ପୁରୀ ରଥଯାତ୍ରା: ବଡ଼ଦାଣ୍ଡରେ ଗଡ଼ିଲା ତାଳଧ୍ୱଜ

ପୁରୀ ରଥଯାତ୍ରା

ପ୍ରବଳ ଖରା ଓ ଗରମକୁ ଖାତିର ନକରି ରଥ ଟାଣୁଛନ୍ତି ଭକ୍ତ

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଅନ୍ୟତମ ଆକର୍ଷଣ ‘ରଥଟଣା’ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ପ୍ରଶାସନ ପକ୍ଷରୁ ରଥଟଣା କାମ ୪ଟାରୁ ଆରମ୍ଭ ହେବାକୁ ଥିବା ବେଳେ, ନୀତିନିର୍ଘଣ୍ଟ ଆଗୁଆ ଶେଷ ହୋଇଯାଇଥିବାରୁ ଅପରାହ୍ନ ୩ଟା ୪ ମିନିଟରେ ରଥଟଣା ଆରମ୍ଭ ହୋଇଯାଇଛି। ଭକ୍ତମାନେ ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜକୁ ବଡ଼ଦାଣ୍ଡରେ ଟାଣିବା ଆରମ୍ଭ କରିଦେଇଛନ୍ତି। ଭକ୍ତଙ୍କ ହରିବୋଲ, ହୁଳହୁଳି ଡାକ ସହ ଘଣ୍ଟଘଣ୍ଟି ଧ୍ୱନିରେ ବଡ଼ଦାଣ୍ଡ ଉଛୁଳି ପଡୁଛି। ଭକ୍ତମାନେ ଶ୍ରଦ୍ଧାର ସହିତ ତାଳଧ୍ୱଜକୁ ଶରଧାବାଲି ଅଭିମୁଖେ ଟାଣି ନେଉଛନ୍ତି। ତାଳଧ୍ୱଜ ଗଡ଼ିବା ଆରମ୍ଭ ହୋଇଯାଇଥିବା ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ମଧ୍ୟ ଆଗକୁ ଗଡ଼ିବା ପାଇଁ ପ୍ରସ୍ତୁତ ହୋଇଯାଇଛି। ଆଉ କିଛି ସମୟ ପରେ ଏହାକୁ ଭକ୍ତମାନେ ଟାଣିନେବେ। ଶେଷରେ କାଳିଆ ଠାକୁରଙ୍କ ରଥ ‘ନନ୍ଦିଘୋଷ’କୁ ଶରଧାବାଲି ଅଭିମୁଖେ ଟଣାଯିବ।
ବର୍ଷା ଅଭାବ ଯୋଗୁଁ ରାଜ୍ୟରେ ଗ୍ରୀଷ୍ମ ଲହର ଜାରି ଥିବା ବେଳେ ପୁରୀବାସୀଙ୍କୁ ମଧ୍ୟ ଏହା ଅସହ୍ୟ ହୋଇପଡ଼ିଛି। ପୁରୀରେ ୩୪ ଡିଗ୍ରି ତାପମାତ୍ରା ଓ ୭୨ ପ୍ରତିଶତ ଆଦ୍ରତାକୁ ଖାତିର ନକରି ଭକ୍ତମାନେ ରଥଯାତ୍ରାରେ ସାମିଲ ହୋଇଛନ୍ତି। ଭଗବାନଙ୍କ ପାଖରେ ଭକ୍ତି ଥିବାରୁ ଭକ୍ତମାନଙ୍କୁ ଖରାର ‌ପ୍ରକୋପ ପ୍ରଭାବିତ କରିପାରି ନାହିଁ। ଏହା ପୂର୍ବରୁ ରଥଉପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ହାତରେ ସୁବର୍ଣ୍ଣ ଖଡ଼ିକା ଧରି ଛେରାପହଁରା କରିବା ପରେ ଚାରମାଳ ଫିଟା ଯାଇଥିଲା। ଘୋଡ଼ା ଓ ସାରଥି ‌ଲଗାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଆଜି ସକାଳୁ ଶ୍ରୀମନ୍ଦିରରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ପହଣ୍ଡି ପରେ ତିନି ରଥରେ ବିଜେ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ସକାଳ ପ୍ରାୟ ୯ଟା ବେଳେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ତାପରେ ଶ୍ରୀବଳଦେବଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହାପରେ ମା’ ସୁଭଦ୍ରାଙ୍କର ଏବଂ ଶେଷରେ କାଳିଆ ଠାକୁରଙ୍କର ପହଣ୍ଡିବିଜେ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବେଳେ ହୁଳହୁଳି, ହରିବୋଲ ଡାକ ସହ ଘଣ୍ଟଘଣ୍ଟା ଧ୍ୱନି ଓ ମର୍ଦ୍ଦଳା, ତୂରୀଭେରୀ ନାଦରେ ସିଂହଦ୍ୱାର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଗହଳି ଲଗେଇ ଆସିଛନ୍ତି ମହାପ୍ରଭୁା ଟାହିଆ ହଲେଇ ଆସିଥିଲେ କାଳିଆ ଗୋସାଇଁ। ଆଜି ରଥଯାତ୍ରାରେ ପୁରୀରେ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିବା କୁହାଯାଉଛି।

Share Now:

Kalinga News Beuro

Next Post

ଗାଁ ଦାଣ୍ଡରେ ଖେଳୁଥିବା ଶିଶୁକନ୍ୟା ଉପରେ ମାଡ଼ିଗଲା ଦ୍ରୁତଗାମୀ ଟ୍ରାକ୍ଟର

Tue Jun 20 , 2023
ସୁନ୍ଦରଗଡ଼: ମଙ୍ଗଳବାର ସକାଳ ସାଢ଼େ ୬ଟାରେ ତଳସରା ଥାନା ଗାଇଲୋ ଗାଁ ବସ୍ତିରେ ଟ୍ରାକ୍ଟର ମାଡ଼ି ଯିବା ଫଳରେ ଏକ ୪ ବର୍ଷର ଶିଶୁକନ୍ୟାର ଶୋଚନୀୟ ମୃତ୍ୟୁ ହୋଇଯାଇଛି। ମୃତା ଶିଶୁ ହେଲେ ସରୋଜ ମହାକୁଳଙ୍କ ଝିଅ ରିଦ୍ଧି ମହାକୁଳ। ରିଦ୍ଧି ଘର ବାହାରେ ଥିବା ଗଳି ରାସ୍ତାରେ ଖେଳୁଥିବା ବେଳେ ଟ୍ରାକ୍ଟରଟି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକେ ତୁରନ୍ତ ସବଡେଗା […]
ଶିଶୁକନ୍ୟା ମାଡ଼ିଗଲା ଦ୍ରୁତଗାମୀ ଟ୍ରାକ୍ଟର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial