ଇସ୍ରୋ ଓ ଭିସୁଟ୍ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର: ବୁର୍ଲାରେ ହେବ ମହାକାଶ ଗବେଷଣା କେନ୍ଦ୍ର

ବୁର୍ଲାରେ ହେବ ମହାକାଶ ଗବେଷଣା କେନ୍ଦ୍ର

ଇସ୍ରୋ ଦେବ ଅର୍ଥ ଓ ବୈଷୟିକ ସହାୟତା, ଭିସୁଟ୍‌ ଯୋଗାଇବ ଗବେଷଣା ଭିତ୍ତିଭୂମି

ସମ୍ବଲପୁର: ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍) କ୍ୟାମ୍ପସ୍‌ରେ ତିଆରି ହେବ ଦେଶର ପ୍ରଥମ ଅତ୍ୟାଧୁନିକ ସ୍ପେସ୍ ଇନୋଭେସନ ଓ ଇନକ୍ୟୁବେସନ ସେଣ୍ଟର। ଏ ନେଇ ମଙ୍ଗଳବାର ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏବଂ ଭିସୁଟ୍ ମଧ୍ୟରେ ଭିଡିଓ କନଫରେନ୍ସିଂରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଇସ୍ରୋ ଅଧ୍ୟକ୍ଷ କେ. ଶିବନ, ଇସ୍ରୋ ନିର୍ଦ୍ଦେଶକ ଡ. ପିଭି ଭେଙ୍କିଟାକ୍ରିଷ୍ଣନ୍, ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ଭିସୁଟ୍‌ କୁଳପତି ପ୍ରଫେସର୍‌ ଅଟଳ ଚୌଧୁରୀ ଓ ଉଭୟ ପକ୍ଷରୁ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ବୁଝାମଣାପତ୍ରରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଓ ଭିସୁଟର କୁଳପତି ପ୍ରଫେସର ଚୌଧୁରୀ ସ୍ବାକ୍ଷର କରିଛନ୍ତି। ଇସ୍ରୋ ସହ ଏହି ଗବେଷଣା ଭିତ୍ତିକ ଚୁକ୍ତି ସ୍ବାକ୍ଷର କରିବାର ଭିସୁଟ୍‌ ଦେଶର ପ୍ରଥମ ବିଶ୍ବବିଦ୍ୟାଳୟ ହେବାର ବିରଳ ଗୌରବ ହାସଲ କରିଛି। ବୀର ସୁରେନ୍ଦ୍ର ସାଏ ସ୍ପେସ୍ ଇନୋଭେସନ୍ ସେଣ୍ଟର (ଭିଏସ୍‌ଏସ୍‌ଏସ୍‌ଆଇସି), ବୁର୍ଲା ନାମରେ ନାମିତ ହେବାକୁ ଥିବା ଏହି କେନ୍ଦ୍ର ପାଇଁ ପ୍ରଥମ ପର୍ଯ୍ୟାୟରେ ଇସ୍ରୋ ପକ୍ଷରୁ ୫୦ ଲକ୍ଷ ଟଙ୍କା ଅନୁଦାନ ଦିଆଯିବ ଓ ଭିସୁଟ୍ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବ। ସୂଚନାଯୋଗ୍ୟ, ୨୦୧୮ ମସିହା ମାର୍ଚ୍ଚ ୩୦ ତାରିଖରେ ଭିସୁଟ୍ ଇନୋଭେସନ୍ କ୍ଲବ ପକ୍ଷରୁ ଭିଏସ୍‌ଏଲ୍‌ଭି ୩.୦ ଲଞ୍ଚ କରାଯାଇଥିଲା। ଏହି ରକେଟ୍ ୪ କିମି ଉଚ୍ଚତା ଯାଏ ପ଼ହଞ୍ଚିଥିଲା, ଯାହା କୌଣସି ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ନିର୍ମିତ ରକେଟ୍‌ ଦ୍ୱାରା ହାସଲ କରା ଯାଇଥିବା ସର୍ବାଧିକ ଉଚ୍ଚତା ଥିଲା। ଏଥିପାଇଁ ଭିସୁଟ୍ ଇନୋଭେସନ୍ କ୍ଲବ ଲିମ୍‌କା ବୁକ୍ ଅଫ୍ ରେକର୍ଡ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା। ଏହାପରେ ଭିସୁଟ୍‌ରେ ଦେଶର ପ୍ରଥମ ଇନୋଭେସନ୍ ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ଇସ୍ରୋ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ଯାଇଥିଲା। ଚୁକ୍ତି ସ୍ବାକ୍ଷର ପରେ ଭିସୁଟର କୁଳପତି ପ୍ର. ଚୌଧୁରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଭିଏସ୍‌ଏସ୍‌ଏସ୍‌ଆଇସି ଆମ ବିଶ୍ବବିଦ୍ୟାଳୟ ସମେତ ପୂରା ଓଡ଼ିଶା ପାଇଁ ଗର୍ବର ବିଷୟ। ଏହା ସହିତ ଦେଶର ପ୍ରଥମ କେନ୍ଦ୍ର ହୋଇଥିବାରୁ ଆମ ଉପରେ ମଧ୍ୟ ଅନେକ ଗୁରୁ ଦାୟିତ୍ବ ମଧ୍ୟ ରହୁଛି। ଏହି କେନ୍ଦ୍ର ନିର୍ମାଣ ହେବା ପରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜ୍ୟୋତିର୍ବିଜ୍ଞାନରେ ଅଧ୍ୟୟନ ଓ ଗବେଷଣା ପାଇଁ ଉତ୍ତମ ପରିସର ଓ ସୁଯୋଗ ପାଇପାରିବେ। ଆଜିର ଦିନ ବିଶ୍ବବିଦ୍ୟାଳୟ ଇତିହାସରେ ଏକ ସ୍ମରଣୀୟ ଦିବସ ହୋଇ ରହିବ ବୋଲି ପ୍ର. ଚୌଧୁରୀ କହିଛନ୍ତି। ସେହିପରି ଭିସୁଟ୍‌ ଛାତ୍ର ଶୋଭିତ୍ ଆଚାର୍ଯ୍ୟ କହିଛନ୍ତି ଏହି କେନ୍ଦ୍ର ନିର୍ମାଣ ହେବା ପରେ ଇସ୍ରୋଠାରୁ ଆମେ ପେସାଦାର ପ୍ରଶିକ୍ଷଣ ପାଇବୁ। ଯାହା ପୂର୍ବରୁ ମିଳୁ ନଥିଲା। ଏହା ମହାକାଶ ଗବେଷଣା କ୍ଷେତ୍ରରେ ଆଗକୁ ବଢ଼ିବାକୁ ଆମ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଇଲ୍ ଖୁଣ୍ଟ ସାବ୍ୟସ୍ତ ହେବ।

Share Now:

Kalinga News Beuro

Next Post

ଗାଡ଼ି ଲୁଟେରା ଗ୍ୟାଙ୍ଗ୍‌ର ୪ ଗିରଫ: ମାଷ୍ଟରମାଇଣ୍ଡ ଡିପ୍ଲୋମା ଇଞ୍ଜିନିୟର୍‌

Wed Aug 26 , 2020
ଜିଲ୍ଲାରୁ ଜିଲ୍ଲା ବୁଲି ଲୁଟୁଥିଲେ,ହାଇୱା ସହ ୧୨ ଗାଡ଼ି ଜବତ ଭୁବନେଶ୍ବର: ପାଠ ପଢ଼ିଥିଲା ଡିପ୍ଲୋମା ଇଞ୍ଜିନିୟର୍‌। ଇଞ୍ଜିନିୟରିଂ ପ୍ଲାନ୍‌ ଚୋରି‌ରେ ଲଗାଉଥିଲା। ପୂରା ଫିଲ୍ମ ଷ୍ଟାଇଲରେ ଚୋରି କରୁଥିଲା। ବାଇକ୍‌ ତ’ ବାଇକ୍‌, ଜନଗହଳି ସ୍ଥାନରୁ ହାଇୱା ବି ନେଇ ପଳାଉଥିଲା। ଚୋରି ଅର୍ଥରେ ମଉଜ କରୁଥିଲା। ଗୋଟିଏ ଜିଲ୍ଲାରେ ୨/୩ଟି ବଡ଼ଧରଣର ଚୋରି କରିବା ପରେ ଅନ୍ୟ ଜିଲ୍ଲାରେ କ୍ୟାମ୍ପ ପକାଉଥିଲା। ପୁଲିସ୍‌ ଆଖିରେ ଧୂଳି ଦେଇ […]
ଗାଡ଼ି ଲୁଟେରା ଗ୍ୟାଙ୍ଗ୍‌ର ୪ ଗିରଫ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial