ପର୍ଜଙ୍ଗ ତହସିଲଦାରଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା: ୮ ଅଭିଯୁକ୍ତ ଗିରଫ, ଜେସିବି ଓ ଟ୍ରାକ୍ଟର ଜବତ

ପର୍ଜଙ୍ଗ ତହସିଲଦାରଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲଦାର ସିରିୟଲ ସୁଭ୍ର ପଟେଲ ଓ ରାଜସ୍ୱ ନିରୀକ୍ଷକ ଆଲୋକ ଲେଙ୍କାଙ୍କୁ ଶୁକ୍ରବାର ଦିନ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଏହି ମାମଲାରେ ସଂପୃକ୍ତ ଥିବା ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମୁକ୍ତାପସି ଗାଁର ପ୍ରଫୁଲ୍ଲ ସାହୁ (୫୦), ପଥରଖମ୍ବ ଗାଁର ଗୁଣନିଧି ସାହୁ (୨୭), ତ୍ରିପୁର ପରିଡ଼ା (୬୧), ସୁରେଶ ପରିଡ଼ା (୫୮), ଟୁଲୁ ପରିଡ଼ା (୨୭), ଶିବରାମ ପରିଡ଼ା (୩୫), କାମାକ୍ଷାନଗର ରାମମନ୍ଦିର ସାହିର ଦୁଷ୍ମନ୍ତ ସାହୁ (୪୬) ଓ ଚୁଳିଆ ଗ୍ରାମର ପାଣ୍ଡବ ଗାଗରାଇ (୪୮)। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ଜେସିବି ମେସିନ ଓ ୨ଟି ଟ୍ରାକ୍ଟରକୁ ଜବତ କରିଛି। ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଏସ୍‌ପି ଜ୍ଞାନ ରଂଜନ ମହାପାତ୍ର ଏହି ସୂଚନା ଦେଇଛନ୍ତି। କାମାକ୍ଷାନଗରସ୍ଥିତ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ପଥରଖମ୍ବ ଗ୍ରାମ କେନାଲ ନିକଟରେ ଥିବା ଏକ ସରକାରି ଜମିରୁ ବେଆଇନ ଭାବେ ମାଟି ଉଠାଉଥିବା ବେଳେ ଖବର ପାଇ ତହସିଲଦାର ପ୍ରଥମେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମାଟି ଉଠାଇବାକୁ ବାରଣ କରିଥିଲେ ଏବଂ ନିଜ ମୋବାଇଲରେ ଫଟୋ ଉଠାଇବା ବେଳେ ସେଠାରେ ଉପସ୍ଥିତ ଥିବା ମାଫିଆମାନେ ତାଙ୍କ ଉ‌ପରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ। ଖବର ପାଇ ରାଜସ୍ୱ ନିରୀକ୍ଷକ ପହଞ୍ଚି ଥିବା ବେଳେ ତାଙ୍କୁ ମଧ୍ୟ ମାଫିଆମାନେ ଆକ୍ରମଣ କରିଥିଲେ। ମାଫିଆମାନେ ଆକ୍ରମଣ କରି ଟ୍ରାକ୍ଟର ଓ ଜେସିବିକୁ ନେଇ ଫେରାର ହୋଇଯାଇଥିଲେ। ତହସିଲଦାର ଛିଡା ହୋଇଥିବା ବେଳେ ଜେସିବି ଚଢଇ ହତ୍ୟା ଉଦ୍ୟମ ମଧ୍ୟ କରାଯାଇଥିଲା।

ଢେଙ୍କାନାଳ ଜିଲ୍ଲାରେ ଦିନକୁଦିନ ମାଫିଆମାନଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ପ୍ରଶାସନିକ ଅଧିକାରୀମାନେ ଚଢ଼ଉ କରୁଛନ୍ତି। କିନ୍ତୁ ଅଧିକାରୀମାନେ ମାଫିଆମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ସେଥିପାଇଁ ପ୍ରଶାସନ ତରଫରୁ ଏକ ଟ୍ରାକ୍ସଫୋର୍ସ ଗଠନ କରାଯାଇଛି। ସମସ୍ତ ଥାନା ଅଧିକାରୀଙ୍କୁ ଶୁକ୍ରବାର ଠାରୁ ଏବିଷୟରେ ଅବଗତ କରାଯାଇଛି। ଯେଉଁଠି ବାଲି, ପଥର, ମୋରମ, ମାଟି, ଲଘୁ ଖଣିଜ ଜାତୀୟ ଦ୍ରବ୍ୟ ବେଆଇନ ଚାଲାଣ ହେଉଛି ଖବର ମିଳିବା ମାତ୍ରେ ଚଢ଼ଉ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନିର୍ଦ୍ଦେଶ ଦିଆଯାଇଛି। ତହସିଲଦାରଙ୍କୁ ଆକ୍ରମଣ ବେଳେ କୌଣସି ମାରଣାସ୍ତ୍ର ବ୍ୟବହାର ହୋଇନାହିଁ। ହାତ ଓ ବାଡିରେ ଆକ୍ରମଣ କରାଯାଇଥିଲା। ଜେସିବି ମେସିନ ଓ ଟ୍ରାକ୍ଟର ସମସ୍ତ କାଗଜପତ୍ର ଚାଞ୍ଚ ପାଇଁ ପରିବହନ ବିଭାଗକୁ ପଠାଯାଇଛି। ଆକ୍ରମଣ ପଛରେ ଗାଡି ଓ ଜେସିବି ମାଲିକମାନଙ୍କ ସମ୍ପୃକ୍ତି ନେଇ ଅଧିକ ତଦନ୍ତ ଜାରି ରହିଛି। ସମ୍ପୃକ୍ତି ଥିଲେ ତାଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ମହାପାତ୍ର କହିଛନ୍ତି। ଏହି ଘଟଣା ପରେ ତହସିଲଦାରଙ୍କୁ ଗୁୁରୁତର ଭାବେ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରବର୍ତ୍ତି ସମୟରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପ୍ରଥମେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ପରେ ଆଉ ୬ଜଣଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ମୋଟ ୮ ଜଣଙ୍କୁ ଗିରଫ କରିଛି। ଗୋଟିଏ ଜେସିବି ଓ୨ଟି ଟ୍ରାକ୍ଟରକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି। ସାମ୍ବାଦିକ ସମ୍ମିଳନୀରେ କାମାକ୍ଷାନଗର ଏସ୍‌ଡିପିଓ ରଞ୍ଜନ କୁମାର ଦେ ଓ ଥାନା ଅଧିକାରୀ ଶରତ ମହାଳିକ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ସମ୍ପ୍ରସାରଣ ହେଲା କର୍ଣ୍ଣାଟକ କ୍ୟାବିନେଟ୍‌ : ୨୪ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କଲା ସିଦ୍ଦରମେୟା ସରକାର

Sat May 27 , 2023
ବେଙ୍ଗାଲୁରୁ: ଆଜି ପୂର୍ବାହ୍ନ ୧୧.୪୫ରେ ବେଙ୍ଗାଲୁରୁସ୍ଥିତ ରାଜ ଭବନରେ ୨୪ଜଣ ବିଧାୟକଙ୍କୁ ନୂଆ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇ କର୍ଣ୍ଣାଟକ ରାଜ୍ୟ କ୍ୟାବିନେଟ୍‌ ସମ୍ପ୍ରସାରଣ କରାଯାଇଛି। ନିୟମାନୁସାରେ, କର୍ଣ୍ଣାଟକ ସରକାରରେ ୩୪ଜଣ ମନ୍ତ୍ରୀ ରହିପାରିବେ। ସେମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି. କେ‌. ଶିବକୁମାରଙ୍କ ସମେତ ୧୦ଜଣ ମେ ୨୦ ତାରିଖ ଦିନ ଶପଥ ଗ୍ରହଣ କରିଥିଲେ। ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା […]
କର୍ଣ୍ଣାଟକ କ୍ୟାବିନେଟ୍‌ ସମ୍ପ୍ରସାରଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial