ଯୋଜନା ପରେ ଯୋଜନା, ପୁନରୁଦ୍ଧାର କେବେ? ବଡ଼ବଡ଼ିଆଙ୍କ ଦଖଲରେ ଗଙ୍ଗୁଆ

ବଡ଼ବଡ଼ିଆଙ୍କ ଦଖଲରେ ଗଙ୍ଗୁଆ

ଡ୍ରେନେଜ୍‌ ଡିଭିଜନ୍‌ ବଦଳରେ ବିଡିଏ କରିବ ସର୍ଭେ

ଭୁବନେଶ୍ୱର : ସହରକୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତ କରିବା ପାଇଁ ଏକମାତ୍ର ସାହା ଭରସା ହେଉଛି ଗଙ୍ଗୁଆ। ସହର ଦେଇ ଯାଇଥିବା ୧୦ଟି ପ୍ରାକୃତିକ ନାଳ ଗଙ୍ଗୁଆରେ ମିଶିଛି। ଗଙ୍ଗୁଆ ଏହି ସବୁ ବର୍ଜ୍ୟଜଳକୁ ନେଇ ଦୟାରେ ମିଶିଛି। ଭୁବନେଶ୍ୱରର ବର୍ଜ୍ୟଜଳ ବିଶୋଧିତ ହେଉନଥିବାରୁ ଏହା ଗଙ୍ଗୁଆ ଓ ଦୟାନଦୀର ପାଣିକୁ ଦୂଷିତ କରିଛି। ଏହି ଦୂଷିତ ପାଣି ଜନଜୀବନ ପ୍ରଭାବିତ କରୁଥିବାରୁ ମାମଲା ଏନ୍‌ଜିଟିରେ ପହଞ୍ଚିଛି। ଏଣୁ ଏହାକୁ ସ୍ୱଚ୍ଛ କରିବା ସହ ସହରରୁ ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ବିଭିନ୍ନ ସମୟରେ ମାନସମନ୍ଥନ ହୋଇଛି। କେତେବେଳେ ଜଳସମ୍ପଦ ବିଭାଗ ଉଦ୍ୟମ କରିଥିବା ବେଳେ କେତେବେଳେ ଡ୍ରେନେଜ୍‌ ଡିଭିଜନ୍‌ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଛି। ଏହାକୁ ବିଏମ୍‌ସିକୁ ହସ୍ତାନ୍ତର କରିବାକୁ ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ନେଇଥିବା ବେଳେ ଦୀର୍ଘ ଦିନ ମାନସମନ୍ଥନ କରିବା ପରେ ବିଏମ୍‌ସି ଦାୟିତ୍ୱ ନେବାକୁ ମନା କରିଦେଇଛି। ଏଭଳି ଛକାପଞ୍ଝାରେ ଭୁବନେଶ୍ୱରବାସୀ ଫସି ରହିଛନ୍ତି। ଅସରାଏ ବର୍ଷାରେ ସହର ଭାସୁଛି। ଏଭଳି ସ୍ଥିତିରେ ଏବେ ବିଡିଏକୁ ଦାୟିତ୍ୱ ଦିଆଯାଇଛି। ବିଡିଏ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବାକୁ ଯାଉଛି। ଗଙ୍ଗୁଆ ସହ ୧୦ଟି ପ୍ରାକୃତିକ ନାଳ(ବିଡିଏ ଅଞ୍ଚଳ)ର ସର୍ଭେ କରିବା ସହ ମାଷ୍ଟର ପ୍ଲାନ୍‌ପ୍ରସ୍ତୁତ କରିବାକୁ ଠିକା ସଂସ୍ଥା ଚୟନ କରିଛି। ବାସ୍ତବରେ ଗଙ୍ଗୁଆ ଜବରଦଖଲ ହୋଇଛି। ଏଥିରେ ବଡ଼ବଡ଼ିଆ ଥିବାରୁ ଜଳସମ୍ପଦ ବିଭାଗ, ଡ୍ରେନେଜ୍‌ ଡିଭିଜନ୍‌ ଓ ବିଏମ୍‌ସି କେହି ହାତ ମାରିବାକୁ ଚାହୁନାହାନ୍ତି।
ଗଙ୍ଗୁଆ ନାଳ ଜଳସମ୍ପଦ ଅଧୀନରେ ଥିବା ବେଳେ ଏହାର ଅଧିକାଂଶ ଭାଗ ବିଏମସି ଅଞ୍ଚଳରେ ରହିଛି। ଏହାର ପୁନରୁଦ୍ଧାର ଦାଇତ୍ୱ ଡ୍ରେନେଜ୍‌ ବିଭାଗ ନେଇଥିଲା। ସମନ୍ୱୟ ଅଭାବରୁ ଏହାର ପୁନରୁଦ୍ଧାର ହୋଇ ପାରୁ ନଥିଲା। ସହରର ଜଳବନ୍ଦୀ ସମସ୍ୟା ଦୂର ପାଇଁ ଏକାଧିକ ସମନ୍ୱୟ ବୈଠକରେ ତନାଘନା ହେବା ପରେ ହୋଇଛି। ୨୦୨୧ ମସିହାରେ ବିଏମ୍‌ସିର ତତ୍‌କାଳୀନ କମିସନର ସଞ୍ଜୟ ସିଂହ ଡ୍ରେନେଜ୍‌ ଡିଭିଜନ୍‌କୁ ଜଳ ନିଷ୍କାସନ ନ ହେବା କାରଣ ଖୋଜିବାକୁ ଚିଠି ଲେଖିଥିଲେ। ହେଲେ କିଛି ଫଳ ହୋଇନଥିଲା। ୨୦୨୨ ଏପ୍ରିଲ ୨୬ ତାରିଖରେ ଗଙ୍ଗୁଆକୁ ନେଇ ବିଭାଗୀୟ ସମନ୍ୱୟ ବୈଠକ ବସିଥିଲା। କିଛି ଭାଗ ଭୁବନେଶ୍ୱର ଡ୍ରେନେଜ୍‌ ଡିଭିଜନ୍‌ କରିବ ଓ କିଛି ଭାଗ କଟକ ଡ୍ରେନେଜ୍‌ ଡିଭିଜନ୍‌ ପୁନରୁଦ୍ଧାର କରିବ ନିଷ୍ପତ୍ତି ହେଲା‌। ହେଲେ କ’ଣ ହେଲା କେଜାଣି କେହି କାମ ଆରମ୍ଭ କଲେ ନାହିଁ। ଏଣୁ ଶ୍ରୀ ସିଂହ ଜଳସମ୍ପଦ ବିଭାଗକୁ ଚିଠି ଲେଖିଥିଲେ। ଜଳସମ୍ପଦ ବିଭାଗ ପକ୍ଷରୁ କଟକ ଡ୍ରେନେଜ୍‌ ଡିଭିଜନ୍‌ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଲା। ହେଲେ ଏହା କେବଳ ଚିଠିରେ ସୀମିତ ରହିଲା। ଶେଷରେ ଅଧିକାଂଶ ଭାଗ ବିଏମ୍‌ସି ବ୍ୟବହାର କରୁଥିବାରୁ ୨୦୨୨ ମସିହା ଜୁଲାଇ ୧୮ ତାରିଖରେ ଏହା ବିଏମ୍‌ସି ଅଧୀନକୁ ଆଣିବା ପାଇଁ ନିଷ୍ପତ୍ତି ହେଲା। କିନ୍ତୁ ବିଏମ୍‌ସିର ଡ୍ରେନେଜ୍‌ ଉପବିଭାଗରେ କର୍ମଚାରୀ ଅଭାବ ଓ ଦକ୍ଷତା ନଥିବା ଦର୍ଶାଇ ବିଏମ୍‌ସି କର୍ତ୍ତୃପକ୍ଷ ୨୦୨୨ ଡିସେମ୍ବର ମାସରେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ। ଏଣୁ ଏହା ପୁଣି ଥରେ ଡ୍ରେନେଜ୍‌ ଡିଭିଜନ୍‌କୁ ଫେରିଗଲା। ଏଭଳି କୌଣସି ଯୋଜନାରେ ସୁଫଳ ନ ମିଳିବାରୁ ମାନସମନ୍ଥନ ହୋଇଥିଲା। କିଏ ପୁନରୁଦ୍ଧାର କରିବ ତାହା ପଛ କଥା, ଏହାର ଆଗ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ହେଉ, ପରେ କ’ଣ କରାଯିବ ଯୋଜନା ହେବ ବୋଲି ନିକଟ ଅତୀତରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହେଲା। ଏହି ନିଷ୍ପତ୍ତି ଆଧାରରେ ଏବେ ବିଡିଏ ଏହି ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବା ପାଇଁ ଠିକା ସଂସ୍ଥା ଚୟନ କରିଛି।
ଉଲ୍ଲେଖଯୋଗ୍ୟ, ଚନ୍ଦକା ସଂରକ୍ଷିତ ଜଙ୍ଗଲରୁ ବାହାରିଥିବା ପ୍ରାୟ ୪୫ କିଲୋମିଟର ଲମ୍ବାର ଏହି ନାଳ ଭୁବନେଶ୍ୱର ଦେଇ କଣ୍ଟି ବାରିମୂଳଠାରେ ଦୟାନଦୀରେ ମିଶିଛି। ଜଙ୍ଗଲରୁ ବାହାରିବାର ୧୩ କିଲୋମିଟର ପରେ ଭୁବନେଶ୍ୱରର ନଳାପାଣି ଏଥିରେ ମିଶୁଛି। ସେଠାରୁ ୩୨ କିଲୋମିଟର ପର୍ଯ୍ୟନ୍ତ ଭୁବନେଶ୍ୱରର ବିଶୋଧନ ହେଉନଥିବା ବର୍ଜ୍ୟଜଳ ଗଙ୍ଗୁଆରେ ପଡ଼ୁଛି। ଚନ୍ଦକା ଅଭୟାରଣ୍ୟରୁ ବାହାରିବା ବେଳେ ଏହାର ଓସାର ଅନେକ ଜାଗାରେ ୮୦ରୁ ଶହେ ଫୁଟ୍‌ ପର୍ଯ୍ୟନ୍ତ ରହି ଥିବା ବେଳେ ସହର ଭିତରେ ଜବରଦଖଲ ଯୋଗୁ ଏହା ଅତ୍ୟନ୍ତ ଅଣଓସାରିଆ ହୋଇଯାଇଛି। ଫଳରେ ତ୍ବରିତ ଜଳ ନିଷ୍କାସନ ହୋଇ ପାରୁ ନାହିଁ। ଏଣେ ପ୍ରଦୂଷଣ ମଧ୍ୟ ବଢ଼ି ବଢ଼ି ଚାଲିଛି। ଓଡ଼ିଶାର ୧୯ଟି ପ୍ରଦୂଷିତ ନାଳ ମଧ୍ୟରୁ ଏହା ଶୀର୍ଷରେ ରହିଛି। ଦୟା ଅବବାହିକାରେ ଏହା ଜନଜୀବନକୁ ପ୍ରଭାବିତ କରିବା ପରେ ମାମଲା ଏନ୍‌ଜିଟିରେ ପହଞ୍ଚିଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନେତୃତ୍ୱରେ ଏନ୍‌ଜିଟି ଏକ କମିଟି ଗଠନ କରିଛନ୍ତି। କମିଟି ଗଙ୍ଗୁଆନାଳର ସ୍ଥିତି ଓ ଜଳର ମାନ ଅନୁଧ୍ୟାନ କରୁଛି। ଅଗଷ୍ଟ ୮ ତାରିଖରେ ଏହାର ଶୁଣାଣି ରହିଛି। ଶୁଣାଣି ପୂର୍ବରୁ ଏହାର ପୁନରୁଦ୍ଧାର ପାଇଁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ହେଉଛି ବୋଲି ରିପୋର୍ଟ ଉପସ୍ଥାପନ କରିବା ପାଇଁ ବିଡିଏ ତତ୍ପର ଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ସୃଷ୍ଟି ହେଲା ଲଘୁଚାପ: ୨୪ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Sun Jul 16 , 2023
ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏବଂ ଜୁଲାଇ ୧୮ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି (ରବିବାର) ଉତ୍ତର ଓଡିଶା ପାର୍ଶ୍ୱବର୍ତ୍ତୀ ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଗତକାଲି (ଶନିବାର)ର ଘୂର୍ଣ୍ଣିବଳୟ ଆଜି ମଧ୍ୟ ଉତ୍ତର -ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର […]
ସୃଷ୍ଟି ହେଲା ଲଘୁଚାପ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial