କେବଳ ବିଲ୍ଡରଙ୍କୁ ପ୍ଲାନ୍‌ ଦେଉଛି ବିଏମ୍‌ସି

କେବଳ ବିଲ୍ଡରଙ୍କୁ ପ୍ଲାନ୍‌ ଦେଉଛି ବିଏମ୍‌ସି

ଭୁବନେଶ୍ୱର: ଘର ନିର୍ମାଣ ପାଇଁ ସ୍ୱୀକୃତି ଦେଉଥିବା ବିଏମ୍‌ସିର ପ୍ଲାନିଂ ସେକ୍ସନ ଭୁଶୁଡ଼ି ପଡ଼ିଛି। ୩ ଜଣ ଏଟିପି(ଆସିଷ୍ଟାଣ୍ଟ ଟାଉନ ପ୍ଲାନର) ବିଏମ୍‌ସିରେ ଏହି ପ୍ଲାନ୍‌ ମଞ୍ଜୁର କାମରେ ରହିଛନ୍ତି। ତିନିମହଲା କୋଠା(ଜି+୨)ରୁ ଅଧିକ ନିର୍ମାଣକୁ ସ୍ୱୀକୃତି ଦେବା ପାଇଁ ଏମାନଙ୍କ ପାଖରେ କ୍ଷମତା ରହିଛି। ତିନି ମହଲାରୁ କମ୍‌ ଉଚ୍ଚାର କୋଠା ନିର୍ମାଣ ପାଇଁ ପ୍ଲାନ୍‌ମଞ୍ଜୁର କରିବାକୁ ଏମାନଙ୍କ ପାଖରେ କ୍ଷମତା ନାହିଁ। ଏଥିପାଇଁ ‘ପ୍ଲାନିଂ ଆସିଷ୍ଟାଣ୍ଟ’ଙ୍କୁ କ୍ଷମତାସୀନ କରାଯାଇଛି। କିନ୍ତୁ ଏହି ପଦ ମଧ୍ୟ ଦୀର୍ଘ ଦିନ ହେବ ଖାଲି ପଡ଼ିଛି। ଏହି କ୍ଷମତା ବ୍ୟବହାର କରିବା ପାଇଁ ବିଏମ୍‌ସି କାହାକୁ ‘ଅଥରାଇଜ୍‌ଡ୍‌ ଅଫିସର’ ମଧ୍ୟ କରିନାହିଁ। ଫଳରେ ୩ ମହଲା ବିଶିଷ୍ଟ କୋଠା(ଜି+୨) ନିର୍ମାଣ ପାଇଁ ଅନୁମତି ଦିଆଯାଇ ପାରୁ ନାହିଁ। କାରଣ ବିଏମ୍‌ସିରେ ଥିବା ତିନିଜଣ ଏଟିପି କେବଳ ୩ ମହଲାରୁ ଅଧିକ କୋଠାର ନିର୍ମାଣ ସ୍ୱୀକୃତି ଦେବାକୁ କ୍ଷମତାସୀନ ଅଛନ୍ତି। ଫଳରେ ଜି+୨ କୋଠା ନିର୍ମାଣ ପାଇଁ ପ୍ଲାନ୍‌ ନେବାକୁ ଚାହୁଥିବା ଲୋକ ହତାଶ ହେଉଛନ୍ତି। ପ୍ଲାନ୍‌ ନେଇ ପାରୁ ନାହାନ୍ତି। ଏଣୁ ବିଏମ୍‌ସିରେ କେବଳ ଜି+୨ ବିଶିଷ୍ଟ କୋଠା ନିର୍ମାଣ ପାଇଁ ୨ ହଜାରରୁ ଉର୍ଦ୍ଧ୍ୱ ଆବେଦନ ଗଦା ହୋଇଛି। ଜି+୨ କୋଠା ସାଧାରଣ ଲୋକ ନିର୍ମାଣ କରୁଥିବାରୁ କେବଳ ସାଧାରଣ ଲୋକ ହିଁ ଏଥିରେ ହଇରାଣ ହେଉଛନ୍ତି। ବିଏମ୍‌ସି କେବଳ ବିଲ୍ଡର୍‌ଙ୍କ ପାଇଁ କାମ କରୁଥିବା ଏଥିରୁ ଅନୁମେୟ ହେଉଛି। ତେବେ କେବଳ ଏତିକି ନୁହେଁ, ବରଂ ଗତ ଏପ୍ରିଲ ୩୦ ତାରିଖରେ ଲିଙ୍ଗରାଜ ପ୍ରସାଦ ପଟ୍ଟନାୟକ ଅବସର ନେବା ପରେ ‘ସିଟି ପ୍ଲାନର’ ପଦ ଖାଲି ପଡ଼ିଛି। ଜି+୨ କୋଠାର ପ୍ଲାନ୍‌ ସିଟି ପ୍ଲାନର ଅନୁମୋଦନ କରିପାରୁଥିଲେ। କିନ୍ତୁ ଏହି ପଦ ଖାଲିପଡ଼ିବା ପରେ ଏହା ଆଉ ସମ୍ଭବ ହେଉ ନାହିଁ। ଯେତିକି ଆବେଦନ ଆସୁଛି ତାହା କେବଳ ବିଏମ୍‌ସି ପ୍ଲାନିଂ ସେକ୍ସନ ଚଟାଣରେ ଗଦା ହେଉଛି। ଠିକ୍‌ ସେହିଭଳି ବହୁ ଦିନ ହେବ ଜେଟିପି(କନିଷ୍ଠ ଟାଉନ ପ୍ଲାନର) ମଧ୍ୟ କେହି ନାହାନ୍ତି। ପୂର୍ବରୁ ଯେତେବେଳେ ବିଏମ୍‌ସି ଅଞ୍ଚଳରେ ବିଡିଏ ପ୍ଲାନ୍‌ ମଞ୍ଜୁର କରୁଥିଲା ସେତେବେଳେ ଏଟିପି, ଜେଟିପି ଓ ‘ଅଥରାଇଜ୍‌ଡ୍‌ ଅଫିସର’ ଯଥେଷ୍ଟ ପରିମାଣରେ ରହୁଥିଲେ। ଫଳରେ ପ୍ଲାନ୍‌ ମଞ୍ଜୁରିରେ ସମସ୍ୟା ହେଉନଥିଲା। କିନ୍ତୁ ବିଏମ୍‌ସି ପ୍ଲାନ୍‌ ମଞ୍ଜୁରି ପାଇଁ କ୍ଷମତାପ୍ରାପ୍ତ ହେବା ପରେ ସମସ୍ୟା ସମାଧାନ ହୋଇ ପାରୁନାହିଁ। ଏହି ସମସ୍ୟା ଏବେ ବେଆଇନ ନିର୍ମାଣକୁ ପ୍ରୋତ୍ସାହନ ଦେଉଛି। ଘର ତିଆରି ନିହାତି ଆବଶ୍ୟକ ଥିବାରୁ ଅନେକ ବିନା ପ୍ଲାନ୍‌ରେ ଘର ତିଆରି କରିବାକୁ ବାଧ୍ୟ ହେଉଛନ୍ତି।
ବିଏମ୍‌ସିର ବିନା ଏନ୍‌ଓସିରେ ଘର ତିଆରି କରି ସାଧାରଣ ଲୋକ ଫସୁଛନ୍ତି। ଏଣେ ବିନା ଏନ୍‌ଓସିରେ ଘର ହେଉଥିବାରୁ ଆପତ୍ତି ଉଠାଇଛି ପ୍ଲାନିଂ ଆଣ୍ଡ ଡେଭଲପ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟି। ବିନା ଏନ୍‌ଓସି ବା ପ୍ଲାନ୍‌ ବିନା ଘର ହେଉଥିବାରୁ ପରବର୍ତ୍ତୀ ସମୟରେ ଉପୁଜୁଥିବା ସମସ୍ୟା ପାଇଁ ବିଏମ୍‌ସି ବଦନାମ ହେଉଛି। ସେଠାରେ ଆବଶ୍ୟକ ହେଉଥିବା ମୌଳିକ ସୁବିଧା ପହଞ୍ଚାଇବା ପାଇଁ ଖର୍ଚ୍ଚାନ୍ତ ହେଉଛି। ବିଏମ୍‌ସି ଅଞ୍ଚଳରେ ପଶି ବିଡିଏ ପ୍ଲାନ୍‌ ଦେଇ ଦେଉଛି। ଏଣୁ ଯେବେଠାରୁ ବିଡିଏ ହାତରୁ ବିଏମ୍‌ସିକୁ ପ୍ଲାନ୍‌ ମଞ୍ଜୁର କ୍ଷମତା ଆସିଛି ସେହି ଦିନ ଠାରୁ ପଡ଼ି ରହିଥିବା ପ୍ଲାନ୍‌ ମଞ୍ଜୁରୀ ଆବେଦନ ବିଡିଏ ବିଏମ୍‌ସିକୁ ଫେରାଇ ଦେଉ ବୋଲି ଦାବି କରିଛି। ଏ ବାବଦରେ ଯଥେଷ୍ଟ ସଚେତନତା ସୃଷ୍ଟି କଲେ ଲୋକମାନେ ଅଯଥାରେ ବିଡିଏକୁ ଦଉଡ଼ିବେ ନାହିଁ ବୋଲି କମିଟି ମେୟରଙ୍କୁ ସୁପାରିସ କରିଛି। କିନ୍ତୁ ବିଏମ୍‌ସିର ପ୍ଲାନିଂ ସେକ୍ସନରେ ସ୍ଥିତି ବଡ଼ ବିଚିତ୍ର ରହିଛି। ପୂର୍ବରୁ ଆବେଦନକାରୀ ହତାଶ ହୋଇ ରହିଥିବା ବେ‌ଳେ କମିଟିର ସୁପାରିସ ମୁତାବକ ବାକି ଆବେଦନ ସବୁକୁ ବିଡିଏ ଫେରାଇଦେଲେ ବିଏମ୍‌ସିରେ କିଭଳି ସ୍ଥିତି ଉପୁଜିବ ତାହା ନ କହିବା ଭଲ। ତେବେ ସମସ୍ୟା କେବଳ ଏତିକିରେ ସୀମିତ ନାହିଁ। ଘର ପ୍ଲାନ୍‌ପାଇଁ ଆବେଦନ ବ୍ୟବସ୍ଥା କେବଳ ଅନ୍‌ଲାଇନ୍‌ରେ ହେବା ପରେ ଭୟଙ୍କର ସମସ୍ୟାରେ ଲୋକେ ଛନ୍ଦି ହୋଇଛନ୍ତି। ୨୦୧୪ ମସିହାରୁ ଏହି ପ୍ଲାନିଂ ମଞ୍ଜୁରୀ ବ୍ୟବସ୍ଥା ବିଡିଏ ଠାରୁ ବିଏମ୍‌ସି ହାତକୁ ଆସିଲା। ପ୍ରଥମେ ‘ସଫ୍ଟଟେକ୍‌’ ନାମକ ଏକ ସଂସ୍ଥା ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା ପ୍ରସ୍ତୁତ କରିଥିଲା। କିନ୍ତୁ ଏଥିରେ ଯାବତୀୟ ତ୍ରୁଟି ଥିବାରୁ ଚାଲିବାର ବର୍ଷେ ପରେ ଏହା ବନ୍ଦ ହୋଇଗଲା। ଏହା ପରେ ୨୦୧୫ ମସିହାରୁ ଭିଏଫ୍‌ଏସ୍‌ ନାମକ ସଂସ୍ଥା ଏହାର ପରିଚାଳନା କଲା। ଏଥିରେ ତ୍ରୁଟି ରହିବାରୁ ଏହାକୁ ଦୁଇ ବର୍ଷ ପରେ ଏହାକୁ ବନ୍ଦ କରିଦିଆଗଲା। ଅର୍ଥାତ୍‌ ୨୦୧୭ରୁ ଏହା ମାନୁଆଲ ଚାଲିଲା। ୨୦୧୯ରେ ‘ବି-ପାସ୍‌’ ସଫ୍ଟୱେର ବ୍ୟବସ୍ଥା ହେଲା। ଏହି ସଫ୍ଟୱେର ଜରିଆରେ ଲୋକେ ଘର ନିର୍ମାଣ ପ୍ଲାନ୍‌ ମଞ୍ଜୁରି ପାଇଁ ଆବେଦନ କଲେ। ଏହା ତିନିବର୍ଷ ଚାଲିବା ପରେ ବନ୍ଦ ହୋଇଗଲା। ୨୦୨୨ ଜାନୁଆରି ମାସରୁ ‘ସୁଯୋଗ’ ଜରିଆରେ ଆବେଦନ ହେଉଛି। ମରାମତି ନାଁରେ ଏହି ସୁଯୋଗ ୫ ଥର ବନ୍ଦ ହେଲାଣି। ଏଥିରେ ବି ତ୍ରୁଟି ରହିଛି। ପ୍ଲାନ୍‌ ସଂଶୋଧନ ପାଇଁ ଆବେଦନ କଲେ ଏଥିରେ ସମ୍ଭବ ହେଉ ନାହିଁ। ତେବେ ଆବେଦନକାରୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ବିଏମ୍‌ସି ଏଥିରେ ବୁଝାମଣା କରିଛି।

Share Now:

Kalinga News Beuro

Next Post

ନିର୍ବାଚନ ଜିତିବା ପରେ ମଧ୍ୟ ଭେଁ ଭେଁ ହୋଇ କାନ୍ଦିଲେ ସପା ପ୍ରାର୍ଥୀ

Sat May 13 , 2023
କାନପୁର: ଉତ୍ତରପ୍ରଦେଶ କାନପୁରର ବେଗମପୁରୱାରୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅକିଲ ସାନୁ ଜିତିବା ପରେ ଭେଁଭେଁ ହୋଇ କାନ୍ଦୁଛନ୍ତି। ନଗର ନିଗମ ନିର୍ବାଚନ ଜିତିବା ପରେ ଅକିଲ କହିଛନ୍ତି ଯେ ସେ ଗତ ୧୫ବର୍ଷ ଧରି ଜିତିବାକୁ ଚେଷ୍ଟା ଜାରି ରଖିଥିଲେ, କିନ୍ତୁ ସେ ସଫଳତା ଏବେ ପାଇଛନ୍ତି। ଏହି ଖୁସିର ମୁହୂର୍ତ୍ତରେ ସେ ନିଜକୁ ରୋକି ପାରି ନଥିଲେ। ତାଙ୍କର ଆନନ୍ଦାଶ୍ରୁ ବୋହି ଯାଇଥିଲା।ସୂଚନାନୁଯାୟୀ, ଅକିଲ ସାନୁ ବେଗମପୁରୱାରୁ […]
ଜିତିବା ପରେ ଭେଁ ଭେଁ ହୋଇ କାନ୍ଦିଲେ ସପା ପ୍ରାର୍ଥୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial