ଉତ୍ତର ଭୁବନେଶ୍ୱରରେ ଡେଙ୍ଗୁ ଭୟ : ଭାଙ୍ଗିଲା ପ୍ରଶାସନର ନିଦ

ଉତ୍ତର ଭୁବନେଶ୍ବରରେ ଡେଙ୍ଗୁ ଭୟ

ଚନ୍ଦ୍ରଶେଖରପୁର: ଓଡ଼ିଶା ଛୁଇଁଛି ମୌସୁମୀ। ସପ୍ତାହେ ହେଲା ଲଗାଣ ବର୍ଷା ସହ କୋହଲା ପାଗ ଲାଗିରହିଥିବାରୁ ରାଜଧାନୀରେ କାୟା ମେଲାଇଲାଣି ଡେଙ୍ଗୁ। ବିଶେଷକରି ପ୍ରତିବର୍ଷ ସହରର ହଟ୍‌ସ୍ପଟ୍‌ ପାଲଟୁଥିବା ଚନ୍ଦ୍ର‌ଶେଖରପୁର ଅଞ୍ଚଳରେ ଏବେଠାରୁ ଡେଙ୍ଗୁ ଭୟ ଘାରିଲାଣି। ବିଶେଷକରି ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ଅଧୀନ ବିଏମ୍‌ସିର ୧୪, ୧୩, ୭, ୮ ଓ ୩ ନମ୍ବର ୱାର୍ଡ ଅଞ୍ଚଳରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ସବୁବେଳେ ଆଗରେ ରହିଥାଏ। ଏଥର ମଧ୍ୟ ନିର୍ବାଚନମଣ୍ଡଳୀର ବିଭିନ୍ନ ୱାର୍ଡରୁ ୭ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସହରରେ ଡେଙ୍ଗୁ ବ୍ୟାପୁଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ବିଏମ୍‌ସି ବାବୁମାନଙ୍କ ନିଦ ଭାଙ୍ଗିଛି ଏବଂ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଥିବା ଦେଖିବାକୁ ମିଳିଛି। ଦୁଇ ଦିନ ହେଲା ସଚେତନତା ଉପରେ ଗୁରୁତ୍ୱ ଦେବା ସହ ୱାର୍ଡସ୍ତରରେ ଡେଙ୍ଗୁ ମୁକାବିଲା କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି।
ନିର୍ଦ୍ଦିଷ୍ଟ କେଉଁ ଅଞ୍ଚଳରେ ଡେଙ୍ଗୁ ବ୍ୟାପିବା ନେଇ ସରକାରୀ ଭାବେ କୌଣସି ସ୍ପଷ୍ଟ ଚିତ୍ର ଆସି ନ ଥିଲେ ମଧ୍ୟ ଡମଣା, ଶ୍ରୀବିହାର, ନୀଳାଦ୍ରିବିହାର, ଶୈଳଶ୍ରୀବିହାର, କାନନ ବିହାର ପ୍ରଭୃତି ଅଞ୍ଚଳରେ ଡେଙ୍ଗୁ ଲକ୍ଷଣ ଦେଖିବାକୁ ମିଳୁଥିବା ଅଭିଯୋଗ ଆସିଛି। ପାଗ ବଦଳିଥିବାରୁ ଜ୍ୱର ହେଉଥିବା ଆଶଙ୍କା କରି ସେମାନେ ସାଧାରଣ ଔଷଧ ସେବନ କରୁଛନ୍ତି। ସରକାରୀ ମେଡିକାଲରେ ଡେଙ୍ଗୁ ପରୀକ୍ଷା କରୁନାହାନ୍ତି କି ରିପୋର୍ଟ ନେଉନାହାନ୍ତି। ଯେଉଁଥିରେ ଡେଙ୍ଗୁ ଭୟ ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ଅଞ୍ଚଳବାସୀଙ୍କ କହିବାନୁଯାୟୀ ଭୁବନେଶ୍ୱରରେ କେବଳ ସରକାରୀ ହସ୍ପିଟାଲ ଭାବେ କ୍ୟାପିଟାଲ ହସ୍ପିଟାଲ ଓ ଆରଏମ୍‌ଆରସିରେ ଡେଙ୍ଗୁ ପରୀକ୍ଷା କରାଯାଉଛି। ଏତେ ବାଟ ଯାଇ ପରୀକ୍ଷା କରାଇବା ସମ୍ଭବପର ନୁହେଁ। ତେଣୁ ନିକଟରେ ଥିବା ଔଷଧ ଦୋକାନରୁ ମେଡିସିନ୍‌ ଆଣି ସେବନ କରୁଛୁ। ଲଗାତାର ଦୁଇ ବର୍ଷ ହେଲା ବର୍ଷା ଦିନ ଆରମ୍ଭ ଆଗରୁ ଉତ୍ତର ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ଡେଙ୍ଗୁ କାୟା ମେଲାଉଥିବା ଦେଖିବାକୁ ମିଳିଥିଲା। ୨୦୨୧ରେ ଭୁବନେଶ୍ୱରରେ ଡେଙ୍ଗୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା। ଜୁନ୍‌ ଓ ଜୁଲାଇ ମାସରେ ସ୍ଥିତି ଏମିତି ହୋଇଥିଲା ଯେ ସରକାରୀ ଭାବେ ଦୁଇ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜଣେ ଆକ୍ରାନ୍ତଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଅଭିଯୋଗକୁ ପ୍ରଶାସନ ଏଡ଼ାଇ ଦେଇଥିଲା। ଅନ୍ୟ କାରଣ ଲାଗି ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଥିଲା। ୨୦୨୨ରେ ବି ନୀଳାଦ୍ରିବିହାର ଅଞ୍ଚଳରୁ ଡେଙ୍ଗୁ କାୟା ମେଲାଇଥିଲା। ଏଥର ଯେପରି ସମାନ ଅଞ୍ଚଳରେ ଡେଙ୍ଗୁ ନ ବ୍ୟାପିବ ସେଥିପାଇଁ ଗତକାଲି ବିଏମ୍‌ସି ଟିମ୍‌ ପକ୍ଷରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ବିଏମ୍‌ସି ଉତ୍ତର ଜୋନ୍‌ ଡେପୁଟି କମିସନର ପୁରନ୍ଦର ନନ୍ଦଙ୍କ ଉପସ୍ଥିତିରେ ବିଏମ୍‌ସି ଅତିରିକ୍ତ କମିସନର-୧, ସ୍ଥାନୀୟ କର୍ପୋରେଟର, ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ(ଏଡିୟୁପିଏଚ୍‌ଓ), ରାଜ୍ୟ ନୋଡାଲ ଅଫିସର ସାମିଲ ହୋଇ ଲୋକଙ୍କୁ ସଚେତନ କରାଇବା ସହ ଡେଙ୍ଗୁର କିଭଳି ମୁକାବିଲା କରାଯାଇପାରିବ ସେନେଇ ପ୍ରଶିକ୍ଷଣ ଦେଇଥିଲେ। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ‌ଟିମ୍‌ ଡମଣା ଛକରୁ ଜାଭିୟର ଛକ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ଵରେ ଥିବା ଦୋକାନଗୁଡ଼ିକର ସ୍ୱଚ୍ଛତା ଯାଞ୍ଚ କରିଥିଲେ।

Share Now:

Kalinga News Beuro

Next Post

ନନ୍ଦନକାନନ ନିକଟରୁ ବସ୍ତା ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର : ଡାକ୍ତରଖାନାରେ ଭର୍ତ୍ତି

Thu Jun 29 , 2023
ଭୁବନେଶ୍ଵର: ଦୁହିତା ଦୁଇକୁଳକୁ ହିତା। ସମାଜ ପାଇଁ ପୁଅର ଯେତିକି ଆବଶ୍ୟକତା ଅଛି, ଝିଅର ମଧ୍ୟ ସେତିକି ଦରକାର ରହିଛି। ଏସବୁ ଜାଣି ବି ଏକବିଂଶ ଶତାଦ୍ଦୀର ଲୋକେ କନ୍ୟାକୁ ଅନାଦର କରୁଛନ୍ତି। ରାଜଧାନୀ ଭୁବନେଶ୍ଵର ଉପକଣ୍ଠରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ନନ୍ଦନକାନନ ଥାନା ଅଧୀନ ରଘୁନାଥପୁର ଅଞ୍ଚଳରେ ଆଜି ସକାଳୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଭଗବାନପୁର ନିବାସୀ ପବିତ୍ର କୁମାର ଦାସ ଆଜି […]
ବସ୍ତା ଭିତରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial