ଗୁରୁଗ୍ରାମ୍ : ହରିୟାଣାରେ ସରକାରୀ ଟଙ୍କା ହଡପ ହେବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପଲଓ୍ଵାଲରେ କିଛି ପୁଲିସ କର୍ମଚାରୀ ରାସ୍ତାରେ ବିଭିନ୍ନ ଗାଡ଼ି ପାଇଁ କଟାଯାଇଥିବା ଚାଲାଣ ବାବଦ ପ୍ରାୟ ୩ କୋଟି ୨୫ ଲକ୍ଷ ଟଙ୍କା ସରକାରୀ ବ୍ୟାଙ୍କ ଖାତାରେ ଜମା କରିବା ବଦଳରେ ନିଜେ ଆତ୍ମସାତ କରିଥିବା ଜଣାପଡ଼ିଛି। ହରିୟାଣା ପୁଲିସର ଦୁଇ କର୍ମଚାରୀଙ୍କୁ ଟ୍ରାଫିକ ପୁଲିସର ଚାଲାଣ ଶାଖାରେ ନିୟୋଜିତ କରାଯାଇଥିଲା। ଜନକ ଓ ଓମବୀର ନାମକ ଏହି ଦୁଇ ପୁଲିସ କର୍ମୀ ୨୦୨୦ ଜାନୁଆରିରୁ ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ସେଠାରେ ନିୟୋଜିତ ଥିଲେ। ସେମାନେ ବିଭିନ୍ନ ଥାନା ଅଞ୍ଚଳରେ କଟା ଯାଇଥିବା ଗାଡ଼ିର ଚାଲାଣ ଟଙ୍କା ବିଭାଗର ଆକାଉଣ୍ଟରେ ଜମା ନକରି ନିଜ ବ୍ୟକ୍ତିଗତ କାର୍ଯ୍ୟରେ ଖର୍ଚ୍ଚ କରିଦେଇଥିଲେ।
ଏ ସଂପର୍କରେ ଡିଏସପି ସନ୍ଦୀପ ମୋର କହିଛନ୍ତି ଯେ ଏସପି ଲୋକେନ୍ଦ୍ର ସିଂଙ୍କୁ ସୂଚନା ମିଳିଥିଲା ଯେ ଇ-ଚାଲାଣ ର ପରିମାଣ ଠିକ୍ ସମୟରେ ଆକାଉଣ୍ଟରେ ଜମା ହେଉନାହିଁ। ଏହା ପରେ ତଥ୍ୟକୁ ମିଳାଯିବା ପରେ ଚାଲାଣରୁ ମିଳିଥିବା ରାଶି ଏବଂ ବ୍ୟାଙ୍କରେ ଜମା ହୋଇଥିବା ରାଶି ମଧ୍ୟରେ ବହୁତ ପାର୍ଥକ୍ୟ ଦେଖିବାକୁ ମିଳିଥିଲା। ତଦନ୍ତ ବେଳେ ପାଖାପାଖି ୩ କୋଟି ୨୫ ଲକ୍ଷ ଟଙ୍କାର ଦୁର୍ନୀତି ପଦାକୁ ଆସିଥିଲା। ୨୦୨୦ ଜାନୁଆରିରୁ ୨୦୨୩ ମାର୍ଚ୍ଚ ୩୧ ମଧ୍ୟରେ ବ୍ୟାଙ୍କରେ ଟଙ୍କା ଜମା କରିବାର ରସିଦ୍, ଯାହା ରେକର୍ଡରେ ଥିଲା, ତାହା ବ୍ୟାଙ୍କର ରସିଦଠାରୁ ଭିନ୍ନ ଥିଲା ବୋଲି ତଦନ୍ତରୁ ଜଣାପଡ଼ିଥିଲା। ଅର୍ଥାତ ରସିଦ ଅନୁଯାୟୀ ଏହି ଟଙ୍କା ଆକାଉଣ୍ଟକୁ ଯାଇନଥିଲା। ଅଭିଯୁକ୍ତମାନେ ବ୍ୟାଙ୍କର ରସିଦରେ ନକଲି ଷ୍ଟାମ୍ପ ଲଗାଇ ରେକର୍ଡରେ ରଖିଥିଲେ। ହରିୟାଣା ପୁଲିସ ଉକ୍ତ ଦୁଇ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି।
ହରିୟାଣାରେ ଦୁଇ ଟ୍ରାଫିକ୍ ପୁଲିସ୍ ଖାଇଗଲେ ଚାଲାଣ ଟଙ୍କା

Share Now: