ଆଜି ମହାପ୍ରଭୁଙ୍କ ସୁନାବେଶ : ଶ୍ରୀଜିଉଙ୍କ ବିରଳ ଦର୍ଶନ ଲାଗି ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ

ମହାପ୍ରଭୁଙ୍କ ସୁନାବେଶ-2

ପୁରୀ : ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବଡ଼ଦାଣ୍ଡରେ ବିରାଜମାନ ତିନିରଥ ଉପରେ ମହାପ୍ରଭୁଙ୍କ ସୁନାବେଶ(ବଡ଼ତଢ଼ାଉ ବେଶ) ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ବିଗ୍ରହ। ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ସେହି ବିରଳ ବେଶ ‌ଦର୍ଶନ କରିବାକୁ ବଡ଼ଦାଣ୍ଡରେ ଅପେକ୍ଷା କରି ରହିଛନ୍ତି। ବର୍ଷବ୍ୟାପୀ ରତ୍ନବେଦିରେ ସୁନାବେଶରେ ଦର୍ଶନ ଦେଉଥିବା ମହାବାହୁ ମହଣ ମହଣ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦେବେ ଦର୍ଶନ। ସୁନାର କିରିଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୁଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଆଭୂଷଣରେ ହେବେ ଆଭୂଷିତ।
ସୂଚନାଯୋଗ୍ୟ, ବର୍ଷରେ ୪ ଥର ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ହୋଇଆସୁଛି। ଏକାଦଶୀ ଦିନ ସୁନବେଶରେ ରଥ ଉପରେ ଦର୍ଶନ ଦେବା ପାଇଁ ତତ୍‍କାଳୀନ ତଢ଼ାଉକରଣ ଅନୁରୋଧ କରିଥିଲେ। ସେବେଠାରୁ ଏହି ବଡ଼ତଢ଼ାଉ ବେଶ ବା ସୁନାବେଶ ହୋଇଆସୁଛି। ସୁନାବେଶ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହୋଇଛି। ରାତି ୧୦ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ। ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍‌ ଛକରୁ ବଡ଼ଦାଣ୍ଡରେ ବାରିକେଡ୍‌ ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡରେ ବାମପାର୍ଶ୍ଵରୁ ରଥ ଆଗ ଦେଇ ଦର୍ଶନ ପାଇଁ ଛାଡ଼ି ଡାହାଣ ପାର୍ଶ୍ଵରେ ପ୍ରସ୍ଥାନ ବ୍ୟବସ୍ଥା ହୋଇଛି। ଭିଡ଼ ଓ ଅନୁପ୍ରବେଶ ରୋକିବାକୁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସଂଯୋଗ ରାସ୍ତାକୁ ସିଲ୍‌ କରିବାକୁ ପୁଲିସ ପ୍ରଶାସନ ଯୋଜନା କରିଛି। ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି।

Share Now:

Kalinga News Beuro

Next Post

ହରିୟାଣାରେ ଦୁଇ ଟ୍ରାଫିକ୍ ପୁଲିସ୍ ଖାଇଗଲେ ଚାଲାଣ ଟଙ୍କା

Thu Jun 29 , 2023
ଗୁରୁଗ୍ରାମ୍ : ହରିୟାଣାରେ ସରକାରୀ ଟଙ୍କା ହଡପ ହେବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପଲଓ୍ଵାଲରେ କିଛି ପୁଲିସ କର୍ମଚାରୀ ରାସ୍ତାରେ ବିଭିନ୍ନ ଗାଡ଼ି ପାଇଁ କଟାଯାଇଥିବା ଚାଲାଣ ବାବଦ ପ୍ରାୟ ୩ କୋଟି ୨୫ ଲକ୍ଷ ଟଙ୍କା ସରକାରୀ ବ୍ୟାଙ୍କ ଖାତାରେ ଜମା କରିବା ବଦଳରେ ନିଜେ ଆତ୍ମସାତ କରିଥିବା ଜଣାପଡ଼ିଛି। ହରିୟାଣା ପୁଲିସର ଦୁଇ କର୍ମଚାରୀଙ୍କୁ ଟ୍ରାଫିକ ପୁଲିସର ଚାଲାଣ ଶାଖାରେ ନିୟୋଜିତ କରାଯାଇଥିଲା। ଜନକ […]
ଟ୍ରାଫିକ୍ ପୁଲିସ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial