ମନ୍ଥର ଗତି ସ୍ୱରେଜ କାମ ପାଇଁ କଲବଲ ପଞ୍ଚସଖା ନଗରବାସୀ

କଲବଲ ପଞ୍ଚସଖା ନଗରବାସୀ-1

ଖଣ୍ଡଗିରି: ଆଗ-ପଛ, ବାମ-ଡାହାଣ, ଯୁଆଡ଼େ ଆଖି ବୁଲେଇ ଆଣିଲେ ଖାଲି ବଡ଼ବଡ଼ ଖାଲ ଓ କାଦୁଅ ପଚପଚ। ଘରୁ ଗୋଡ଼ କାଢ଼ି ହେଉନି। କାର୍‌, ବାଇକ୍‌ ବାହାର କରିବା ତ ଦୂରର କଥା, ଚାଲିଚାଲି ଯିବା ବି ମୁସ୍କିଲ୍‌। ଟିକିଏ ବେହୁସିଆରି ହେଲେ କଚଡାଏ ପଡ଼ିବା ଥୟ। ୫୦ ମିଟର ପାଖ ଦୋକାନ ଯାଇ ଘରକୁ ଫେରିଲା ବେଳକୁ ପଛପଟ ଡ୍ରେସ୍‌ରେ କାଦୁଅ ଛିଟା ଲାଗି ଭଳିକି ଭଳି ମାନଚିତ୍ର ହୋଇଯାଉଛି। କୌଣସି ଅପନ୍ତରା ଇଲାକାଠାରୁ ବି ଆହୁରି କଦର୍ଯ୍ୟ ସ୍ଥିତିରେ ଥିବା ଏ ଚିତ୍ର ହେଉଛି ପଞ୍ଚସଖାନଗର ଅଞ୍ଚଳର। ମୌସୁମୀ ପାଦ ଦେଉ ଦେଉ ଏମିତି ଅବସ୍ଥା ସୃଷ୍ଟି ହୋଇଥିବା ବେଳେ ଆଗକୁ ଆହୁରି ଯନ୍ତ୍ରଣା ବଢ଼ିବ ‌ବୋଲି ଅଞ୍ଚଳବାସୀ କହିଛନ୍ତି। ତେବେ ଏ ଦୁର୍ଦ୍ଦଶା ପାଇଁ ସେମାନେ ୱାଟ୍‌କୋକୁ ଦୋଷ ଦେଇଛନ୍ତି। ପ୍ରାୟ ଦେଢ଼ ବର୍ଷ ହେବ ଅଞ୍ଚଳରେ ସ୍ୱରେଜ ପାଇପ୍‌ ବିଛା କାମ ଚାଲିଥିଲେ ହେଁ ଏଯାବତ୍‌ ସରୁନାହିଁ। ମନ୍ଥର ଗତିରେ କାମ ଚାଲିଥିବାରୁ ଲୋକଙ୍କ ଦୁଃଖ ବଢ଼ି ବଢ଼ି ଚାଲିଛି। ଏହି କାମ ପାଇଁ ଖରାଦିନେ ଲୋକେ ଧୂଳି ମାଡ଼ ସହିଲେ, ଦିନ ଦିନ ଧରି ରାସ୍ତା ବନ୍ଦ ହେବାରୁ ୨୦୦ ମିଟର ରାସ୍ତା ପାଇଁ ଲୋକ ୨ କିମି ବୁଲିଲେ। ଆଉ ଏବେ ଏ ଅବସ୍ଥା।
ଘେରାବନ୍ଦୀରେ କଟୁଛି ଜୀବନ
ସ୍ଥାନୀୟ ଅଧିବାସୀ କମଳ ଲୋଚନ ମହାନ୍ତି (୭୦) କହିଛନ୍ତି ଯେ ଦେଢ଼ବର୍ଷ ହେଲା ତାଙ୍କ ଘର ସମ୍ମୁଖ ରାସ୍ତାକୁ ଏଭଳି ଖୋଳି ଦିଆଯାଇଛି ଯେ ସେ ଯାତାୟାତ କରିପାରୁନାହାନ୍ତି। ସମୂହ ସ୍ୱାର୍ଥ ଉଦ୍ଦେଶ୍ୟରେ ହେଉଥିବା ସ୍ୱରେଜ କାମକୁ ତାଙ୍କର ବିରୋଧ ନାହିଁ। କିନ୍ତୁ ଏତେ ମନ୍ଥର ଗତିରେ କାମ ହେଉଛି ଯେ ଧୈର୍ଯ୍ୟ ଭାଙ୍ଗିଗଲାଣି। କାମ କେବେ ସରିବ ବି ଜଣାପଡ଼ୁନାହିଁ। ବର୍ଷା ଦିନରେ ବଡ଼ ଗାତ ଥିବା କାଦୁଅ ରାସ୍ତା ଯୋଗୁଁ ସର୍ବଦା ଅଘଟଣର ଚିନ୍ତା ଲାଗି ରହୁଛି। କିଛି ଦିନ ପୂର୍ବରୁ ଶିବ ମନ୍ଦିରରୁ ଆଇଟିଆର୍‌ କଲେଜ ପାଚେରି ପର୍ଯ୍ୟନ୍ତ ବର୍ଷାପାଣି ଜମି ରହିଥିଲା। ବର୍ତ୍ତମାନର ଅଳ୍ପ ବର୍ଷାରେ ଅବସ୍ଥା ଏଭଳି। ବଡ଼ବର୍ଷା ହେଲେ ଏଠାରେ ଯେ କି ଅବସ୍ଥା ହେବ, ଭାବିବାକୁ ବି ଡର ଲାଗୁଛି। ସ୍ଥିତି ଏଭଳି ହୋଇଛି ଯେ ଆମ୍ବୁଲାନ୍ସ ବି ପଶି ପାରୁନାହିଁ। ଗତ ୨୪ ତାରିଖରେ ପଡ଼ି ଯାଇ ଆହତ ହୋଇଥିବା ତାଙ୍କର ଜଣେ ପଡ଼ୋଶୀଙ୍କୁ ଡାକ୍ତରଖାନାରେ ନେବା ପାଇଁ ଆମ୍ବୁଲାନ୍ସ ଆସିଥିଲା। କିନ୍ତୁ ଏ କଦର୍ଯ୍ୟ ରାସ୍ତାରେ ପଶି ନପାରିବାରୁ ଫେରିଗଲା। ତେବେ ସ୍ବେରେଜ କାର୍ଯ୍ୟ ମଧ୍ୟ ତ୍ରୁଟିପୂର୍ଣ୍ଣ ହେଉଛି ବୋଲି କିଛି ବ୍ୟକ୍ତି ଅଭିଯୋଗ କରୁଛନ୍ତି। କେତେବେଳେ ଲୋକଙ୍କ ପାଣି ପାଇପ୍‌ ସହ ମିଶି ଘରକୁ ମଳ ଚାଲି ଆସିବ ବୋଲି କିଛି ବ୍ୟକ୍ତି ଆଶଙ୍କା କରିଛନ୍ତି।

ଏ ସଂପର୍କରେ ୱାର୍ଡ-୬୪ର କର୍ପୋରେଟର୍‌ ସକିବା ମୁସରତ କହନ୍ତି, ପଞ୍ଚସଖା ନଗରରେ ପାଣି ଜମି ରହିବା ଭଳି ସମସ୍ୟା ହୁଏ। ଲୋକଙ୍କ ସ୍ୱାର୍ଥ ପାଇଁ ସ୍ୱରେଜ କାମ କରାଯାଉଛି। ଏଥିପାଇଁ ଲୋକେ ହଇରାଣ ମଧ୍ୟ ହେଉଛନ୍ତି। ଏ କଥାକୁ ଅସ୍ୱୀକାର ନାହିଁ। କିନ୍ତୁ ଥରେ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଅଧାରୁ ବନ୍ଦ କରିବା ଠିକ୍‌ ହେବ ନାହିଁ। ତେବେ ଦେଢ଼ ବର୍ଷ ନୁହେଁ, ବରଂ ସ୍ୱରେଜ କାମ ପାଇଁ ମାସେ ହେଲା ପଞ୍ଚସଖା ନଗରରେ ଖୋଳାଖୋଳି ଆରମ୍ଭ ହୋଇଛି। ଗୋଟିଏ ଗଳି ସରିବା ପରେ ଆଉ ଗୋଟିଏ ଗଳି ଆରମ୍ଭ କରାଯାଉଛି। ଯେଉଁ ଗଳିର କାର୍ଯ୍ୟ ସରୁଛି, ତାକୁ ମଧ୍ୟ ବନ୍ଦ କରି ଦିଆଯାଉଛି। ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଉଛି। ଖୁବ୍‌ଶୀଘ୍ର ଏ କାମ ସରିଯିବ।
ଦୁଇ ବିଭାଗର ସମନ୍ୱୟର ଅଭାବ, ୨ କୋଟି ବରବାଦ
ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ଅଶୋକ ପଣ୍ଡା ୨୦୧୯ ମସିହାରେ ଏ ଅଞ୍ଚଳର ରାସ୍ତା ନିର୍ମାଣ ପାଇଁ ୨ କୋଟି ଟଙ୍କା ମଞ୍ଜୁର କରାଇଥିଲେ। ସେଥିରେ ବିଏମସି ପକ୍ଷରୁ ରାସ୍ତା ନିର୍ମାଣ ହୋଇଥିଲା। କିନ୍ତୁ ବର୍ଷେ ପରେ ସ୍ୱରେଜ ପାଇପ୍‌ ବିଛା ପାଇଁ ସେ ନୂଆ ରାସ୍ତାକୁ ୱାଟ୍‌କୋ ଖୋଳି ଦେଲା। ଫଳରେ ରାଜ୍ୟ ସରକାରଙ୍କ ଦୁଇଟି ବିଭାଗ ମଧ୍ୟରେ ତାଳମେଳର ଅଭାବ ଯୋଗୁଁ ୨ କୋଟି ଟଙ୍କା ବରବାଦ ହେଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ପଞ୍ଚସଖା ନଗରର ସ୍ଥିତି ଯେଉଁଭଳି ରହିଛି, ସ୍ୱରେଜ କାମ ସରିବା ପରେ ତୁରନ୍ତ ରାସ୍ତା ନିର୍ମାଣ କରାନଗଲେ ଲୋକଙ୍କୁ ଏ ଦୁର୍ଗତିରୁ ମୁକ୍ତି ମିଳିବ ନାହିଁ।

Share Now:

Kalinga News Beuro

Next Post

ପାକିସ୍ତାନକୁ ଗଧ ଭରସା : ଚୀନକୁ ଗଧ ଚମଡ଼ା ବିକିବ ପାକିସ୍ତାନ

Wed Jun 28 , 2023
ଇସଲାମାବାଦ: ଗତ କିଛି ମାସ ହେଲାଣି ପାକିସ୍ତାନ ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ୍ ଆକାଶଛୁଆଁ ହୋଇଥିବା ବେଳେ ଏବେ ଦେଶକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ ପାକିସ୍ତାନ ସରକାର ଗଧର ଚମଡ଼ା ବିକ୍ରି କରିବେ ବୋଲି ଜଣାପଡ଼ିଛି। ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପାକିସ୍ତାନ ବର୍ତ୍ତମାନ ଗଧମାନଙ୍କ ଆଶ୍ରୟ ନେଇଛି। ପାକ୍ ଅନୁଭବ କରୁଛି ଯେ ଦେଶର ଆର୍ଥିକ ସ୍ଥିତିର […]
ଚୀନକୁ ଗଧ ଚମଡ଼ା ବିକ୍ରି କରିବ ପାକିସ୍ତାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial