ସମ୍ବାଦ ଭବନରେ ‘ବେଦ ସନ୍ଦେଶ’ ଉନ୍ମୋଚିତ

‘ବେଦ ସନ୍ଦେଶ’ ଉନ୍ମୋଚିତ

ପ୍ରାଚୀନ ଶାସ୍ତ୍ରକୁ ସରଳ ଓଡ଼ିଆରେ ଉପସ୍ଥାପିତ କରୁଥିବା ଲେଖକମାନେ ନମସ୍ୟ: ସୌମ୍ୟରଂଜନ ପଟ୍ଟନାୟକ

ଭୁବନେଶ୍ୱର: ସଂସ୍କୃତ ସାଧାରଣ ଲୋକଙ୍କ ଭାଷା ହୋଇନଥିବାରୁ ଆମେ ଶହଶହ ବର୍ଷ ଧରି ଆମ ଭାରତୀୟ ମୂଲ୍ୟବାନ ଶାସ୍ତ୍ରଗୁଡ଼ିକର ପ୍ରକୃତ ତତ୍ତ୍ୱଠାରୁ ଦୂରେଇ ଯାଇଛୁ। କାରଣ ପ୍ରାଚୀନ ଶାସ୍ତ୍ରଗୁଡ଼ିକ ସଂସ୍କୃତ ଭାଷାରେ ହିଁ ରଚିତ। ଯଦି ସଂସ୍କୃତ ଆଜି ସାଧାରଣ ଲୋକର ଭାଷା ହୋଇ ରହିଥା’ନ୍ତା, ଭାରତବର୍ଷ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟା ହୁଏତ ନ ଥା’ନ୍ତା। ଅବା ସେସବୁ ସମାଧାନ ହୋଇଯାଇଥା’ନ୍ତା। ତେଣୁ ଯେଉଁମାନେ ଏଭଳି ସଂସ୍କୃତ ଭାଷାରେ ଲିଖିତ ପୁସ୍ତକ ସବୁକୁ ପୁଣି ଓଡ଼ିଆରେ ରଚନା କରି ସା‌ଧାରଣ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି, ସେମାନେ ଆମ ସମସ୍ତଙ୍କର ନମସ୍ୟ। ଆମେ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଉଚିତ। ଆଜି ‘ସମ୍ବାଦ’ ଭବନ ପରିସରରେ ଶନ୍ନୋଦେବୀଙ୍କ ରଚିତ ପୁସ୍ତକ ‘ବେଦ ‌ସନ୍ଦେଶ’ ଉନ୍ମୋଚନ ଅବସରରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏଭଳି ମତପୋଷଣ କରିଛନ୍ତି।
କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ପଣ୍ଡିତ ପ୍ରବୋଧ ମିଶ୍ର କହିଲେ ଯେ ଶନ୍ନୋଦେବୀ ଦୀର୍ଘ ୬୦ ବର୍ଷ ଧରି ବେଦ ସହ ଜଡ଼ିତ ହୋଇରହିଛନ୍ତି। ନିଜ ଦୈନନ୍ଦିନ ଜୀବନରେ ବୈଦିକ ଶୃଙ୍ଖଳା ଅନୁସାରେ ପ୍ରାତଃସ୍ନାନ, ଭଜନ, ଯଜ୍ଞବିଧି ଆଦି ଅନେକ କାମ କରିଆସୁଛନ୍ତି। ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ ଯେ ବେଦରେ ବହୁତ ଭଲ କଥା ଲେଖାଯାଇଛି। କିନ୍ତୁ ବେଦ ଏବଂ ଆଜିର ସାଧାରଣ ଜୀବନ ରେଳଧାରଣାର ଦୁଇ ସମାନ୍ତର ଧାରଣା ପରି ବହୁ ଦୂର ପର୍ଯ୍ୟନ୍ତ ଲମ୍ବିଛି। ଏବେ ବି ଆମ ସମାଜରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ଭରିରହିଛି। ଏହି ପରି‌ପ୍ରେକ୍ଷୀରେ ଏଭଳି ବହିର ପ୍ରକାଶନ, ଆଲୋଚନା ଓ ଚର୍ଚ୍ଚା ଲୋକମାନଙ୍କୁ ସଚେତନ କରିବ। ଅନ୍ୟତମ ଅତିଥି ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ହରେକୃଷ୍ଣ ଶତପଥୀ କହିଲେ ଯେ ନାରୀ ସଶକ୍ତୀକରଣର ଉଦାହରଣ ହେଉଛନ୍ତି ‌ଶନ୍ନୋଦେବୀ। ବେଦକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ତାଙ୍କ କାର୍ଯ୍ୟ ପ୍ରଶଂସନୀୟ। ‘ପୌରୁଷ’ର ସମ୍ପାଦକ ଅସିତ୍‌ ମହାନ୍ତି ବେଦରେ ନାରୀଙ୍କର ଭୂମିକାକୁ ନେଇ ଶନ୍ନୋଦେବୀଙ୍କ ଲେଖା ଉପରେ ଆଲୋକପାତ କରିଥିଲେ। ଏହି ପୁସ୍ତକରେ ସ୍ଥାନିତ ବିଷୟବସ୍ତୁ ମଣିଷକୁ ଉତ୍ତମ ମାର୍ଗଦର୍ଶନ କରାଇବ ବୋଲି ସେ କହିଥିଲେ। ଲେଖିକା ଶନ୍ନୋଦେବୀ ପୁସ୍ତକ ବିଷୟରେ ନିଜର ଲେଖକୀୟ ମତ ପ୍ରଦାନ କରିଥିଲେ। ଲେଖିକାଙ୍କ ସ୍ୱାମୀ ବିଶିଷ୍ଟ ବେଦଜ୍ଞ ଇଂ ପ୍ରିୟବ୍ରତ ଦାସ ଉପସ୍ଥିତ ଥିଲେ।
‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା କହିଲେ ଯେ ବର୍ତ୍ତମାନ ଆଧୁନିକ ଜୀବନରେ ଜଣେ ମହିଳା ବେଦ ଉପରେ ଗଭୀର ଜ୍ଞାନ ରଖିବା ଜରୁରୀ। ନିଜ ଶ୍ୱଶୁରଙ୍କଠାରୁ ବେଦ ଅଧ୍ୟୟନ ପାଇଁ ଶନ୍ନୋଦେବୀଙ୍କୁ ପ୍ରେରଣା ମିଳିବା, ଏ ସମାଜରେ ନାରୀମାନଙ୍କ ପାଇଁ ଏକ ବଡ଼ ଉଦାହରଣ। କାର୍ଯ୍ୟକ୍ରମରେ ‘ସମ୍ବାଦ’ର ମୁଖ୍ୟ ବିତ୍ତୀୟ ଉପଦେଷ୍ଟା ପ୍ରହଲ୍ଲାଦ ଦାସ ସଭାପତିତ୍ୱ କରିଥିବା ବେଳେ ‘ଆମ ଓଡ଼ିଶା’ ସମ୍ପାଦକ ସ୍ୱରାଜ ମିଶ୍ର ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଗୋପାଳ ଚନ୍ଦ୍ର ଦାସ, ଇଂ ସୁଧାକର ପତ୍ରୀ, ଡାକ୍ତର କାନନବାଳା ମହାନ୍ତି,ଲିତା ଦାସ, ସୁଧା ପଟ୍ଟନାୟକ, ସୁପ୍ରିୟା ରଥ,ସୁନୀଲ କୁମାର ଦେ,ଜଗନ୍ନାଥ ମହାନ୍ତି,ଜୟନ୍ତ ଦେ, ତେଜେଶ୍ୱର ଆର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆର୍ଯ୍ୟସମାଜର ସଦସ୍ୟାମାନଙ୍କ ଦ୍ୱାରା ବେଦ ପାଠ କରାଯାଇଥିବା ବେଳେ ଶେଷରେ ଶାନ୍ତି ପାଠ କରାଯାଇଥିଲା।

Share Now:

Kalinga News Beuro

Next Post

ଉତ୍ତରପ୍ରଦେଶ ଓ ଗୁଜୁରାଟଠୁ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ବହୁତ ଭଲ: ବିଜେଡି

Sat May 20 , 2023
ଭୁବନେଶ୍ୱର : ବିଜେଡି ମୁକ୍ତ ଓଡ଼ିଶା ଗଠନ ନେଇ ବିଜେପିର ଆହ୍ୱାନ ଉପରେ ପ୍ରତିକ୍ରିୟା ରଖିଛି ଶାସକ ଦଳ। ଦଳର ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଭାରତବର୍ଷରେ ଲୋକେ ଦରଦାମ ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି। ତେଣୁ ସମଗ୍ର ଭାରତର ଲୋକେ ଚିନ୍ତା କଲେଣି କେମିତି ବିଜେପି ମୁକ୍ତ ଭାରତ ଗଠନ କରିବେ। କର୍ଣ୍ଣାଟକ ପ୍ରଭାବ ଦେଶର ଅନ୍ୟ ରାଜ୍ୟରେ ବି ଆଗକୁ ପଡ଼ିପାରେ। ସେ କେଉଁ […]
ଉତ୍ତରପ୍ରଦେଶ ଓ ଗୁଜୁରାଟଠୁ ଓଡ଼ିଶାର ସ୍ଥିତି ବହୁତ ଭଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial