ଭୁଶୁଡ଼ିବ ଆମେରିକା ଅର୍ଥନୀତି : ଶେଷ ହେଲାଣି ପାଣ୍ଠି

ଭୁଶୁଡ଼ିବ ଆମେରିକା ଅର୍ଥନୀତି

ୱାସିଂଟନ: ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପରିଚିତ ଆମେରିକା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସରକାରୀ ପାଣ୍ଠି ସରିବାକୁ ବସିଲାଣି। ନୂଆ ପାଣ୍ଠି ସଂଗ୍ରହ ପାଇଁ ସଂସଦ (କଂଗ୍ରେସ)ର ଅନୁମତି ଦରକାର ଥିବା ବେଳେ ସରକାର ଓ ବିରୋଧୀ ଦଳ ମଧ୍ୟ‌ରେ ବିବାଦ ଯୋଗୁଁ ଏହା ସମ୍ଭବ ହୋଇପାରୁ ନାହିଁ। ଏହାର ଶୀଘ୍ର ସମାଧାନ ନହେଲେ ଆମେରିକାର ଅର୍ଥନୀତି ଭୁଶୁଡ଼ି ପଡ଼ିବାକୁ ବେଶି ସମୟ ଲାଗିବ ନାହିଁ। ଏଭଳି ପରିସ୍ଥିତି ସୃଷ୍ଟି ହେଲେ ସାରା ବିଶ୍ୱର ଅର୍ଥନୀତି ପ୍ରଭାବିତ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆମେରିକାରେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଦେବାଳିଆ ହେବାରେ ଲାଗିଥିବା ବେଳେ ପାଣ୍ଠି ସଙ୍କଟ ପରିସ୍ଥିତିକୁ ଜଟିଳ କରି ପକାଇଛି। ଆମେରିକା ହେଉଛି ବିଶ୍ୱ ଅର୍ଥନୀତିର ମୂଳ କେନ୍ଦ୍ର। ଏହା ଉପରେ ବିଶ୍ୱର ଅଧିକାଂଶ ଦେଶ ଓ ବିଶ୍ୱସ୍ତରୀୟ ସଂସ୍ଥା ନିର୍ଭରଶୀଳ। ଏହା ବିଭିନ୍ନ ଦେଶକୁ ଆର୍ଥିକ ଓ ସାମରିକ ସହାୟତା ପ୍ରଦାନ କରୁଛି। ବିଶ୍ୱବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍), ଜାତିସଂଘ, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଆଦି ଅନେକ ସଂସ୍ଥା ଆମେରିକୀୟ ସହାୟତା ଉପରେ ନିର୍ଭର କରିଥାନ୍ତି। ଯଦି ଆମେରିକାରେ ଆର୍ଥିକ ସଙ୍କଟ ଦେଖାଦେବ, ଏହା ଉପରେ ନିର୍ଭରଶୀଳ ଥିବା ସବୁ ଦେଶ ଓ ସଂଗଠନ ଦୁର୍ବଳ ହେଇପଡ଼ିବ ଯାହା ସାରା ବିଶ୍ୱରେ ଘୋର ଅସ୍ଥିରତା ସୃଷ୍ଟି କରିବ। ଆମେରିକାରୁ ଆର୍ଥିକ ସହାୟତା ପାଉଥିବା ଗରିବ ଦେଶଗୁଡ଼ିକରେ କ୍ଷୁଧା, ଅନାହାର ଓ ଦାରିଦ୍ର୍ୟ ବଢ଼ିଯିବ। ବିଶ୍ୱ ସ୍ତରରେ ଷ୍ଟକ ବଜାର ଭୁଶୁଡ଼ି ପଡ଼ିବ। ବ୍ୟାଙ୍କଗୁଡ଼ିକ ଦୁର୍ବଳ ହୋଇପଡ଼ିବେ। ସମସ୍ୟା ସୃଷ୍ଟି ହୋଇଛି ଖୋଲା ବଜାରରୁ ଋଣ ଉଠାଣକୁ ନେଇ। ବିଭିନ୍ନ ଖର୍ଚ୍ଚ ଲାଗି ସରକାର ଖୋଲା ବଜାରରୁ ଋଣ ଉଠାଇଥାଆନ୍ତି।
ତେବେ ଏହି ଋଣ ଉଠାଣ ପାଇଁ ସୀମା ଧାର୍ଯ୍ୟ ହୋଇଥାଏ। ଅଧିକ ଅର୍ଥ ଦରକାର ପଡ଼ିଲେ ସରକାର ଏହି ଋଣ ସୀମା ବୃଦ୍ଧି କରନ୍ତି। ଏହା ଏକ ନିୟମିତ ଏବଂ ଆଇନଗତ ପ୍ରକ୍ରିୟା। ତେବେ ସୀମା ବୃଦ୍ଧି ଲାଗି ଆମେରିକୀୟ କଂଗ୍ରେସ ବା ସଂସଦର ଅନୁମତି ଦରକାର। ରାଷ୍ଟ୍ରପତି ବାଇଡେନଙ୍କ ଡେମୋକ୍ରାଟିକ ଦଳ ଏଥିପାଇଁ ପ୍ରସ୍ତାବ ଆଗତ କରିଛି। କିନ୍ତୁ ବିରୋଧୀ ରିପବ୍ଲିକାନ ପାର୍ଟି ଏଥିରେ‌ ପ୍ରତିବନ୍ଧକ ହୋଇଛି। ଏହି ପ୍ରସ୍ତାବକୁ ସମର୍ଥନ କରିବା ଲାଗି ସେମାନେ କେତେକ ସର୍ତ୍ତ ଆରୋପ କରିଛନ୍ତି। ଯାହାକୁ ରାଷ୍ଟ୍ରପତି ବାଇଡେନ ଗ୍ରହଣ କରିବାକୁ ନାରାଜ। ରାଷ୍ଟ୍ରପତି ବାଇଡେନ୍‌ ରିପବ୍ଲିକାନ୍ ହାଉସ୍‌ର ବାଚସ୍ପତି କେଭି ମ୍ୟାକ୍‌କାର୍ଥି, ଡେମୋକ୍ରାଟିକ୍ ନେତା ହକିମ୍ ଜେଫ୍ରିଜ୍‌, ସିନେଟ୍‌ର ସଂଖ୍ୟାଗରି‌ଷ୍ଠ ନେତା ଚୁକ୍ ସୁମର ଓ ରିପବ୍ଲିକାନ୍ ନେତା ମିଚ୍‌ ମ୍ୟାକୋନେଲ୍‌ଙ୍କୁ ଡାକି ଆ‌ଲୋଚନା କରିଛନ୍ତି। ରିପବ୍ଲିକାନ୍ ସର୍ତ୍ତ ରଖିଛନ୍ତି ଯେ ଗରିବମାନଙ୍କ କଲ୍ୟାଣ ପାଇଁ ଯେଉଁସବୁ ସ୍କିମ୍ ରହିଛି ସେଥିରେ ଖର୍ଚ୍ଚକାଟ୍ କରାଯାଉ। କିନ୍ତୁ ଏହି ସର୍ତ୍ତ ଗ୍ରହଣୀୟ ନୁହେଁ ବୋଲି ବାଇଡେନ ରୋକଠୋକ୍ ଶୁଣାଇ ଦେଇଛନ୍ତି। ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଥିବାରୁ ଏହାର ସମାଧାନ ବାଟ ବାହାରି ପାରୁନି। ବର୍ତ୍ତମାନ ସରକାରଙ୍କ ପାଖରେ ଯେତିକି ନଗଦ ରହିଛି ତାହା ଧୀରେ ଧୀରେ ଶେଷ ହେବାରେ ଲାଗିଛି।
ଋଣ ସୀମାକୁ ବଢ଼ାଇବାରେ ସରକାର ଅସମର୍ଥ ହେଲେ ଆମେରିକା ପାଖରେ ଥିବା ସବୁ ନଗଦ ଅର୍ଥ ଜୁନ୍ ୧ ସୁଦ୍ଧା ଶେଷ ହୋଇଯିବ। ସରକାର ଆଉ କୌଣସି ଦେୟ ଦେଇପାରିବେ ନାହିଁ ବୋଲି ଆମେରିକାର ଟ୍ରେଜେରି ସଚିବ ଜାନେଟ୍‌ ୟାଲେନ୍ କହିଛନ୍ତି। ସେ କଂଗ୍ରେସକୁ ଏକ ଚିଠି ଲେଖି ସ୍ଥିତିର ଗମ୍ଭୀରତା ବିଷୟରେ ଜଣାଇଛନ୍ତି। ଆମେରିକା ଋଣ ଖିଲାପ କରିବାର ଏକ ସମ୍ଭାବ୍ୟ ତାରିଖକୁ ଯଦିଓ ୟାଲେନ୍‌ ଜଣାଇଛନ୍ତି, କିନ୍ତୁ ତା’ପୂର୍ବରୁ ଯେକୌଣସି ସମୟରେ ଏହି ସ୍ଥିତି ସୃଷ୍ଟି ହୋଇପାରେ ବୋଲି ସେ ଚେତାଇ ଦେଇଛନ୍ତି। ଏକ ଆକଳନରୁ ଜଣାପଡ଼ିଛି ଯେ ଯଦି ଆମେରିକା ଋଣ ଖିଲାପ କରିବ କିମ୍ବା ନିଜ ଉପରେ ଥିବା ଆର୍ଥିକ ଦାୟିତ୍ବକୁ ନିର୍ବାହ କରିବାରେ ବିଫଳ ହେ‌ବ, ତେବେ ଗୋଟିଏ ଝଟ୍‌କାରେ ୭୦ ଲକ୍ଷ ଚାକିରି ଚାଲିଯିବ। ଆମେରିକାର ଅଭିବୃଦ୍ଧି ହ୍ରାସ ପାଇବ ଯାହା ବିଶ୍ୱ ଅର୍ଥନୀତିକୁ ତଳକୁ ଟାଣିବ।
୨୦୨୧ରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଋଣ ସୀମାକୁ ବଢ଼ାଇବା ଲାଗି ଛକାପଞ୍ଝା ଲାଗି ରହିବାରୁ ଆମେରିକା ଋଣ ଖିଲାପର ଦ୍ୱାରଦେଶରେ ପହଞ୍ଚିଯାଇଥିଲା। ସେହି ବର୍ଷ ଆମେରିକାର ରେଟିଂକୁ ହ୍ରାସ କରାଯାଇଥିଲା। ଏଥର ଏହି ପ୍ରସଙ୍ଗରେ ମୂଲଚାଲ ଆହୁରି ଜଟିଳ ହେବ ବୋଲି ଅନୁମାନ କରାଯାଉଛି। ବିନା କୌଣସି ଆଲୋଚନାରେ ଋଣ ସୀମା ବଢ଼ୁ ବୋଲି ବାଇଡେନ୍ ଚାହୁଛନ୍ତି। କିନ୍ତୁ ରିପବ୍ଲିକାନ୍ ସଦସ୍ୟମାନେ କହିଛନ୍ତି ଯେ ପ୍ରଥମେ ଖର୍ଚ୍ଚ କାଟ କରାଯାଉ, ତା’ପରେ ଋଣ ସୀମା ବଢ଼ିବ। ଯଦି ଉଭୟ ପକ୍ଷରେ ଏଭଳି ମତାନ୍ତର ଲାଗି ରହିବ ତେବେ ଋଣ ସୀମା ବଢ଼ାଇବା କଷ୍ଟକର ହୋଇପଡ଼ିବ। ସୂଚନାଯୋଗ୍ୟ ଯେ ଆମେରିକା ଅର୍ଥନୀତି ଜଟିଳ ସ୍ଥିତି ଦେଇ ଗତି କରୁଛି। ସେଠାରେ ସରକାରଙ୍କ ବ୍ୟୟ ତୁଳନାରେ ଆୟ କମ୍ ରହିଛି। ସେଥିପାଇଁ ବିତ୍ତୀୟ ନିଅଣ୍ଟ ଉଚ୍ଚ ସ୍ତର‌ରେ ରହିଛି। ଆୟ କମ୍ ରହୁଥିବାରୁ ବୈଧାନିକ ଦାଇତ୍ୱଗୁଡ଼ିକୁ ନିର୍ବାହ କରିବା ଲାଗି ଆମେରିକା ସରକାରଙ୍କୁ ଋଣ ଉପରେ ନିର୍ଭରଶୀଳ ରହିବାକୁ ପଡ଼ୁଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଆମେରିକାର ବିତ୍ତୀୟ ନିଅଣ୍ଟ ୩୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ଆଗକୁ ଖର୍ଚ୍ଚ ତୁଲାଇବା ଲାଗି ଆମେରିକାକୁ ୭୨,୬୦୦ କୋଟି ଡଲାର ଋଣ ଦରକାର ଯାହା ଜାନୁଆରିରେ ଦିଆଯାଇଥିବା ପ୍ରସ୍ତାବ ତୁଳନାରେ ୪୪,୯୦୦ କୋଟି ଡଲାର ଅଧିକ।

Share Now:

Kalinga News Beuro

Next Post

୧୦ରେ ଭୁବନେଶ୍ୱର ଆସିବେ ମହାନଦୀ ଟ୍ରିବ୍ୟୁନାଲ୍‌ : ଓଡ଼ିଶା‌କୁ ଦୁଇଟି ପର୍ଯ୍ୟାୟରେ ଗସ୍ତ

Wed May 3 , 2023
ନୂଆଦିଲ୍ଲୀ: ଆସନ୍ତାକାଲି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଛତିଶଗଡ଼ରେ ମହାନଦୀ ଅବବାହିକାର ଦ୍ଵିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ‌ଶେଷ ହେବ। ‌ଏହାପରେ ଟ୍ରିବ୍ୟୁନାଲ ଓଡ଼ିଶାରେ ମହାନଦୀ ଅବବାହିକା ଅଞ୍ଚଳକୁ ଦୁଇଟି ପର୍ଯ୍ୟାୟରେ ଗସ୍ତକରିବେ। କାର୍ଯ୍ୟସୂଚୀ ଅନୁସାରେ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ପାଇଁ ମେ’ ୧୦ରେ ଟ୍ରିବ୍ୟୁନାଲ୍‌ ଟିମ୍‌ ବିମାନ‌ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ। ବିମାନବନ୍ଦରରେ ଟ୍ରିବ୍ୟୁନାଲଙ୍କୁ ସ୍ୱାଗତ କରାଯିବା ସହ ଓଡ଼ିଶା ପକ୍ଷରୁ ଦାବିକୁ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରାଯିବ। […]
ମହାନଦୀ ଟ୍ରିବ୍ୟୁନାଲ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial