ମହାନଦୀ ପ୍ରତି ବିପଦ ବଢ଼ୁଛି

ଶୁଖିଯିବ, ମୃତ ନଦୀରେ ପରିଣତ ହେବ, ବିଧାନସଭାରେ ପରସ୍ପର ବିରୋଧରେ ଗର୍ଜିଲେ

ଭୁବନେଶ୍ୱର : ପ୍ରସଙ୍ଗ ଗୋଟିଏ। ଦଳମତ ନିର୍ବିଶେଷରେ ସମସ୍ତେ ଏହାକୁ ସମର୍ଥନ ଜଣାଉଥିଲେ। କିନ୍ତୁ ଆଲୋଚନାରେ ଭାଗନେବା ବେଳେ ସୁବିଧା ସୁଯୋଗ ଦେଖି ପରସ୍ପର ବିରୋଧରେ ମନଖୋଲି ଗର୍ଜନ ତର୍ଜନ କରିଥିଲେ। କଂଗ୍ରେସ ରାଜ୍ୟ ସରକାର ଓ କେନ୍ଦ୍ର ଉପରେ ଅସନ୍ତୋଷ ଝାଡ଼ିଥିଲା। ବିଜେପି ରାଜ୍ୟ ସରକାରଙ୍କୁ କାଠଗଡାକୁ ଟାଣିଥିବା ବେଳେ ଶାସକ ବିଜେଡି କେନ୍ଦ୍ର ସରକାରଙ୍କ ବିରୋଧରେ ଅଭିଯୋଗର ପାହାଡ଼ ଲଦିଦେଇଥିଲା।

‘ମହାନଦୀରେ ଜଳସଙ୍କଟ ଓ ତତ୍‌ଜନିତ ଉପୁଜିଥିବା ସମସ୍ୟା, ଛତିଶଗଡ଼ ସରକାରଙ୍କ ଦ୍ୱାରା ମହାନଦୀ ଉପରେ ଚାଲୁ ରହିଥିବା ବେଆଇନ ନିର୍ମାଣ କାର୍ଯ୍ୟ ଉପରେ ସ୍ଥଗିତାଦେଶ ଏବଂ ସୁପ୍ରିମକୋର୍ଟଙ୍କ ଆଦେଶ ସତ୍ତ୍ୱେ ଟ୍ରିବ୍ୟୁନାଲର କାର୍ଯ୍ୟକାରିତା ନେଇ କାଳକ୍ଷେପଣ ନୀତି ସଂପର୍କରେ ଆଲୋଚନା କରାଯାଉ।’ ଶୀର୍ଷକରେ ସରକାରୀ ଦଳ ମୁଖ୍ୟ ସଚେତକ ଆଣିଥିବା ପ୍ରସ୍ତାବ ଆଲୋଚନା ବେଳେ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପରସ୍ପର ପରସ୍ପରକୁ କଡ଼ା ସମାଲୋଚନା କରିଥିଲେ ହେଁ, ମହାନଦୀ ଯେ ବିପଦରେ ଏକଥାକୁ କେହି ଅସ୍ୱୀକାର କରିନଥିଲେ। ବରଂ ଭବିଷ୍ୟବାଣୀ ହୋଇଥିଲା ଯେ ଖୁବ୍‌ ଶୀଘ୍ର ମହାନଦୀ ଶୁଖିଯିବ। ମହାନଦୀ ଏକ ମୃତନଦୀରେ ପରିଣତ ହେବ। କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ମହାନଦୀକୁ ଏଭଳି ଏକ ବିପଦ ସ୍ଥିତିକୁ ଟାଣି ନେଉଛି।

ଗତକାଲି ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ, ଆଜି ପ୍ରଶ୍ନକାଳକୁ ବାତିଲ୍‌ କରାଯାଇଥିଲା। ଶୋକ ପ୍ରସ୍ତାବ ପରେ ପରେ ବାଚସ୍ପତି ମହାନଦୀ ପ୍ରସଙ୍ଗ ଆଲୋଚନା ପ୍ରକ୍ରିୟା ଆରମ୍ଭ କରିଥିଲେ। ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଥିଲେ, ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ୬ଟି ବଡ଼ ବ୍ୟାରେଜ୍‌ ନିର୍ମାଣ କରୁଛନ୍ତି। ଏହା ମୁଖ୍ୟତଃ ଶିଳ୍ପଭିତ୍ତିକ ହୋଇଛି। ଶିଳ୍ପାନୁଷ୍ଠାନ ସହ ଛତିଶଗଡ଼ ସରକାର ଚୁକ୍ତିନାମା କରି ସେମାନଙ୍କ ଅର୍ଥରେ ବ୍ୟାରେଜ୍‌ ନିର୍ମାଣ କରୁଛନ୍ତି। ପ୍ରଭାବରେ ଓଡ଼ିଶାରେ ଜଳସେଚନ ପ୍ରଭାବିତ ହେବା ସହ ପିଇବା ପାଣି ସଙ୍କଟ ଦେଖାଦେଇଛି। ମହାନଦୀ ହେଉଛି ଓଡ଼ିଶାବାସୀଙ୍କ ଜୀବନଜୀବିକାର ଧାରା। ବ୍ୟାରେଜ୍‌ ଯୋଗୁଁ ମହାନଦୀ ଜଳପ୍ରବାହ ହ୍ରାସ ପାଇଛି। ଛତିଶଗଡ଼ ସରକାର ଦ୍ରୁତ ଗତିରେ କାମ ଜାରି ରଖିଛନ୍ତି। ମହାନଦୀ ୮୫୧ କିମି ପ୍ରବାହିତ ହେଉଛି। ତାହା ମଧ୍ୟରୁ ଛତିଶଗଡ଼ ଦେଇ ୩୫୭ କିମି ଯାଇଛି। ଓଡ଼ିଶାରେ ସର୍ବାଧିକ ୪୯୪ କିମି ପ୍ରବାହିତ ହେଉଛି। ସଂଘୀୟ ବ୍ୟବସ୍ଥାରେ ମହାନଦୀ ଉପରେ ଆମର ଅଧିକାର ନାହିଁ ତ କାହାର ଅଛି ?

ଶ୍ରୀ ଶତପଥୀ ଆହୁରି କହିଥିଲେ, କୋର୍ଟ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍‌ ଗଠନ କଲେ। କିନ୍ତୁ ଟର୍ମ ଅଫ୍‌ ରେଫରେନ୍‌ସ୍‌ର କୌଣସି ସୂଚନା ରାଜ୍ୟ ସରକାରଙ୍କ ପାଖରେ ନାହିଁ। ନୂଆ ନିର୍ମାଣ ନ କରିବା ପାଇଁ ଏନ୍‌ଜିଟିର ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ବି ଛତିଶଗଡ଼ ସରକାର ତାହା ମାନୁ ନାହାନ୍ତି। ଏବେ ପୁଣି ମହାମେଲାରେ ୧୭୬ କୋଟି ବ୍ୟୟରେ ଆଉ ଏକ ବ୍ୟାରେଜ୍‌ ନିର୍ମାଣ ପାଇଁ ଛତିଶଗଡ଼ ସରକାର ଟେଣ୍ଡର୍‌ ଡାକିସାରିଲେଣି। ତେଣୁ ଟ୍ରିବ୍ୟୁନାଲ୍‌ ପ୍ରକ୍ରିୟାକୁ ବିଳମ୍ବ କରିବା ହେଉଛି କେନ୍ଦ୍ର ସରକାରଙ୍କ ଗୁପ୍ତ ଆଭିମୁଖ୍ୟ। ବେଆଇନ୍‌ ନିର୍ମାଣ ନ ସରିବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏମିତି ଗଡ଼ାଇ ଚାଲିବେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଛତିଶଗଡ଼ର ବ୍ୟାରେଜ୍‌ ଯୋଗୁଁ ହୀରାକୁଦକୁ ଜଳ ପ୍ରବାହ କମିଛି। ଓଡ଼ିଶା କ୍ଷତିଗ୍ରସ୍ତ ହେଲାଣି। ଆଗକୁ ବି ଆହୁରି କ୍ଷତିଗ୍ରସ୍ତ ହେବ। ବର୍ତ୍ତମାନ ମୁଖ୍ୟ କଥା ହେଉଛି କିପରି ମହାନଦୀ ଓ ଓଡ଼ିଶାର ସ୍ୱାର୍ଥକୁ ରକ୍ଷା କରିବା। ଏଥିରୁ ରାଜନୈତିକ ଫାଇଦା ନେବା ପାଇଁ ଉଦ୍ୟମ କରିବା ନିନ୍ଦନୀୟ। ମହାନଦୀ ସମସ୍ୟା ଆଲୋଚନା ପାଇଁ ଗୃହରେ ଦୁଇଟି କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ଓ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଉ ଗୋଟିଏ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ବୈଠକ ତୁରନ୍ତ ଡକାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଉ। ରାଜ୍ୟ ସରକାର କହୁଛନ୍ତି ଯେ ଟ୍ରିବ୍ୟୁନାଲ୍‌ର ଟର୍ମ ଅଫ୍‌ ରେଫରେନ୍‌ସ୍‌ ପାଇ ନାହାନ୍ତି। ତେବେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷଙ୍କ ନିକଟକୁ ଟର୍ମ ଅଫ୍‌ ରେଫ୍‌ରେନ୍‌ସ୍‌ ପଠାଇଥିବାର ସୂଚନା ମିଳିଛି। ଯେହେତୁ ପଠାଇବାର ତରିକା ଭୁଲ୍‌ ରହିଛି, ତାହା ମିଳି ନାହିଁ। ରାଜ୍ୟର ସ୍ୱାର୍ଥ ପାଇଁ ଯେ କୌଣସି ବ୍ୟକ୍ତି ଓ ଅନୁଷ୍ଠାନ ବିରୋଧରେ ଲଢ଼ିବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ବିରୋଧୀ ଦଳ ନେତା ଦୃଢୋକ୍ତି ପ୍ରକାଶ କରିବା ସହିତ ଚେତାଇ ଦେଇଥିଲେ ଯେ ଯଦି ଥରେ ଛତିଶଗଡ଼ ସରକାର ନିର୍ମାଣ ସାରିଦିଅନ୍ତି, ତେବେ ଅଣମୌସୁମୀ ସମୟରେ ହୀରାକୁଦ ଶୁଖିଯିବ।

ବିଜେଡିକୁ ଭର୍ତ୍ସନା କରି ଶ୍ରୀ ମିଶ୍ର କହିଥଲେ, ଲୋକସଭାରେ ବିଜେଡିର ୨୦ ସାଂସଦ ଅଛନ୍ତି। ତାମିଲନାଡ଼ୁ ସାଂସଦମାନେ କାବେରୀ ନଦୀ ପ୍ରସଙ୍ଗ ସଂସଦରେ ଉଠାଇ ସରକାରଙ୍କୁ ଅସ୍ତବ୍ୟସ୍ତ କରିଦେଲେ। କିନ୍ତୁ ଆମ ସାଂସଦମାନଙ୍କ ସ୍ୱର କୁଆଡ଼େ ଗଲା? ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ସେତିକି ଗୁରୁତର ସହ ଆଗେଇ ନେଉ ନାହାନ୍ତି। ଏକଦା ରାଷ୍ଟ୍ରପତି ଏହି ପ୍ରସଙ୍ଗରେ ଆଗ୍ରହ ଦେଖାଇଥିଲେ ମଧ୍ୟ ରାଜ୍ୟ ସରକାର ଆଗକୁ ନେଲେ ନାହିଁ।

ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଥିଲେ, ମହାନଦୀ ପ୍ରସଙ୍ଗରେ ଗୃହରେ ଦୁଇଟି କମିଟି ଗଠନ କରାଯାଇଛି। କିନ୍ତୁ ତାହାର ବୈଠକ ବସୁନି। ଅନ୍ୟକୁ ଦୋଷ ନ ଠେଲି ରାଜ୍ୟ ସରକାର ଏହାକୁ ଗୁରୁତର ଭାବେ ଗ୍ରହଣ କରନ୍ତୁ। ଶାସକ ଦଳ ଏହି ପ୍ରସଙ୍ଗକୁ ବଞ୍ଚାଇ ରଖି କେବଳ ରାଜନୀତି କରୁଛନ୍ତି। ସାଧାରଣ ନିର୍ବାଚନ ଯାଏଁ ଏମିତି କରିବେ। ମହାନଦୀର ୫୩ ପ୍ରତିଶତ ପାଣି ସମୁଦ୍ରକୁ ଚାଲିଯାଉଛି। ଛତିଶଗଡ଼ ସରକାର ଏତେ ବ୍ୟାରେଜ୍‌ କରୁଥିଲା ବେଳେ ୧୮ ବର୍ଷ ଭିତରେ ରାଜ୍ୟ ସରକାର ଗୋଟିଏ ବି ବ୍ୟାରେଜ୍‌ ନିର୍ମାଣ ଚିନ୍ତା କରିପାରିଲେନି? ଏପରିକି କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ଥାଇ ବି ଏକାଧିକ ଜଳସେଚନ ପ୍ରକଳ୍ପ ନିର୍ମାଣ କରିପାରୁ ନାହାନ୍ତି। ରାଜ୍ୟର ସ୍ୱାର୍ଥ ପାଇଁ ବିଜେପି ସବୁ ସ୍ତରକୁ ଯିବାକୁ ରାଜି ଅଛି। ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଗୃହରେ ଠୋସ୍‌ ନିଷ୍ପତ୍ତି ନିଆଯାଉ। ଆଉ ଯଦି ବିଜେଡି ମହାନଦୀକୁ ନେଇ ନିର୍ବାଚନ ଯୋଜନା କରୁଛି, ତେବେ ସାଧାରଣ ଜନତା, ଚାଷୀ ସମସ୍ତେ ପ୍ରଭାବିତ ହେବେ।

ସିପିଆଇ(ଏମ୍‌) ସଭ୍ୟ ଲକ୍ଷ୍ମଣ ମୁଣ୍ଡା କହିଥିଲେ, ଛତିଶଗଡ଼ ସରକାର ବ୍ୟାରେଜ୍‌ ନିର୍ମାଣ ଜାରି ରଖିଥିଲା ବେଳେ ଆମେ ତାହାକୁ ରୋକିବାକୁ ଠୋସ୍‌ ପଦକ୍ଷେପ ନେଇ ନାହୁଁ। ଆମେ ସମସ୍ତେ ଏକଜୁଟ୍‌ ହୋଇ ରାଜ୍ୟର ସ୍ୱାର୍ଥ ପାଇଁ ଲଢ଼ିବାର ଆବଶ୍ୟକତା ରହିଛି।

ଶାସକ ଦଳ ସଭ୍ୟ ସଞ୍ଜୟ ଦାସବର୍ମା ସିଧା ଆରୋପ ଲଗାଇଥିଲେ, ଆଉ ଛଅ ମାସ ପରେ ଛତିଶଗଡ଼ ବିଧାନସଭା ନିର୍ବାଚନ। ତେଣୁ ଟ୍ରିବ୍ୟୁନାଲ୍‌ ପ୍ରକ୍ରିୟାକୁ କେନ୍ଦ୍ର ସରକାର ଜାଣିଶୁଣି ବିଳମ୍ବ କରୁଛନ୍ତି। ରାଜ୍ୟର ୧୫ଟି ଜିଲ୍ଲା ପ୍ରଭାବିତ ହେଉଛି। ବ୍ୟାରେଜ୍‌ ନିର୍ମାଣ ନ କରିବା ପାଇଁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିଲେ ବି ଛତିଶଗଡ଼ ସରକାର ମାନୁ ନାହାନ୍ତି। କେବଳ ସେତିକି ନୁହେଁ, ଆଉ ଗୋଟିଏ ବ୍ୟାରେଜ୍‌ ପାଇଁ ବି ଟେଣ୍ଡର୍‌ ଡକାସରିଲାଣି। ଓଡ଼ିଶା ସାଂଘାତିକ ପ୍ରଭାବିତ ହେଉଥିଲେ ବି ଏଠାରେ ବିଜେପି ଛତିଶଗଡ଼ ସରକାରଙ୍କ ପାଇଁ ଓକିଲାତି କରୁଛି। ଆମର ରାଜନୈତିକ ମତପାର୍ଥକ୍ୟ ଥାଇପାରେ। କିନ୍ତୁ ରାଜ୍ୟ ସ୍ୱାର୍ଥ ଆଗରେ ଆଉ କୌଣସି ସ୍ୱାର୍ଥକୁ ଜନତା ବରଦାସ୍ତ କରିବେ ନାହିଁ। ଛତିଶଗଡ଼ର ବ୍ୟାରେଜ୍‌ ପାଇଁ ମହାନଦୀରେ ଜଳପ୍ରବାହ ୪୦ ପ୍ରତିଶତ କମିଛି। ୨୦ ପ୍ରତିଶତ ଶକ୍ତି ଉତ୍ପାଦନ କମିଛି। ୧୦ ଦିନ ହେଲା କଲ୍‌ମା ବ୍ୟାରେଜ୍‌ରେ ୬୭ଟି ଗେଟ୍‌ ବନ୍ଦ ହୋଇଛି। ଓଡ଼ିଶା ପ୍ରତି ଏପରି ଅବିଚାର ଚାଲିଥିଲା ବେଳେ କେନ୍ଦ୍ର ସରକାର ୫ଟି ରାଜ୍ୟର ପ୍ରତିନିଧିଙ୍କୁ ନେଇ ବୈଠକ ଡାକିଛନ୍ତି। ଓଡ଼ିଶାର ସ୍ୱାର୍ଥକୁ ଦଳିଚକଟି ଦେବାର ଷଡ଼ଯନ୍ତ୍ର କେନ୍ଦ୍ର କରିଛି। ଏହି ବୈଠକରେ କି ନିଷ୍କର୍ସ ବାହାରିବ, ତାହା ବୁଝାପଡ଼ୁ ନାହିଁ। ଛତିଶଗଡ଼ ସରକାର ଏଥିରେ ଯୋଗ ନ ଦେବାର ଆଶଙ୍କା ବି ରହିଛି। ଏ ନେଇ ନିର୍ଣ୍ଣାୟକ ଲଢ଼େଇ ନ ଲଢ଼ିଲେ ମହାନଦୀ ମୃତ ନଦୀରେ ପରିଣତ ହୋଇଯିବ। ଶାସକ ଦଳ ପକ୍ଷରୁ ରାସେଶ୍ୱର ପାଣିଗ୍ରାହୀ, ବେଦ ପ୍ରକାଶ ଅଗ୍ରଓ୍ଵାଲ, ରୋହିତ ପୂଜାରୀ, ଅତନୁ ସବ୍ୟସାଚୀ ନାୟକ, ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇ ଅନୁରୂପ ଢଙ୍ଗରେ ନିଜର ଉଦ୍‌ବେଗ ରଖିଥିଲେ।

କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଥିଲେ, ଜଳସମ୍ପଦ ବିଭାଗର ତତ୍‌କାଳୀନ ସଚିବ କହିଥିଲେ ଯେ ଉପର ମୁଣ୍ଡରେ ୧୦୦୦ ପ୍ରକଳ୍ପ ହେଲେ ବି ଆମର କିଛି କ୍ଷତି ହେବନି। ଏବେ ପୁଣି କାହିଁକି ବିନ୍ଧୁଛି? ଛତିଶଗଡ଼ ସରକାର ଶିଳ୍ପପତିଙ୍କ ପାଇଁ ବ୍ୟାରେଜ୍‌ ନିର୍ମାଣ କରୁଛନ୍ତି। ଆମ ସରକାର ସବୁ ଜାଣି ଏତେ ବର୍ଷ ହେଲା ଚୁପ୍‌ ବସିଥିଲେ। କାରଣ ଏମାନେ ବି ସେହି ଶିଳ୍ପପତିଙ୍କ ଚାପରେ କିଛି କହୁ ନ ଥିଲେ। ଏବେ ରାଜ୍ୟ ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ଲଢ଼ନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସବୁ ଦଳର ବିଧାୟକ ଦିଲ୍ଲୀ ଯାଇ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି। କଂଗ୍ରେସ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ପ୍ରଫୁଲ୍ଲ ମାଝୀ ବି ଆଲୋଚନାରେ ଭାଗ ନେଇଥିଲେ। ଅନ୍ୟ ପକ୍ଷରେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ, ରବି ନାଏକ ପ୍ରମୁଖ ଆଲୋଚନାରେ ଭାଗ ନେଇ ମହାନଦୀକୁ ନେଇ ସରକାର ରାଜନୀତିର ଲଢେଇ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ପୂର୍ବରୁ ସତର୍କ ହୋଇଥିଲେ, ଆଜି ଦିନରେ ଏଭଳି ଦୁର୍ଦଶା ଦେଖିବାକୁ ପଡିନଥାନ୍ତା ବୋଲି ବୋଲି ବିଧାୟକମାନେ କହିଥିଲେ।

Share Now:

Kalinga News Beuro

Leave a Reply

Next Post

ପୁଣି କଚାଡି ମାରିଲା ହାତୀ

Sat Apr 14 , 2018
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକ୍‌ ଗଉଡ଼କାଟେଣି ଠାରେ ଚାଲିଥିବା ଏକ କେନାଲ କାର୍ଯ୍ୟର ଠିକାଦାରଙ୍କ କ୍ୟାମ୍ପରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିବା ଗୋବିନ୍ଦ ଚନ୍ଦ୍ର ଦେବତା ନାମକ ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ମାରି ଦେଇଛି। ଆଜି ସକାଳେ ଶ୍ରୀ ଦେବତା ଶୌଚ ହେବା ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଶ୍ରୀ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial