ବିପର୍ଯ୍ୟସ୍ତ ପୁରୀ ବସ୍‌ଷ୍ଟାଣ୍ଡ : ରଥଯାତ୍ରାରେ କେମିତି ଗଡ଼ିବ ବସ

ବିପର୍ଯ୍ୟସ୍ତ ପୁରୀ ବସ୍‌ଷ୍ଟାଣ୍ଡ

କଟକ: କଟକ ପାଲାମଣ୍ଡପ ନିକଟରେ ଥିବା ପୁରୀ ବସ୍‌ଷ୍ଟାଣ୍ଡ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଷ୍ଟାଣ୍ଡ ଭିତରେ କାଦୁଅ। ପ୍ରବେଶ ପଥ ଅବସ୍ଥା ଠିକ୍‌ ନାହିଁ। ଅସରାଏ ବର୍ଷା ହେଲେ ଷ୍ଟାଣ୍ଡ ଭିତରକୁ ପଶିବା ବି ସମ୍ଭବ ହେବ ନାହିଁ। ଯାତ୍ରୀ ବିଶ୍ରାମାଗାରକୁ ବର୍ଷେ ହେବ ସିଏମ୍‌ସି ଭାଙ୍ଗି ଦେଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ରଥଯାତ୍ରା ପୂର୍ବରୁ ବସଷ୍ଟାଣ୍ଡ ମରାମତି ପାଇଁ ପରିବହନ ବିଭାଗ ସହିତ ଆଲୋଚନା ହୋଇଥିଲା। ଆଜି (୧୫ ତାରିଖ) ସୁଦ୍ଧା ବସଷ୍ଟାଣ୍ଡ ମରାମତି ପାଇଁ କଣ୍ଟ ଥିଲା। କିନ୍ତୁ ନାଲିମାଟି ମୁଠାଏ ବି ବସ୍‌ଷ୍ଟାଣ୍ଡ ଭିତରେ ବିଭାଗ ପକାଇଲା ନାହିଁ। ଏହି ବସ୍‌ଷ୍ଟାଣ୍ଡରୁ ପ୍ରତ୍ୟେକ ବର୍ଷ ପୁରୀକୁ ଯାଉଥିବା ୬ରୁ ୭ ହଜାର ଯାତ୍ରୀ ଚଳିତବର୍ଷ ରଥଯାତ୍ରାରେ କେମିତି ଏଠାରୁ ଯାତ୍ରା କରିବେ, ତା’କୁ ନେଇ ପ୍ରଶ୍ନ ଉଠିଛି। କଟକ ଘରୋଇ ବସ୍ ମାଲିକ ସଂଘ ଓ ପରିବହନ ବିଭାଗର ଆଲୋଚନା ଆଧାରରେ ଏଥର କଟକ ବାଦାମବାଡ଼ି-ପାଲାମଣ୍ଡପସ୍ଥିତ ପୁରୀ ବସ୍‌ଷ୍ଟାଣ୍ଡରୁ ରଥଯାତ୍ରା ପାଇଁ ୫୦ଟି ସ୍ବତନ୍ତ୍ର ବସ୍, ୮୦ଟି ସାଧାରଣ ବସ୍ ଏବଂ ପୁରୀରୁ ଆସିବାକୁ ଥିବା ୫୦ଟି ବସ୍‌କୁ ମିଶାଇ ମୋଟ ୧୮୦ଟି ବସ୍ ରଥଯାତ୍ରା ଦିନ ଚଳପ୍ରଚଳ କରିବାକୁ ଯାଉଛି। ସେହିଭଳି ୨୮ତାରିଖ ବାହୁଡ଼ା ଓ ୨୯ ତାରିଖ ସୁନାବେଶରେ ବି ଏଠି ଭିଡ଼ ରହିବ। ପୂର୍ବ ରେକର୍ଡ ଅନୁଯାୟୀ, ରଥଯାତ୍ରାରେ ଗୋଟିଏ ଦିନରେ ପାଖାପାଖି ୭ ହଜାର ଯାତ୍ରୀ ଏହି ବସ୍‌ଷ୍ଟାଣ୍ଡ ବ୍ୟବହାର କରନ୍ତି। ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ସବୁ ଯାତ୍ରୀ କଟକରୁ ହିଁ ଯାଆନ୍ତି। ହେଲେ, ବର୍ତ୍ତମାନ କଟକସ୍ଥିତ ପୁରୀ ବସ୍‌ଷ୍ଟାଣ୍ଡର ସ୍ଥିତି ଅତ୍ୟନ୍ତ ଖରାପ ହୋଇପଡ଼ିଛି। ବସ୍‌ଷ୍ଟାଣ୍ଡକୁ ଥିବା ଉଭୟ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ବସ୍‌ଷ୍ଟାଣ୍ଡ ଭିତର କାଦୁଅ ହେଉଥିବାରୁ ମରାମତି ପାଇଁ କଟକ ଘରୋଇ ବସ୍ ମାଲିକ ସଂଘ ଜିଲ୍ଲାପାଳ, ଆର୍‌ଟିଓ, ପରିବହନ କମିସନର୍‌ଙ୍କୁ ଅବଗତ କରିଥିଲେ। କିନ୍ତୁ ଏ ଦିଗରେ ଆଦୌ ଦୃଷ୍ଟି ଦିଆଗଲା ନାହିଁ। ବସ୍ ମାଲିକ ସଂଘର ଆଲୋଚନା ପରେ କଟକ ଆର୍‌ଟିଓଙ୍କ ତରଫରୁ ଗଲା ୮ ତାରିଖରେ ଏହି ବସ୍‌ଷ୍ଟାଣ୍ଡର ମରାମତି ପାଇଁ ଓଏସ୍‌ଆର୍‌ଟିସିର କଟକ ଜିଲ୍ଲା ପରିବହନ ମ୍ୟାନେଜର୍‌ଙ୍କୁ ଏ ସଂକ୍ରାନ୍ତରେ ଏକ ଚିଠି ଲେଖାଯାଇଥିଲା। ବସ୍‌ଷ୍ଟାଣ୍ଡର ଉଭୟ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ସମେତ ଷ୍ଟାଣ୍ଡ୍‌ ପରିସର ନଷ୍ଟ ହୋଇଯାଇଥିବା ଚିଠିରେ ଦର୍ଶାଯାଇଥିଲା।
ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ବି ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ମଧ୍ୟ ତୁରନ୍ତ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜୁନ୍‌ ୧୫ ତାରିଖ ସୁଦ୍ଧା କାମ ଶେଷ କରିବାକୁ କଟକ ଜିଲ୍ଲା ପରିବହନ ମ୍ୟାନେଜର୍‌ଙ୍କୁ ଆର୍‌ଟିଓଙ୍କ ପକ୍ଷରୁ ହୋଇଥିବା ଚିଠିରେ ଦର୍ଶାଯାଇଥିଲା। କିନ୍ତୁ ଆଜି କଣ୍ଟ ସରିଥିଲେ ବି ସମସ୍ୟାର ସମାଧାନ ହୋଇପାରିଲା ନାହିଁ। କଟକ ଘରୋଇ ବସ୍ ମାଲିକ ସଂଘର ସଭାପତି ପ୍ରିୟବ୍ରତ ତ୍ରିପାଠୀଙ୍କ କହିବା ଅନୁଯାୟୀ, ପୂର୍ବ ରେକର୍ଡ ଅନୁଯାୟୀ ରଥଯାତ୍ରାରେ ପାଖାପାଖି ୭ ହଜାର ଯାତ୍ରୀଙ୍କ ଭିଡ଼ ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ ପୁରୀ ବସଷ୍ଟାଣ୍ଡ ପରିସର ଶୋଚନୀୟ ହୋଇପଡ଼ିଛି। ଏବେ ଅବସ୍ଥା ଯେତିକି ଖରାପ ଅଛି, ସାମାନ୍ୟ ବର୍ଷା ହେଲେ ଷ୍ଟାଣ୍ଡ ଭିତରକୁ ବସ୍ ବି ପଶିପାରିବ ନାହିଁ। କିନ୍ତୁ ଜିଲ୍ଲା ପ୍ରଶାସନ କି ପରିବହନ ବିଭାଗ କେହି ଶୁଣିଲେ ନାହିଁ। ତୁରନ୍ତ ଏ ଦିଗରେ ବିଭାଗ ପଦକ୍ଷେପ ନେବାର ଆବଶ୍ୟକତା ଥିବା ଶ୍ରୀ ତ୍ରିପାଠୀ କହିଛନ୍ତି।

Share Now:

Kalinga News Beuro

Next Post

ଭିଜିଲାନ୍ସ ଜାଲରେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ

Fri Jun 16 , 2023
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢଉ ହେଉଛି। ପୂର୍ବରୁ ରାଜ୍ୟ ସରକାର ତାଙ୍କୁ ନିଲମ୍ବିତ କରିଛନ୍ତି। ସକାଳୁ ସକାଳୁ ଓଡ଼ିଶା ଭିଜିଲାନ୍‌ସ ଟିମ୍‌ ୫ଟି ସ୍ଥାନରେ ଚଢଉ କରିଛନ୍ତି। ଭୁବନେଶ୍ୱର ଏବଂ ପୁରୀ ଜିଲ୍ଲାରେ ଏହି ଚଢଉ ଚାଲିଛି। ଭୁବନେଶ୍ୱରର ଭୀମଟାଙ୍ଗୀ, ହାଉସିଂ ବୋର୍ଡ କଲୋନିରେ ଥିବା ଘର, ରାଜାରାଣୀ କଲୋନିରେ […]
ପୂର୍ବତନ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial