ଆଫଗାନ ମାଟିରୁ ତଡାଖାଇଲା ମାର୍କିନ ସେନା: ୨୦ ବର୍ଷ ଯୁଦ୍ଧ ପରେ ହାର ମାନିଲା ଆମେରିକା

ଆମେରିକାର ବିଦାୟ

ପୂର୍ଣ୍ଣ ସ୍ବାଧୀନତା ଘୋଷଣା କଲା ତାଲିବାନ, ବିମାନବନ୍ଦର ରନ୍‌ୱେରେ ଶୀର୍ଷ ତାଲିବାନ ନେତାଙ୍କ ସମାବେଶ

କାବୁଲ: ତାଲିବାନ ସହିତ ଦୀର୍ଘ ୨୦ ବର୍ଷର ଲମ୍ବା ଲଢ଼େଇ ପରେ ଆମେରିକା ଆଫଗାନିସ୍ତାନରୁ ବିଦାୟ ନେଇଛି। ଗୋଟିଏ ପଟେ ଆମେରିକାର ପରାଜୟ ଓ ଅନ୍ୟପଟେ ତାଲିବାନର ବିସ୍ମୟକର ଅଭ୍ୟୁଦୟ ବିଶ୍ବବ୍ୟାପୀ ଆଲୋଡ଼ନ ଆଣିଛି। କାବୁଲ ବିମାନ ବନ୍ଦରକୁ ନିୟନ୍ତ୍ରଣରେ ରଖି ଉଦ୍ଧାର କାର୍ଯ୍ୟ ଚଳାଇଥିବା ଆମେରିକା ଗତରାତିରେ ସବୁ ପ୍ରକ୍ରିୟା ଶେଷ କରି ପ୍ରତ୍ୟାବର୍ତ୍ତନ କରିଛି। କାବୁଲ ଏୟାରପୋର୍ଟ ଆମେରିକା ସେନା ନିୟନ୍ତ୍ରଣରୁ ମୁକ୍ତ ହେବାପରେ ତାଲିବାନ ଆନୁଷ୍ଠାନିକ ଭାବେ ପୂର୍ଣ୍ଣ ସ୍ବାଧୀନତା ଘୋଷଣା କରିଛି। ଗତରାତିରେ ଆମେରିକାର ଶେଷ ସୈନିକଙ୍କ ବିଦାୟ ପରେ ତାଲିବାନମାନେ ବିମାନ ବନ୍ଦରରେ ଉତ୍ସବ ମନାଇଥିଲେ। ଖୁସିରେ ଆତ୍ମହରା ହୋଇ ସେମାନେ ଗୁଳି ଫୁଟାଇବା ସହ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖାଯାଇଥିଲା। ଆଜି ସକାଳେ ତାଲିବାନର ଶୀର୍ଷ ନେତାମାନେ ବିମାନବନ୍ଦର ରନ୍‌ୱେରେ ସମବେତ ହୋଇ ପରସ୍ପରକୁ ବିଜୟ ଅଭିନନ୍ଦନ ଜଣାଇଥିଲେ ଏବଂ ତାଲିବାନୀ ଯୋଦ୍ଧାଙ୍କୁ ଉଦ୍‌ବୋଧନ ଦେଇଥିଲେ। ତାଲିବାନ ପ୍ରବକ୍ତା ସୁହେଲ ସାହିନ ଏକ ବିବୃତି ଜାରି କରି କହିଛନ୍ତି ଯେ ଆମେରିକାର ସମସ୍ତ ସୈନ୍ୟ ଆଫଗାନିସ୍ତାନରୁ ଫେରିଛନ୍ତି ଏବଂ ଆମ ଦେଶକୁ ପୂର୍ଣ୍ଣ ସ୍ବାଧୀନତା ମିଳିଛି। ତାଲିବାନ ସହିତ ହୋଇଥିବା ବୁଝାମଣା ମୁତାବକ ଆମେରିକା ୩୧ ଅଗଷ୍ଟ ସୁଦ୍ଧା କାବୁଲ ଛାଡ଼ିବା ପ୍ରକ୍ରିୟା ଶେଷ କରିଛି। ତେବେ ନିର୍ଦ୍ଧାରିତ ସମୟର ୨୪ ଘଣ୍ଟା ପୂର୍ବରୁ ରାତି ଅଧିଆ ଆଫ୍‌ଗାନ ମାଟିରୁ ଆମେରିକାର ବିଦାୟ ଏହାର ପରାଜୟର ଏକ ନଗ୍ନ ନମୁନା ହୋଇ ରହିଯାଇଛି। ଆମେରିକାର ଶେଷ ଉଡ଼ାଣରେ ବାୟୁସେନାର ୪ଟି ସି-୧୭ ବିମାନ ସାମିଲ ଥିଲା। ଆମେରିକା ସେନାର ମେଜର ଜେନେରାଲ କ୍ରିସ୍‌ ଡୋନାହ୍ୟୁ ଶେଷ ସଦସ୍ୟ ଭାବେ ବିମାନରେ ଚଢ଼ିଥିଲେ । ଆମେରିକାର ଶେଷ ଉଡ଼ାଣ ଆରମ୍ଭ ହେବାମାତ୍ରେ ତାଲିବାନମାନେ ପୂରା ବିମାନବନ୍ଦରରେ ଛାଇ ଯାଇଥିଲେ ଏବଂ ଗୁଳି ଫୁଟାଇ ବିଜୟ ଘୋଷଣା କରିଥିଲେ। ଏହାକୁ ନେଇ କାବୁଲବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ଲୋକଙ୍କୁ ଆଶ୍ବସ୍ତ କରି ତାଲିବାନ ପ୍ରବକ୍ତା ଟ୍ବିଟ୍‌ କରି କହିଥିଲେ ‘କାବୁଲବାସୀ ଗୁଳି ଚାଳନାରେ ଡରନ୍ତୁ ନାହିଁ, ଏହି ଫାଙ୍କା ଗୁଳିଚାଳନା ଖୁସି ଓ ଆନନ୍ଦର ପ୍ରତୀକ। ସ୍ବାଧୀନତା ସଂଗ୍ରାମୀମାନେ ଏବେ ସ୍ବାଧୀନତାର ମଜା ନେଉଛନ୍ତି ବୋଲି ସେ କହିଥିଲେ।
ଆମେରିକା ସେନାର ସଂପୂର୍ଣ୍ଣ ପ୍ରତ୍ୟାହାର ପରେ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିଲେ ଯେ ଏବେ ଆଫଗାନିସ୍ତାନରେ ଆମର ୨୦ ବର୍ଷର ସାମରିକ ଉପସ୍ଥିତିର ପରିସମାପ୍ତି ହୋଇଛି। ଆଫଗାନିସ୍ତାନରୁ ବିପଜ୍ଜନକ ପରିସ୍ଥିତିରେ ବି ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବାରୁ ବାଇଡେନ କମାଣ୍ଡରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ଆମ କାମ ଶେଷ ହୋଇଛି ବୋଲି ବାଇଡେନ କହିଛନ୍ତି। ସୂଚନାଯୋଗ୍ୟ, ପ୍ରତ୍ୟାବର୍ତନର ଶେଷ ପର୍ଯ୍ୟାୟରେ ଆଇଏସ୍‌-କେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ଆମେରିକା ୧୩ ଜଣ ସୈନିକଙ୍କୁ ହରାଇଥିବାରୁ ଏହାକୁ ନେଇ ଦେଶବ୍ୟାପୀ ବାଇଡେନଙ୍କ ବିରୋଧରେ ଅସନ୍ତୋଷ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ହଜାର ହଜାର ଆଫ୍‌ଗାନ ଶରଣାର୍ଥୀଙ୍କୁ ନେଇ ଆମେରିକାର ସୁରକ୍ଷା ସ୍ଥିତି ମଧ୍ୟ ଜଟିଳ ହେବା ଆଶଙ୍କା କରି ରିପବ୍ଲିକାନ ସାଂସଦମାନେ ବାଇଡେନ୍‌ ପ୍ରଶାସନର ନୀତିକୁ କଡ଼ା ସମାଲୋଚନା କରିଛନ୍ତି।

Share Now:

Kalinga News Beuro

Next Post

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ: ଜଗିବେ ୩୫ ପ୍ଲାଟୁନ୍ ଫୋର୍ସ, ୧୫୦ ଅଫିସର

Wed Sep 1 , 2021
ଭୁବନେଶ୍ବର: ମୌସୁମୀ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା। ଏପରିକି ବିଧାନସଭା ଚାରିକଡ଼ ରାସ୍ତାକୁ ନୋ ମ୍ୟାନ୍‌ସ ଲ୍ୟାଣ୍ଡ ଏରିଆ ଭାବେ ଘୋଷଣା କରାଯାଇଛି। ବିଧାନସଭା ଭିତର, ଧାରଣାସ୍ଥଳ ଓ ଚତୁଃପାର୍ଶ୍ବ ସୁରକ୍ଷା ଦାୟିତ୍ବରେ ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ତା ସାଙ୍ଗକୁ ୧୫୦ ଅଫିସର ନିୟୋଜିତ ରହିବେ। ଆଜି ପୁଲିସ ଡିଜି ଅଭୟ, ପୁଲିସ କମିସନର, ଗୁଇନ୍ଦା ନିର୍ଦ୍ଦେଶକ, ଆଇନଶୃଙ୍ଖଳା ଏଡିଜି, ଡିସିପି ଓ […]
ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial