ଶିଖରଚଣ୍ଡୀ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ : ବିପକ୍ଷବାଦୀ-ସପକ୍ଷବାଦୀ ମୁହାଁମୁହିଁ

ଶିଖରଚଣ୍ଡୀ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପ୍ରକଳ୍ପ ବିରୋଧୀ

ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ରେ ନିର୍ମାଣ ହେବାକୁ ଥିବା ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ଯୋଗୁଁ ଜୈବବିବିଧତା ନଷ୍ଟ ହୋଇଛି। ହନୁମାନ ପାହାଡ଼କୁ ନଷ୍ଟ କରାଯିବା ସହ ଶତାଧିକ ଗଛ କଟାଯାଇଥିବାରୁ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ଏନ୍‌ଜିଟି(ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ)ଙ୍କ ଦ୍ୱାରସ୍ଥ ହୋଇଥିଲା। ଅଭିଯୋଗ ଉପରେ ଶୁଣାଣି ପରେ ଏନ୍‌ଜିଟି ପ୍ରତିନିଧିଦଳ ଆସନ୍ତା ୨୪ ତାରିଖରେ ଯାଞ୍ଚ କରିବାକୁ ଆସିବ। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିର୍ମାଣ ବନ୍ଦ ରହିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଠିକା ସଂସ୍ଥା ଲୁଚାଛପାରେ କାର୍ଯ୍ୟ କରୁଛି। ଏ ସମ୍ପର୍କରେ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଗତକାଲି ପ୍ରତିବାଦ କରାଯାଇଥିବା ବେଳେ ଆଜି ଦାରୁଠେଙ୍ଗ ଓ ଚନ୍ଦକା ପଞ୍ଚାୟତର ସରପଞ୍ଚଙ୍କ ସମେତ ୧୦ରୁ ଅଧିକ ଗ୍ରାମବାସୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଛନ୍ତି।
ସମିତି ପକ୍ଷରୁ ଦର୍ଶାଯାଇଛି ଯେ ପଟିଆଗଡ଼ର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଶିଖରଚଣ୍ତୀ। ଏହା ପାଇକମାନଙ୍କ ଅନ୍ୟତମ ପୂଜାସ୍ଥଳୀ। ଏଥିସହ ହନୁମାନ ଓ ଶିଖରଚଣ୍ତୀ ପାହାଡ଼ ଚନ୍ଦକା–ଡମପଡ଼ା ଅଭୟାରଣ୍ୟ ସଂଲଗ୍ନ ଥିବାରୁ ଅନେକ ବିଲୁପ୍ତପ୍ରାୟ ବନ୍ୟଜନ୍ତୁ, ବୃକ୍ଷଲତା ଏଠାରେ ରହିଛନ୍ତି। ମାତ୍ର ଗତ କିଛି ଦିନ ହେଲା ପାହାଡ଼ କଟାଯାଇ ୱାଟ୍‌କୋ ପକ୍ଷରୁ ଏଠାରେ ୩୦ ନିୟୁତ ଲିଟର କ୍ଷମତା ବିଶିଷ୍ଟ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଯାଉଛି। ପାହାଡ଼କୁ ଅବିଚାରିତ ଭାବେ କାଟିବା ଆରମ୍ଭ ହୋଇଛି। ଫଳରେ ଚନ୍ଦକା ଅଭୟାରଣ୍ୟର ହାତୀଗୁଡ଼ିକ ଚନ୍ଦକା, ଦାରୁଠେଙ୍ଗ, ପଥରଗାଡ଼ିଆର ଜନବସତି ଆଡ଼କୁ ଚାଲି ଆସୁଛନ୍ତି। ଅନେକ ବୃକ୍ଷଲତା ନଷ୍ଟ ହୋଇଯିବା ଦ୍ୱାର ଅଭୟାରଣ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। ପ୍ରକଳ୍ପ ନିର୍ମାଣ ପୂର୍ବରୁ ଚନ୍ଦକା ଓ ଦାରୁଠେଙ୍ଗ ପଞ୍ଚାୟତରେ କୌଣସି ଜନଶୁଣାଣି ହୋଇନି କି ଏନେଇ ପରିବେଶ ମଞ୍ଜୁରି ମିଳି ନାହିଁ। ଅନେକଥର ଜିଲ୍ଲା ପ୍ରଶାସନ ଓ ଅନ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ନିର୍ମାଣ ବନ୍ଦ କରିବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ କେହି ନ ଶୁଣିବାରୁ ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହୋଇଛୁ। ପ୍ରକଳ୍ପ କାମ ସ୍ଥଗିତ ରଖିବାକୁ ଏନ୍‌ଜିଟି କହିଥିଲେ ମଧ୍ୟ ରାତିଅଧିଆ ବିସ୍ଫୋରଣ ଘଟାଇ ପାହାଡ଼ ଭଙ୍ଗାଯାଉଛି। ଏ କ୍ଷେତ୍ରରେ ତୁରନ୍ତ ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଶିଖରଚଣ୍ଡୀ ପାହାଡ଼ରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସପକ୍ଷରେ ସ୍ୱର ଉଠିଛି। ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ପ୍ରଶାନ୍ତିବିହାର, ଶିଖରଚଣ୍ଡୀ ନଗରର କେତେକ ସଙ୍ଗଠନ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ତ୍ୱରାନ୍ୱିତ କରିବାକୁ ଏନ୍‌ଜିଟି ନିକଟରେ ଦାବି ଉପସ୍ଥାପନ କରିବାକୁ ସଜବାଜ ହେଉଥିବା ଜଣାପଡ଼ିଛି। ସେମାନେ ଦର୍ଶାଇଛନ୍ତି ଯେ ଏହି ପ୍ରକଳ୍ପ ଦ୍ୱାରା ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ୩ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ସେମାନଙ୍କ ପାନୀୟ ଜଳ ସମସ୍ୟାର ସମାଧାନ ହେବ। ପ୍ରକଳ୍ପ କାର୍ଯ୍ୟ ହେଉଥିବା ସ୍ଥାନରୁ କୌଣସି ଗଛ କଟାଯାଇନାହିଁ। କେବଳ ଯାହା ବୁଦା ସଫା କରାଯାଇ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏହା କୌଣସି ପ୍ରକାର ଜଙ୍ଗଲ ଜମି ନୁହେଁ। ପ୍ରକଳ୍ପ ଶେଷ ହେବା ପରେ ବୃକ୍ଷରୋପଣ କରିବାକୁ ୱାଟକୋ ପ୍ରତିଶ୍ରୁତି ଦେଇଥିବାରୁ କାମ କରିବାକୁ ଅନୁମତି ଦେବାକୁ ସେମାନେ ନିଜ ପତ୍ରରେ ଦର୍ଶାଇଛନ୍ତି। ଏନେଇ ସେମାନେ ଖୁବ୍‌ଶୀଘ୍ର ଏନ୍‌ଜିଟିକୁ ଜଣାଇବେ ବୋଲି କହିଛନ୍ତି।

Share Now:

Kalinga News Beuro

Next Post

ଆଡ଼ପ ମଣ୍ଡପରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନବମୀ ଦର୍ଶନ କରିବେ ସାଧାରଣ ଭକ୍ତ

Sat Jun 24 , 2023
ପୁରୀ : ଶ୍ରୀଜିଉମାନେ ଏବେ ରତ୍ନବେଦି (ଆଡ଼ପ ମଣ୍ଡପ)ରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ସମାଗମ ହେଉଛି। ଭକ୍ତମାନେ ଦୀର୍ଘ ସମୟ ଅପେକ୍ଷା କରି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଦର୍ଶନକୁ ଶୃଙ୍ଖଳିତ କରିବାପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବାରିକେଡ୍‌ କରାଯାଇଛି। ଏହାରି ମଧ୍ୟରେ ପ୍ରଶାସନ ପକ୍ଷରୁ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିପାଇଁ ୨୭ ତାରିଖ ଦିନ ଆଡ଼ପ ମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନ […]
ଆଡ଼ପ ମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial