ଜଳିଗଲା ହାଇୱା : ଚାଳକ ଓ ହେଲପର୍ ସୁରକ୍ଷିତ

ଜଳିଗଲା ହାଇୱା

ଚନ୍ଦ୍ରଶେଖରପୁର: ରାଜଧାନୀର କିଟ୍ ଛକ ନିକଟରେ ଆଜି ଭୋର ସମୟରେ ଏକ ହାଇୱା ଜଳିଯାଇଥିବାର ଖବର ମିଳିଛି। ତେବେ ସେଥିରେ ଥିବା ଚାଳକ ଓ ହେଲପର୍ ଦୁହେଁ ସୁରକ୍ଷିତ ଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ସାଢ଼େ ୪ଟା ବେଳେ ବାରଙ୍ଗ ପଟୁ ଜୟଦେବ ବିହାର ଆଡ଼କୁ ଆସୁଥିବା ଏକ ହାଇୱା (ଓଡି୦୫-ଟି ୯୯୨୨)ରେ ହଠାତ୍ ଧୂଆଁ ବାହାରିଥିଲା। ଏହାଜାଣିପାରି ଉଭୟ ହେଲପର ଓ ଚାଳକ ଗାଡ଼ିରୁ ଓହ୍ଲାଇ ଇଞ୍ଜିନକୁ ଖୋଲିବା ସମୟରେ ନିଆଁ ଜଳିଉଠିଥିଲା। ଏହାପରେ ଗାଡ଼ିର ସାମ୍ନାପଟଟି ହୁତୁହୁତୁ ହୋଇ ଜଳିଉଠିଥିଲା।
ଖବର ପାଇ ଚନ୍ଦ୍ରଶେଖରପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ହାଇୱାର ସମ୍ମୁଖ ଭାଗଟି ସଂପୂର୍ଣ୍ଣ ଜଳିଯାଇଥିଲା। ସଟସର୍କିଟ ହେତୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଇନଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ରାସ୍ତା ଉପରୁ କାଢ଼ି ପାର୍ଶ୍ଵରେ ରଖିବାର ବ୍ୟବସ୍ଥା କରିଛି। ଏହାଛଡ଼ା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ପାରାଭାଡ଼ି ବୌଦ୍ଧସ୍ତୂପରୁ ବୁଦ୍ଧବିଗ୍ରହ ଆବିଷ୍କୃତ : ଶୁଖୁଆପଡ଼ା ପାହାଡ଼ ଶୀର୍ଷରେ ରହିଛି ପ୍ରାଚୀନ ବୌଦ୍ଧସ୍ତୂପ

Tue Feb 28 , 2023
ଚଣ୍ଡିଖୋଲ : ଲଳିତଗିରି-ରତ୍ନଗିରି-ଉଦୟଗିରି ହୀରକ ତ୍ରିଭୁଜ ଅନ୍ତର୍ଗତ ଶୁଖୁଆପଡ଼ା ପାହାଡ଼ର ପାରାଭାଡ଼ି ବୋଦ୍ଧସ୍ତୂପ ଖନନରୁ ପଦ୍ମପାଣି ବୋଧିସତ୍ତ୍ୱଙ୍କ ଭଗ୍ନ ବିଗ୍ରହ ଓ ମାଟିପାତ୍ରରେ ଥିବା ବୁଦ୍ଧମସ୍ତକ ଆବିଷ୍କୃତ ହୋଇଛି। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପୁରୀ ସର୍କଲ ଅଧୀନରେ ଏହି ବିଧିବଦ୍ଧ ଖନନ ଫେବୃଆରୀ ୧୪ ତାରିଖରୁ ଆରମ୍ଭ ହୋଇଛି। ଖନନ ସମୟରେ ଖଣ୍ଡୋଲାଇଟ ପଥରରେ ଗଢ଼ା ହୋଇଥିବା ସାଢ଼େ ୪ ମିଟର ଉଚ୍ଚତା ବିଶିଷ୍ଟ ଏହି ବିଶାଳ […]
ପାରାଭାଡ଼ି ବୌଦ୍ଧସ୍ତୂପରୁ ବୁଦ୍ଧବିଗ୍ରହ ଆବିଷ୍କୃତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial