା ସହିତ ତା ମଧ୍ୟ ସମୟ ସାପେକ୍ଷ ଥିଲା। ପୂର୍ବରୁ ଏଚ୍‌ଏଲ୍‌ଏ ମ୍ୟାଚିଂ ନିମନ୍ତେ ୫ ରୁ ୬ ଦିନ ଲାଗୁଥିଲା। ଯେଉଁଥି ପାଇଁ ଡାକ୍ତରମାନଙ୍କୁ ପ୍ରତିରୋପଣ ନିମନ୍ତେ ଅପେକ୍ଷା କରିବାକୁ ପଡ଼ୁଥିଲା। ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନମୁନା ପଠାଯାଉଛି। ଏସ୍‌ସିବି ମେଡ଼ିକାଲରେ ଲାବୋରେଟୋରି ଖୋଲିଲେ ୨ ଦିନରେ ମ୍ୟାଚିଂ ହୋଇ ପାରିବ ଓ ଏଥିପାଇଁ ପାଖାପାଖି କୋଟିଏ ଟଙ୍କା ଖର୍ଚ୍ଚ ହେବ। ଏଚ୍‌ଏଲ୍‌ଏ ମ୍ୟାଚିଂ ଲାବୋରେଟୋରି ଖୋଲିବା ନିମନ୍ତେ ବାରମ୍ବାର ଡାକ୍ତରମା‌ନେ ସ୍ବର ଉଠାଇବା ସହ କର୍ତ୍ତୃପକ୍ଷ ମଧ୍ୟ ଅଣ୍ଟା ଭିଡିଥିଲେ। ତେବେ ଏସ୍‌ସିବିରେ ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗରେ ଲାବୋରେଟୋରି ଖୋଲିବା ପାଇଁ ଯୋଜନା କରାଯାଉଥିବାବେଳେ ମେସିନ ଅଣାଯିବା ପାଇଁ ଟେଣ୍ଡର ପ୍ରକ୍ରିୟାରେ ଏହା ରହିଛି। ତେବେ ଆଗକୁ ଏସ୍‌ସିବିରେ ଲିଭର, ହାର୍ଟ, ଫୁସ୍‌ଫୁସ୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅନୁମତି ମିଳି ସାରିଥିବାରୁ ଏହି ଲାବ୍ରୋଟୋରି ପ୍ରତିଷ୍ଠା କରାଗଲେ ପ୍ରତିରୋପଣ କ୍ଷେତ୍ରରେ ଏସ୍‌ସିବିକୁ ଆଉ କ୍ରସ୍‌ ମ୍ୟାଚ୍‌ ପାଇଁ ସମସ୍ୟା ହେବନି।

Share Now:

Kalinga News Beuro

Next Post

‘ବିଜେପି’ ବିଧାୟକଙ୍କୁ ବିହାର ବିଧାନସଭା ବାହାରେ ଫିଙ୍ଗିଦେଲେ ମାର୍ସାଲ୍‌

Wed Apr 5 , 2023
ପାଟନା: ରାମନବମୀ ପରେ ରାଜ୍ୟର କେତେକ ପ୍ରାନ୍ତରେ ଉପୁଜିଥିବା ହିଂସାକାଣ୍ଡ ଉପରେ ଆଲୋଚନା ଚାଲିଥିବା ବେଳେ ବିଭ୍ରାଟ କରିବାରୁ ବିହାର ବିଧାୟକ ତଥା ‘ବିଜେପି’ ନେତା ଜୀବେଶ କୁମାରଙ୍କୁ ଉଠାଇ ନେଇ ବିଧାନସଭା ବାହାରେ ଫିଙ୍ଗି ଦିଆଯାଇଥିବା କେତେକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ବିଧାନସଭା ବାହାରେ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି ୪ଜଣ ମାର୍ସାଲ୍‌ ‘ବିଜେପି’ ବିଧାୟକ କୁମାରଙ୍କୁ ଉଠାଇ ନେଉଥିବା ଦେଖାଯାଉଛି। ସେତେବେଳେ କୁମାର କହୁଛନ୍ତି, ବିରୋଧୀ ନେତାମାନଙ୍କ ସହିତ […]
‘ବିଜେପି’ ବିଧାୟକଙ୍କୁ ଫିଙ୍ଗିଦେଲେ ମାର୍ସାଲ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial