ମଞ୍ଜୁର ଅପେକ୍ଷାରେ ରାଜସ୍ୱ ଭବନ ଫାଇଲ୍‌

ମଞ୍ଜୁର ଅପେକ୍ଷାରେ ରାଜସ୍ବ ଭବନ ଫାଇଲ୍‌

ଭୁବନେଶ୍ୱର: ରାଜସ୍ୱ ବିଭାଗର ଗୋଟିଏ ଅଫିସ୍‌ରୁ ଅନ୍ୟ ଅଫିସ୍‌କୁ ଆଉ ଦୌଡ଼ିବାକୁ ପଡ଼ିବ ନାହିଁ। ଗୋଟିଏ ଛାତ ତଳେ ସମସ୍ତ ରାଜସ୍ୱ ସେବା ପ୍ରଦାନ କରାଯିବ। ଏଭଳି ଲକ୍ଷ୍ୟ ନେଇ ‘ରାଜସ୍ୱ ଭବନ’ର ପରିକଳ୍ପନା କରାଯାଇଥିଲା। ବିଜେବିନଗରରେ ସଂସ୍କୃତି ଭବନକୁ ଲାଗି ଏହି ଭବନ ନିର୍ମାଣ କରିବାକୁ ଗତବର୍ଷ ଅଗଷ୍ଟରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ବର୍ଷେ ପୂରିବାକୁ ବସିଥିବା ବେଳେ ଏହାର ନିର୍ମାଣ ପାଇଁ ବାଟ ଫିଟିଛି। ଏଠାରେ ଥିବା ବସ୍ତିକୁ ଥଇଥାନ କରିବା ପାଇଁ ବିଏମ୍‌ସି ତତ୍ପର ହୋଇଛି। ରାଜସ୍ୱ ଭବନ ଜାଗାରେ ବର୍ଷ ବର୍ଷ ଧରି ରହୁଥିବା ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ଯୋଜନା ହୋଇଛି। ଏଥିପାଇଁ ବସ୍ତିରେ ହୋଇଥିବା ସର୍ଭେରେ ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ କରାଯାଇଛି। ବିଜୟଲକ୍ଷ୍ମୀ ବସ୍ତି ସହ ଲେବର କଲୋନି ବସ୍ତି, କଳ୍ପନା ପାଣିଟାଙ୍କି ବସ୍ତି ଓ କଳ୍ପନା ମେଡିକାଲ ସାହି ବସ୍ତିର ୬୧୪ ଜଣଙ୍କୁ ରାଜୀବ ଆବାସ ଯୋଜନା (ଆରଏୱାଇ) ଓ ଜାଗା ମିସନରେ ତାଲିକା ପରିସରଭୁକ୍ତ ଥିବା ୭୫୮ ହିତାଧିକାରୀଙ୍କୁ ‘ଆଫଡେବୁଲ ହାଉସିଂ ପ୍ରୋଜେକ୍ଟ’ରେ ଘର ମିଳିବ ବୋଲି ସୂଚନା ମିଳିଛି। ଏ ନେଇ ଜାଗା ଚିହ୍ନଟ କରିବାକୁ ଲ୍ୟାଣ୍ଡ ବିଭାଗକୁ ଚିଠି କରାଯାଇଛି। କିଛି ଦିନ ପୂର୍ବରୁ ବସ୍ତିବାସିନ୍ଦାଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ଅନ୍ୟପଟେ ଏହି ଜାଗାରେ ସାଧାରଣ ପ୍ରଶାସନ ବିଭାଗର ଥିବା ୩୦ଟି କ୍ବାର୍ଟର୍ସ ରହିଛି। ଏଥିରୁ ୨୩ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଅନ୍ୟ ୭ଟି କ୍ବାର୍ଟର୍ସକୁ ଖୁବ୍‌ଶୀଘ୍ର ଖାଲି କରାଯିବ। ସବୁ ଖାଲି ହେବା ପରେ ଭଙ୍ଗାଯିବ। ଏହାକୁ ଭାଙ୍ଗିବା ପାଇଁ ଖର୍ଚ୍ଚ ଅଟକଳ କରାଯାଇ ଆର୍ଥିକ ମଞ୍ଜୁରି ପାଇଁ ଦିଆଯାଇଛି। କିଛି ଦିନ ମଧ୍ୟରେ ଏହାକୁ ଭଙ୍ଗାଯିବ। ଏହାର ନିର୍ମାଣ ପାଇଁ ପ୍ଲାନ୍‌ ଓ ଅଟକଳ ପ୍ରସ୍ତୁତ ହୋଇସାରିଛି। ରାଜସ୍ୱ ଭବନ ନିର୍ମାଣକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ରାଜସ୍ୱ ଭବନ ନିର୍ମାଣ ହେବ। ପରବର୍ତ୍ତୀ ସମୟରେ ବାକି କାମ କରାଯିବ।
ଉଲ୍ଲେଖଯୋଗ୍ୟ, ଗତ ୨୦୨୨ ମସିହା ଜୁଲାଇ ମାସରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ନେଇ ବୈଠକ ବସିଥିଲା। ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗର ୪.୯୩୩ ଏକର ଜମି ମଧ୍ୟ ରାଜସ୍ୱ ବିଭାଗ ନାମରେ କରାଯାଇଥିଲା। ଏହି ଜମିରେ ଥିବା ୪ଟି ବସ୍ତିକୁ ଥଇଥାନ ପରେ ଉଚ୍ଛେଦ ଓ ୩୦ଟି ସରକାରୀ କ୍ବାର୍ଟର୍ସ ଭାଙ୍ଗିବା ଯୋଜନା ଥିଲା। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶରେ ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି) ପ୍ଲାନ୍‌ ଓ ଅଟକଳ କରିବା ପରେ କାମ ଆରମ୍ଭ ହେବାକୁ ଥିଲା। ହେଲେ ଘୋଷଣାକୁ ବର୍ଷେ ପୂରିବାକୁ ବସିଥିଲେ ମଧ୍ୟ ପ୍ରକଳ୍ପ‌ରେ ସେଭଳି କିଛି ଅଗ୍ରଗତି ହୋଇପାରିନଥିଲା। କେବଳ ପ୍ଲାନ୍‌ ଓ ଅଟକଳ ପ୍ରସ୍ତୁତ ହୋଇ ଫାଇଲ ସରକାରଙ୍କ ନିକଟରେ ଚୂଡ଼ାନ୍ତ ମଞ୍ଜୁର ପାଇଁ ପଡ଼ି ରହିଥିଲା। ତେବେ ବିଏମ୍‌ସିକୁ ଆଦେଶ ଆସିବା ପରେ ବିଏମ୍‌ସି ତତ୍ପର ହେବା ସହ ବସ୍ତି ସର୍ଭେ କରି ଥଇଥାନ ଯୋଜନା ପ୍ରସ୍ତୁତ କରିଛି।
ଯୋଜନା ମୁତାବକ, ୮୭୨୩ ବର୍ଗଫୁଟ୍‌ ଜମିରେ ଛିଡ଼ା ହେବ ରାଜସ୍ୱ ଭବନ। ଏଥିପାଇଁ ୧୭୫.୯୯ କୋଟି ଟଙ୍କା ଖର୍ଚ୍ଚ କରାଯିବ। ମାଟି ତଳେ ଦୁଇ ମହଲା, ଗ୍ରାଉଣ୍ଡ ଫ୍ଲୋର ସହ ଉପର ୯ଟି ମହଲାକୁ ମିଶାଇ ମୋଟ ୧୨ଟି ମହଲା ହେବ। ଲୋୟର୍‌ ବେସ୍‌ମେଣ୍ଟ ଓ ଅପର୍‌ ବେସ୍‌ମେଣ୍ଟ ୪୪୩୬ ବର୍ଗଫୁଟ୍‌ ଲେଖାଏଁ ରଖାଯାଇଥିବା ବେଳେ ପ୍ରଥମ ମହଲାଠାରୁ ନବମ ମହଲା ଯାଏ ପ୍ରତି ମହଲା ୨୬୪୦ରୁ ଆରମ୍ଭ କରି ୨୮୨୩ ଲେଖାଏଁ ରଖାଯାଇଛି। ମୋଟ ମହଲାକୁ ହିସାବକୁ ନେଲେ ୩୫ ହଜାର ୬୩୧ ବର୍ଗଫୁଟ୍‌ ରହିବ। ଏହି ରାଜସ୍ୱ ଭବନରେ ତହସିଲ ଅଫିସ୍‌-୧ ଓ ୨, ଏଡିଏମ୍‌ ଓ ଜିଲ୍ଲାପାଳଙ୍କ କ୍ୟାମ୍ପ ଅଫିସ, ଉପଜିଲ୍ଲାପାଳ, ସବ୍‌ରେଜିଷ୍ଟ୍ରାର ଅଫିସ, ରାଜସ୍ୱ ପର୍ଷଦ ସଦସ୍ୟଙ୍କ କ୍ୟାମ୍ପ ଅଫିସ୍‌, ରାଜସ୍ୱ ପର୍ଷଦଙ୍କ ୩ଟି ରିଭିଜନାଲ କୋର୍ଟ ଓ ଆରଡିସିଙ୍କ କ୍ୟାମ୍ପ ଅଫିସ୍‌ ରହିବ। ଏଥିରେ ଯିବା ଆସିବା ପାଇଁ ୧୩ଟି ଓ ଜିନିଷପତ୍ର ନେବା ଆଣିବା ପାଇଁ ୩ଟି ଏଭଳି ୧୬ଟି ଲିଫ୍ଟ ରହିବ। ନବମ ମହଲାରେ କନଫରେନ୍ସ ହଲ୍‌ ଓ ପାଠାଗାର ରହିବ। ଲୋକଙ୍କ ସୁବିଧା ପାଇଁ ପ୍ରତୀକ୍ଷା ଗୃହ ସହ ଆନୁସଙ୍ଗିକ ବ୍ୟବସ୍ଥା କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ବସ୍ତି, ଖେଳ ପଡ଼ିଆ ଥିବା ସ୍ଥାନରେ କ୍ବାର୍ଟର୍ସ, ପାର୍କିଂ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର ପାଇଁ ରଖାଯିବ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ଓଡ଼ିଶା ପାଇଁ ଆଉ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ ଦାବି କଲେ ମୁଖ୍ୟମନ୍ତ୍ରୀ

Thu May 18 , 2023
ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ କଟକ ଓ ପୁରୀ ରେଳ ଷ୍ଟେସନର ପୁନଃ ବିକାଶ ସହ ଅନ୍ୟ କେତେକ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଓଡ଼ିଶାରେ ରେଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବା ଯୋଗୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଥିଲେ। ଏହାଛଡ଼ା କଟକ ଓ ପୁରୀ ରେଳ ଷ୍ଟେସନର ପୁନଃ […]
ବନ୍ଦେ ଭାରତ ଏକ୍ସପ୍ରେସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial